Unknown

 

 

 

 

 

 

 

 

 

 

 

ନେତା

ଗଣେଶ୍ଵର ମିଶ୍ର

 

 

ନେତା ପ୍ରଥମେ ପ୍ରକାଶିତ ହୋଇଥିଲା ୧୯୭୩ ମସିହାରେ, ‘ମାନସ’ର ପୂଜା ସଂଖ୍ୟାରେ ।

 

ନେତାର ସମସ୍ତ ଚରିତ୍ର ଓ ଘଟଣା କାଳ୍ପନିକ । କୌଣସି ବାସ୍ତବ ଘଟଣା କିମ୍ବା ଜୀବନ୍ତ ବା ମୃତ ଚରିତ୍ର ସହିତ ନେତାରେ ବର୍ଣ୍ଣିତ ଘଟଣା ବା ଚରିତ୍ରର ସାମଞ୍ଜସ୍ୟ ଥିଲେ ତାହାକୁ ଆକସ୍ମିକ ମନେ କରିବାକୁ ଅନୁରୋଧ ।

 

ନେତାରେ ଯେଉଁ ମହାଜନତା ପାର୍ଟି ସମ୍ପର୍କରେ ଉଲ୍ଲେଖ କରାଯାଇଛି, ଭାରତୀୟ ରାଜନୀତିରେ ଜନତା ପାର୍ଟି ସହିତ ତାହାର କୌଣସି ସମ୍ପର୍କ ନାହିଁ । ନେତା ପ୍ରକାଶିତ ହୋଇଥିଲା ୧୯୭୩ରେ, କିନ୍ତୁ ଭାରତୀୟ ରାଜନୀତିରେ ଜନତା ପାର୍ଟିର ଆବିର୍ଭାବ ୧୯୭୭ରେ ।

 

–ଲେଖକ

Image

 

(ଏକ)

 

ଚତୁର୍ଥ ସାଧାରଣ ନିର୍ବାଚନ ଯେତେ ଯେତେ ପାଖେଇ ଆସୁଥିଲା, ପୁରୀ ସହରର ନିଦୁଆ ବାତାବରଣ ସେତେ ସେତେ ଉଷ୍ମ ହୋଇ ଉଠୁଥିଲା । ସିଂହଦ୍ଵାରରେ ପ୍ରତିଦିନ ଦୁଇ ଦିନ ଛାଡ଼ି ସାଧାରଣ ସଭାମାନ ଲାଗି ରହିଥିଲା ଓ ଭାରତ ତଥା ଓଡ଼ିଶାର ବିଶିଷ୍ଟ ନେତାମାନଙ୍କ ଭାଷଣରେ ସମୁଦ୍ର ଗର୍ଜନବି କେତେକ ଦିନ ହେଲା ନୀରବ ହୋଇଯାଇଥିଲା । ବଡ଼ଦାଣ୍ଡ ତ ଦୂରର କଥା, ଛୋଟ ଅଣଓସାରିଆ ଗଳିର ପାନ ଦୋକାନରେବି ଏବେ ଆଉ କିଛି ଆଲୋଚନା ଶୁଣାଯାଉ ନଥିଲା । ସବୁଠି ଖାଲି ଗୋଟିଏ କଥା–ରାଜନୀତି ଓ ନିର୍ବାଚନ । ପୁରୁଖା ଲୋକମାନେ କହୁଥିଲେ, ଦେଶରେ ତିନି ତିନିଟା ନିର୍ବାଚନ ହୋଇ ବିଧାନସଭା ଓ ଲୋକସଭାକୁ ପ୍ରତିନିଧି ନିର୍ବାଚିତ ହୋଇଛନ୍ତି ସତ; ମାତ୍ର ଏଥର ଭଳି ଆଉ କେବେ ଲୋକେ ରାଜନୀତି ସମ୍ପର୍କରେ ଏତେ ସଚେତନ ନଥିଲେ । ଯୁବକମାନେ କହୁଥିଲେ, ‘‘ଯାହାହେଉ, ଏଇ ନିର୍ବାଚନହିଁ ପ୍ରକୃତ ନିର୍ବାଚନ । ଏଇଥର ମହାଜନତା ପାର୍ଟି ଗାଦିରୁ ହଟି ଖଟିଖିଆ ପାର୍ଟି ସରକାର ଗଢ଼ିଲେ ଦେଶରୁ ସବୁଦିନ ପାଇଁ ଦୁର୍ନୀତି ହଟିଯିବ ।’’

 

ଅନ୍ୟାନ୍ୟ ନିର୍ବାଚନ ବର୍ଷ ପରି ଏବର୍ଷ ମଧ୍ୟ ସହରର କୋଠାଘରର କାନ୍ଥମାନଙ୍କରେ ବଡ଼ ବଡ଼ ପୋଷ୍ଟର ମରା ହୋଇଥିଲା, ପିଚ ରାସ୍ତାମାନଙ୍କ ଉପରେ ଚୂନରେ ପାର୍ଥୀମାନଙ୍କୁ ଭୋଟ ଦେବାପାଇଁ ନିବେଦନ କରାଯାଇଥିଲା । ତା’ଛଡ଼ା ଦଳେ ଦଳେ ଲୋକ ସାହି ସାହି ବୁଲି ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଥିଲେ ଓ ପ୍ରାର୍ଥୀମାନଙ୍କ ଗୁଣାବଳୀ ମୁଦ୍ରିତ ହୋଇଥିବା ନାଲି ନେଳି କାଗଜ ବାଣ୍ଟୁଥିଲେ । ସହରର ତିନୋଟି ସିନେମା ଘରେ ନିୟମିତଭାବରେ ଗତଦୁଇମାସ ହେଲା ପ୍ରାର୍ଥୀମାନଙ୍କୁ ଭୋଟ ଦେବା ପାଇଁ ବିଜ୍ଞାପନ ପ୍ରଦର୍ଶିତ ହେଉଥିଲା । ମନ୍ଥରଗତି ଘୋଡ଼ାଗାଡ଼ିରେ ସାହି ସାହି ବୁଲି କେତେ ଜଣ ସ୍ଥାନୀୟ କଲେଜ ଛାତ୍ର ମାଇକ୍‌ରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଥିଲେ । ପୁଣି ମଝିରେ ମଝିରେ ଧୋତି-ପଞ୍ଜାବି ପରିହିତ ହସ ହସ ମୁଖମଣ୍ଡଳ ଅମାୟିକ ପ୍ରାର୍ଥୀମାନେ ଯୋଡ଼ହସ୍ତରେ ସହରର ରାସ୍ତା ଉପରେ ଚାଲି ଚାଲି ସାଧାରଣ ଲୋକମାନଙ୍କୁ ଆଲିଙ୍ଗନ କରିବା ଓ ‘ଭାଇ’ ସମ୍ବୋଧନ କରିବା ଦେଖାଯାଉଥିଲା ।

 

ଗତନିର୍ବାଚନ ପରି ଏଥର ମଧ୍ୟ ପ୍ରାର୍ଥୀମାନଙ୍କ ସଂଖ୍ୟା ଏକ ଡଜନରୁ କମ୍‌ ନଥିଲା । ମାତ୍ର ନିର୍ବାଚନ ମଣ୍ଡଳୀର ସମସ୍ତଙ୍କ ଦୃଷ୍ଟି ଥିଲା ଦୁଇ ଜଣଙ୍କ ଉପରେ–ଏକ ପକ୍ଷରେ ମହାଜନତା ପାର୍ଟିର ଭାଗୀରଥ ମହାପାତ୍ର ଓ ଅନ୍ୟ ପକ୍ଷରେ ନିଖିଳ ଉତ୍କଳ ଖଟିଖିଆ ଦଳର ଅର୍ଜ୍ଜୁନ ଗୋଛିକାର-। ଉଭୟେ ଥିଲେ ପୁରୀ ସହରରେ ସୁପରିଚିତ । ଭାଗୀରଥ ଗତନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ଗତ ପାଞ୍ଚବର୍ଷ ପୁରୀର ଜନସାଧାରଣଙ୍କ ସେବା କରିବା ପରେ ଆଉ ପାଞ୍ଚବର୍ଷ ସେବା କରିବାର ସୁଯୋଗ ପାଇଁ ସେ ତାଙ୍କର ବହୁଦିନର ଅବ୍ୟବହୃତ ପୁରୁଣା ରାଲେ ସାଇକେଲ ଖଣ୍ଡକରେ ଦ୍ୱାର ଦ୍ୱାର ବୁଲୁଥିଲେ । ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଯୁବନେତା ଅର୍ଜ୍ଜୁନ ଗୋଛିକାର ଏଇମାତ୍ର ଓକିଲାତି ଆରମ୍ଭ କରିଥିଲେବି ଛାତ୍ରନେତା ହିସାବରେ ସହରରେ ବେଶ ସୁନାମ ଅର୍ଜ୍ଜନ କରିଥିଲେ । କେତେଜଣ କଲେଜ ଛାତ୍ର ଓ ବେକାର ଯୁବକଙ୍କୁ ସଙ୍ଗରେ ଧରି ଖାଲି ପାଦରେ ସେ ମଧ୍ୟ ଦେଶସେବା ପାଇଁ ତାଙ୍କୁ ଭୋଟ ଦେବାକୁ ଲୋକମାନଙ୍କୁ ବୁଝାଉଥିଲେ ।

 

ପୃଥିବୀର ସବୁଠାରୁ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ଚତୁର୍ଥ ସାଧାରଣ ନିର୍ବାଚନ ଆଉ ମାତ୍ର ଦଶଟି ଦିନ ବାକୀ ଥିଲା ।

Image

 

(ଦୁଇ)

 

ଆଉ ମାତ୍ର ଦଶଟି ଦିନ... ।

 

ମହାଜନତା ପାର୍ଟିର ଭାଗୀରଥ ମହାପାତ୍ର ଆରାମ୍‌ ଚେୟାର୍‌ ଉପରେ ବସି ତାଙ୍କର ସଦ୍ୟନିର୍ମିତ ଦୁଇ ମହଲା କୋଠାର ବାଲକୋନୀ ଉପରୁ ଜନଶୂନ୍ୟ ରାସ୍ତା ଉପରକୁ ଚାହିଁ ରହିଥିଲେ । ତାଙ୍କୁ ଘେରି ବସିଥିଲେ ପାର୍ଟିର ଜିଲ୍ଲା ଶାଖା ସଭାପତି ଗିରିଧାରୀ ବାହିନୀପତି, ସହରର ବିଶିଷ୍ଟ ବ୍ୟବସାୟୀ ଜୟ ହନୁମାନ ଅଗ୍ରବାଲା ଓ ସହରର ଉଦୀୟମାନ୍‌ ଯୁବନେତା ନବଘନ ଦାସ । ସେମାନଙ୍କ ସମ୍ମୁଖରେ ରଖାଯାଇଥିବା ଛୋଟ ଟି-ପୟ ଉପରେ ଗୋଟିଏ ବୋତଲ ଓ କେତୋଟି ଗିଲାସ ଥୁଆ ହୋଇଥିଲା । ସେମାନେ ମଝିରେ ମଝିରେ ବୋତଲରୁ କିଛି କିଛି ପାନୀୟ ଗିଲାସରେ ଢାଳି ପାଟି ପାଖକୁ ନେଉଥିଲେ ଓ ଶୂନ୍ୟ ଗିଲାସମାନ ଟି-ପୟ ଉପରେ ରଖି ଦେଉଥିଲେ ।

 

ରାତି ଅନେକ ହୋଇଥିଲା । ସେକେଣ୍ଡ ସୋ ସିନେମା ଦେଖି ନିକଟବର୍ତ୍ତୀ ସିନେମା ହଲରୁ କେତେଜଣ ଲୋକ ଅଳ୍ପସମୟ ଆଗରୁ ସାମ୍ନା ରାସ୍ତାରେ ଯାଇଥିଲେ । ସେମାନେ ଗଲା ପରେ ରାସ୍ତାଟା କେମିତି ବେଶି ଖାଁ ଖାଁ ଲାଗୁଥିଲା । ଅଳ୍ପ ଦୂରରେ ଅଚିହ୍ନା ଜନ୍ତୁଟାଏ ପରି ଗଡ଼ୁଥିବା ସମୁଦ୍ରଟା ବେଳକୁବେଳ ଅଧିକ ଜୋରରେ ଗର୍ଜନ କଲାଭଳି ଜଣାପଡ଼ୁଥିଲା । ଜହ୍ନଟା ସଫା ଆକାଶରେ କାଗଜ ଡଙ୍ଗା ଖଣ୍ଡେ ପରି ଅସହାୟ ଭାବରେ ଭାସୁଥିଲା ।

 

କଲେଜରେ ପଢ଼ିବାବେଳେ କବିତା ଲେଖି ସୁନାମ ଅର୍ଜନ କରିଥିବା ଭାଗୀରଥ ଅନ୍ୟମନସ୍କ ହୋଇ ପଡ଼ିବା ଦେଖି ଜୟ ହନୁମାନ କହିଲେ, “କ୍ୟା ଭାବୁଛନ୍ତି ଆଜ୍ଞା । କଲ୍‌ ସବେରେ ପ୍ରସେସନ୍‌ ବାହାରିବ, ଶୋଇବେ ଯା’ନ୍ତୁ ।’

 

ନବଘନକୁ ଏହା ମଧ୍ୟରେ ଘୁମ ଲାଗି ଆସିଥିଲା । ସେ ଚମକି ଉଠିଲା ପରି କହିଲା, ‘କିଛି ଡର ନାହିଁ, ଆଜ୍ଞା ! ଏଥର ଅମୋଘ ଅସ୍ତ୍ର ପ୍ରୟୋଗ କରିବା ବେଳ ଆସିଗଲା । ଅର୍ଜ୍ଜୁନ ଟୋକାଟାଏ । ମୋ ହାତରେ ପଚିଶିଟା ଗାଁ, ଗୋଟିଏ ଭୋଟ ଏପଟ ସେପଟ ହେବାର ନାହିଁ । ଖାଲି ଯାହା କହିଲି, ସେତିକି ମୋତେ ଦେବାକୁ ହେବ ।’’

 

ଭାଗୀରଥ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ ।

 

ଜୟ ହନୁମାନ କହିଲେ, ‘ହାମେ ଯାଉଛୁ ଆଜ୍ଞା ! କଲ୍‌ ସବେରେ ସାକ୍ଷାତ ହେବ ।

 

ଜୟ ହନୁମାନ, ନବଘନ ଓ ଗିରିଧାରୀ ନମସ୍କାର କରି ଚୁପ୍ ଚାପ୍‌ ତଳକୁ ଓହ୍ଲାଇ ଗଲେ-। ଭାଗୀରଥ ସେମାନଙ୍କୁ ରାସ୍ତା ଉପରେ ଛାଡ଼ି ଆସି ପୁଣି ଛାତ ଉପରେ ଏକୁଟିଆ ବସିଲେ-। ସିଗାରେଟ୍‌ରେ ନିଆଁ ଧରାଇ ସେ ଦୂରକୁ ଏକ ଲୟରେ ଚାହିଁ ରହିଲେ । ଜହ୍ନ ଆଲୁଅରେ ଝାଉଁବଣ ନୀଳରଙ୍ଗର ପର୍ଦ୍ଦାଟିଏ ପରି ଦେଖାଯାଉଛି । ରାତ୍ରି ଯେତେ ଗଭୀର ହେଉଛି, ସମୁଦ୍ରର ଗର୍ଜନ ସେତିକି ସେତିକି ତୀବ୍ର ହେଉଛି । ବେଳେ ବେଳେ ଭ୍ରମ ହେଉଛି, ସମୁଦ୍ର ଯେମିତି କେତେବେଳେ ଆସି ତାଙ୍କ କୋଠାଘରକୁ ଛୁଇଁଲାଣି ! ଏଇ ଯେମିତି ମୁହୂର୍ତ୍ତକେ ସବୁ କିଛି ବିପୁଳ ଜଳରାଶିରେ ବୁଡ଼ିଯିବ !

 

ଆଉ ମାତ୍ର ଦଶଟି ଦିନ !

 

ଗତଥର କିନ୍ତୁ ଅବସ୍ଥା ଥିଲା ଭିନ୍ନ । ଭାଗୀରଥ ନୂଆ ନୂଆ ରାଜନୀତିରେ ପଶିଥିଲେ । ଏପରି ସେ ଓଡ଼ିଶାରେ ଏତେ ଜଣାଶୁଣା ନଥିଲେ ସତ; ମାତ୍ର ତାଙ୍କ ବିରୁଦ୍ଧରେ କହିବା ପାଇଁ ବିରୋଧୀ ପ୍ରାର୍ଥୀଙ୍କର କିଛି ନଥିଲା । ଗତ ପାଞ୍ଚବର୍ଷ ଭିତରେ ସେ ଜନସାଧାରଣଙ୍କ ପାଇଁ ଯେତେ ଯାହା କରିଛନ୍ତି, ସେ ଦୃଷ୍ଟିରୁ ତାଙ୍କର ଅପ୍ରତିଦ୍ଵନ୍ଦ୍ୱୀଭାବେ ନିର୍ବାଚିତ ହେବାକଥା । ମାତ୍ର ନିର୍ବାଚନ ଯେତେ ପାଖେଇ ଆସୁଛି, ତାଙ୍କ ଅବସ୍ଥା ସେତେ ଖରାପ ହେବାରେ ଲାଗିଛି । ଅବଶ୍ୟ ଗତଥର ପରି ଏଥର ତାଙ୍କର ଟଙ୍କାର ଅଭାବ ନାହିଁ । ଗତଥର ନିର୍ବାଚନ ପାଇଁ ବହୁ କଷ୍ଟରେ ପାର୍ଟି ଟିକେଟ ଯୋଗାଡ଼ କଲାବେଳେ ସେ କପର୍ଦ୍ଦକଶୂନ୍ୟ । ଶେଷରେ ଏକମାତ୍ର ପୈତୃକ ସମ୍ପତ୍ତି ନଅର ଗଳିର ଛୋଟ ଚାଳଘରଟିକୁ ବିକ୍ରି କରିଦେବାକୁ ହେଲା ମାତ୍ର ଅଢ଼େଇ ହଜାର ଟଙ୍କାରେ । ଛିଣ୍ଡା ପଞ୍ଜାବି, ମଇଳା ଧୋତି ପିନ୍ଧି ପୁରୁଣା ରାଲେ ସାଇକେଲ ଖଣ୍ଡକରେ ସାହି ସାହି ବୁଲି ପ୍ରଚାର କରି ଶେଷରେ ସେ ହେଲେ ବିଜୟୀ । ଏଥର ପରି ତାଙ୍କ ପ୍ରଚାର କରିବାକୁ ଏତେ ଲୋକ ନଥିଲେ କି ଏତେ ଜିପ୍‌ଗାଡ଼ି ନଥିଲା । ଥିଲା ଜନସାଧାରଣଙ୍କ ସାହାଯ୍ୟ ଓ ସମର୍ଥନ ।

 

ଏଥର କିନ୍ତୁ ପବନ ଅନ୍ୟ ଆଡ଼େ ବହୁଛି । ତାଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଶୁଣାଯାଉଛି । ଖଟିଖିଆ ପାର୍ଟିର ନେତା ଗଦାଧର ସେଦିନ ଜନତାର ବିପୁଳ କରତାଳି ମଧ୍ୟରେ ଯାହା ଘୋଷଣା କରିଗଲେ, ତାହା ମନେପଡ଼ି ଗଦାଧରଙ୍କ ପ୍ରତି ଘୃଣା ଓ କ୍ରୋଧରେ ଭାଗୀରଥଙ୍କ ଦେହ ଶୀତେଇ ଗଲା । ଗଦାଧର ଜନତା ସମ୍ମୁଖରେ ଘୋଷଣା କରିଗଲେ, ଗଲା ପାଞ୍ଚବର୍ଷ ଭିତରେ ଭାଗୀରଥ ଯାହା ସମ୍ପତ୍ତି କରିଛନ୍ତି, ଗୋଟିଏ ତଦନ୍ତ କମିସନ୍‌ ବସି ତାହାର ଅନୁସନ୍ଧାନ କରନ୍ତୁ । ସମ୍ବାଦପତ୍ରମାନଙ୍କରେ ମଧ୍ୟ ଗଦାଧରଙ୍କ ଦାବି ବଡ଼ ବଡ଼ ଅକ୍ଷରରେ ବାହାରିଲା । ଏହା ଭିତରେ ସେ ଯାହା କରିଛନ୍ତି, ପାର୍ଟି ସଭାପତି ବାହିନୀପତିଙ୍କ ତୁଳନାରେ ତାହା କେତେ ସାମାନ୍ୟ ! ଅଥଚ ବାହିନୀପତି ବୁଦ୍ଧିମାନର କାର୍ଯ୍ୟକରି ପ୍ରତିଦ୍ୱନ୍ଦ୍ୱୀତାରୁ ଓହରିଗଲେ । ତାଙ୍କର ସର୍ତ୍ତ, ପରେ ତାଙ୍କୁ ରାଜ୍ୟସଭାକୁ ପଠାଯିବ । ରାଜ୍ୟସଭା ନିର୍ବାଚନରେ ଗୋଳମାଳ ଆଦୌ ନାହିଁ । ସେ ନିଜେ ରାଜ୍ୟସଭାକୁ ଯିବାକୁହିଁ ଚାହିଁଥିଲେ, ମାତ୍ର ବାହିନୀପତି ବାଟ ଛାଡ଼ିଲେ ନାହିଁ । ବାହିନୀପତିଙ୍କର ପୁରୀରେ ଦୁଇଟା କୋଠା, ଭୁବନେଶ୍ଵରରେ ତିନିଟା, ପୁଣି ଦୁଇଟା ଟାକ୍‌ସି, ବ୍ୟାଙ୍କ ବାଲାନ୍‌ସ୍‌ କଥା ତ ସେ ତାଙ୍କୁ ଫିଟାଇ କହିନାହାନ୍ତି । ବାହିନୀପତିଙ୍କ ତୁଳନାରେ ସେ ବା କ’ଣ କରିଛନ୍ତି ? ଏଇତ ଗୋଟିଏ ବୋଲି କୋଠା–ଲକ୍ଷେ ବୋଲି ଟଙ୍କା ଖର୍ଚ୍ଚ ହୋଇଛି । ଖଣ୍ଡିଏ ବୋଲି କାର୍‌ । ବ୍ୟାଙ୍କ ବାଲାନ୍‌ସ ଏଯାଏଁ ତିନିଲକ୍ଷରୁ ସାତହଜାର ଊଣା ପଡ଼ିଲା । ସେଥିରେ ପୁଣି ଗଦାଧରଙ୍କର ଏତେ ଅଭିଯୋଗ !

 

ଦୂର ଝାଉଁବଣ ଜହ୍ନ ଆଲୁଅରେ ଧୂଆଁଳିଆ ଦିଶୁଥିଲା । ଭାଗୀରଥଙ୍କ ମନେ ହେଲା, ଯେମିତି ଷଡ଼ଯନ୍ତ୍ରର ଗୋଟିଏ ଜାଲ ତାଙ୍କ ଆଡ଼କୁ ଧୀରେ ଧୀରେ ପ୍ରସରି ଆସୁଛି ! ହଠାତ୍‌ ଟଙ୍କାର କେଜାଣି କାହିଁକି ଅଧ୍ୟାପକ ଗୋଲୋକବିହାରୀ ମିଶ୍ରଙ୍କ କଥା ମନେ ପଡ଼ିଲା । ଏଇ ମାତ୍ର ଦୁଇଦିନ ତଳେ ସେ ଆସିଥିଲେ । ତାଙ୍କ ଚେହେରା ଠିକ୍ ସେହିପରି ଅଛି–ଯେମିତି ଥିଲା ପନ୍ଦରବର୍ଷ ତଳେ, ସାମନ୍ତ ଚନ୍ଦ୍ରଶେଖର କଲେଜରେ ସେ ଛାତ୍ର ଥିବାବେଳେ । ଆଜିର ଏଇ ଶାନ୍ତ ସହଜ ଚେହେରା ଅଧ୍ୟାପକ ସେଦିନ ଥିଲେ ପ୍ରସିଦ୍ଧ ଛାତ୍ରନେତା । ତାଙ୍କର ଅଗ୍ନିବର୍ଷୀ ଭାଷଣ ଶୁଣି ଭାଗୀରଥଙ୍କ ହୃଦୟରେ ସେଦିନ ନେତା ହେବାର ଅଭିଳାଷ ଜାଗିଥିଲା । ଇଚ୍ଛା ହୋଇଥିଲେ, ସେ ବି ଗୋଲୋକବିହାରୀଙ୍କ ପରି ଜନ-ସମୁଦ୍ର ସମ୍ମୁଖରେ ଅନର୍ଗଳ ବକ୍ତୃତା ଦିଅନ୍ତେ, ଜନତାର ଶୋଭାଯାତ୍ରାର ଆଗେ ଆଗେ ଚାଲିଥାନ୍ତେ–ପୋଲିସର ଲାଠିକୁ ଡରନ୍ତେ ନାହିଁ, ଡରନ୍ତେ ନାହିଁ ଜେଲ୍‌ ପାଚେରୀକୁ । ସତ୍ୟ ନ୍ୟାୟ ପାଇଁ, ଏ ଦେଶର ଅସଂଖ୍ୟ ଦରିଦ୍ର ଜନ-ସାଧାରଣଙ୍କ ପାଇଁ, ସେ ଆତ୍ମବଳି ଦେବାକୁ ଆଗେଇ ଆସନ୍ତେ ! ମନେ ପଡ଼ିଥିଲା ଦେଶ ବିଦେଶର ବହୁ ମହାପୁରୁଷଙ୍କ କଥା । ଉତ୍ସାହରେ ରୋମ ଟାଙ୍କୁରି ଉଠିଥିଲା ।

 

କିନ୍ତୁ ସେ ସବୁ ଥିଲା କେବଳ କଳ୍ପନା । ଛାତ୍ରଜୀବନର ଦାରିଦ୍ର୍ୟ ଅଭାବ ଭିତରେ ଭାଗୀରଥଙ୍କ ନେତା ହେବାର ଉଚ୍ଚଆକାଂକ୍ଷା ମ୍ରିୟମାଣ ହୋଇ ପଡ଼ିଥିଲା । ମୋହରିର କାମ କରି ବାପା ଚକ୍ରମଣି ମହାପାତ୍ର ଯାହା ସାମାନ୍ୟ ଅର୍ଜ୍ଜନ କରୁଥିଲେ, ସେତିକିରେ କୁଟୁମ୍ବ ପ୍ରତିପାଳନ ଥିଲା ଏକ ବିରାଟ ସମସ୍ୟା । ଭାଗୀରଥଙ୍କୁ ତେଣୁ ଛାତ୍ରଜୀବନରୁ ନିଜକୁ ନିଜେ ଗଢ଼ିବାକୁ ପଡ଼ିଥିଲା-। ଦିନରେ ଦୁଇଓଳି ଟିଉସନ୍‌ କରି ବହୁ କଷ୍ଟରେ ବି.ଏ. ପାଶ କରି ଭାଗୀରଥ କଟକ ଗଲେ ଓକିଲାତି ପଢ଼ିବାକୁ । ଓକିଲାତି ପରେ ପୁରୀରେ ପ୍ରାକ୍‌ଟିସ ଆରମ୍ଭ କରୁ କରୁ ଦିନେ ହଠାତ୍‌ କି ଯୋଗରେ କେଜାଣି ସେ ନିଜକୁ ଆବିଷ୍କାର କଲେ ରାଜନୀତିର ମହାଜଙ୍ଗଲ ଭିତରେ ।

 

ସେଇ ସ୍ମରଣୀୟ ଦିନଟି ଭାଗୀରଥଙ୍କର ସବୁବେଳେ ମନେପଡ଼େ । ଆଜି ଗଭୀର ରାତ୍ରିରେ ବାଲକୋନୀ ଉପରେ ଏକା ବସି ସିଗାରେଟ୍ ଟାଣୁ ଟାଣୁ ଭାଗୀରଥ ସେଇ ଦିନଟି କଥା ପୁଣି ମନେପକାଇଲେ । ଏହା ଭିତରେ ସ୍ତ୍ରୀ କାଞ୍ଚନ ଦେବୀ ଦୁଇଥର ଅନୁରୋଧ କରିସାରିଲେଣି ଶୋଇବାକୁ ଯିବାକୁ । ଗମ୍ଭୀର ଭାଗୀରଥ ତାଙ୍କ ଚିନ୍ତାରେ ବାଧା ନ ଦେବାକୁ ସ୍ତ୍ରୀଙ୍କୁ ହାତଠାରି ନିର୍ଦ୍ଦେଶ ଦେଇଛନ୍ତି । ରାଜନୀତିଜ୍ଞ ସ୍ୱାମୀଙ୍କ ବ୍ୟବହାର ସହିତ ବାହାହେବାର ଦଶବର୍ଷ ଭିତରେ କାଞ୍ଚନ ଦେବୀ ବେଶ୍ ଅଭ୍ୟସ୍ତ ହୋଇପଡ଼ିଥିଲେ । ସେ ନୀରବରେ ଫେରିଯାଇଛନ୍ତି ବିଛଣାକୁ । ଭାଗୀରଥ ମୁହଁ ଫେରାଇ ଚାହିଁଛନ୍ତି, ସ୍ତ୍ରୀ ହୁଏତ ଶୋଇ ନଥିବେ, ତାଙ୍କୁ ଅପେକ୍ଷା କରିଥିବେ । ଶୋଇବା ଘରର ଆଲୁଅ ଯେପରି କ୍ରମେ ବେଶି ବେଶି ଉଜ୍ଜ୍ଵଳ ଦିଶୁଛି ।

 

ସେ ଦିନଟି ଆସି ନଥିଲେ ହୁଏତ ଆଜି ଭାଗୀରଥଙ୍କ ଜୀବନବି ଗୋଲୋକବିହାରୀଙ୍କ ଜୀବନ ପରି ହୋଇଥାନ୍ତା ସହଜ ଓ ନିସ୍ତରଙ୍ଗ । ଭାଗୀରଥ ବେଳେବେଳେ ଗୋଲୋକବିହାରୀଙ୍କୁ ହିଂସା କରନ୍ତି ତାଙ୍କ ଶାନ୍ତିମୟ ଜୀବନ ପାଇଁ । ହୁଏତ ଗୋଲୋକବିହାରୀ ବୁଦ୍ଧିମାନ । ହୁଏତ ଛାତ୍ର ଜୀବନରେ ରାଜନୀତି ସହିତ ଯେତିକି ସମ୍ପର୍କ, ସେତିକିରୁ ଗୋଲୋକବିହାରୀ ବୁଝିଯାଇଛନ୍ତି, ବୃହତ୍ତର ଜୀବନକୁ ରାଜନୀତି ବିଭ୍ରାନ୍ତ କରିଦେବହିଁ ଦେବ । ତେଣୁ ସେ ହଟି ଯାଇଛନ୍ତି । କିନ୍ତୁ ଭାଗୀରଥ ?

 

ହୁଏତ ଅନ୍ୟ ଉପାୟ ନଥିଲା । ସହରର ହଜାର ହଜାର ସାଧାରଣ ଲୋକଙ୍କ ପରି ସେଦିନ ନୂଆ ଓକିଲାତି ଆରମ୍ଭ କରିଥିବା ଭାଗୀରଥ ମହାପାତ୍ର ଯାଇଥିଲେ ପୁରୀ ଷ୍ଟେସନ୍‌ ଆଡ଼େ, ଜଣେ ଦେଖଣାହାରିଭାବେ । ସେତେବେଳେ ସମଗ୍ର ଓଡ଼ିଶାରେ ସୀମାଆନ୍ଦୋଳନ ନାମରେ ଯେଉଁ ବିରାଟ ଗଣବିପ୍ଳବ ଦେଖାଦେଇଥିଲା, ସେଥିରେ ଏଇ ପୁରୀ ସହରହିଁ ଥିଲା ଅଗ୍ରଣୀ । ସ୍କୁଲ ଛାତ୍ରଠାରୁ ଅତି ସାଧାରଣ ନାଗରିକ ପର୍ଯ୍ୟନ୍ତ ସମସ୍ତେ ଯେପରି ସେଦିନ ପାଗଳ ହୋଇ ପଡ଼ିଥିଲେ-। ତତ୍କାଳୀନ ମୁଖ୍ୟମନ୍ତ୍ରୀବି ସେତେବେଳେ ଇସ୍ତଫାପତ୍ର ନେଇ ଦିଲ୍ଲୀ ଧାଇଁ ଯାଇଥିଲେ । ଏଇ ସମ୍ବାଦ ହୁଏତ ଜନସାଧାରଣଙ୍କୁ ଆହୁରି ପାଗଳ କରିଦେଇଥିଲା । ସାରା ଦିନ ସହରର ମୁଖ୍ୟରାସ୍ତାମାନଙ୍କରେ ଚାଲିଥିଲା ଜନତାର ପଟୁଆର । ସ୍ଳୋଗାନରେ ଆକାଶ ପବନ କମ୍ପି ଉଠୁଥିଲା । ସବୁଠାରେ ଯୁଦ୍ଧ ଡାକରା ଆମର ଦାବି-ପୂରଣ ହେଉ । ଓଡ଼ିଶା ବାହାରେ ରହିଯାଇଥିବା ଓଡ଼ିଆଭାଷୀ ଅଞ୍ଚଳ ସବୁ ଓଡ଼ିଶାରେ ମିଶୁ । ଓଡ଼ିଆମାନଙ୍କ ଜିଭ କଟା ନ ହେଉ–“ମେଦିନପୁରରେ ଯାହା ହୋଇଛି, ଷଢ଼େଇକଳା ଖରସୁଆଁରେ ତାହା ନ ହେଉ....’ଏହାହିଁ ଥିଲା ସେଦିନର ଦାବି । ସେଇ ଦାବି ପୂରଣ କରି ନଥିଲେ ଜବାହରଲାଲ୍ ନେହେରୁଙ୍କ ପ୍ରତିଷ୍ଠିତ ସୀମା କମିସନ । ସେଥିପାଇଁ ଓଡ଼ିଶାରେ ଲାଗିଥିଲା ନିଆଁ ଓ ସେ ନିଆଁ ସବୁଠାରୁ ବେଶି ଜୋରରେ ଜଳୁଥିଲା ପୁରୀରେ । ସତେ ଯେମିତି ସେ ନିଆଁର ଶିଖା ବଡ଼ ଦେଉଳକୁ ଟପିଯିବ ।

 

ସେଦିନ ଭାଗୀରଥ ମହାପାତ୍ର ପୁରୀ ରେଳଷ୍ଟେସନ ଆଡ଼େ ଯାଇଥିଲେ ସାଧାରଣ ସଭାରେ ଯୋଗଦେବାକୁ । ଶହ ଶହ ଲୋକ ରେଳଲାଇନ୍‌ ଉପରେ ଧାରଣା ଦେବାର ଦୁଇଦିନ ହୋଇଯାଇଥାଏ । ନ ଖାଇ ନ ପିଇ ପାଗଳ ଜନତା ଖରା କାକରରେ ପଡ଼ି ରେଳଗାଡ଼ି ଅଟକାଇ ଥାନ୍ତି–ହୁଏତ ସେମାନଙ୍କ ଦାବି ଦିଲ୍ଲୀରେ ପହଞ୍ଚିବ । ରେଲଲାଇନ୍‌ କଡ଼ରେ ସାଧାରଣ ସଭା–ଚାରିଆଡ଼େ ଖାଲି ମଣିଷ ଓ ମଣିଷ । ସତେ ଯେମିତି ସାରା ପୁରୀ ସହର ଉଠି ଆସିଛି ଏଇ ରେଳ ଲାଇନ କଡ଼କୁ । ଶୁଣାଯାଉଥାଏ–ଯେ କୌଣସି ମୁହୂର୍ତ୍ତରେ ଗୁଳି ଚାଲିବ ! ସଞ୍ଜ ନଇଁ ଆସୁଥାଏ । ଝାଉଁବଣ ଉପରେ ରକ୍ତ ଜୁଡ଼ବୁଡ଼ ଲାଲ ଜହ୍ନଟାଏ ଉଙ୍କି ମାରିଲା । ଏ ଆଡ଼େ ଚାଲିଥାଏ ଜନତାର ସଭା–ନେତାମାନଙ୍କ ଓଜସ୍ଵନୀ ଭାଷଣ ଓ ସଭାରେ ଗୁଳି ଚାଲିବାର ଭୟରେ କେମିତି ଗୋଟାଏ ଭୟଙ୍କର ପରିବେଶ ସୃଷ୍ଟି ହୋଇଥାଏ ! କେହି ଜଣେ ନେତା ତଣ୍ଟି ଫଟାଇ ଚିତ୍କାର କରୁଥାନ୍ତି–‘ଭାଇମାନେ, ଆଜି ଏ ରେଳଗାଡ଼ିକୁ ଅଟକାଇ ରଖ । ଯଦି ଏ ରେଳଗାଡ଼ି ଚାଲେ ତାହା ଓଡ଼ିଆ ଜାତିର ଛାତି ଉପରେ ମାଡ଼ିଯାଉ ।’–ପାଗଳ ଜନତା କରତାଳି ଦେଉଥାନ୍ତି–ଉତ୍ତେଜନାରେ ଥରି ଥରି ଚିତ୍କାର କରୁଥାନ୍ତି । ନିଜ ଅଜାଣତରେ ଭାଗୀରଥବି ଥରିବାକୁ ଲାଗିଥିଲେ । ହଠାତ୍‌ କେତେବେଳେ ସେ ଡେଇଁ ପଡ଼ିଲେ ସଭାମଞ୍ଚକୁ–ସାମ୍ନାରେ ବସିଥିବା ଲୋକମାନଙ୍କ ମୁହଁ ସବୁ ତାଙ୍କୁ ଦିଶୁ ନଥିଲା–ସବୁ ଦିଶୁଥିଲା ଝାପ୍‌ସା ଝାପ୍‌ସା । ଆନ୍ଦୋଳନର ମୂଳକାରଣ ସେ ଭୁଲିଯାଇଥିଲେ । ତାଙ୍କୁ ଲାଗୁଥିଲା, କେହି ଯେପରି ଚକ୍ରାନ୍ତ କରି ଆଜି ପୃଥିବୀ ପୃଷ୍ଠରୁ ଓଡ଼ିଆ ଜାତିକୁ ଧ୍ୱଂସ କରିଦେବାକୁ ବସିଛି ଓ ଜାତିକୁ ରକ୍ଷା କରିବାର ଗୁରୁଦାୟିତ୍ୱ ତାଙ୍କରି ଉପରେହିଁ ପଡ଼ିଛି ! କେତେବେଳେ ସେ ଆରମ୍ଭ କରିଦେଇଥିଲେ ବକ୍ତୃତା–ସେ କ’ଣ କହୁଥିଲେ, ହୁଏତ ନିଜେ ଜାଣୁ ନଥିଲେ–କିନ୍ତୁ ଜନସମୁଦ୍ରରୁ କରତାଳି ପରେ କରତାଳି ଅଜାଡ଼ି ହୋଇ ପଡ଼ୁଥିଲା । ସେ ନିଜକୁବି ଭୁଲିଯାଇଥିଲେ । ଯେପରି ଏ ଯାଏ ତାଙ୍କ ଭିତରେ ରୁନ୍ଧ ହୋଇ ରହିଥିବା ସବୁ ଅସନ୍ତୋଷ ଏକ ପ୍ରଚଣ୍ଡ ବିସ୍ଫୋରଣରେ ହଠାତ୍‌ ବାହାରକୁ ବାହାରି ଆସିଛି !

 

ଏହାର ପରିଣତି ଥିଲା ସହଜ । ଭାଗୀରଥ ଯେତେବେଳେ ପ୍ରକୃତିସ୍ଥ ହେଲେ, ସେତେବେଳକୁ ଚାରିଜଣ ପୁଲିସ ତାଙ୍କୁ ଜେଲ୍‌ ଭ୍ୟାନ୍‌ରେ ଭର୍ତ୍ତିକରି ଅନ୍ଧାରୁଆ ଜେଲ କୋଠରୀକୁ ନେଇ ଯାଇଥିଲେ । ପରେ ସେ ଶୁଣିଲେ, ତାଙ୍କ ବକ୍ତୃତା ପରେ ସଭାରେ ଲାଠି ମାଡ଼ ହୋଇଥିଲା ଓ ଗୁଳି ଚାଲିଥିଲା । ଦୁଇଜଣ ସମବୟସ୍କ ଛାତ୍ର ସେହି ଗୁଳି ଚାଳନାର ଶିକାର ହୋଇଥିଲେ । ପୁରୀ ସହରରେ ଘୋଟି ଯାଇଥିଲା ଅରାଜକତା–ଆଇନ୍‌ର ଶାସନ ଭୁଷୁଡ଼ି ପଡ଼ିଥିଲା । ସହରର ରାସ୍ତାଘାଟରେ ବନ୍ଧୁକଧାରୀ ଗୁର୍ଖାବାହିନୀ ଦିନ ଦିନ ଧରି ଜୀବନ୍ତ ମୃତ୍ୟୁ ପରି ପଇଁତରା ମାରିଥିଲେ-

 

ଭାଗୀରଥ ମହାପାତ୍ର କିନ୍ତୁ ବହୁ ଦିନ ଥିଲେ ପୁରୀ ଜେଲରେ । ଦୀର୍ଘ ତିନିମାସ ପରେ ସେ ଯେତେବେଳେ ଜେଲରୁ ମୁକ୍ତହେଲେ, ସେତେବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ଜମା ହୋଇଥିବା ବିରାଟ ଜନତା ଦୀର୍ଘ ପଟୁଆରରେ ସିଂହଦ୍ଵାରକୁ ଘେନି ଯାଇ ବିପୁଳ ସମ୍ବର୍ଦ୍ଧନା କରିଥିଲେ । ସହରର ଶାନ୍ତ ବାତାବରଣ ଏହା ଭିତରେ ଫେରିଆସିଥିଲା । ପରଦିନ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ବାହାରିଲା–“ପୁରୀର ବିଶିଷ୍ଟ ନେତା ଭାଗୀରଥ ମହାପାତ୍ର ଜେଲରୁ ମୁକ୍ତ ହେଲେ-।’’ ସମ୍ବାଦ ସହିତ ଭାଗୀରଥଙ୍କ ଆଲୋକଚିତ୍ର ।

 

ଆଜିର ନିର୍ବାଚନ ଓ ବିନିଦ୍ର ରାତ୍ରି ଯାପନ ସେଇ ଦିନର ସ୍ୱାଭାବିକ ପରିଣତି–ଏଥିରେ ଭାଗୀରଥଙ୍କର ସନ୍ଦେହ ନଥିଲା ।

Image

 

(ତିନି)

 

ସବୁଦିନ ପରି ମୁରାରୀ ଦାସ ସକାଳୁ ସକାଳୁ ତାଙ୍କର ଅତି ପରିଣତ ନୂତନ ମିଷ୍ଟାନ୍ନ ଭଣ୍ଡାରରେ ବସିଥିଲେ । ସୂର୍ଯ୍ୟ ଉଇଁବାକୁ ତଥାପି ଡେରି ଥିଲା । ଜଳବାୟୁ ପରିବର୍ତ୍ତନରେ ଆସିଥିବା ବଙ୍ଗୀୟ ଭଦ୍ରବ୍ୟକ୍ତି ଭଦ୍ରମହିଳାମାନେ ହୋଟେଲ ଛାଡ଼ି ଦଳ ଦଳ ହୋଇ ସମୁଦ୍ରକୂଳକୁ ବୁଲି ବାହାରି ଥିଲେ । ନୂତନ ମିଷ୍ଟାନ୍ନ ଭଣ୍ଡାର ଖୋଲିବାର ଠିକ୍ ପରେ ପରେ ପ୍ରାୟ ପ୍ରତିଦିନ ମୁରାରୀ ଦାସହିଁ ହୋଇଥାନ୍ତି ପ୍ରଥମ ଗରାଖ । ନିମ୍ନ ପ୍ରାଥମିକ ସ୍କୁଲ ଶିକ୍ଷକ ମୁରାରୀ ଦାସ ଆଜକୁ ବାରବର୍ଷ ହେଲା ମ୍ୟୁନସିପାଲ୍‌ଟି ଚାକିରୀରୁ ଅବସର ନେଲା ପରେ ସକାଳସଞ୍ଜରେ ଅଧିକାଶଂ ସମୟ ଏଇ ନୂତନ ମିଷ୍ଟାନ୍ନ ଭଣ୍ଡାରରେ କଟାଇଥାନ୍ତି । ନୂତନ ମିଷ୍ଟାନ୍ନ ଭଣ୍ଡାରର ମାଲିକ ହରିଦତ୍ତ ସହିତ ମୁରାରୀ ଦାସଙ୍କ ପରିଚୟ ହୋଇଥିଲା ତିରିଶବର୍ଷତଳେ । ସେଇ ଦିନୁ ଦୁହିଁଙ୍କ ଭିତରେ ବନ୍ଧୁତା । ଏହା ଭିତରେ ସମୟ ବଦଳିଛି । ପ୍ରଥମେ ଯେତେବେଳେ ଛୋଟ ଚାଳଘରଟିରେ ନବବିବାହିତ ହରିଦତ୍ତ ଚା’ ଦୋକାନ ଖୋଲିଥିଲା, ସେତେବେଳେ ସ୍ଥାନଟି ଥିଲା ଏକାନ୍ତ ନିଛାଟିଆ-। ମଝିରେ ମଝିରେ କେତୋଟି ସମ୍ଭ୍ରାନ୍ତ ବଙ୍ଗୀୟ ପରିବାରଙ୍କ କୋଠାଘରହିଁ କେବଳ ମୁଣ୍ଡ ଟେକିଥିଲା । ସେତେବେଳେ ଏ ଅଞ୍ଚଳଟିର କ’ଣ ନାଆଁ ଥିଲା, ମୁରାରୀ ଦାସଙ୍କ ମନେ ନାହିଁ । ପରେ କିନ୍ତୁ ଆନ୍ଧ୍ରରୁ ଆସି ବହୁ ମୋଚି ଏଠାରେ ଧାଡ଼ିଏ କୁଡ଼ିଆ ତୋଳି ରହିବାଦିନୁ ଆଜି ଏ ଅଞ୍ଚଳର ନାଁ ହୋଇଛି ମୋଚି ସାହି । ଆଜି ଅବଶ୍ୟ ଦୋକାନ ବଜାରରେ ସ୍ଥାନଟି ହୋଇ ଉଠିଛି କୋଳାହଳମୟ ।

 

ଆଜି ସକାଳୁ ନୂତନ ମିଷ୍ଟାନ୍ନ ଭଣ୍ଡାରରେ ମୁରାରୀ ଦାସ ଗୋଟିଏ ନୂଆ କଥା ଲକ୍ଷ୍ୟ କଲେ । ଅନ୍ୟ ଦିନମାନଙ୍କରେ ଚା’ ଦୋକାନ ଏତେବେଳକୁ ପ୍ରାୟ ଖାଲି ପଡ଼ିଥାଏ । ହରିଦତ୍ତ ତା’ର ପୃଥୁଳ ଶରୀରଟି ଦୋହଲାଇ ଚାକରମାନଙ୍କର ଉଦ୍ଦେଶ୍ୟରେ ଅସଭ୍ୟ ଭାଷାରେ ଗାଳି ବର୍ଷଣ କରୁଥାଏ ଓ ଆଞ୍ଚ ହେଉଥିବା କୋଇଲା ଚୁଲିର ଧୂଆଁ ଦୋକାନଟିକୁ ରୁନ୍ଧି ଦେଉଥାଏ । ଆଜି କିନ୍ତୁ ଦୋକାନର ସମସ୍ତ ବେଞ୍ଚ ଗରାଖମାନଙ୍କଦ୍ଵାରା ଅଧିକୃତ ହୋଇସାରିଥିଲା ଓ ଦୋକାନର ଚାକରମାନେ ଏପରିକି ମାଲିକ ନିଜେ ଗରାଖମାନଙ୍କୁ ଜଳଖିଆ ଓ ଚା’ ଯୋଗାଇବାରେ ଲଗି ପଡ଼ିଥିଲେ । ମୁରାରୀ ଦାସ ତାଙ୍କର ଅତି ପରିଚିତ ଚା’ ଦୋକାନର ଆଜି ନିଜକୁ ଅପରିଚିତ ମନେକଲେ ଓ ତାଙ୍କର ସବୁଦିନର ଆସନ ଛାଡ଼ି ଗୋଟିଏ କୋଣରେ ଚୁପ୍‌ଚାପ୍‌ ବସିଲେ ।

 

ଚାକର ଟୋକା ନଟବର ଅନ୍ୟଦିନ ହୋଇଥିଲେ ମୁରାରୀ ଦାସଙ୍କୁ ସଲାମ ପକାଇ ଦୁଇଟା ନିମିକି ଓ କପେ ବାମ୍ଫଉଠା ଚା’ ଥୋଇ ଦେଇଥାନ୍ତା । ଆଜି କିନ୍ତୁ ସେପରି ହେଲା ନାହିଁ । ମୁରାରୀ ଦାସ ଆଶ୍ଚର୍ଯ୍ୟ ହୋଇ ଅନାଇଲେ । ଦେଖିଲେ, ଆଜି ଯେଉଁ ଗରାଖମାନେ ଏମିତି ସକାଳୁ ସକାଳୁ ଜୁଟୁଛନ୍ତି, ସମସ୍ତେ ତାଙ୍କର ଅଜଣା ନୁହନ୍ତି; କିନ୍ତୁ ସେମାନଙ୍କ ପୋଷାକ ଓ କଥାବାର୍ତ୍ତା ଆଜି କାହିଁକି ବଦଳି ଯାଇଛି । ସମସ୍ତେ ଖଦଡ଼ ଲୁଗା ପିନ୍ଧିଛନ୍ତି ଓ କେହି କେହି ଟୋପି ଲଗାଇଛନ୍ତି । ମୁରାରୀ ଦାସଙ୍କ ଚିହ୍ନା ମୋଚି ରାବଣା ଦୋରା ମୁଣ୍ଡରେ ନାଲି ଟୋପି ପିନ୍ଧି ଅଧା ତେଲୁଗୁ ଅଧା ଓଡ଼ିଆରେ କହୁଚି–‘ବାବୁ, ଗାନ୍ଧୀ ମହାତ୍ମା ଯାହା କହୁଥିଲା, ଆମର ଭଲ ପାଇଁ ନା ? ଖଟିଖିଆ ଦଳ କହୁଚି ମଦ ଖା । କିରେ ମଦ ଖାଇଲେ ଫାଇଦା କାହାର ? ତୋର ପିଲାମାଇପ ନାହାନ୍ତି କି ? ଅନର୍ଗଳ ଏତିକି କହି ସେ ତା’ ପାଖରେ ବସି ଥିବା ମୋଚି ଯୁବକକୁ ତେଲୁଗୁରେ ଚୁପ୍ ଚୁପ୍ ପଚାରିଲା, ‘ବାବୁ ଯାହା ଶିଖେଇଥିଲେ, ମୁଁ ଠିକ୍ ଠିକ୍ କହୁଚି ତ ?’

 

ସେ ଯୁବକଟି ଛୋଟ ଛୋଟ ବାଳ ରଖିଥିଲା ଓ ଗୋଟିଏ ଗାଢ଼ ନାଲି ଜାମା ପିନ୍ଧିଥିଲା । ସେ ମୁଣ୍ଡ ହଲାଇ ଉତ୍ତର ଦେଲା–‘ହଁ’ ।

 

‘ସହଜ ତ୍ରିଭାଷୀ ଶିକ୍ଷା’ ପୁସ୍ତକରୁ ମୁରାରୀ ଦାସ ଟିକିଏ ଟିକିଏ ତେଲୁଗୁ ଶିଖିଥିଲେ । ରାବଣା ଦୋରାର କଥା ତାଙ୍କୁ କେମିତି ପ୍ରହେଳିକା ପରି ଲାଗିଲା । ଜଳଖିଆ ଖାଉଥିବା ଯୁବକମାନେ ପରସ୍ପର ଭିତରେ କ’ଣ ଯେପରି ଗୋଟିଏ ବିଷୟରେ ଆଲୋଚନା କରୁଥିଲେ । ମୁରାରୀ କଥାଟା ଠିକ୍ ଧରି ପାରିଲେ ନାହିଁ । ଅଳ୍ପ ଦୂରରେ ବସିଥିବା ନବଘନ ଉପରେ ଆଖି ପଡ଼ିବାରୁ ମୁରାରୀ ପଚାରିଲେ, ‘କିରେ ନବ, ତୁ କେମିତି ଏଠି ? ଏମାନେ ସବୁ କୁଆଡ଼େ ବାହାରିଛନ୍ତି ?’

 

ବାରମ୍ବାର ମାଟ୍ରିକ୍‌ ଫେଲ୍‌ ହୋଇ ପାଠ ଛାଡ଼ିବା ପରେ ନବଘନ ରାଜନୀତିରେ ଯୋଗ ଦେଇଛି । ମୁରାରୀ ପିଲାଦିନୁ ତାକୁ ଦେଖିଆସୁଛନ୍ତି । ମଦ ବିଡ଼ି ଖାଇ କୁଆଡ଼େ ବୁଲି ବୁଲି ରାତି ଅଧକୁ ସେ ଘରକୁ ଫେରେ, ଦିନେ ଦିନେ ଫେରେନାହିଁ । ନବଘନର ବାପା ଶ୍ୟାମଘନ ପୁଅର ଦୁର୍ଦ୍ଦଶା ପାଇଁ ମୁରାରୀ ଦାସଙ୍କ ଆଗରେ ବହୁବାର ଦୁଃଖ କରନ୍ତି ।

 

ସେହି ନବଘନ ହାତରେ ଗୋଟିଏ ଚମଡ଼ା ବ୍ୟାଗ୍ ଧରିଥିଲା ଓ ମୁଣ୍ଡରେ ଧଳା ଟୋପିଟିଏ ପିନ୍ଧିଥିଲା । ଆଜି କେମିତି ସେ ନେତା ପରି ଦିଶୁଥିଲା । ହାତ ହଲାଇ ସେ ମୁରାରୀ ଦାସଙ୍କ ଉଦ୍ଦେଶ୍ୟରେ ଭାଷଣ ଆରମ୍ଭ କଲା, “ବୁଝିଲ ମଉସା, ଏ ଖଟିଖିଆ ଦଳ ନିଶାନିବାରଣ ନୀତିକୁ ବିରୋଧ କରୁଛି । ଏ ଦଳ ସରକାରକୁ ଆସିଲେ ରାସ୍ତାରେ ରାସ୍ତାରେ ମଦ ଦୋକାନ ଖୋଲି ଦେବ । ଏଇ କର୍ମୀମାନଙ୍କୁ ନେଇ ଆଜି ମୁଁ ସହରରେ ଜନମତ ସୃଷ୍ଟି କରିବି । ଆପଣମାନଙ୍କ ସହଯୋଗ ଆମେ ଚାହୁଁ । ମହାତ୍ମା ଗାନ୍ଧୀଙ୍କ ନୀତି କ’ଣ ଆମେ ଭୁଲିଗଲେ ?’

 

ମୁରାରୀ ଦାସ ଦୋଳମଣ୍ଡପ ସାହି ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ହେଡ଼୍‌ ପଣ୍ଡିତ ଥିଲାବେଳେ ଯେଉଁଦିନ ଶ୍ୟାମଘନ ପାଞ୍ଚବର୍ଷର ପୁଅ ନବଘନର ହାତ ଧରି ଟାଣି ଟାଣି ତାଙ୍କ ସମ୍ମୁଖକୁ ଆଣି କହିଥିଲେ, ପିଲାଟା ବଡ଼ ଦୁଷ୍ଟ । କେମିତି ତାକୁ ମଣିଷ କର । ତମକୁ ଲାଗିଲା ।’ –ସେଦିନଟି ଏବେବି ମୁରାରୀଙ୍କର ମନେ ଅଛି । ସେ ଖାଲି ବୋକାଙ୍କ ପରି ନବଘନର ମୁହଁକୁ ଅନାଇଲେ ।

 

ନୂତନ ମିଷ୍ଟାନ୍ନ ଭଣ୍ଡାର ଆଜି ଅସ୍ଵାଭାବିକଭାବେ କୋଳାହଳମୟ ହୋଇ ଉଠିଥିଲା । ଉପସ୍ଥିତ ଜନତା ଜଳଖିଆ ଓ ଚା’ ଖାଇବା ସଙ୍ଗେ ସଙ୍ଗେ କିପରି ଭାବରେ ସତ୍ୟାଗ୍ରହ କରିବେ, ଆଲୋଚନା କରୁଥିଲେ । ନବଘନ ବୁଝାଉଥିଲା, ‘ଦେଖ, ହିଂସାତ୍ମକ ଆଚରଣ କରିବ ନାହିଁ । ରାବଣା ପ୍ରଥମେ ପତାକା ଉଡ଼ାଇ ଯିବ ଓ ତୁମ୍ଭେମାନେ ତା’ ପଛେ ପଛେ ଧାଡ଼ି ହୋଇଯିବ । କାଲି ରାତିରେ ଯେପରି ଶିଖାଇଛି, ସେହିପରି ସ୍ଳୋଗାନ୍‌ ଦେବ ।’

 

ପାଖ ରାସ୍ତାର ଲୋକଗହଳି କ୍ରମେ ବଢ଼ୁଥିଲା ଓ ଆହୁରି ଅନେକ ଲୋକ କୌତୁହଳବଶତଃ ସେଠି ଜମି ସାରିଥିଲେ । ସବୁଦିନେ ଅକାରଣେ ନୂତନ ମିଷ୍ଟାନ୍ନ ଭଣ୍ଡାରରେ ବସୁଥିବା ସେଇ ଛୋଟା ଯୁବକ ମାଧବ ହାତରେ ଗୋଟାଏ କାଗଜପଟା ଧରିଥିଲା । ସେଥିରେ ଲେଖା ଥିଲା ‘ନିଶା ନିବାରଣ–ମହାଜନତା ପାର୍ଟିର ଦାବି ।’ ଚୋରା ଅଫିମ କାରବାର ପାଇଁ ଥରେ ଏ ଯୁବକଟି ଥାନାକୁ ଯାଇଥିଲା, ମୁରାରୀ ଦାସ ଜାଣନ୍ତି । ସେ କିନ୍ତୁ ଅନେକ ଦିନ ତଳର କଥା । ସମସ୍ତେ ଭୁଲି ଯିବେଣି । ମାଧବ ରୁଢ଼ ସ୍ଵରରେ ପାଟି କରୁଥିଲା, ‘କି ବେ କ’ଣ ଜଳଖିଆ ଖାଉଥିବ କି ? ବେଗେ ପ୍ରଶେସନ୍‌ କର । ସାରା ସହର ବୁଲିବାକୁ ହେବ । ମାହାଳିଆ କି ? ଭାଗୀରଥବାବୁ ଆସିବା ବେଳ ହେଲାଣି ।

 

ଜଳଖିଆ ସାରି ଜଣେ ଜଣେ ନୂତନ ମିଷ୍ଟାନ ଭଣ୍ଡାର ବାହାରକୁ ଆସିଲେ । ନବଘନ ସେମାନଙ୍କୁ ଧାଡ଼ି କରାଇବାରେ ଲାଗିଲା । ଆଜି କେମିତି ସବୁଆଡ଼େ ଗୋଟାଏ ଚାଞ୍ଚଲ୍ୟ, ସମସ୍ତଙ୍କ ମୁହଁରେ ଆନନ୍ଦ । ମୁରାରୀ ଦାସ ଭାବିଲେ-କିଏ ଜାଣେ, ଏ ନବଘନ ଦିନେ ହୁଏତ ମନ୍ତ୍ରୀ ହେବେ । ଆଗେ ସିନା ରଜାଙ୍କ ପୁଅ ରଜା ହେଉଥିଲା, ଏବେ ତ ଯୁଗ ବଦଳି ଯାଇଛି; ଆମ ଲୋକଙ୍କ ହାତକୁ ଦେଶ ଚଳାଇବାର କ୍ଷମତା ଆସିଛି । କିଏ କେତେବେଳେ କ୍ଷମତାକୁ ଆସିବ, ଜାଣିବାର ଉପାୟ ନାହିଁ ।

 

ନବଘନଙ୍କ ନେତୃତ୍ୱରେ ଖଦଡ଼ଧାରୀମାନଙ୍କ ଶୋଭାଯାତ୍ରା ସହର ପରିକ୍ରମା ପାଇଁ ପ୍ରସ୍ତୁତ ହୋଇ ସାରିବାବେଳକୁ ପୁରୁଣା ରାଲେ ସାଇକେଲ୍‌ ଖଣ୍ଡକ ଚଢ଼ି ଭାଗୀରଥ ମହାପାତ୍ର ପହଞ୍ଚିଗଲେ । ରାବଣା ନିଜର ମୁଷ୍ଟିବଦ୍ଧ ଡାହାଣ ହାତ ଉପରକୁ ଉଠାଇ ଚିତ୍କାର କଲା–ଆମର ନେତା । ଉପସ୍ଥିତ କର୍ମୀମାନଙ୍କ ମିଳିତସ୍ଵର ଉତ୍ତର ଦେଲା-‘ଭାଗୀରଥ ମହାପାତ୍ର ।’ ରାବଣା ଆହୁରି ଜୋରରେ କହିଲା–ଆମର ଚିହ୍ନ ଜନତା ଉତ୍ତର ଦେଲା-ହାତଟଣା ରିକ୍‌ସା ।’

 

ଶୋଭାଯାତ୍ରାଟି ଭାଗୀରଥ ଓ ନବଘନଙ୍କ ନେତୃତ୍ୱରେ ମୋଚି ସାହିରୁ ସିଂହଦ୍ଵାର ଅଭିମୁଖେ ଆଗେଇ ଚାଲିଲା ।

 

ନଟବର ଏତେବେଳେକୁ ମୁରାରୀ ଦାସଙ୍କୁ ସଲାମ ବଜାଇ ତାଙ୍କ ଆଗରେ ଦୁଇ ଖଣ୍ଡ ନିମିକି ଓ କପେ ବାମ୍ଫଉଠା ଚା’ ଥୋଇ ଦେଇଗଲା ।

Image

 

(ଚାରି)

 

ମହାଜନତା ପାର୍ଟିର ନେତା ବିଧାନସଭା ପ୍ରାର୍ଥୀ ଭାଗୀରଥ ମହାପାତ୍ର ଓ ଉଦ୍ଦୀୟମାନ ତରୁଣ ନେତା ନବଘନଙ୍କ ନେତୃତ୍ୱରେ ବାହାରି ଥିବା ଶୋଭାଯାତ୍ରାଟି ନିଶା ନିବାରଣ ସପକ୍ଷରେ ସ୍ଳୋଗାନ ଦେଇ ସାରା ସହର ପରିକ୍ରମା କରିସାରିବା ପରେ ସନ୍ଧ୍ୟାରେ ଗଦାଧରଙ୍କ ନବ ଉନ୍‍ମୋଚିତ ମଦ୍ୟ ଦୋକାନ ‘ବ୍ୟାଧି ନିବାରିଣୀ’ ସମ୍ମୁଖରେ ପହଞ୍ଚିଲା । ପାର୍ଟିର କାର୍ଯ୍ୟକ୍ରମ ଅନୁସାରେ ସହର ପରିକ୍ରମା ପରେ ଏଇଠାରେ ଭାଗୀରଥଙ୍କର ଚବିଶି ଘଣ୍ଟା ଧାରଣା ଦେବା କଥା-। ପୁରୀ ମ୍ୟୁନିସିପାଲିଟିର ଚେୟାରମ୍ୟାନ୍‍ରୂପେ ନିର୍ବାଚିତ ହେବାପରେ ଗଦାଧର ମରିଚୀକୋଟ ଛକରେ ଏକ ମଦ ଦୋକାନ ଖୋଲିଥିଲେ । ମାତ୍ର ଗଦାଧରଙ୍କ ଦୋକାନଟି ଉପରେ ମହାଜନତା ପାର୍ଟିର ଯେପରି ମୂଳରୁ କୁଦୃଷ୍ଟି ପଡ଼ୁଥିଲା, ଏବଂ ଗଦାଧରଙ୍କ ଦୋକାନ ଖୋଲିବା ପରଠାରୁ ମହାଜନତା ପାର୍ଟିର ଜିଲ୍ଲା ଶାଖା ନିଶାନିବାରଣ ପାଇଁ ଜନମତ ସଂଗ୍ରହ କରିବା ଉପରେ ଯେପରି ଜୋର ଦେଉଥିଲେ; ଏଥିରୁ ଗଦାଧର ମୂଳରୁ ଅନୁମାନ କରି ନେଇଥିଲେ ଯେ ଏଇ ଦୋକାନଟିକୁ କେନ୍ଦ୍ର କରି ଦିନେ ମହାରାଜନୀତିକ ସଂଘର୍ଷ ସୃଷ୍ଟି ହେବା ସୁନିଶ୍ଚିତ । ଗଦାଧରଙ୍କ ଖଟିଖିଆ ପାର୍ଟି ଯେ ନିଶାନିବାରଣ ବିରୁଦ୍ଧରେ ଲୋକମତ ସୃଷ୍ଟି କରୁ ନଥିଲେ, ତା’ ନୁହ; କିନ୍ତୁ କେଜାଣି କାହିଁକି ଗଦାଧରଙ୍କ ଦୋକାନରେ ବଡ଼ ବଡ଼ ଗରାଖମାନେ ମଧ୍ୟ ପ୍ରକାଶ୍ୟରେ ମହାଜନତା ପାର୍ଟିର ନିଶାନିବାରଣ ନୀତିର ବିରୋଧ କରିବାକୁ ସାହସ କରିପାରୁ ନଥିଲେ । ଏହା ଯଥାର୍ଥରେ ଗଦାଧରଙ୍କ ଦୁଶ୍ଚିନ୍ତାର କାରଣ ହୋଇଥିଲା ।

 

ତେଣୁ ଆଜି ଭାଗୀରଥ ଗଦାଧରଙ୍କ ସମ୍ମୁଖରେ ଧାରଣା ଦେବା ସମ୍ବାଦରେ ଗଦାଧର କିମ୍ବା ଖଟିଖିଆ ପାର୍ଟିର ସଭ୍ୟମାନେ ଆଶ୍ଚର୍ଯ୍ୟ ହୋଇ ନଥିଲେ । ବରଂ ପରିସ୍ଥିତିକୁ କିପରି ସାମ୍ନା କରିବାକୁ ହେବ, ଏ ବିଷୟରେ ଗତ ତିନି ଦିନ ଧରି ପାର୍ଟିର ରୁଦ୍ଧଦ୍ୱାର ବୈଠକରେ ଆଲୋଚନା ଚାଲିଥିଲା । ଭାଗୀରଥ ସଦଳବଳେ ବ୍ୟାଧି-ନିବାରିଣୀ ନିକଟରେ ପହଞ୍ଚିଲା ବେଳକୁ ସ୍ଥାନଟି ଉଭୟ ଦଳର କର୍ମୀ, ସମର୍ଥକ ଓ ଦେଖଣାହାରୀଙ୍କଦ୍ଵାରା ପୂର୍ଣ୍ଣ ହୋଇସାରିଥିଲା ।

 

ଜଗନ୍ନାଥଙ୍କ ଆଳତି ଦେଖିବା ପାଇଁ ବାହାରିଥିବା ମୁରାରୀ ଦାସ ଅନ୍ୟାନ୍ୟ ବହୁ ସାଧାରଣ ଲୋକଙ୍କ ପରି ମରିଚୀକୋଟ୍‌ ଛକରେ ଅଟକି ଯାଇଥିଲେ । ସକାଳେ ଏପରି ଗଣ୍ଡଗୋଳ ହୋଇପାରେ ବୋଲି ହରିଦତ୍ତ କହୁଥିଲା । ଅଳ୍ପ ଦୂରରେ ମାଟିଆ ପୋଷାକ ପିନ୍ଧି ସିପାହୀମାନେ ଲମ୍ବା ଲମ୍ବା ଲାଠି ଧରି ଠିଆ ହୋଇଥିବା ଦେଖି ମୁରାରୀ ଦାସ ହରିଦତ୍ତ କଥାର ସତ୍ୟତା ବୁଝିପାରିଲା ।

 

ଭାଗୀରଥ ରିକ୍‌ସା ଉପରେ ବସି ହାତରେ ମାଇକ ଧରି ବକ୍ତୃତା ଆରମ୍ଭ କରି ଦେଇଥିଲେ–“ଭାଇମାନେ, ମଦ ଖାଆନ୍ତୁ ନାହିଁ । ମହାଜନତା ପାର୍ଟି ହାତରୁ ପୁରୀ ମ୍ୟୁନିସିପାଲ୍‌ଟି ଚାଲିଯିବା ଦିନୁ ସହରର ଜନସାଧାରଣଙ୍କର ଅତ୍ୟନ୍ତ ନୈତିକ ଅଧୋଗତି ହେଲାଣି । ଆପଣମାନେ ସମସ୍ତେ ଏ ମଦଦୋକାନ ସମ୍ମୁଖରେ ଧାରଣା ଦିଅନ୍ତୁ । ଏ ମଦଦୋକାନର ମାଲିକ ଆପଣଙ୍କ ମ୍ୟୁନିସିପାଲ୍‌ଟିର ଚେୟାରମ୍ୟାନ୍ । ଏହା ଚିନ୍ତା କଲେ ଲଜ୍ଜାରେ ମୋ ମୁଣ୍ଡ ତଳକୁ ନଇଁ ଯାଉଛି । ମୋର ଆଶା, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନୀତି ଆପଣମାନେ ମନେରଖିଛନ୍ତି । ଆପଣମାନେ ଆଜି ଗଦାଧରଙ୍କ ଇସ୍ତଫା ଦାବି କରନ୍ତୁ ।’’

 

ଭାଗୀରଥଙ୍କୁ ସମର୍ଥନ କରି ଦଳେ କେଲଜ ଛାତ୍ର ଉପରକୁ ହାତ ଟେକି କହୁଥିଲେ–“ଆମର ନେତା–ଭାଗୀରଥ ମହାପାତ୍ର ।’’

 

ସେ ଆଡ଼େ, ବ୍ୟାଧି-ନିବାରିଣୀ ଉପରେ, ହାତରେ ଗୋଟିଏ ଫଟୋ ଧରି ଗଦାଧର ବକ୍ତୃତା ଆରମ୍ଭ କରି ଦେଲେ–‘ଭାଇମାନେ ଏଇ ମହାପୁରୁଷଙ୍କ ଫଟୋ ଆଡ଼କୁ ଚାହାନ୍ତୁ । ଦେଖିପାରୁଛନ୍ତି ? ଏଇ ଆମମାନଙ୍କ ଜାତିର ପିତା ମହାତ୍ମାଗାନ୍ଧୀ । ଅହିଂସା ପାଇଁ ସେ ଜୀବନ ଦେଇଛନ୍ତି । ତାଙ୍କ ଛାତିରେ ଆତତାୟୀର ଗୁଳି ବାଜିଛି, ରକ୍ତ ଶୁଖି ନାହିଁ । କିନ୍ତୁ ସେ ଅହିଂସା ନୀତି ଆଜି ଦେଶବାସୀ ଭୁଲିଯାଇଛନ୍ତି । ଭାଗୀରଥବାବୁ ଆଜି ମୋ ଦୋକାନ ସାମ୍ନାରେ ଯେଉଁ ଗଣ୍ଡଗୋଳ ଆରମ୍ଭ କରିଛନ୍ତି, ତାହା ହିଂସାତ୍ମକ କାଣ୍ଡ । ମହାତ୍ମାଗାନ୍ଧୀ ଆଜି ବଞ୍ଚିଥିଲେ ଏହାର ନିନ୍ଦାବାଦ କରିଥାନ୍ତେ । ତା’ ଛଡ଼ା ଆପଣମାନେ ଜାଣନ୍ତି, ଭାଗୀରଥ ନିଜେ ଲୋକ ପଠାଇ ମୋ ଦୋକାନରୁ ମଦ କିଣନ୍ତି । ରାଜନୀତିକ ଦୁରଭିସନ୍ଧି ରଖି ସେ ଏଠାରେ ଧାରଣା ଦେଇଛନ୍ତି ।’’

 

ଏହି ସମୟରେ ଜନତା ମଧ୍ୟରୁ ପ୍ରବଳ କରତାଳି ହେବାରୁ ଗଦାଧର ଯାହା କହିଲେ ପରିଷ୍କାର ଶୁଣାଗଲା ନାହିଁ । ଜନତାକୁ ଚୁପ୍ ରହିବାକୁ ଅନୁରୋଧ କରି ହାତଯୋଡ଼ି ଗଦାଧର ପୁଣି ଆରମ୍ଭ କଲେ–‘ମୋର ପ୍ରିୟ ଭାଇମାନେ, ଆପଣମାନେ ମୋତେ ଜାଣନ୍ତି । ଆପଣମାନଙ୍କ ସ୍ନେହ ସହାନୁଭୂତି ଏଡ଼ି ନପାରି ମୁଁ ପୁରୀ ସହରର ମ୍ୟୁନିସିପାଲିଟି ଚେୟାରମ୍ୟାନ୍‌ ଦାୟିତ୍ୱ ଗ୍ରହଣ କରିଛି । ଆପଣମାନେ ଟିକିଏ ତଲେଇ ଦେଖିଲେ, ନିଶ୍ଚୟ ବୁଝିପାରିବେ, ଏଇ ମଦଦୋକାନ ମୁଁ ଖୋଲିଛି ଆପଣମାନଙ୍କ ସେବା ପାଇଁ । କେହି କେବେ ମଦ ଖାଇ ମାତାଲ ହେବାକୁ ମୁଁ କହୁ ନାହିଁ । ଶରୀରର ବା ମନର ରୋଗ ଦୂର କରିବାକୁ ଡାକ୍ତର ପରାମର୍ଶ କ୍ରମେ ଏଠାରୁ ମଦ କିଣା ଯାଇପାରେ । ତା’ ଛଡ଼ା ଯେଉଁ ବିଦେଶୀମାନେ ପୁରୀ ସହରକୁ ବୁଲି ଆସନ୍ତି, ସେମାନଙ୍କୁ ମଦ ଯୋଗାଇ ନ ଦେଲେ ସେମାନଙ୍କର ଅସୁବିଧା ହେବ ଓ ପୁରୀ ସହରକୁ ବିଦେଶୀମାନେ ଆଉ ଆସିବେ ନାହିଁ । ନିଶାନିବାରଣ ନାମରେ ମହାଜନତା ପାର୍ଟି ଏକ ଧୂଆଁ ବାଣ ମାରୁଛି । ଆମ ଦେଶର ଅଧିକାଶଂ ନେତା, ଜନସେବକ ଓ ବଡ଼ ବଡ଼ ସରକାରୀ କର୍ମଚାରୀ ମଦ ଖାଆନ୍ତି । ଯେଉଁ ମଦ୍ୟ ବ୍ୟବସାୟୀମାନେ ଜନସାଧାରଣଙ୍କ ପ୍ରତି ସେମାନଙ୍କ କର୍ତ୍ତବ୍ୟ ଭୁଲି ଚଢ଼ା ଦରରେ ମଦ୍ୟ ବିକ୍ରୀ କରୁଛନ୍ତି, ବରଂ ଦର କମାଇବା ପାଇଁ ଭାଗୀରଥବାବୁ ସେମାନଙ୍କ ଦୋକାନ ସାମ୍ନାରେ ହର୍‌ତାଳ କରିବା ଉଚିତ୍‌ ।’’

 

ଗଦାଧରଙ୍କ ଦୋକାନ ପାଖରେ ଜମା ହୋଇଥିବା ଲୋକମାନଙ୍କ ଭିତରୁ ଜଣେ ଏହି ସମୟରେ ଖୁବ୍ ଜୋର୍‌ରେ ଚିତ୍କାର କଲା–‘ଗଦାଧରବାବୁ ଆମର ମା’ ବାପ’ । ଖଟିଖିଆ ପାର୍ଟି ଜିନ୍ଦାବାଦ । ଆଉ ଜଣେ କିଏ ପାଟି କଲା, ଜୟ ବଜରଙ୍ଗୀ !’

 

ଗଦାଧରଙ୍କ ଭାଷଣ ଚାଲିଥିଲାବେଳେ ଭାଗୀରଥଙ୍କ ରିକ୍‌ସାକୁ କେତେ ଜଣ ଲୋକ ଦୂରକୁ ଠେଲି ନେଇଥିଲେ । ଭାଗୀରଥଙ୍କ ଅନ୍ୟାନ୍ୟ ଦେଖଣାହାରୀଙ୍କ ପରି ଅସହାୟ ଦୃଷ୍ଟିରେ ଗଦାଧରଙ୍କ ଆଡ଼କୁ ଅନାଇ ରହିଥିଲେ । ଚତୁର ଗଦାଧର ପରିସ୍ଥିତି ମୁକାବିଲା କରିବା ପାଇଁ ଆଗରୁ ଏତେ ସମର୍ଥକ ଯୋଗାଡ଼ କରିବା ଦେଖି ସେ ହତାଶ ହୋଇ ପଡ଼ିଥିଲେ । ଗଦାଧରଙ୍କ ବକ୍ତୃତା ତଥାପି ସରି ନଥିଲା । ଭାଇମାନେ, ନିଶାନିବାରଣ ଏକ ଭାଣ୍ଡାମୀ । ନିଶାନିବାରଣ ଆଇନ କାର୍ଯ୍ୟକାରୀ ହେଲେ ଦେଶର ଚାରିଆଡ଼େ ଚୋରା ନିଶା କାରବାର ଚାଲିବ ଓ ରାଜକୋଷର ବହୁତ କ୍ଷତି ହେବ । ଯେଉଁମାନେ ଆଜି ନିଶାନିବାରଣ କଥା କହୁଛନ୍ତି, ସେମାନଙ୍କର ଚୋରା ନିଶା କାରବାର କରିବା ମତ୍‌ଲବ ଅଛି । ସେମାନଙ୍କ କଥାରେ ଆପଣମାନେ ଭୁଲନ୍ତୁ ନାହିଁ ।

 

ଏହି ସମୟରେ କେତେଜଣ କଳା କଳା ମୋଟା ଲୋକ ଦୋକାନ ପଛରୁ ସାମ୍ନାକୁ ଆସିବା ଦେଖାଗଲା । ସେମାନେ ଦେହରେ ଜାମା ପିନ୍ଧି ନଥିଲେ, ଖାଲି ଖଣ୍ଡିଏ ଲେଖାଁ ମଇଳା ଲୁଗା ପିନ୍ଧିଥିଲେ । ସେମାନଙ୍କ ଲମ୍ବା ନିଶ ନଡ଼ିଆ କତା ପରି ପାଉଁଶିଆ ଦିଶୁଥିଲା । ପିଆଜ ପରି ସେମାନଙ୍କ ଆଖି ନାଲି ଦେଖାଯାଉଥିଲା । ସେମାନେ ହାତସବୁ ମୁଠା କରି ଓ ବାହୁର ମାଂସପେଶୀ ଫୁଲାଇ ଭାଗୀରଥ ମହାପାତ୍ରଙ୍କ ରିକ୍‌ସା ଆଡ଼କୁ ଚାଲିଲେ ।

 

ମୁରାରୀ ଦାସ ଦୂରରୁ ଗୋଟିଏ ପାନ ଦୋକାନରେ ବେଞ୍ଚ ଉପରେ ଠିଆ ହୋଇ ଏ ଦୃଶ୍ୟ ଦେଖୁଥିଲେ । ଏହି ଲୋକମାନେ ତାଙ୍କୁ କାହାଣୀରେ ପଢ଼ିଥିବା ଯମଦୂତ ପରି ଦେଖାଗଲା । ସେ ଭାବିଲେ, ପୁଲିସବାଲା ଯେଉଁଠି ଥିଲେବି ଏମାନଙ୍କୁ ହଟାଇ ଦେବେ । ପୁଲିସବାଲା କେଉଁଠି ଅଛନ୍ତି ଜାଣିବାକୁ ମୁରାରୀ ଦାସ ଏପଟ ସେପଟ ଅନାଇବାକୁ ଲାଗିଲେ ।

 

ଆସ୍ତେ ଆସ୍ତେ ଗଣ୍ଡଗୋଳ ବଢ଼ୁଥିଲା । ଯମଦୂତ ପରି ଦିଶୁଥିବା ସେଇ ମୋଟା କଳା ନିଶୁଆ ଲୋକମାନେ ଭାଗୀରଥବାବୁଙ୍କ ରିକ୍‌ସାକୁ ଘେରି ଯାଇଥିଲେ । କେହି ତାଙ୍କ କାନ ମୋଡ଼ୁଥିଲା; କିଏ ଲୁଗା ଚିରୁଥିଲା, କେହି ତାଙ୍କୁ ଚିମୁଟୁଥିଲା, କିନ୍ତୁ ଭାଗୀରଥ ହଟି ଯାଉ ନଥିଲେ । ମୁରାରୀ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେଲେ । କେହି ଜଣେ ଗୋଟିଏ ବାଡ଼ିରେ ଭାଗୀରଥଙ୍କ ମୁଣ୍ଡ ଧୀରେ ଧୀରେ ଠୁକାଉଥିଲା । ପୁଲିସ କେତେ ଜଣ ଦୂରରେ ବସି ବିଡ଼ି ଟାଣୁଥିଲେ । ଜଣେ ନାସ ଶୁଙ୍ଘୁଥିଲା । ସେମାନେ ନିଜ ନିଜ ଭିତରେ କ’ଣ କଥା ହୋଇ ହି-ହି ହସୁଥିଲେ । ସେମାନଙ୍କ ଲମ୍ବା ଲମ୍ବା ଲାଠି ସବୁ ତଳେ ଥୁଆ ହୋଇଥିଲା ।

 

ଏହି ସମୟରେ ପାନ ଦୋକାନୀ ଦୋକାନ ବନ୍ଦ କରିବାକୁ ବାହାରିଲା । ତେଣୁ ମୁରାରୀ ଦାସ ବେଞ୍ଚ ଉପରୁ ତଳକୁ ଓହ୍ଲାଇ ଆସିଲେ ।

 

ମୁରାରୀ ପଚାରିଲେ, ‘ତମେ ଦୋକାନ ବନ୍ଦ କରୁଛ କାହିଁକି ?’

 

ଦୋକାନୀ କହିଲା, ‘ମାହାର୍ଜେ, ତୁମେ ପଞ୍ଚକୋଶୀ କି ? ଦେଖୁଛ ଗଣ୍ଡଗୋଳ ହେଲାଣି-। ନାହିଁ ନାହିଁ ଯଦି ମୋ ଦୋକାନ ଉପରେ ଚଢ଼ାଉ ହୁଏ ? ପୁରୀ ସହରଟି ୟେ । ଏଠି ଦିନ ଦି’ପହରେ ମୁଣ୍ଡ କାଟି ନେଲେ କେହି ପଚାରିବେ ନାହିଁ !’

 

ମୁରାରୀ ବୋକାଙ୍କ ପରି ପୁଣି ପଚାରିଲେ, ‘ପୁଲିସବାଲା କ’ଣ କରୁଛନ୍ତି ? ଗୁଣ୍ଡାମାନଙ୍କୁ ଜବତ୍ କରୁନାହାନ୍ତି ?’

 

ଦୋକାନୀ ସେତେବେଳକୁ ଦୋକାନ ବନ୍ଦ କରିସାରିଥିଲା ! ତାଲା ପକାଇ ସାରି ତାଲାଟି ଠିକ୍ ପଡ଼ିଛି କି ନାହିଁ, ପରୀକ୍ଷା କରୁ କରୁ ସେ ମୁରାରୀଙ୍କ ଆଡ଼କୁ ଅନାଇ ହସିଲା । କିଛି କହିଲା ନାହିଁ । ଦୋକାନ କରକୁ ଆଉଜା ହୋଇଥିବା ସାଇକେଲରେ ଚଢ଼ି ଚାଲିଗଲା ।

 

ମୁରାରୀ ଏ ଆଡ଼େ ସେ ଆଡ଼େ ଅନାଇଲେ । ଗଣ୍ଡଗୋଳ କ୍ରମେ ବଢ଼ୁଥିଲା । ବେଶୀ ବେଶୀ ଲୋକେ ଘଟଣା ସ୍ଥଳରେ ଜମା ହେଉଥିଲେ । ରିକ୍‌ସା ଉପରେ ବସିଥିବା ଭାଗୀରଥଙ୍କ ଉପରେ ଦଳେ ଲୋକ ଝୁଙ୍କି ପଡ଼ିଥିଲେ । ଭାଗୀରଥ ଯାହା କହୁଥିଲେ, ଲୋକ କୋଳାହଳରେ ଶୁଣାଯାଉ ନଥିଲା । ପୁଲିସବାଲା ଉଠି ଠିଆ ହୋଇସାରିଥିଲେ, କିନ୍ତୁ ପାଖକୁ ଆସୁ ନଥିଲେ । ଯେଉଁଠି ଗଣ୍ଡଗୋଳ ସେଠିକି ବା ସେମାନେ ଆସନ୍ତେ କାହିଁକି ? ସେମାନଙ୍କର ତ ପୁଣି ଜୀବନ ଅଛି, ପିଲାଛୁଆ ଅଛନ୍ତି !

 

ମୁରାରୀ ଭାବିଲେ, ସେଠାରୁ ତାଙ୍କର ପଳାଇବା ଭଲ । ବଡ଼ ଦେଉଳରେ ଆଳତି ବେଳ ଗଡ଼ି ଯିବଣି । ହରିଦତ୍ତବି ତାଙ୍କୁ ଅନାଇ ଥିବ ।

Image

 

(ପାଞ୍ଚ)

 

ଧାନ ବୋଉ ତା’ ଅଣଓସାରିଆ ନୁଆଁଣିଆ ମାଟି ପିଣ୍ଡା ଉପରେ ବସି ତରାଟ ଓ ଗେଣ୍ଡୁ ଫୁଲରେ ମାଳ ଗୁନ୍ଥୁ ଗୁନ୍ଥୁ ମନକୁ ମନ କ’ଣ ବିଡ଼୍‌ ବିଡ଼୍‌ ହେଉଥିଲା । ସବୁଦିନ ସକାଳୁ ଖରା ମୁଣ୍ଡ ଉପରକୁ ଉଠିବା ଯାଏଁ ଏମିତି ମାଳ ଗୁନ୍ଥୁ ଥାଏ । ମନକୁ ମନ କ’ଣ ଗପୁଥାଏ । ହାଡ଼ିସାହିର ଶେଷ ମୁଣ୍ଡରେ ତା’ର ଘର–ଗୋଟିଏ ବୋଲି ବଖରା । ଘର ଭିତରକୁ ଅନାଇଲେ ଅନ୍ଧାରୁଆ ଦିଶେ–ଭିତରେ କ’ଣ ଅଛି, ଜାଣିବାର ଉପାୟ ନାହିଁ । ରାତି ପାହିଲେ ହାଡ଼ିସାହିରୁ ଦଳ ଦଳ ଲୋକ କାମକୁ ବାହାରିଯାଆନ୍ତି । ଅଧିକାଂଶଙ୍କର ମେହେନ୍ତର କାମ । ମୋଟିସାହି ମ୍ୟୁନିସିପାଲିଟି ଅଫିସକୁ ଯାଇ ସେଠାରୁ ସେମାନେ କାମକୁ ବାହାରନ୍ତି; କିଏ ଝାଡ଼ୁ ଟୋକେଇ, କିଏ ହାଣ୍ଡି ଅଣକ, କିଏ ବା ମଇଳାବୁହା ଗାଡ଼ି ଧରି ପୁରୀର ସାତସାହି ବୟାଳିଶି କନ୍ଦିରେ ସେମାନେ ଖେଦିଯାନ୍ତି । ତୀର୍ଥସ୍ଥାନ ବୋଲି ସାରା ଭାରତରେ ସୁପରିଚିତ ଜଗତର ନାଥ ଜଗନ୍ନାଥଙ୍କ ବାସସ୍ଥାନଟିକୁ ପରିଷ୍କାର ରଖିବାର ଦାୟିତ୍ୱ କେଉଁ ଦିନରୁ କେଜାଣି ହାଡ଼ିସାହିର ବସିନ୍ଦାମାନଙ୍କ ଉପରେହିଁ ପଡ଼ିଥିଲା ।

 

ସମସ୍ତେ କାମକୁ ଯାଆନ୍ତି, ଯାଏ ନାହିଁ ଧାନବୋଉ । ସିଏ ବା କୁଆଡ଼େ ଯିବ ? ତା’ର ତ କେହି ନାହାନ୍ତି । ତା’ ପେଟ ଚାଖଣ୍ଡକ ପାଇଁ ସିଏ ଯିବ ସରକାରୀ ବେଠୀ କରିବାକୁ ? ତା’ଠାରୁ କୂଅ ପୋଖରୀକୁ ଡେଇଁ ପଡ଼ିବା ଭଲ ।

 

ଧାନବୋଉ ପଟକାରେ ତରାଟ ଓ ଗେଣ୍ଡୁ ଫୁଲ ଗୁନ୍ଥୁ ଗୁନ୍ଥୁ ଆଜି ବେଶୀ ବିଗିଡ଼ି ଯାଇଥିଲା । ସାହିର ଠାକୁରାଣୀଙ୍କ ପାଇଁ ମାଳ ଗୁନ୍ଥିବାବେଳେ ସବୁଦିନେ ସେ ମନକୁ ମନ ବକର ବକର ହୁଏ । ଆଜି ସକାଳୁ ଚକରା ନାହାକ କହିଲା, ‘ଖୁଡ଼ିଲୋ, ଆମ ସାଇକି ମନ୍ତିରୀ ଆସିବେ ଭୋଟ କଥା କହିବାକୁ । ପିଣ୍ଡାରେ ବଇଥା ଦେଖିବୁ ।’

 

ଚକରା ଏତିକି କହି ଚାଲିଯିବା ପରେ ସତକୁ ସତ ଧାନବୋଉ ଦେଖିଲା, ଗୋଟାଏ ଯୋଡ଼ାଏ ମଟର ଗାଡ଼ି ତା’ ଦୁଆର ଦେଇ ଚାଲିଗଲା । ସାଇର ଦଳେ ଟୋକା ହାତରେ ଝାଡ଼ୁ ଟୋକେଇ ଧରି ରାସ୍ତା ସଫା କରିବାରେ ଲାଗି ପଡ଼ିଲେ । କିଏ ଗୋଟାଏ ରିକ୍‌ସାରେ ବସି ବଡ଼ ପାଟିରେ କହି କହି ଗଲା, ‘ସମସ୍ତେ ଘରେ ଥିବ । ମନ୍ତ୍ରୀ ଆସିବେ । ଦେଶ କଥା କହିବେ ।’

 

କେଜାଣି କାହିଁକି, ଏଇ ମନ୍ତ୍ରୀମାନଙ୍କ ଉପରେ ଧାନବୋଉର ଭାରି ରାଗ । ସିଏ ମନକୁ ମନ କହୁଥିଲା–‘ଛିଆଲ ମନ୍ତ୍ରୀ ! ଦିନେ ନାଇଁ କାଳେ ନାହିଁ ଗହ୍ମା ପୁନେଇକି ମାଇଁ ମାଇଁ ! ହଇଲୋ-! ଦିନେ ତ ଦେଖା ନାଇଁ , ଖାଲି କ’ଣ ନା ଭୋଟ ଦିଅ ! ଭୋଟ ପାଇଲେ, ମୁହଁ ଉପରକୁ-। କୁଆଡ଼େ ଯିବ ଯେ ପୁଣି ସେଇ, ଭୋଟବେଳକୁ ଦେଖା ! ଛିଆ ଲୋ–’’

 

ଘନିଆ ମେହେନ୍ତର ଆଜି ବେଗେ ବେଗେ ମ୍ୟୁନିସିପାଲିଟି କାମ ସାରି ମନ୍ତ୍ରୀ ଆସିବେ ବୋଲି ଘରମୁହାଁ ଛୁଟିଥିଲା । ଧାନବୋଉ ପାଖରେ କେଜାଣି କାହିଁକି ଟିକିଏ ଠିଆ ହୋଇଗଲା । କହିଲା–ଖୁଡ଼ି, ଏତେ ତ ମାଳ ଗୁନ୍ଥୁଚୁ । ମନ୍ତିରି ଆସିବେ, ତାଙ୍କ ପାଇଁ ଗୋଟିଏ ଗୁନ୍ଥୁନୁ !

 

ଧାନବୋଉ ମୁହଁ ଛିଞ୍ଚାଡ଼ି କହିଲା, ଛିଆଲୋ ! ଠାକୁରାଣୀକି ମାଳ ଦେଇ ଦେଇ ଠାକୁରାଣୀର ଦୁରୁଷ୍ଟି ପଡ଼ିଲା ନାଇଁ, ଆଉ ଏ ମନ୍ତିରୀକି ମାଳ ଦେଲେ ମୋ ଧାନ ଲେଉଟି ଆସିବ କି ।’

 

ଘନିଆ ସାହିକୁ ଗଲାବେଳେ ଧାନବୋଉକୁ ଏମିତି ବେଳେ ବେଳେ ଥଟ୍ଟାକରେ । ଆଜି କିନ୍ତୁ କଥାଟା କେମିତି ଅଡ଼ୁଆ ହୋଇଗଲା । ଧାନ କଥା ମନେପଡ଼ିଲେ ଧାନବୋଉ କାନ୍ଦି ପକାଏ । ଘନିଆ ଏକଥା ଜାଣେ ।

 

ଘନିଆ କହିଲା, ‘ହଉ ଖୁଡ଼ି ବଇଥା ପୁଅ ହାତରେ କଖାରୁ ଡଙ୍କ ପଠଉଚି । ବାଇରେ ଭଲ କଖାରୁଡ଼ଙ୍କ ମାଡ଼ିଚି । ଚେୟାରମେନ୍‍ବାବୁ ବଗିଚା ସଫା କଲାବେଳେ ଚାରା ଦୋ’ଟି ଆଣିଥିଲି ।’

 

ଘନିଆ ଚାଲିଗଲା । ଧାନବୋଉର ପିଣ୍ଡା ଉପରକୁ ଖରା ଉଠିଲାଣି । ବେଳ କେତେ ହେଲାଣି, କେଜାଣି । ଧାନବୋଉର ମାଳଟି ଅଧାଗୁନ୍ଥା ହୋଇ ପଡ଼ି ରହିଲା । ତା’ ହାଡ଼ିଆ ଗାଲ ଉପରେ କୋରଡ଼ପଶା ଆଖିରୁ ଦି’ଧାର ଗରମ ଲୁହ ନିଗିଡ଼ି ପଡ଼ି ଶୁଖି ଯାଇଥିଲା । ତାକୁ ଏ ଭୋଟ ମନ୍ତିରୀରୁ କ’ଣ ମିଳିବ ?

 

ଆଜିକି ଦୁଇଯୁଗ ହେଲାଣି । ଆଜିପରି ଆଉ ଦିନେ ସେମିତି ତା’ ସାହିର ଟୋକାମାନଙ୍କ ମୁଣ୍ଡକୁ ପିତ ଚଢ଼ିଥିଲା । ସାହି ସଫାସୁତୁରା ହୋଇଥିଲା, ଘରସବୁ ଲିପାପୋଛା ହୋଇଥିଲା, ସବୁ ଚାଳରେ ଆମ୍ବଡ଼ାଳ ଖୋସା ହୋଇଥିଲା । କଥା କ’ଣ ନା ଗାନ୍ଧୀ ମହାତ୍ମା ଆସିବେ । ସେଦିନ ଘନିଆ ମୁଣ୍ଡରେ ଖଦଡ଼ ଟୋପି ପିନ୍ଧି କେମିତି ନେତା ପରି ଦିଶୁଥିଲା । ସେଇ ଘନିଆ ସାଙ୍ଗରେ ମାତିଥିଲା ଧାନ, ତା’ର ଅଠରବର୍ଷ ଭେଣ୍ଡା ପୁଅ । କାଲିପରି ଲାଗୁଚି । ହେଇ ସେଠି ଯେଉଁଠି ବରଗଛମୂଳେ ଠାକୁରାଣୀ ଉଭା ହୋଇଛନ୍ତି–ଦୂରକୁ ଦିଶୁଛନ୍ତି ନାଲି ପଥର ଖଣ୍ଡିଏ ପରି–ସେଇଠି ଗାନ୍ଧୀ ମହାତ୍ମା ସଭା କରିଥିଲେ । ଧାନବୋଉ ଆଜିଯାଏଁ ଏତେ ଲୋକ ଏକାଠି ଆଉ କେବେ ଦେଖି ନାହିଁ । ତାଙ୍କ ସାହିକି ଆଉ କେବେ ଏତେ ଧୋବ ଧଉଳିଆ ବାବୁ ଆସିବାବି ତା’ ମନେପଡ଼ୁ ନାହିଁ । ସେଦିନ ତାକୁ ଲାଗିଥିଲା, ଯେମିତି ସେମାନେ ଆଉ ମେହନ୍ତର ହୋଇନାହାନ୍ତି । ଗାନ୍ଧୀ ମହାତ୍ମାବି କୁଆଡ଼େ ସେଇକଥା କହିବାକୁ ଆସିଥିଲେ । ଘନିଆ କହିଲା–‘ଖୁଡ଼ି ଲୋ, ଆମ ସାଇ ନାଆଁ ଆଜିଠୁ ବଦଳିଗଲା । ଆଉ ଏ ସାଇର ନାଆଁ ହାଡ଼ି ସାଇ ନୁହେଁ–ଗାନ୍ଧୀ ନଗର ।’

 

ସତକୁ ସତ କାଗଜପତ୍ରରେ କେବେଠୁ ଏଇ ମେହେନ୍ତର ବସ୍ତିର ନାମ ‘ଗାନ୍ଧୀ ନଗର’ ହୋଇସାରିଥିଲା; କିନ୍ତୁ ଲୋକମୁଖରେ ସେଇ ‘ହାଡ଼ିସାହି’ ନାମହିଁ ଆଜିଯାଏ ଚଳି ଆସୁଥିଲା । ତେଣୁ ଆଜି ଯେତେବେଳେ ନବଘନ ଘୋଡ଼ାଗାଡ଼ିରେ ବସି ମାଇକ୍‌ରେ ତୁହାକୁ ତୁହା ପାଟି କରୁଥିଲା–‘ଭାଇମାନେ, ଆଜି ଆପଣମାନଙ୍କ ସୌଭାଗ୍ୟ, ଓଡ଼ିଶାର ଜଙ୍ଗଲ ବିଭାଗ ମନ୍ତ୍ରୀ ରାଧିକାଚରଣ ଦାସ ଗାନ୍ଧୀ ନଗରରେ ପଦାର୍ପଣ କରୁଛନ୍ତି–’’ ହାଡ଼ି ସାହିର ପୁରୁଷ ସ୍ତ୍ରୀମାନଙ୍କୁ ସେମାନଙ୍କ ସାହିର ଏଇ ଭଲ ନାଆଁଟା କେମିତି ନୂଆ ନୂଆ ଲାଗୁଥିଲା । ଘନିଆ ତା’ ଭାରିଜାକୁ କହିଲା, ‘ଆଲୋ ଶୁଣୁଚୁ, ସାଇ ନାଆଁଟା ଗାନ୍ଧୀନଗର ହେଲେ କେତେ ନହେଲେ କେତେ । ଆମେ ଯୋଉ ହାଡ଼ି ହାଡ଼ିଆଣି ଥେଲେ, ସେଇତା ରହିଚେ !”

 

ଧାନବୋଉ ମନକୁ ମନ କହୁଥିଲା, ଏମିତି ଗାନ୍ଧୀନଗର ଫଗର କଥା କହି ଦିନେ ଧାନର ମୁଣ୍ଡ ବିଗାଡ଼ି ଦେଇଥିଲେ ଗାନ୍ଧୀ ମହାତ୍ମା । ବାବୁମାନଙ୍କ କଥାରେ ପଡ଼ି ସେ ଜିଏଲ ଗଲା ଯେ ଗଲା । ଆଉ ଲେଉଟିଲା ନାହିଁ ।

 

ଇଏ ସେଇ ସମୟର କଥା, ଯେତେବେଳେ ମହାତ୍ମା ଗାନ୍ଧୀଙ୍କ ‘ଭାରତ ଛାଡ଼’ ଆନ୍ଦୋଳନରେ ଏ ଦେଶ ପଡ଼ୁଥିଲା, ଉଠୁଥିଲା । ଖଦଡ଼ପିନ୍ଧା, ବାହାରକୁ ଅତି ଦୁର୍ବଳ ଦିଶୁଥିବା ସେଇ ଚନ୍ଦାମୁଣ୍ଡିଆ ବୁଢ଼ା ଲୋକଟି ଭାରତର ଗାଁ ଗାଁ ସହର ସହରରେ ଲଗାଇଥିଲା ନିଆଁ । ଦାରିଦ୍ର୍ୟ ବ୍ୟାଧିରେ ଜାକିଜୁକି ହୋଇ ଯୁଗ ଯୁଗ ଧରି ପଡ଼ି ରହିଥିବା ଲୋକଙ୍କୁ ସିଏ ଶିଖାଇଥିଲା ନୂଆ ମନ୍ତ୍ର । ସେ ମନ୍ତ୍ରରେ ସେଦିନ ଯେଉଁମାନେ ଦୀକ୍ଷିତ ହୋଇଥିଲେ, ସେମାନେ ଆଜି ବଡ଼ ବଡ଼ ନେତା–କିଏ ମନ୍ତ୍ରୀ, କିଏ ରାଜ୍ୟପାଳ, କିଏ ଇତିହାସର ଅମର ନାୟକ । ସେମାନଙ୍କ ଭିତରେ କିନ୍ତୁ ଧାନ ଦାସର ନାଆଁ ନଥିଲା ।

 

ପୁରୀ ହାଡ଼ି ସାହିର ଧାନ ଦାସ ତା’ ନିଶ ଉଠିବା ବୟସରେ ଗାନ୍ଧୀ କଥାରୁ ଗାନ୍ଧୀ ରୂପରୁ କ’ଣ ବୁଝିଲା କେଜାଣି, ଅସହଯୋଗରେ ଯୋଗ ଦେଇ ଜେଲ୍‌ ଯାଇଥିଲା । ତା’ ପରି ଆଉରିବି କେତେ ଯାଇଥିଲେ ଯେଉଁମାନେ ଦିନେ ଜେଲ୍‌ ଯାଇଥିଲେ, ସ୍ୱାଧୀନ ଦେଶରେ ସେଇମାନେ ହେଲେ ପ୍ରଥମ ନାଗରିକ । ହାଡ଼ି ସାହିର ଘନିଆ ନାୟକ ଜେଲରୁ ଫେରିଲା; କିନ୍ତୁ ତାକୁ କେହି ପଚାରିଲେ ନାହିଁ । ମ୍ୟୁନିସିପାଲିଟି ଚେୟାରମ୍ୟାନ୍‌କୁ ଖୋସାମତ୍‌ କରି ସେ ହୋଇଛି ଝାଡ଼ୁଦାର । ଆଉ ଧାନ ଦାସ.... ?

 

ସେ ମୋଟେ ଫେରିଲା ନାହିଁ । ଜେଲର ଉଞ୍ଚା ଉଞ୍ଚା ପଥର ପାଚେରୀ ଭିତରେ ତା’ର କି ଅବସ୍ଥା ହେଲା, ସେ କଥା କେହି ଠିକ୍ କହିପାରିଲେ ନାହିଁ । ଧାନ ବୋଉ ଆଗେ ଯାହାକୁ ଦେଖିଲେ ଧାନ କଥା ପଚାରୁଥିଲା । କିଏ କେତେ ପ୍ରକାରେ କହିଲା । ଏବେ ଆଉ ଧାନ ବୋଉ ଧାନ କଥା କାହାରିକୁ ପଚାରେ ନାହିଁ; କିନ୍ତୁ ଧାନ ଦିନେ ଫେରିଆସିବ, ଏ ଆଶା ତା’ର ମଉଳି ନାହିଁ-। ସେଥିପାଇଁ ସବୁଦିନେ ଠାକୁରାଣୀଙ୍କ ପାଇଁ ସେ ମାଳ ଗୁନ୍ଥେ । ଖରା ବର୍ଷା ଶୀତ ସବୁ ଋତୁରେ ଠାକୁରାଣୀ ନାମଧେୟ ସିନ୍ଦୂରମୟ ପଥର ଖଣ୍ଡିକ ଉପରେ ଧାନ ବୋଉର ଫୁଲମାଳଟି ଶୋଭା ପାଉଥାଏ ।

Image

 

(ଛଅ)

 

‘ମନ୍ତ୍ରୀ ଆସିବେ’ ‘ମନ୍ତ୍ରୀ ଆସିବେ’ ବୋଲି ଗାନ୍ଧୀ ନଗର ଓରଫ୍‌ ହାଡ଼ି ସାହିରେ ସକାଳୁ ଯେଉଁ ଆୟୋଜନ ଚାଲିଥିଲା, ସଞ୍ଜବେଳକୁ ତାହା ଚୂଡ଼ାନ୍ତରେ ପହଞ୍ଚିଲା । ନବଘନ ଶେଷଥର ପାଇଁ ଘୋଡ଼ାଗାଡ଼ି ଭିତରୁ ପାଟି କରିଗଲା–‘ଭାଇ ଓ ଭଉଣୀମାନେ, ମନ୍ତ୍ରୀ ଆସିଗଲେ । ଆପଣମାନେ ଠାକୁରାଣୀଙ୍କ ବରଗଛମୂଳେ ରୁଣ୍ଡ ହୁଅନ୍ତୁ । ମନ୍ତ୍ରୀ ଆପଣମାନଙ୍କୁ ଉଦ୍‌ବୋଧନ ଦେବେ ।’

 

ଓଡ଼ିଶାର ମାନ୍ୟବର ଜଙ୍ଗଲ ବିଭାଗ ମନ୍ତ୍ରୀ ଶ୍ରୀ ରାଧିକାଚରଣ ଦାସଙ୍କ ନେଳି ରଙ୍ଗର ମୋଟର କାର୍‌ଟି ଠାକୁରାଣୀଙ୍କ ବରଗଛମୂଳେ ଆସି ପହଞ୍ଚିବା କ୍ଷଣି ମହା-ଜନତା ପାର୍ଟିର ସଭାପତି ଗିରିଧାରୀ ବାହିନୀପତି ଗାନ୍ଧୀ ନଗରର ଅଧିବାସୀମାନଙ୍କ ପକ୍ଷରୁ ଏକପ୍ରକାଣ୍ଡ ଫୁଲମାଳ ମନ୍ତ୍ରୀଙ୍କ ଗଳାରେ ଲମ୍ବାଇ ଦେଲେ । ସଙ୍ଗେ ସଙ୍ଗେ ମନ୍ତ୍ରୀ ମହୋଦୟ ଯୋଡ଼ହସ୍ତରେ ଜନତାକୁ ନମସ୍କାର କଲେ । ଜନତା ମଧ୍ୟ କରତାଳିଦ୍ଵାରା ମନ୍ତ୍ରୀଙ୍କୁ ସ୍ୱାଗତ କଲେ । ମନ୍ତ୍ରୀଙ୍କ କାର୍‌ ଭିତରୁ ଭାଗୀରଥ ମହାପାତ୍ର ଓ ଜୟ ହନୁମାନ ଅଗ୍ରୱାଲ ହସ ହସ ମୁହଁରେ ବାହାରି ଆସି ଜନତାଙ୍କୁ ଅଭିବାଦନ ଜଣାଇଲେ ।

 

ଠାକୁରାଣୀଙ୍କ ବରଗଛମୂଳେ ସଭା ହେବ ବୋଲି ଆଗରୁ ସବୁ ବ୍ୟବସ୍ଥା କରାଯାଇଥିଲା-। କେଉଁଠାରୁ ସାତ ଆଠଟି ଖଟ ଅଣାଯାଇ ସଭା-ମଞ୍ଚ ପ୍ରସ୍ତୁତ ହୋଇଥିଲା । ବରଗଛ ଡାଳରୁ ହାତଟଣା ରିକ୍‌ସା ଛବିଥିବା ଏକ ବିରାଟ କାଗଜପଟା ଝୁଲୁଥିଲା । ହାତଟଣା ରିକ୍‌ସା ଛବିତଳେ ଲେଖାଥିଲା–ଭାଗୀରଥ ମହାପାତ୍ରଙ୍କୁ ଭୋଟ ଦିଅନ୍ତୁ । ସଭାମଞ୍ଚରେ ମାଇକ୍‌ ଖଞ୍ଜା ହୋଇଥିଲା ଓ ସଭା ପରେ ପବ୍ଳିକ୍‌ ରିଲେସନ୍ ଡିପାଟ୍‌ମେଣ୍ଟ ପକ୍ଷରୁ ଚଳଚିତ୍ର ପ୍ରଦର୍ଶନ ହେବ ବୋଲି ପବ୍ଳିକ୍ ରିଲେସନ୍ ଅଫିସର କେଳୁ ମହାନ୍ତି ସଦଳବଳେ ଉପକରଣ ସହ ଜିପ୍ ଗାଡ଼ିରେ ଆସି କେତେବେଳୁ ପହଞ୍ଚି ସାରିଥିଲେ ।

 

ମନ୍ତ୍ରୀ ରାଧିକାଚରଣ ତାଙ୍କ ସ୍ଵଭାବସୁଲଭ ହସ ହସ ମୁଖରେ ପ୍ରଥମେ ସମବେତ ଜନତା ମଧ୍ୟରୁ କାହାରି କାହାରି ସଙ୍ଗେ ଆଳାପ କରିବାକୁ ଲାଗିଲେ । ତାଙ୍କ ଡାହାଣ ପାର୍ଶ୍ୱରେ ଭାଗୀରଥ ମହାପାତ୍ର ଉପସ୍ଥିତ ରହି ଜଣ ଜଣ କରି ଗାନ୍ଧୀ ନଗରର ବାସିନ୍ଦାମାନଙ୍କୁ ଚିହ୍ନାଇ ଦେଇଥିଲେ । ପ୍ରଥମେ ଭାଗୀରଥଙ୍କ ଦୃଷ୍ଟି ପଡ଼ିଲା ଘନିଆ ଉପରେ । ଘନିଆକୁ ପାଖକୁ ଡାକି ଭାଗୀରଥ କହିଲେ, ‘ଘନ ନାୟକ ଗାନ୍ଧୀ ନଗରର ଜଣେ ବିଶିଷ୍ଟ ବ୍ୟକ୍ତି । ସତ୍ୟାଗ୍ରହରେ ଯୋଗଦେଇ ଜେଲ ଯାଇଥିଲେ ।’ ରାଧିକାଚରଣ ଘନ ନାୟକଙ୍କୁ ଆଲିଙ୍ଗନ କଲେ । କହିଲେ, ‘ଦେଖନ୍ତୁ ଘନବାବୁ, ଆମେ ଯେଉଁଥିପାଇଁ ସ୍ୱାଧୀନତା ଆଣିଥିଲେ, ତାହା ଏ ଯାଏଁ ହାସଲ ହୋଇ ନାହିଁ । ଆପଣଙ୍କ ପରି କର୍ମୀମାନେ ଆଜି ଆଗେଇ ଆସିଲେ ଭାଗୀରଥବାବୁ ଜୟଯୁକ୍ତ ହୋଇପାରିବେ ।’ ଏହା କହି ମନ୍ତ୍ରୀ ମହୋଦୟ ତାଙ୍କ ବେକରୁ ଫୁଲମାଳ ବାହାର କରି ଘନ ନାୟକ ଗଳାରେ ଲମ୍ବାଇ ଦେଲେ । ଏ ଅପୂର୍ବ ଦୃଶ୍ୟରେ ସ୍ଥାନଟି ସମବେତ ଜନତାର କରତାଳିରେ କମ୍ପି ଉଠିଲା ।

 

ଗାନ୍ଧୀ ମହାତ୍ମାଙ୍କ ଡାକରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ଜେଲ ଯାଇଥିବା ଘନ ନାୟକ ପୁଣି ଯେମିତି କୋଡ଼ିଏବର୍ଷ ପଛକୁ ଫେରିଗଲ । ମନ୍ତ୍ରୀ ତାକୁ ଆଲିଙ୍ଗନ କଲାବେଳେ ମନ୍ତ୍ରୀଙ୍କ ଦେହରୁ ବାହାରୁଥିବା ଅତର ବାସ୍ନାରେ ସେ ଅଭିଭୂତ ହୋଇ ପଡ଼ିଥିଲା । ପରମ ଉତ୍ସାହରେ ସେ କହିଲା, ‘ହଜୁର୍‌, ଆମେ ସବୁବେଳେ ମହାଜନତା ପାର୍ଟିକୁ ଭୋଟ ଦେଇ ଆସିଚୁ । ଆମ ଦେଶରୁ ଗୋରା ସାହେବମାନଙ୍କୁ ମହାଜନତା ପାର୍ଟି ତଡ଼ିଚି । ଆମେ ହରିଜନମାନେ ମହାଜନତା ପାର୍ଟିକୁ ଭୋଟ୍‌ ଦବୁ ।’

 

ମନ୍ତ୍ରୀ ରାଧିକାଚରଣ ଘନ ନାୟକଙ୍କ ପିଠି ଥାପୁଡ଼ାଇ ଅଳ୍ପ ଦୂରରେ ଠିଆ ହୋଇଥିବା ହରିଜନ ଯୁବତୀଟିକୁ ଡାକିଲେ । ସତର ଅଠରବର୍ଷର ଏଇ ଯୁବତୀଟି ଲାଜରେ ସଙ୍କୁଚିତ ହୋଇ ଠିଆ ହୋଇଥିଲା । ସେ ପିନ୍ଧିଥିବା ଲୁଗାଟା ଏତେ ଛୋଟଥିଲା ଯେ ତା’ର ଶରୀରର ସମସ୍ତ ଅଂଶ ସେଥିରେ ଆବୃତ ହୋଇପାରୁ ନଥିଲା । ମନ୍ତ୍ରୀ କିପରି ଦେଖାଯାନ୍ତି ବୋଲି କୌତୁହଳରେ ନିକଟକୁ ଲାଗି ଆସିଲାବେଳେ ସେ କିନ୍ତୁ ଏଭଳି ବିପଦର ଆଶଙ୍କା କରି ନଥିଲା ।

 

ମନ୍ତ୍ରୀ ଯୁବତୀଟିର ହାତ ମୁଠାକୁ ଧରି ପଚାରିଲେ ‘ତୁମର ନାଆଁ କ’ଣ ?’

 

ଯୁବତୀଟି ଉତ୍ତର ଦେଲା, ‘ଦରମରି ।’

 

ମନ୍ତ୍ରୀ ପଚାରିଲେ, ‘ତୁମେ କ’ଣ କରୁଛ ?’

 

‘ଡାକ୍ତରଖାନାରେ କାମ କରୁଚି ।’

 

“ଭଲ କଥା । ଆମ ଓଡ଼ିଶାରେ ବର୍ତ୍ତମାନ ନର୍ସମାନଙ୍କର ବଡ଼ ଅଭାବ । ତୁମ ପରି ଝିଅମାନେ ଆଗେଇ ଆସିବା ସୁଖର କଥା ।’’

 

ଭାଗୀରଥ ମନ୍ତ୍ରୀଙ୍କ ତ୍ରୁଟି ସଂଶୋଧନ କରିଥିଲେ, ‘‘ଆଜ୍ଞା, ସେ ସୁଇପର୍‌ କାମ କରୁଥିବ-।’’

 

ମନ୍ତ୍ରୀ ସ୍ମିତ ହସି ମୁଣ୍ଡ ହଲାଇଲେ ।

 

ଗାନ୍ଧୀନଗରର ଅଧିବାସୀଙ୍କ ସହିତ କିଛି ସମୟ ଆଳାପ କଲା ପରେ ମନ୍ତ୍ରୀ ମହୋଦୟ ସଦଳବଳେ ସଭାମଞ୍ଚ ଉପରେ ବସିଲେ । ଏହା ମଧ୍ୟରେ ସ୍ଥାନଟି ବେଶ୍ କୋଳାହଳମୟ ହୋଇସାରିଥିଲା । ଏପରିକି କେଉଁଠୁ କେମିତି ଖବର ପାଇ ଗୋଟିଏ ଦୁଇଟି ଖିଲିପାନ ଦୋକାନୀ ସେମାନଙ୍କ ପସରା ଆଣି କିଛି କିଛି ବିକା ଆରମ୍ଭ କରି ଦେଇଥିଲେ । ଦୁଇଟି ହରିଜନ ବାଳିକା ମନ୍ତ୍ରୀ ଓ ଭାଗୀରଥଙ୍କ ଗଳାରେ ଗୋଟିଏ ଲେଖାଏଁ ଫୁଲମାଳ ଲମ୍ବାଇ ଦେଲାପରେ ସଭାକାର୍ଯ୍ୟ ଆରମ୍ଭ ହେଲା ।

 

ପ୍ରଥମେ ସାତ ଆଠଟି ବାଳକ ବାଳିକା କୋମଳ କଣ୍ଠରେ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଗୀତିକା ଗାନ କଲେ–

ଅତୀଥି ହେ ତୁମେ ଆସିଚ ଆଜି

ଆମ କୁଟୀରେ,

ଆନନ୍ଦ ଲହରୀ ଯାଇଛି ଖେଳି

ସବୁରି ଘରେ ।

ଜୀବନରୁ ବଡ଼ ମଣିଚ ତୁମେ

ଜନମ ଭୂଇଁ,

କେତେ ସେବା ତ୍ୟାଗ କରିଚ ତୁମେ

ଭାରତ ପାଇଁ ।

 

ସ୍ୱାଗତ ଗୀତିକା ପରେ ଗାନ୍ଧୀ ନଗରର ବାସୀନ୍ଦାମାନଙ୍କ ପକ୍ଷରୁ ଗିରିଧାରୀ ବାହିନୀପତି ମାନପତ୍ର ପଢ଼ିବାକୁ ଲାଗିଲେ ।

 

“ମାନ୍ୟବର ଜଙ୍ଗଲ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରାଧିକାଚରଣ ଦାସ ମହୋଦୟ !

 

ଆପଣଙ୍କର ଶୁଭାଗମନରେ ଆଜି ଗାନ୍ଧୀ ନଗରର ଜନତା ହର୍ଷୋତ୍‌ଫୁଲ୍ଲ । ଆପଣଙ୍କ ପରି ତ୍ୟାଗୀ କର୍ତ୍ତବ୍ୟପରାୟଣ, ଦରିଦ୍ର ଜନତାର ପରମବନ୍ଧୁଙ୍କର ଆଗମନକୁ ଗାନ୍ଧୀ ନଗରର ଅଧିବାସୀଗଣ ବହୁ କାଳରୁ ଅପେକ୍ଷା କରି ରହିଥିଲେ । ଆଜି ସେହି ପବିତ୍ର ମୁହୂର୍ତ୍ତଟି ଉପସ୍ଥିତ । ଆପଣଙ୍କ ସ୍ୱାଗତ ପାଇଁ ଏଠାରେ ଗାନ୍ଧୀ ନଗରର ଆବାଳବୃଦ୍ଧବନିତା ସମବେତ ହୋଇଛନ୍ତି । ଆପଣ ସେମାନଙ୍କ ହୃଦୟର ଅନାବିଳ ଭକ୍ତି ଅର୍ଘ୍ୟ ଗ୍ରହଣ କରନ୍ତୁ ।

 

ହେ ମହାତ୍ମନ୍‌ । ଆପଣଙ୍କ ପରି ଦୟା ଓ କରୁଣାର ପ୍ରତିମୂର୍ତ୍ତିଙ୍କ ଆଗମନରେ ପୁରୀ ସହରର ଏହି ଅବହେଳିତ ହରିଜନ ଜାତିର ହୃଦୟରେ ଆଶାର ସଞ୍ଚାର ହୋଇଅଛି । ଇଂରେଜମାନଙ୍କ ଶାସନ କାଳରେ ଗାନ୍ଧୀ ନଗରର ଉନ୍ନତି ପାଇଁ କୌଣସି ଦୃଷ୍ଟି ଦିଆଯାଇ ନଥିଲା-। ଆମ୍ଭମାନଙ୍କ ଲୋକପ୍ରିୟ ସରକାରଙ୍କ ଉଦ୍ୟମରେ ଅଧୁନା ଏହି ଅଞ୍ଚଳରେ ବହୁ ପ୍ରଗତି ସାଧିତ ହୋଇସାରିଲାଣି । ପରମଆନନ୍ଦର ବିଷୟ ଏହି ଯେ, ହରିଜନ ଭାଇଭଉଣୀମାନେ ବର୍ତ୍ତମାନ ସମାଜର ଅନ୍ୟମାନଙ୍କ ସହିତ ସମକକ୍ଷ ହେବାକୁ ଉଦ୍ୟମ ଆରମ୍ଭ କରିଦେଲେଣି । ମହାଶୟ ! ଗାନ୍ଧୀନଗରରେ ଗୋଟିଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ବହୁକାଳରୁ ଉଦ୍ୟମ ହୋଇ ଆସିଥିଲେ ମଧ୍ୟ ତାହା ଏ ଯାଏଁ କାର୍ଯ୍ୟକାରୀ ହୋଇପାରି ନାହିଁ । ଏଠାରେ ସ୍ମରଣ କରାଯାଇପାରେ ଯେ ଗତ ସାଧାରଣ ନିର୍ବାଚନ ସମୟରେ ଆମ୍ଭମାନଙ୍କର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ଗୋବର୍ଦ୍ଧନ ଚୌଧୁରୀ ଗାନ୍ଧୀ ନଗରରେ ଏହି ବିଦ୍ୟାଳୟ ନିଶ୍ଚିତ ଭାବରେ ସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦୁଃଖର ବିଷୟ, ତାହା ଏ ଯାଏଁ କାର୍ଯ୍ୟକାରୀ ହୋଇପାରି ନାହିଁ । ଆମ୍ଭେମାନେ ବିନୟରସହ ଏଥିପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛୁ । ଏତଦ୍‌ବ୍ୟତୀତ ଗାନ୍ଧୀନଗରରେ ଗୋଟିଏ ପାଠାଗାର ସ୍ଥାପନ ପାଇଁ ଆପଣଙ୍କ ସହଯୋଗ ପ୍ରାର୍ଥନା କରୁଛୁ । ମହାଶୟ ! ଆପଣ ଯେ କେବଳ ସ୍ଵାଧୀନତା ଆନ୍ଦୋଳନର ଜଣେ ମହାନ ସୈନିକ ଥିଲେ, ସେତିକି ନୁହେଁ, ଦେଶର ସ୍ୱାଧୀନତା ପରେ ପ୍ରଥମେ ପଶୁପାଳନ ବିଭାଗର ଉପମନ୍ତ୍ରୀ ଓ ପରେ ଜଙ୍ଗଲ ବିଭାଗର ମନ୍ତ୍ରୀ ଭାବରେ ଆପଣ ଦେଶର ସେବା କରିଚାଲିଛନ୍ତି । ହରିଜନମାନଙ୍କ ପ୍ରତି ଯେ ଆପଣଙ୍କର ଗଭୀର ସହାନୁଭୂତି ଅଛି, ଏଥିରେ ସନ୍ଦେହ ନାହିଁ । ଗାନ୍ଧୀନଗରର ଏହି ନ୍ୟାୟଦାବୀ ପ୍ରତି ଆପଣ ଦୃଷ୍ଟିପାତ କଲେ ଆମ୍ଭେମାନେ ଉପକୃତ ହେବୁ ।’’

 

ଗିରିଧାରୀ ବାହିନୀପତି ମାନପତ୍ରଟି ପାଠ କରିସାରି ଅତି ସନ୍ତର୍ପଣରେ ମନ୍ତ୍ରୀଙ୍କ ମୁହଁକୁ ଅନାଇଲେ । ବିଜୁଳି ଆଲୋକରେ ମନ୍ତ୍ରୀଙ୍କ ପୃଥୁଳ ଶରୀରଟି ତାଙ୍କୁ କେଜାଣି କାହିଁକି ପୃଥୁଳତର ଦେଖାଗଲା । ମନ୍ତ୍ରୀ ପରମ ସନ୍ତୋଷରେ ପାନଖିଲ ଚାକୁଳି କରୁଥିଲେ । ଗିରିଧାରୀଙ୍କ ପରେ ଭାଗୀରଥ କ’ଣ କହିବେ ବୋଲି ଠିଆ ହେଲେ; କିନ୍ତୁ ହଠାତ୍‌ ଲୋକ ଗହଳି ଭିତରେ କିଛି ଗୋଟାଏ ଗଣ୍ଡଗୋଳ ଆରମ୍ଭ ହୋଇଗଲା । ଭାଗୀରଥ ଜନତାକୁ ଶୃଙ୍ଖଳା ରକ୍ଷା କରିବାକୁ ଯେତେ ଅନୁରୋଧ କଲେ ମଧ୍ୟ ପ୍ରବଳ ପାଟିତୁଣ୍ଡ ଭିତରେ ତାହା ନିଷ୍ଫଳ ହୋଇପଡ଼ିଲା । ଉପସ୍ଥିତ ଜନତା ଛତ୍ରଭଙ୍ଗ ଦେଇ ଏଣେତେଣେ ଧାଇଁବାକୁ ଲାଗିଲେ । ଅକସ୍ମାତ ବିଜୁଳି ଆଲୁଅ ସବୁ ଲିଭିଗଲା ଏବଂ ଚାରିଆଡ଼େ ବାଲି ଓ ଟେକାମାନ ବୃଷ୍ଟି ହେବାକୁ ଲାଗିଲା । କେହି କେହି ‘ଷଣ୍ଢ’ ‘ଷଣ୍ଢ’ ବୋଲି ପାଟି କରୁଥିବା ଶୁଣାଗଲା । ହଠାତ୍‌ କେତୋଟି ତାଳଫୋଟକା ଫାଟିବା ପରି ଶବ୍ଦରେ ପରିସ୍ଥିତି ଆହୁରି ଭୟଙ୍କର ହୋଇପଡ଼ିଲା ।

 

ମନ୍ତ୍ରୀ ରାଧିକାଚରଣ କେତେବେଳେ ତାଙ୍କ କାର୍‌ରେ ସେଠାରୁ ପଳାୟନ କରିସାରିଥିଲେ । ପ୍ରାୟ ଅଧଘଣ୍ଟାକ ପରେ ପୁଣି ଆଲୋକବତୀ ସବୁ ଜଳି ଉଠିବାରୁ ଦେଖାଗଲା, ଅଳ୍ପ ସମୟ ଆଗରୁ ଯେଉଁଠାରେ ବିପୁଳ ଜନତା ସମବେତ ହୋଇଥିଲେ, ତାହା ମଶାଣି ପରି ନିକାଞ୍ଚନ ହୋଇପଡ଼ିଛି । ଚାରିଆଡ଼େ ଭଙ୍ଗାଇଟା ଓ ପୋଡ଼ା ତାଳଫୋଟକାମାନ ବିଛେଇ ପଡ଼ିଛି । ଠାକୁରାଣୀଙ୍କ ବରଗଛମୂଳେ ଗୋଟିଏ ପ୍ରକାଣ୍ଡ କଳାଷଣ୍ଢ ଶୋଇରହି ଧୀରେ ଧୀରେ ପାକୁଳି କରୁଛି । ଷଣ୍ଡଟିର ଦେହସାରା ମାଟି ଲାଗିଛି ଓ ତା’ର ଗୋଟିଏ ଶିଙ୍ଗ ଭାଙ୍ଗିଯାଇ ସେଥିରୁ କଞ୍ଚା ରକ୍ତ ମେଞ୍ଚା ହୋଇ ତା’ ମୁହଁ ଉପରକୁ ବୋହି ଆସିଛି !

Image

 

(ସାତ)

 

ନୂତନ ମିଷ୍ଟାନ୍ନ ଭଣ୍ଡାରରେ ସଞ୍ଜବେଳକୁ ଗହଳିଟା ଟିକିଏ ଅଧିକ ହୁଏ । ମୋଚିସାହିର ଏଇ ଦୋକାନଟି ସମୁଦ୍ରକୂଳରୁ ବେଶି ଦୂର ନୁହେଁ । ତେଣୁ ସମୁଦ୍ରକୂଳକୁ ବୁଲି ବାହାରିବା ବାଟରେ କେହି କେହି କପେ ଚା’ କିମ୍ବା ସାମାନ୍ୟ ଜଳଖିଆ ପାଇଁ ସାଧାରଣତଃ ଏଇଠାରେହିଁ ଅଟକି ଥାନ୍ତି । ଏଇ ଦୋକାନରେ ଚା’ ଓ ରସଗୋଲାର ଖ୍ୟାତି କ୍ରମଶଃ ସାରା ପୁରୀ ସହରରେ ବ୍ୟାପି ଯାଇଛି । ପ୍ରଥମେ ଯେତେବେଳେ ହରିଦତ୍ତ କଲିକତାରୁ ଆସି ଏଠାରେ ଦୋକାନ ଖୋଲିଲା, ସେତେବେଳେ କୁଆଡ଼େ ପୁରୀର ସ୍ଥାନୀୟ ଲୋକେ ବେଶୀ ତା’ ଦୋକାନକୁ ଆସୁ ନଥିଲେ । ବଙ୍ଗୀୟ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାଙ୍କ ଉପରେ ତାକୁ ନିର୍ଭର କରିବାକୁ ପଡ଼ୁଥିଲା । କଲିକତୀ ରସଗୋଲା ଓ ସନ୍ଦେଶକୁ ସ୍ଥାନୀୟ ଲୋକେ ହେୟ ଦୃଷ୍ଟିରେ ଦେଖୁଥିଲେ । ଚା’ର ମଧ୍ୟ ବିଶେଷ ଚାହିଦା ନଥିଲା । ସାଧାରଣ ଲୋକେ ପୁରୀ ବଡ଼ ଦେଉଳରେ ପ୍ରସ୍ତୁତ ମିଷ୍ଟାନ୍ନକୁ ଯେ କେବଳ ପସନ୍ଦ କରୁଥିଲେ, ତା’ ନୁହେଁ, ଅନ୍ୟ ଯେ କୌଣସି ମିଷ୍ଟାନ୍ନ ତା’ଠାରୁ ନିକୃଷ୍ଟ ବୋଲି ସେମାନଙ୍କର ଧାରଣା ଥିଲା । ହରିଦତ୍ତ ବିଚରା ଈଶ୍ୱର-ବିଶ୍ଵାସୀ ଲୋକ । ପୁରୀ ମନ୍ଦିରକୁ ଯାଇ ସେ ଜଗନ୍ନାଥଙ୍କ ଭୋଗପାଇଁ ପ୍ରସ୍ତୁତ ହେଉଥିବା ଜାତି ଜାତିକା ମିଷ୍ଟାନ୍ନର ପ୍ରକାର ଓ ସ୍ଵାଦରେ ଅଭିଭୂତ ହୋଇପଡ଼ିଥିଲା । ବିଶୁଦ୍ଧ ଘିଅରେ ପ୍ରସ୍ତୁତ ବଡ଼ଦେଉଳର ମିଷ୍ଟାନ୍ନ ଯେଉଁଠାରେ ପ୍ରଚୁର ପରିମାଣରେ ମିଳେ, ସେଠାରେ କଲିକତୀ ନୂତନ ମିଷ୍ଟାନ୍ନ ଭଣ୍ଡାରର ଭବିଷ୍ୟତ କ’ଣ ?

 

କିନ୍ତୁ ଅବସ୍ଥା ବଦଳିଗଲା । କେବଳ ପଣ୍ଡା ପଢ଼ିଆରୀଙ୍କୁ ଛାଡ଼ି ଦେଲେ ସହରର ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ କାହାରି ମଧ୍ୟରେ ବଡ଼ ଦେଉଳରେ ପ୍ରସ୍ତୁତ ମିଷ୍ଟାନ୍ନର ଆଉ ପ୍ରଚଳନ ନାହିଁ । ଚା’ ମଧ୍ୟ କ୍ରମଶଃ ଏକ ଦୈନିକ ଆବଶ୍ୟକତାରେ ପରିଣତ ହୋଇଛି । ହରିଦତ୍ତର ସେଦିନର ସେହି ପୁରୁଣା ଭଙ୍ଗା ଚାଳଘରଟି କୋଠାଘର ହୋଇଛି । ଟିଣ ଚୌକିରେ ବସୁଥିବା ହରିଦତ୍ତ ଦାମିକା ଶାଗୁଆନ୍‌ ଚେୟାର୍‌ ଉପରେ କୁଶନ୍ ପକାଇ ବସୁଛି; ସମୟ ବଦଳିଛି ।

 

ଏହା ଭିତରେ ମୋଚି ସାହିରେ ଆଉ କେତୋଟି ଚା’ ଦୋକାନବି ଖୋଲିଛି; କିନ୍ତୁ ହରିଦତ୍ତର ବ୍ୟବସାୟ ଏ ଯାଏଁ ମାନ୍ଦା ପଡ଼ିନାହିଁ । ସମୁଦ୍ରକୂଳକୁ ବୁଲି ବାହାରିଥିବା ବିଦେଶୀ ଭଦ୍ରବ୍ୟକ୍ତିମାନଙ୍କ କଥା ଭିନ୍ନ; କିନ୍ତୁ ସ୍ଥାନୀୟ ବହୁ ଲୋକଙ୍କ ପାଇଁ ଗଲା କେତେବର୍ଷ ହେଲା ନୂତନ ମିଷ୍ଟାନ୍ନ ଭଣ୍ଡାର ଏକ ବନ୍ଧୁମିଳନ ସ୍ଥଳରେ ପରିଣତ ହୋଇଯାଇଛି । ସମୁଦ୍ରରୁ ଅଳ୍ପ ଦୂରରେ ଅପେକ୍ଷାକୃତ ପରିଷ୍କୃତ ଓ ଶାନ୍ତ ଏଇ ଅଞ୍ଚଳଟିରେ ସନ୍ଧ୍ୟା କଟାଇବା ପାଇଁ ଉଭୟ ତରୁଣ ଓ ବୃଦ୍ଧ ସମାନ ଭାବରେ ଆକୃଷ୍ଟ ହୋଇ ଆସୁଛନ୍ତି । ସମୁଦ୍ର ବିହାରରେ ବାହାରିଥିବା ତରୁଣୀମାନଙ୍କ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ରୂପଲୋଭୀ ତରୁଣମାନେ ଏଠାରେ ଦଳ ଦଳ ହୋଇ ବୁଲିବାର ଦୃଶ୍ୟ ଯେପରି ସ୍ୱାଭାବିକ ମନେ ହୁଏ, ବୃଦ୍ଧମାନେ ଇତସ୍ତତଃ ଆଳାପ ଆଲୋଚନା କରିବା ବା ନୂତନ ମିଷ୍ଟାନ୍ନ ଭଣ୍ଡାରରେ ବସି ଚୁପ୍ ଚାପ୍‌ ଚା’ ପାନ କରିବାର ଦୃଶ୍ୟ ସେଇପରି ପରିଚିତ ଲାଗେ-

 

ତିରିଶିବର୍ଷର ପୁରୁଣା ନୂତନ ମିଷ୍ଟାନ୍ନ ଭଣ୍ଡାରର ପୁରୁଣା ପରିବେଶ ସବୁଦିନେ ନୂତନହିଁ ରହିଆସିଛି । ସହରର ଯେଉଁ ଅନ୍ଦିକନ୍ଦିରେ ଯାହା ଘଟେ, ସବୁର ଆଲୋଚନା ହୁଏ ଏଇଠାରେ । ଏଇଠାରେ କୁଆଡ଼େ ପୁରୀର ସାମ୍ବାଦିକମାନେ ପ୍ରତି ସନ୍ଧ୍ୟାରେ ସେମାନଙ୍କ ସମ୍ବାଦପତ୍ର ପାଇଁ ସମ୍ବାଦ ସଂଗ୍ରହ କରିଥାନ୍ତି । ଛାତ୍ର, ଅଧ୍ୟାପକ ଓ ପ୍ରଶାସକମାନେ ଏଇଠାରେ ଚା’ କପ୍‌ ଓଠ ପାଖକୁ ନେଉ ନେଉ ତାର୍କିକ ଆଲୋଚନା କରନ୍ତି । କେବେ କେବେ ସେମାନଙ୍କ ଆଲୋଚନାକୁ ଶୁଣିବାପାଇଁ ଅନ୍ୟମାନଙ୍କ ମଧ୍ୟରେ ହରିଦତ୍ତବି ମୋଟା ଚଷମା କାଚତଳୁ ଅନାଇ ଦିଏ । ପରମୁହୂର୍ତ୍ତରେ କିନ୍ତୁ ପୁଣି ସେ ଆଖି ଫେରାଇ ନିଏ ତଳକୁ । ଗରାଖମାନଙ୍କଠାରୁ ପଇସା ରଖିବା, ପଇସା ଗଣିବା ଓ ବଳକା ପଇସା ଫେରାଇବା ତା’ର ତିରିଶିବର୍ଷର ଅଭ୍ୟାସ । ତାର୍କିକ ଆଲୋଚନା ସାଙ୍ଗକୁ ଗୁଲିଖଟିବି ବେଶ୍ ଜମେ ଏଠି–ସେଥିପାଇଁ ମଧ୍ୟ ଠିକଣା ଲୋକେ ଏକାଠି ହୁଅନ୍ତି ।

 

ମୁରାରୀ ଦାସ ଗୋଟିଏ କୋଣରେ ବସି ଚୁପ୍ ଚାପ୍‌ ଅନାନ୍ତି । ସେ ତ ବେଶି କଥା କହନ୍ତି ନାହିଁ । ତାଙ୍କ ସାଙ୍ଗେ ଗପ କରିବାକୁ ଲୋକବି ମିଳନ୍ତି କମ୍‌ । ହରିଦତ୍ତର ବାଁଆ ପାଖରେ ମୁରାରୀ ବସନ୍ତି–ସବୁଦିନେ ଗୋଟିଏ ଜାଗାରେ । ଟିକିଏ ଅନ୍ଧାରୁଆ ସେଇ ଜାଗାଟିରେ ପ୍ରାୟ ଆଉ କେହି ବସନ୍ତି ନାହିଁ । ବେଳେ ବେଳେ ନୂତନ ମିଷ୍ଟାନ୍ନ ଭଣ୍ଡାର ଖାଲି ପଡ଼ିଥିଲାବେଳେ ହରିଦତ୍ତ ଓ ମୁରାରୀ ଦାସ ଦୁଇ ବନ୍ଧୁ ବସି କ’ଣ ଟୁପ୍‌ଟାପ୍ ହେଉଥାନ୍ତି । ବିଗତ ତିରିଶିବର୍ଷର ବନ୍ଧୁତା ଏ ପରିଣତ ବୟସରେ ସତେ ଯେମିତି ଆହୁରି ଘନିଷ୍ଠତର ହୋଇ ଆସିଥିଲା । ମୁରାରୀ ଦାସ ପାଖରେ ଥିଲେ ହରିଦତ୍ତକୁ ପୁଣି ତିରିଶବର୍ଷ ପଛକୁ ଫେରିଗଲା ଭଳି ଲାଗେ । ମୁରାରୀ ଦାସ ତ ନୂତନ ମିଷ୍ଟାନ୍ନ ଭଣ୍ଡାରକୁ ଦୋକାନ ବୋଲି ଭାବନ୍ତି ନାହିଁ–ଭାବନ୍ତି ଘର ବୋଲି । ଏ ଯେତେ ଲୋକ ଆସୁଛନ୍ତି, ଯାଉଛନ୍ତି–ମୁରାରୀ ଦାସଙ୍କୁ ଛାଇ ପରି ଦିଶନ୍ତି । ନିମ୍ନ ପ୍ରାଥମିକ ଶିକ୍ଷକ ଚାକିରୀରୁ ଅବସର ନେଲା ପରେ ପିଲାମାନଙ୍କ ଆଗରେ ବକର ବକର ହେବାର ଅଭ୍ୟାସ ତାଙ୍କର ଭାଙ୍ଗିଗଲାଣି । ବେଳେ ବେଳେ ତାଙ୍କୁ ଲାଗୁଛି, ସେ ଯେମିତି ଛାତ୍ରଟିଏ ପାଲଟି ଯାଇଛନ୍ତି । ଅନ୍ୟମାନେ ଗପ କରୁଛନ୍ତି–କେତେ ବଡ଼ ବଡ଼ ବିଷୟରେ ଆଲୋଚନା କରୁଛନ୍ତି–ସେ ବୋକାଙ୍କ ଭଳି ଶୁଣୁଛନ୍ତି । ଯେତେ ଯେତେ ନୂଆ ନୂଆ କଥା ନୂଆ ନୂଆ ଲୋକଙ୍କ ଠାରୁ ସେ ଶୁଣୁଛନ୍ତି, ତାଙ୍କ କଥା କହିବା ଅଭ୍ୟାସ ସେତେ ସେତେ କମି ଯାଉଛି । ବୟସତ ଦିନକୁ ଦିନ ବଢ଼ୁଛି–ମୁଣ୍ଡ ଚନ୍ଦା ହେଲାଣି କେଉଁଦିନୁ–ମୁହଁ ଉପରେ ବୁଢ଼ିଆଣୀ ଜାଲ ପରି ଗାର, କୁଜା ହୋଇ ଚାଲୁଛନ୍ତି–କିନ୍ତୁ ଦିନକୁ ଦିନ ସେ ଅନୁଭବ କରୁଛନ୍ତି, ସେ ଯେମିତି କିଛି ଜାଣିନାହାନ୍ତି ! ସାରା ଜୀବନ ଶିକ୍ଷା ଦାନ କରିସାରିବା ପରେ ସେ ଏବେ ବୁଝୁଛନ୍ତି, ଆଉ ତାଙ୍କର ଦାନ କରିବାର କିଛି ନାହିଁ–ଖାଲି ଗ୍ରହଣ କରିବାର କଥା । ବେଳେ ବେଳେ ଲାଗୁଛି, ସବୁ ଯେମିତି କେଉଁଠି କ’ଣ ବିଭ୍ରାଟ ହୋଇଯାଉଛି ! ସେ ଯାହା କହି ଆସୁଛନ୍ତି, ଯାହା କରିବା ଉଚିତ୍‌ ବୋଲି ବଡ଼ ବଡ଼ଙ୍କ ଠାରୁ ଶାସ୍ତ୍ରରୁ ଶୁଣୁଛନ୍ତି ବା ପଢ଼ିଛନ୍ତି, ସବୁ ଯେମିତି ଭୁଲ ବୋଲି ତାଙ୍କୁ କେହି କହି ଦଉଛି । ନିଜ ଭିତରେ କ’ଣ ଅଣ୍ଡାଳି ହୋଇ ମୁରାରୀ ଦାସ ସଞ୍ଜ ଆଳତିବେଳେ କିଛି ନ ବୁଝିବା ଭଳି ଜଗନ୍ନାଥଙ୍କ ବଡ଼ ବଡ଼ ଗୋଲ ଆଖି ଦୁଇଟାକୁ ଚାହିଁ ରହିଛନ୍ତି ଅନେକବେଳ–ଆଖି ଦୁଇଟା କି ପ୍ରକାଣ୍ଡ–ମୁରାରୀଙ୍କୁ ଡର ଲାଗିଛି । ସେ ଛାଟିପିଟି ହୋଇ ପଶ୍ଚିମ ଦ୍ୱାର ଦେଇ କେମିତି ଝାଳନାଳ ହୋଇ ଆସି ପହଞ୍ଚିଛନ୍ତି ନୂତନ ମିଷ୍ଟାନ୍ନ ଭଣ୍ଡାରରେ । ତାଙ୍କ ପରିଚିତ ଚୌକିଟାରେ ଲଥ୍‌ କରି ବସି ପଡ଼ି କହିଛନ୍ତି–‘ନଟବର ଗିଲାସେ ପାଣି ଦିଅ । ବଡ଼ ଶୋଷ ।’

 

ଆଜିବି ମୁରାରୀ ଦାସ ସଞ୍ଜବେଳେ ନୂତନ ମିଷ୍ଟାନ୍ନ ଭଣ୍ଡାରରେ ବସି ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କର ଆଲୋଚନା ଶୁଣୁଥିଲେ । ଏବେ କେତେଦିନ ହେଲା ଦୋକାନରେ ଲୋକଗହଳି ଅନୁପାତରେ ଦୋକାନର ବିକ୍ରୀ ପରିମାଣ ବଢ଼ି ନଥିଲେବି ହରିଦତ୍ତ ଦୋକାନର ସରଗରମ ବାତାବରଣରେ ଟିକିଏ ଉତ୍ସାହିତ ହୋଇ ପଡ଼ିଛି ।

 

ଏବେ ତ କେତେଦିନ ହେଲା ନିର୍ବାଚନ ଚର୍ଚ୍ଚାର ସବୁଠାରୁ ପ୍ରକୃଷ୍ଟ କ୍ଷେତ୍ର ହୋଇଛି ନୂତନ ମିଷ୍ଟାନ୍ନ ଭଣ୍ଡାର । ଆଜି କିନ୍ତୁ ଆଲୋଚନାରେ ଉତ୍ତେଜନା ପ୍ରକାଶ ପାଉଥିଲା ସବୁଠାରୁ ଅଧିକ । ଦୋକାନର ଗୋଟିଏ କୋଣରେ ବସି ଚା’ ଖାଉ ଖାଉ ନବଘନ ମୁରାରୀଙ୍କୁ କହିଲା, ‘ମଉସା ଯେଉଁମାନେ କାଲି ଗାନ୍ଧୀ ନଗରରେ ମନ୍ତ୍ରୀଙ୍କ ସଭାରେ ଗଣ୍ଡଗୋଳ କଲେ, ଜନତା ସେମାନଙ୍କୁ ଠିକ୍ ଚିହ୍ନେ ।’

 

ଗତକାଲିର ନିର୍ବାଚନ ସଭା ଓ ମନ୍ତ୍ରୀ ରାଧିକାଚରଣଙ୍କ ହଟହଟାହିଁ ଥିଲା ଆଜିର ମୁଖ୍ୟ ଆଲୋଚନାର ବିଷୟ । ଉପସ୍ଥିତ ଭଦ୍ରବ୍ୟକ୍ତିମାନେ ଅନୁଭୂତି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ କେଉଁମାନେ ସଭାରେ ଗଣ୍ଡଗୋଳ କରିଥାଇପାରନ୍ତି, ତାହାର ରହସ୍ୟ ଭେଦ କରିବାକୁ ଚେଷ୍ଟା କରୁଥିଲେ । ନବଘନର ପାଖେ ପାଖେ ଛାଇ ପରି ରହିଥିବା ମାଧବ ପାଟି କରି କହିଲା; ‘ଅର୍ଜ୍ଜୁନବାବୁ ଏ ଯାଏଁ ଗୋଟିଏବି ସଭା କରିନାହାନ୍ତି । ତାଙ୍କର ସେଥିପାଇଁ ସାହସ ନାହିଁ । ଗୁଣ୍ଡା ଲଗାଇ ସେଇ କାଲି ସଭାଟାକୁ ଭଣ୍ଡୁର କରିଦେଲେ ।’

 

ଉପସ୍ଥିତ ସମସ୍ତେ ମାଧବ ଆଡ଼େ ଅନାଇଲେ । ଏହି ସମୟରେ କାହାର ପ୍ରତିବାଦ ଶୁଣାଗଲା–‘ତୁମେ ବୁଝି ବିଚାରି କଥା କୁହ ।’

 

ସମସ୍ତଙ୍କ ଦୃଷ୍ଟି ମାଧବଠାରୁ ଯାଇ ଏଇ ପ୍ରତିବାଦକାରୀଙ୍କ ଉପରେ ପଡ଼ିଲା । ପ୍ରତିବାଦକାରୀ ଥିଲେ ଜଣେ ମଧ୍ୟବୟସ୍କ ବ୍ୟକ୍ତି । ତାଙ୍କ ଚେହେରା ଦେଖିଲେ ଜଣାପଡ଼ୁଥିଲା, ସେଠାରେ ଉପସ୍ଥିତ ସମସ୍ତଙ୍କ ଅପେକ୍ଷା ସେ ଥିଲେ ଅଧିକ ସ୍ୱାସ୍ଥ୍ୟବାନ୍ । ସେ ସାମାନ୍ୟ ମଇଳା ଧୋତି ଓ ପଞ୍ଜାବି ପିନ୍ଧିଥିଲେ । ତାଙ୍କ କପାଳରେ ସିନ୍ଦୂର କଲିଟିଏ ଭଲ ମାନୁଥିଲା । ଜଳଖିଆ ଖାଇବା ବନ୍ଦ କରି କ୍ରୋଧକଷାୟିତ ନୟନରେ ସେ ମାଧବ ଆଡ଼େ କିଛି ସମୟ ଅନାଇବା ପରେ କହିଲେ, ‘ମୋ ନାଆଁ ବିଶୁନି ପଶୁପାଳକ । ତୁମେମାନେ ଯାହା କରୁଛ, କରିଯାଅ । ନିର୍ବାଚନ ସଇଲେ ତୁମର ଆମର ଫଇସଲା ।’

 

ପୁରୀ ସହରରେ ବିଶୁନି ପଶୁପାଳକ ଅପରିଚିତ ନୁହନ୍ତି; କିନ୍ତୁ ନୂତନ ମିଷ୍ଟାନ୍ନ ଭଣ୍ଡାରରେ ଯେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କ ଭିତରୁ ଅନେକେ ବିଶୁନିଙ୍କ ନାମ ସହିତ ପରିଚିତ ଥିଲେହେଁ ତାଙ୍କୁ ଆଗରୁ ଦେଖି ନଥିଲେ । ସମସ୍ତଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିଥିବା ଦେଖି ବିଶୁନି ଯେପରି ବେଶୀ ଉତ୍ସାହିତ ହୋଇ ପଡ଼ିଲେ । ନିଶରେ ଆଙ୍ଗୁଠି ଚଳାଇ ସେ ପାଟି କରି ଉଠିଲେ, ‘ଅର୍ଜ୍ଜୁନ ଗୋଛିକାର ଏଥର ଅଲବତ ଜିଣିବେ । ଭାଗୀରଥବାବୁ ଗଲା ପାଞ୍ଚବର୍ଷ ଭିତରେ ପୁରୀ ସହରର ଜନସାଧାରଣଙ୍କ ପାଇଁ କିଛି କରିନାହାନ୍ତି । ତାଙ୍କ କୋଠାଘର କିଳାପୋତା ଟଙ୍କାରେ ତିଆରି ।’

 

ମାଧବ ହଠାତ୍‌ ସ୍ୱର ନରମାଇ କହିଲା, ‘ପଶୁପାଳକେ, ଆମ ଆମ ଭିତରେ ଏମିତି କଥା କଟାକଟିରେ ଫାଇଦା କ’ଣ ? ଜନସାଧାରଣ ଯାହାକୁ ଠିକ୍ ମନେକରିବେ, ଭୋଟ ଦେବେ ।’

 

ବିଶୁନି କିନ୍ତୁ ଏଥିରେ ଶାନ୍ତ ହେଲେନାହିଁ । ନିମିକି ଚୋବାଉଥିବା ଅବସ୍ଥାରେ ଓଜନିଆ ସ୍ଵରରେ କହିଲେ, ‘ଆହେ ରଖ ହେ ତୁମର ଭଲଲୋକି ! ଗଦାଧରବାବୁଙ୍କ ଦୋକାନ ଆଗରେ ଗଣ୍ଡଗୋଳ କଲାବେଳେ ଏଇ ଭଲଲୋକପଣିଆ କୁଆଡ଼େ ଥିଲା ? ଆମେ ତୁମପରି ଭଡ଼ାଟିଆମାନଙ୍କୁ ଭଲକରି ଜାଣୁ ।

 

ମାଧବ ବସିବା ସ୍ଥାନରୁ ଉଠିପଡ଼ି ତରବର ହୋଇ ଆଶା ବାଡ଼ିଟି ଧରି ପକାଇ ଚଢ଼ା ଗଳାରେ ପାଟିକରି ଉଠିଲା, ‘‘କ’ଣ କହିଲ, ଭଡ଼ାଟିଆ ?’’

 

‘ହଁ–ହଁ–ଭଡ଼ାଟିଆ !’–ବିଶୁନିବି ଉଠି ଠିଆ ହୋଇ ପଡ଼ିଲେ ।

 

‘ଆମେ ଭଡ଼ାଟିଆ ହେଲେ ତମେ ଗୁଣ୍ଡା !’

 

ବିଶୁନିଙ୍କ ପକ୍ଷରେ କିନ୍ତୁ ‘ଗୁଣ୍ଡା’ ବିଶେଷଣପ୍ରୟୋଗ ସହ୍ୟ କରିବା ଅସମ୍ଭବ ଥିଲା । ଆଖି ପିଛୁଳାକେ ନୂତନ ମିଷ୍ଟାନ୍ନ ଭଣ୍ଡାରର ଉପସ୍ଥିତ ସମସ୍ତ ଗରାଖମାନଙ୍କ ସମ୍ମୁଖରେ ବିଶୁନି ମାଧବ କାନମୁଣ୍ଡାରେ ଦୁଇଟି ଭୁଷି ଚଢ଼ାଇ ଦେଲେ । ବିଚରା ମାଧବ ହାତରୁ ଆଶାବାଡ଼ି ଖସି ପଡ଼ିଲା । ସେ ତଳେ ପଡ଼ି ଯାଉଥିବାବେଳେ ନବଘନ କୌଣସି ପ୍ରକାରେ ତାକୁ ଧରିନେଲା ସତ; କିନ୍ତୁ ଚେୟାର୍‌ ଉପରେ ସେ ପ୍ରାୟ ଅଚେତ ଅବସ୍ଥାରେ ପଡ଼ିଗଲା । ଉପସ୍ଥିତ ଗରାଖମାନଙ୍କ ପାଇଁ ଘଟଣାଟି ଥିଲା ଏକାନ୍ତ ଅପ୍ରତ୍ୟାଶିତ । ସେମାନଙ୍କ ଭିତରୁ କେତେ ଜଣ ମାଧବ ଆଡ଼କୁ ଧାଇଁଗଲେ, ଆଉ କେତେ ଜଣ ‘ପାଣି’ ‘ପାଣି’ ବୋଲି ଚିତ୍କାର କରିବାକୁ ଲାଗିଲେ; ମାତ୍ର ଅଧିକାଶଂ ଏଇ ଗଣ୍ଡଗୋଳର ପରିଣତି ସମ୍ପର୍କରେ ଆଶଙ୍କା କରି ସେଠାରୁ ଚୁପ୍ ଚାପ୍ ଚାଲିଗଲେ ।

 

କିଛି ସମୟ ପରେ ମାଧବ ପ୍ରକୃତିସ୍ଥ ହୋଇ ପୁରୀରେ ପ୍ରଚଳିତ ଅସଭ୍ୟ ଭାଷାରେ ବିଶୁନି ଓ ତାଙ୍କର ପୂର୍ବପୁରୁଷମାନଙ୍କୁ ଗାଳି ଦେବାକୁ ଲାଗିଲା । ହରିଦତ୍ତ ବିଚରା ଯେତେ ବିନୀତ ହୋଇ ଅନୁରୋଧ କଲେବି ତାହା ଶୁଣିବା ପାଇଁ ମାଧବର ଧୈର୍ଯ୍ୟ ନଥିଲା । ଦୋକାନ ବାହାରେ କେତେଜଣ ଭଦ୍ରଲୋକ ଠିଆ ହୋଇ କ’ଣ ସବୁ ଆଲୋଚନା କରୁଥିଲେ । ମାଧବର ଗାଳି ଶୁଣିବା ପାଇଁ ଦୋକାନ ଭିତରେ ଅସହାୟ ହରିଦତ୍ତ ଓ ମୁରାରୀ ଦାସଙ୍କ ବ୍ୟତୀତ ଆଉ କେହି ନଥିଲେ । କହିବା ବାହୁଲ୍ୟ, ଯାହାଙ୍କ ଉଦ୍ଦେଶ୍ୟରେ ଏପରି ପ୍ରଚଣ୍ଡ ଗାଳି ଉଦ୍‌ଗାରିତ ହେଉଥିଲା, ସେ କେତେବେଳୁ ସେଠାରୁ ଚାଲିଯାଇଥିଲେ ।

Image

 

(ଆଠ)

 

ସିଂହଦ୍ଵାରଠାରୁ ଅଳ୍ପ ଦୂରରେ ପରିଚିତ ପାନ ଦୋକାନଟି ପାଖରେ ଠିଆ ହୋଇ ଭାଗୀରଥ ମହାପାତ୍ର ଲୋକଗହଳି ଲକ୍ଷ୍ୟ କରୁଥିଲେ । ସଞ୍ଜ ଆଳତି ଦର୍ଶନ ପାଇଁ ଜଗନ୍ନାଥ ମନ୍ଦିରରେ ସବୁଠାରୁ ବେଶୀ ଭିଡ଼ ହୁଏ ଏତିକିବେଳେ । କେବେ କେମିତି ସୁବିଧା ପାଇଲେ ଭାଗୀରଥ ଏଠାରେ ଆସି ଏମିତି ଠିଆ ହୁଅନ୍ତି । ପାନ ଚୋବାଇ ଚୋବାଇ କିଛି ସମୟ ଲୋକ ଗହଳି ଓ ସନ୍ଧ୍ୟାର ଶାନ୍ତ ଧାର୍ମିକ ପରିବେଶ ଅନୁଭବ କରନ୍ତି । କେତେଜଣ ବନ୍ଧୁଙ୍କ ସହିତ ଦେଖାବି ହୋଇଯାଏ । ଆଳାପ ଆଲୋଚନା ଜମେ । ରାତି ଟିକିଏ ବେଶୀ ହେଲେ ସେ ଫେରନ୍ତି, କେବେ କେବେ ମହାପ୍ରସାଦ କିଣି ନିଅନ୍ତି ଘରକୁ, କାଞ୍ଚନ ଦେବୀକୁ ଖୁସି କରିବା ପାଇଁ ।

 

ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହି ଅନେକ ଦିନ ହେଲା ଭାଗୀରଥ ଏଆଡ଼େ ଆସିପାରି ନଥିଲେ । ଆଜି ତାଙ୍କୁ ଏଠାରେ ବେଶ୍‌ ହାଲୁକା ଲାଗୁଥିଲା । ନିର୍ବାଚନ କୋଳାହଳଠାରୁ ଏ କୋଳାହଳ ଥିଲା ଏକାନ୍ତ ଭିନ୍ନ । ଦଳ ଦଳ ପୁରୁଷ ନାରୀ ଦେଉଳ ଭିତରକୁ ଯାଉଥିଲେ, ପୁଣି ଦେଉଳ ଭିତରୁ ବାହାରି ଆସୁଥିଲେ । ଭାଗୀରଥଙ୍କୁ ଲାଗିଲା, ସେମାନେହିଁ ପ୍ରକୃତରେ ସୁଖୀ । ସେମାନଙ୍କ ସବୁ ଦୁଃଖ ଅଭିମାନ ଜଗନ୍ନାଥଙ୍କୁ ଜଣାଇ ଦେଲେ ସେମାନେ ଯେମିତି ନିଶ୍ଚିନ୍ତ । ସେମାନେ ଆସୁଛନ୍ତି, ଯାଉଛନ୍ତି–ସବୁଦିନେ ସେଇ ଏକା ଦୃଶ୍ୟ–କେଉଁ ଦୂର ଅତୀତରୁ କେଜାଣି, ପିମ୍ପୁଡ଼ିଧାର ପରି ଏମିତି ମଣିଷର ଧାର ଛୁଟି ଆସୁଚି ଏଠାକୁ । ଆକାଶଉଞ୍ଚ ଦେଉଳ ଚାରି ପାଖେ ଦେଶୀବିଦେଶୀ ମଣିଷର ଧାର–ସେମାନେ କ’ଣ ଖୋଜୁଛନ୍ତି ଯୁଗ ଯୁଗ ଧରି ? ଏତେ ବଡ଼ ଦେଶର ଏତେ କିସମର ଲୋକଙ୍କୁ ଏକାଠି କରୁଛି ଦେଉଳ–କ’ଣ ଅଛି ଏଇ ପଥରଗଢ଼ା ଦେଉଳରେ ?

 

ଭାଗୀରଥ ମହାପାତ୍ର ବଡ଼ ଦେଉଳକୁ ପ୍ରାୟ ଯାଆନ୍ତି ନାହିଁ । ଯଦି କେବେ ଯାଆନ୍ତି, କାଞ୍ଚନ ଦେବୀଙ୍କ ଅନୁରୋଧରେ । କାଞ୍ଚନ ଦେବୀ କିନ୍ତୁ ବଡ଼ ଦେଉଳରେ ପଶିଲେ ଛୋଟ ବଡ଼ ସବୁ ଠାକୁରଙ୍କ ପାଖରେ ମୁଣ୍ଡିଆ ମାରି ମାରି ଘଣ୍ଟା ଘଣ୍ଟା ବିତାନ୍ତି । କାଶୀବିଶ୍ୱନାଥଙ୍କଠାରୁ ଆରମ୍ଭ କରି କାକ ଚତୁର୍ଭୁଜ ଯାଏଁ, କେହି ବାଦ୍‌ ପଡ଼ନ୍ତି ନାହିଁ । ସେଥିରେ ପୁଣି କାହା ପାଖରେ ଘିଅ ଦୀପ ବସିବ, କାହା ପାଖରେ ଜଣାଣ ବୋଲା ହେବ, କାହାକୁ ମାଳ ଲାଗି କରାହେବ, ତାହା ମଧ୍ୟ ପୂର୍ବରୁ ନିର୍ଦ୍ଦିଷ୍ଟ । ବିମଳାଙ୍କୁ ମନ୍ଦାର ମାଳ ଲାଗି କରିବା ଯେମିତି ଜରୁରୀ, ଲକ୍ଷ୍ମୀଙ୍କ ଜଗମୋହନରେ କିଛି ସମୟ ବସିବା ସେମିତି ଦରକାରୀ । ଭାଗୀରଥ ନାସ୍ତିକ ନୁହନ୍ତି, କିନ୍ତୁ ଦେଉଳରେ ଏତେ ସମୟ ରହିବାକୁ ତାଙ୍କୁ ସମୟ କାହିଁ ?

 

‘ମହାପାତ୍ରେ, ନମସ୍କାର ।’ ଅନ୍ୟମନସ୍କ ଭାଗୀରଥ ଅଭ୍ୟାସ ବଶତଃ ପ୍ରତିନମସ୍କାର କରି ଦେଖିଲେ, ତାଙ୍କ ସମ୍ମୁଖରେ ଅଧର ଦୟିତାପତି ଠିଆ ହୋଇଛନ୍ତି । ଦୟିତାପତି ଦେଉଳରୁ ଫେରୁଛନ୍ତି ନିଶ୍ଚୟ । ପରିଧେୟ ଉସତ୍‌ ମଇଳା ଗୋଟିଏ ଧୋତି, କାନ୍ଧରେ ପାଚିଲା ଗାମୁଛା । ବାଁଆ ହାତରେ ଅଭଡ଼ା କୁଡ଼ିଆଟିଏ ଉପରକୁ ଟେକି ଧରିଛନ୍ତି, ଡାହାଣ ହାତରେ ଓଳିଏ ଡାଲି । ଅଭଡ଼ା ଓ ଡାଲିର ବାସ୍ନା ଭାଗୀରଥଙ୍କ ନାକରେ ବାଜିଲା । ଦୟିତାପତିଙ୍କ ପଛେ ପଛେ ତାଙ୍କର ଆଠ ଦଶବର୍ଷର ଗୋଟିଏ ପୁଅ । ଦୟିତାପତିଙ୍କ ମୁଖ ପ୍ରସନ୍ନ ।

 

‘ଆଉ ଖବର କ’ଣ ?’ ଭାଗୀରଥ ପଚାରିଲେ । ଦୟିତାପତି କହିଲେ, ‘ମହାପ୍ରଭୁଙ୍କ ସକାଳ ଧୂପ ଉଠିଲା ।’

ଭାଗୀରଥ କିନ୍ତୁ ଅନ୍ୟ କିଛି ଖବର ଚାହୁଁଥିଲେ । ସ୍ୱର ନରମାଇ କହିଲେ, ‘ନାଇଁ ମ, ଆମ କଥା ମନେ ଅଛିଟି ? ତମ ସାଇ ଆଡ଼େ ଦି’ଥର ଗଲିଣି । ନବଘନ କହୁଥିଲା, ତମ ସାଇରୁ ଅର୍ଜ୍ଜୁନ ଗୋଟିଏବି ଭୋଟ ପାଇବ ନାହିଁ । ଆଉ ଭାଇ, ଏତେବେଳେ ଟିକିଏ–’ ‘କି କଥା ୟେ–କି କଥା ୟେ । ଆପଣ ଆମର ପୁରୁଣା ନେତା । ଆପଣଙ୍କୁ ଭୋଟ ନ ଦେଇ ଆମେ ସେ ମେଞ୍ଚଡ଼ ଟୋକାଟାକୁ ଭୋଟଦେବୁ ?’–ଦୟିତାପତି ଚଢ଼ା ଗଳାରେ କହିଲେ–‘କିନ୍ତୁ ଆଜ୍ଞା, ଗରିବ ଗୁହାରୀ ଘେନା ହେଲା ନାଇଁ । ଏତେ ସରକାରୀ ଟଙ୍କା କିଏ କୁଆଡ଼େ ବୋହି ନଉଚନ୍ତି । ଆମ ଗୋସାଣଯାତ ପାଇଁ କିଛି ଟଙ୍କା ଯୋଗାଡ଼ ହଉ ନାଇଁ । ସେତିକି କରିଦେଲେ ଆଜ୍ଞା, ଆମ ସାଇରୁ ପୁଣି ଜାକଜମକରେ ସମ୍ପାତି ବାହାରିବ । ଏଡ଼େ ବଡ଼ ଯାତ, ଯାହା କହନ୍ତୁ ବଡ଼ ମାନ୍ଦାଳିଆ ଧରିଲାଣି । ୟେ ଟୋକାଏ ଦି’ଅକ୍ଷର ପଢ଼ିଲେ, ଆଉ ସାଇ କାମରେ ମନ ଦେଉ ନାହାନ୍ତି ।’

 

ଭାଗୀରଥ କହିଲେ, ’ବୁଝିଲ ଦୟିତାପତିଏ, ଓଡ଼ିଆ ଜାତିର ସଂସ୍କୃତି ଏଇ ଗୋସାଣି ଯାତହିଁ ବଞ୍ଚାଇ ରଖିଛି । ସେଥିପାଇଁ ସରକାରୀ ସାହାଯ୍ୟ ଯେମିତି ହେଲେ ଆଣିବାକୁ ହେବ ।’

 

ଅଧର ଦୟିତାପତି ଏଥିରେ ଉତ୍ସାହିତ ହୋଇ ପଡ଼ିଲେ । କହିଲେ, ‘ଆପଣ ନିଜେ କହୁନାହାନ୍ତି, ଆମର ସେ ଗୋସାଣି ଯାତ ସେ ସାଇଯାତ ଆଉ ଅଛି ? ସେ ନାଗା, ସଟରା, ସନ୍ନ୍ୟାସୀ, ମେଢ଼ ଆଉ କାହିଁ ? ଆଗର ସେ ଜେଗାଘର, ସେ ପହିଲିମାନମାନେ କାହାନ୍ତି ?

 

ଭାଗୀରଥ ଦୟିତାପତିଙ୍କୁ ପୂରାପୂରି ସମର୍ଥନ କଲେ । ଦୟିତାପତି କହିଲେ, ‘ହଉ ଆଜ୍ଞା, ଗରିବ ମେଲାଣି ନଉ ।’ ଦୟିତାପତି ହାତରେ ଅଭଡ଼ାକୁଡ଼ିଆ, ତାଲି ଓଳି ଧରି ଦୋଳମଣ୍ଡପ ସାହି ଭିତରେ ଅଦୃଶ୍ୟ ହୋଇଗଲେ ।

 

ସିଂହଦ୍ଵାରର ଗୋଟିଏ କଡ଼ରେ–ଯେଉଁଠି ଧାଡ଼ି ଦୋକାନରେ ଜଗନ୍ନାଥଙ୍କ ବାଳଭୋଗ ସାମଗ୍ରୀ ବିକ୍ରୀ ହୁଏ–ଦଳେ ଲୋକ ବସି ଏକନିଷ୍ଠ ଭାବରେ ଗିନି ଓ ଖୋଳକରତାଳ ବଜାଇ ବଜାଇ ଚିତ୍କାର କରୁଥିଲେ–‘ଜଗା କାଳିଆ ଦଗା ଦେଲା କାହିଁକି, ମୋ ଦୁଃଖ ତାକୁ ଲଗା ନାହିଁକି ?’ –ସିଂହଦ୍ଵାରର ଲୋକଗହଳି ଓ ହାଉଚାଉ ଭିତରେବି ସେମାନଙ୍କ ଚିତ୍କାର ଡୁବି ଯାଉ ନଥିଲା । ରାତି ଯେତେ ଯେତେ ବେଶି ହେଉଥିଲା, ଏହି ଭକ୍ତମାନେ ସେତେ ସେତେ ଅଧିକ ଉତ୍ସାହରେ ଚିତ୍କାର କଲା ଭଳି ମନେହେଉଥିଲା । ହଠାତ୍‌ କାହିଁକି ଭାଗୀରଥଙ୍କର ଇଚ୍ଛା ହେଲା, ସେହି ଭକ୍ତମାନଙ୍କ ମେଳରେ ବସି ମନଇଚ୍ଛା ଖଞ୍ଜଣୀ ପିଟନ୍ତେ ଓ ଜୀବନର ସବୁ ମାନଅଭିମାନ, ସବୁ ଅଭିଯୋଗ ସେଇ ଚକାଡ଼ୋଳାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଦିଅନ୍ତେ ! ଭକ୍ତମାନଙ୍କ ପ୍ରତି ତାଙ୍କର ଈର୍ଷା ହେଲା । ମନେପଡ଼ିଲା ବାପାଙ୍କ କଥା । ତମ୍ବା ପରି ଦେହର ରଙ୍ଗ, ଚନ୍ଦାମୁଣ୍ଡ, କାନ୍ଧରେ ଶୁଭ୍ର ଉପର୍ବତ, ବେକରେ ରୁଦ୍ରାକ୍ଷ ମାଳି । ପ୍ରତି ସନ୍ଧ୍ୟାରେ କଚେରୀରୁ ଫେରି ଜଗନ୍ନାଥଙ୍କ ସଞ୍ଜଆଳତି ଦେଖିବାକୁ ଆସନ୍ତି । କି ଖରା, କି ବର୍ଷା କେବେ ଦିନେ ସେଥିରେ ବ୍ୟତିକ୍ରମ ହେବା ଭାଗୀରଥଙ୍କ ସ୍ମରଣ ହେଲା ନାହିଁ । ବାପାବି ଦିନେ ଏମିତି ସିଂହଦ୍ଵାରରେ ହରିନାମ କୀର୍ତ୍ତନରେ ମଜ୍ଜି ଯାଉଥିଲେ-। ଘରକୁ ଫେରୁଥିଲେ ରାତି ଅଧକୁ । ବୋଉ ମିଞ୍ଜି ମିଞ୍ଜି ଲଣ୍ଠନଟି ପାଖରେ କାନ୍ଥକୁ ଆଉଜି ସେମିତି ବସିଥିବ ପଥର ମୂର୍ତ୍ତି ପରି । ସାରା ସାହିଟା ଶୂନଶାନ୍ ଲାଗୁଥିବ । କେବଳ ମଝିରେ ମଝିରେ ନଅର କାଳୀଙ୍କ ଦେଉଳରେ ସେଇ ବୁଢ଼ା ପୂଜାରୀର ଘଗଡ଼ା ସ୍ୱର ଶୁଭୁଥିବ । ବୁଢ଼ାକୁ ରାତିରେ ନିଦ ନହେଲେ ସେ ସଂସ୍କୃତ ସ୍ତୋତ୍ର ସବୁ ବଡ଼ ପାଟିକରି ଗାଏ । ରାତି ଯେତେ ବେଶୀ ହୁଏ, ସମୁଦ୍ର ଗର୍ଜନ ସେତେ ସେତେ ବଢ଼ିବାକୁ ଲାଗେ । ଭାଗୀରଥ ପାଠ ପଢ଼ିସାରି କେବେ ପଖାଳ କେବେ ଗରମ ଭାତ ଖାଇ ଶୋଇ ପଡ଼ିଥାନ୍ତି । କେବେ ଦିନେ ଦିନେ ତାଙ୍କୁ ନିଦ ହୋଇ ନଥାଏ । ମାଆ ପୁଅ ବସି ବସି ଢୁଳାଉଥାନ୍ତି । ଦୂରରୁ ବାପାଙ୍କ କାଶ ଶୁଭେ–।

 

ଭାଗୀରଥଙ୍କ ଆଖି ଜକେଇ ଆସିଲା । ପିଲାଦିନର ସ୍ମୃତି ସବୁ ଆକାଶର ତାରାପରି କେତେ ଚିହ୍ନା ଅଥଚ କେତେ ସୁଦୂର ଆଜି ଓ ସେଦିନ ଭିତରେ କେତେ ତଫାତ୍‌ ! ଅଥଚ ସେ ତ ସେଇ ଭାଗୀରଥ ମହାପାତ୍ର–ପୁରୁଣା ନଅର ଗଳିର ସେଇ ଭଗି ! ଆଜିର ଜନନେତା ଆଡ଼ଭୋକେଟ୍‌ ଭାଗୀରଥ ମହାପାତ୍ର ଓ ନଅର ଗଳିର ଭଗି ମଧ୍ୟରେ କ’ଣ ତଫାତ୍‌ କିଛି ନାହିଁ ? ହୁଏତ ଅଛି । ନଅର ଗଳିର ସେଇପୁରୁଣା ନୁଆଁଣିଆ ଚାଳଘର ଓ ସମୁଦ୍ରକୂଳରେ ପ୍ରକାଣ୍ଡ ଦୁଇ ମହଲା କୋଠା ଭିତରେ ତଫାତ୍‌ ନ ରହିବ କିପରି ? ସମୟ ବଦଳିଛି । ସମୁଦ୍ରର ଲହଡ଼ିସବୁ କୂଳରେ ମଠ କୋଡ଼ି ଯେତେ କାନ୍ଦିଲେବି ସମୟକୁ ଦଣ୍ଡେ ଅଟକାଇ ପାରିନାହାନ୍ତି । ସେଇ ସମୟ ଢେଉରେ ସିଏ ବା କିଏ–ସାମାନ୍ୟ ପତ୍ରଟିଏ–ଅଥଳ ପାଣି ଭିତରେ ଭାସି ଭାସି ଚାଲିଛନ୍ତି । ସେ କୁଆଡ଼ୁ ଆସିଲେ ଜାଣିନାହାନ୍ତି । କୁଆଡ଼େ ଭାସିଯିବେ, ଜାଣିନାହାନ୍ତି । ସେ ଖାଲି ଭାସୁଛନ୍ତି–ଭାସୁଛନ୍ତି । ଯେତେବେଳେ ଆଖି ଖୋଲୁଛି–ଦେଖୁଛନ୍ତି, ଚାରିଆଡ଼ ଫାଙ୍କା ଫାଙ୍କା ଉପରେ ଫାଙ୍କା ଆକାଶ–କେହି କୁଆଡ଼େ ଦେଖା ଯାଉନାହାନ୍ତି–ସେ ଏକୁଟିଆ ଅଥଳ ପାଣିରେ ଭାସି ଯାଉଛନ୍ତି ।

Image

 

(ନଅ)

 

ବହୁ ଦିନର ଅବ୍ୟବହୃତ ପୁରୁଣା ରାଲେ ସାଇକେଲ୍‌ ଖଣ୍ଡକ ଚଢ଼ି ଆଗେ ଆଗେ ଚାଲିଥିଲେ ଭାଗୀରଥ । ପଛରେ ସାଇକେଲ ଆରୋହୀମାନଙ୍କର ଛୋଟ ଏକ ଶୋଭାଯାତ୍ରା । ସାଇକେଲ ଶୋଭାଯାତ୍ରାରେ ଥିଲେ ମହାଜନତା ପାର୍ଟିର ସଭାପତି ଗିରିଧାରୀ, କର୍ମୀ ନବଘନ, ଜୟ ହନୁମାନ, ଘନିଆ ନାୟକ, ରାବଣା ଦୋରା ଓ କେତେ ଜଣ କଲେଜ ଛାତ୍ର । ଉଦୁଦିଆ ଖରାବେଳେ ସେମାନେ ସହର ପରିକ୍ରମାରେ ବାହାରିଥିଲେ । ସମସ୍ତଙ୍କ ସାଇକେଲ ହାଣ୍ଡଲରେ ହାତଟଣା ଛବି ଥିବା ପୋଷ୍ଟର । ଭାଗୀରଥ ହାତ ଟେକି ଚିତ୍କାର କରୁଥିଲେ–‘ଆମର ଦାବି’ ଅନ୍ୟମାନେ ଉତ୍ତର ଦେଉଥିଲେ–‘ସମାଜବାଦ’ । ଚିତ୍କାର କରି କରି ସେମାନଙ୍କ ତଣ୍ଟି ବସି ଯାଇଥିଲା । ଝାଳରେ ଦେହର ଜାମା ତିନ୍ତି ଯାଇଥିଲା; ତଥାପି ସେମାନେ ହଟି ଯାଉ ନଥିଲେ । ସେମାନେ ‘ସମାଜବାଦ’ ପ୍ରତିଷ୍ଠା କରିବାକୁ ସତେ ଯେମିତି ବଦ୍ଧ ପରିକର ! ରାସ୍ତାରେ ଧୂଳିଉଡ଼ାଇ ସେମାନେ ଛୁଟି ଥିଲେ । ସେମାନଙ୍କ ଚିତ୍କାର ସେମାନଙ୍କ ପଛେ ପଛେ ଗୋଡ଼ାଉଥିଲା ।

 

ପ୍ରତି ସାହି ମୁଣ୍ଡରେ ସେମାନେ ଅଟକୁ ଥିଲେ କିଛି ସମୟ ପାଇଁ ପ୍ରଥମେ ସେମାନେ ହାଡ଼ି ସାହିରୁ ଆରମ୍ଭ କଲେ ସେମାନଙ୍କ ସହର ପରିକ୍ରମା । ହାଡ଼ି ସାହିରେ ଭାଗୀରଥ କ୍ଷୁଦ୍ର ଭାଷଣଟିଏ ଦେଇ କହିଲେ, “ଭାଇ ଓ ଭଉଣୀମାନେ, ଏଇଠୁ ମୁଁ ଆରମ୍ଭ କରୁଛି ମୋ ନିର୍ବାଚନ ଅଭିଯାନ । ଏଥର ନିର୍ବାଚନ ପରେ ଆମ ପାର୍ଟି ନିଶ୍ଚୟ ସମାଜବାଦ ପ୍ରତିଷ୍ଠା କରିବ ଓ ସମାଜବାଦ ପ୍ରତିଷ୍ଠା ହେଲେ ତା’ର ସୁଫଳ ପ୍ରଥମେ ଆପଣମାନେହିଁ ପାଇବେ । ଆମ ସମାଜ ଗୋଟାଏ ପୁରୁଣା ଅଧଭଙ୍ଗା କୋଠାପରି । ତାକୁ ଭାଙ୍ଗି ନୂଆ କରି ଗଢ଼ିବାକୁ ହେବ । ଏଇ ନୂତନ ସୌଧର ମୂଳଦୁଆ ହେବେ ଆପଣମାନେ ।’’ ଏହାପରେ ପ୍ରଥମେ ଘନ ନାୟକ ଓ ପରେ ଅନ୍ୟମାନେ ପ୍ରବଳ କରତାଳି ଦେଲେ । ନବଘନ ଠାକୁରାଣୀଙ୍କ ବରଗଛମୂଳେ ପଡ଼ିଥିବା ପଥର ଖଣ୍ଡ ଉପରେ ଠିଆ ହୋଇ କହିଲା, “ଦେଖନ୍ତୁ ଭାଇମାନେ, ସେଦିନ ଯେଉଁମାନେ ଆମ ନିର୍ବାଚନ ସଭାରେ ଷଣ୍ଢ ପୂରାଇ ଦେଲେ, ସେମାନେ ସମାଜବାଦର ଶତ୍ରୁ । ସେମାନେ ଗାନ୍ଧୀ ନଗରର କୌଣସି ଉନ୍ନତି କରାଇ ଦେବେ ନାହିଁ । ଖଟିଖିଆ ପାର୍ଟି ସେଇମାନେ ଗଢ଼ିଛନ୍ତି । ମୋର ବିଶ୍ଵାସ, ସେମାନଙ୍କ ପାର୍ଟି ଆପଣଙ୍କ ଗାନ୍ଧୀ ନଗରରୁ ଖଣ୍ଡିଏ ହେଲେ ଭୋଟ ପାଇବ ନାହିଁ ।’’ ଏହାପରେ ପୁଣି କରତାଳି ହେଲା । ଗିରିଧାରୀ ଚିତ୍କାର କଲେ, ‘ଆମେ ଚାହୁଁ...।’ ଜନତା ଉତ୍ତର ଦେଲେ, ‘ସମାଜବାଦ ।’ ବହୁ ସମୟ ଏପରି ସ୍ଳୋଗାନ୍‌ ଦିଆଯିବା ପରେ ଶୋଭାଯାତ୍ରାଟି ସିଂହଦ୍ଵାର ଆଡ଼େ ମୁହାଁଇଲା ।

 

ଶୋଭାଯାତ୍ରା ସିଂହଦ୍ଵାରରେ ପହଞ୍ଚିଲାବେଳକୁ ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ । ପ୍ରଚଣ୍ଡ ଗ୍ରୀଷ୍ମରେ ସହରଟି ଯେପରି ଝାଉଁଳି ପଡ଼ିଥିଲା । ଯେଉଁ ବଡ଼ଦାଣ୍ଡ ସକାଳ ସଞ୍ଜରେ ଗହଳିରେ ଫାଟିପଡ଼ୁଥାଏ, ତାହା ମଧ୍ୟ ନିଛାଟିଆ ଖାଁ ଖାଁ ଲାଗୁଥିଲା । ଉଜ୍ଜ୍ଵଳ ସୂର୍ଯ୍ୟ କିରଣରେ ବଡ଼ ଦେଉଳଟି ଅଧିକ ତେଜୀୟାନ ଅଧିକ ବୃହତ୍‌ ମନେହେଉଥିଲା । କେତେ ଜଣ ପଛିମା ବାବାଜୀ ଗରୂଡ଼ ସ୍ତମ୍ଭ ପାଖରେ ବସି କ୍ଳାନ୍ତ ସ୍ଵରରେ ତଥାପି କ’ଣ ସବୁ ଭଜନ ବୋଲୁଥିଲେ । ଏଇ ମାତ୍ର ବୁହା ହୋଇଯାଇଥିବା ଗୋଟିଏ ଅହିଅ ମାଇପିର କୋକେଇ ପଛେ ପଛେ ଗୋଡ଼େଇଥିବା କେତୋଟି ଭିକାରୀ ପିଲା ରାସ୍ତାରୁ ଗୋଟେଇ ଥିବା ପଇସା ଓ କଉଡ଼ି ପାଇଁ ପରସ୍ପର ମଧ୍ୟରେ ଝଗଡ଼ା କରୁଥିଲେ ଓ ଅସଭ୍ୟ ଭାଷାରେ ଗାଳି ଦେଉଥିଲେ ।

 

ଭାଗୀରଥ ସାଇକେଲ୍ ଖଣ୍ଡକ ଗୋଟିଏ କଂସାରୀ ଦୋକାନରେ ଆଉଜେଇ ଲଥ କରି ଗୋଟିଏ ବେଞ୍ଚ ଉପରେ ବସି ପଡ଼ିଲେ । କାଲି ସଞ୍ଜବେଳେ ଏଇ ସିଂହଦ୍ଵାରରେ ଠିଆହେଲେ ମନକୁ ପ୍ରଶାନ୍ତି ଘୋଟି ଆସୁଥିଲା, ଆଜି କିନ୍ତୁ ଏଇ ଉତ୍ତପ୍ତ ମଧ୍ୟାହ୍ନରେ ନିର୍ବାଚନ ପ୍ରଚାର ପାଇଁ ଆସି ଏଠି ସେ ନିତାନ୍ତ ନିଃସହାୟ ଅନୁଭବ କରୁଥିଲେ । ନିର୍ବାଚନ ପ୍ରଚାରର ଅନ୍ୟାନ୍ୟ କର୍ମୀମାନେ କ୍ଳାନ୍ତି ମେଣ୍ଟାଇବା ପାଇଁ ନିକଟସ୍ଥ ପାନ ଦୋକାନରୁ ପଇଡ଼ ଓ ସରବତ୍ ଖାଉ ଖାଉ ସହରର ଆଉ କେଉଁ ଅଞ୍ଚଳକୁ ଯିବାକୁ ହେବ, ଆଲୋଚନା କରୁଥିଲେ । ରାବଣା ଦୋରା ସରବତ ଗିଲାସରୁ ଅଧେ ପିଇ, ଗିଲାସଟିକୁ ହାତରେ ଧରି, ପାଟି କରୁଥିଲା–‘ଆମର ସାଇକୁ ଯେମିତି ହେଲେ ଯିବାନା ! ସେ ସାଲା ନରସିଂଗା ହାରାମି ଅଛି । ତାକୁ ଦୁଇ ଟଙ୍କା ଦେଲି । ଆଜି କହୁଚି କ’ଣ ନା ତୋ ବାବୁକୁ ଭୋଟ ଦେବି ନାଇଁ । ତୋ ବାବୁ କିଳାପୋତେଇ ଟଙ୍କାରେ କୋଠା ବନେଇଚି । ବାବୁ ଭୋଟ୍‌ ପାଇଲେ ନରସିଂଗାକୁ ଥାନାକୁ ପଠାଇବାର ଅଛି ।’

 

ଭାଗୀରଥଙ୍କ ମୁଖମଣ୍ଡଳ ଘୃଣାରେ ସଙ୍କୁଚିତ ହୋଇ ଆସିଲା । ଗତ ଦଶବର୍ଷ ରାଜନୀତି କରିବା ପରେ ଜନସାଧାରଣଙ୍କ ଚରିତ୍ର ସମ୍ପର୍କରେ ତାଙ୍କର ସ୍ପଷ୍ଟ ଧାରଣା ହୋଇସାରିଥିଲା । ପିଲାଦିନୁ ଧର୍ମ, ନ୍ୟାୟ ଓ ଆଦର୍ଶ ପ୍ରଭୃତି ଶବ୍ଦ ଶୁଣି ଶୁଣି ପ୍ରଥମ ଯୌବନରେ ସେ ମଧ୍ୟ ଦିନେ ହୋଇପଡ଼ିଥିଲେ ଆଦର୍ଶବାଦୀ । ସାମନ୍ତ ଚନ୍ଦ୍ରଶେଖର କଲେଜରେ ଛାତ୍ର ଥିବା ସମୟରେ ସେ ମଧ୍ୟ ଆଜିର ଅଧ୍ୟାପକ, ସେଦିନର ଛାତ୍ର ନେତା ଗୋଲୋକବିହାରୀ ମିଶ୍ରଙ୍କ ବକ୍ତୃତା ଶୁଣି ସମାଜରେ ବିପ୍ଳବ କରିବାକୁ ଶପଥ କରିଥିଲେ । ତାଙ୍କ ଆଗରେ ଆଗରେ ନାଚି ଉଠିଥିଲେ ଚିହ୍ନାଜଣା କଙ୍କାଳସାର ମଣିଷ ସବୁ–ନଅର ଗଳିର ଘର ପାଖରେ ରହିଥିବା ତାଙ୍କରି ଭାଇବନ୍ଧୁ ପଡ଼ୋଶୀମାନେ । ସେମାନେ ଯେମିତି ଅନ୍ଧାରରେ ଭାଗୀରଥଙ୍କ କାନ ପାଖେ ଚୁପ୍ ଚୁପ୍ କହିଥିଲେ–‘ବାବୁ, ଆମ କଥା ବୁଝିବାକୁ କ’ଣ କେହି ନାହିଁ ? ଦେଶ ସ୍ୱାଧୀନ ହେବ ହେବ କହୁଥିଲ, ଦେଶ ସ୍ୱାଧୀନ ହେଲା । ଆମେ ଭୋଟ ଅଧିକାର ପାଇଲୁ । କାହିଁ, ଆମ ଘରେତ ଯୋଉ ଓଳିଏ ଚୁଲି ଜଳୁଥିଲା, ସେଇ ଓଳିଏ ଜଳୁଛି । କାହିଁ, ଆମେତ ଯୋଉ ଗାମୁଛା ପିନ୍ଧୁଥିଲୁ ସେଇ ଗାମୁଛା ପିନ୍ଧୁଛୁ । ଦେହ ବାଧିକି ପଡ଼ିଲେ ଆମକୁ ଓଷଦ ଟୋପେ ମିଳୁ ନାହିଁ । ଆମ ପିଲେ ପଇସା ଅଭାବରୁ ଆମରି ପରି ମୂର୍ଖ ରହୁଛନ୍ତି । ଆମ କଥା ତ କାହାରି ମନେ ନାହିଁ ।’

 

ନ–ନା–ସମାଜକୁ ବଦଳାଇବାକୁ ହେବ । କଲେଜଛାତ୍ର ଭାଗୀରଥ ବି.ଏ. ଉପାଧି ପାଇ ଯେଉଁଦିନ ଅନ୍ୟ ପାଞ୍ଚ ଜଣଙ୍କ ସଙ୍ଗେ ସମାନ ଆସନରେ ବସିଲେ, ସେଦିନ କିନ୍ତୁ ସେ ଅନ୍ୟ ପାଞ୍ଚଜଣଙ୍କ ପରି ଟଙ୍କା ବା କ୍ଷମତାର ସ୍ୱପ୍ନ ଦେଖି ନଥିଲେ । ସେ ସ୍ୱପ୍ନ ଦେଖୁଥିଲେ–ଆଦର୍ଶ–ଆଦର୍ଶ । ନଅର ଗଳିର ମୋହରିର ଚକ୍ରପାଣି ମହାପାତ୍ରଙ୍କ ପୁଅ ଭାଗୀରଥ ବି.ଏ ପାଶ୍‌ କରି ଚାକିରୀ କଲେ ନାହିଁ । ସ୍ୱାଧୀନ ବ୍ୟବସାୟ ଓକିଲାତି କରିବାକୁ ସ୍ଥିର କରି କଟକ ଗଲେ ଓକିଲାତି ପଢ଼ିବାକୁ । ଓକିଲାତି ଆରମ୍ଭ କରୁ କରୁ ବିବାହ–ତା’ପରେ ଜଞ୍ଜାଳ, ଜଞ୍ଜାଳ–ସେଥିରେ ପୁଣି ଏଇ ରାଜନୀତି ! ଆଃ–ଆଜିର ରାଜନୀତି ଯାହା ହେଲାଣି ! ଭାଗୀରଥ ଫାଙ୍କ ଦୃଷ୍ଟିରେ ବଡ଼ ଦେଉଳକୁ ଅନାଇଲେ । ନୀଳଚକ୍ର ଉପରେ ପତିତପାବନ ବାନା ତାଙ୍କୁ ବିଦ୍ରୂପ କଲାପରି ଫର ଫର ଉଡ଼ୁଥିଲା-

 

ଜୟ ହନୁମାନ କେତେବେଳେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦେଇଥିଲେ–‘ଭଉଣୀ ଓ ଭାଇମାନେ, ଅଭି ଅସଲ ସମୟ ଆସିଗଲା । ଆପଣମାନେ ଜଗନ୍ନାଥଙ୍କ ସାମ୍ନାରେ ହଲପ୍‌ କରନ୍ତୁ–ମହାଜନତା ପାର୍ଟିର ନେତା ଦେଶସେବକ ଭାଗୀରଥ ମହାପାତ୍ରଙ୍କୁ ଭୋଟ୍‌ ଦେଇ ଜୟଯୁକ୍ତ କରାଇବେ । ବିରୋଧୀ ଲୋକ ବହୁତ ବାଜେ କଥା କହିବେ । ସେମାନେ ଗଣତନ୍ତ୍ରର ଦୁସମନ । ସେମାନଙ୍କ କଥାରେ କଦାପି ଭୁଲନ୍ତୁ ନାହିଁ । ହାତଟଣା ରିକ୍‌ସା ଚିହ୍ନରେ ମୋହର ମାରି ଆପଣଙ୍କ ପ୍ରିୟ ଚାଷୀ ମୂଲିଆର ସାଥି ଭାଗୀରଥ ମହାପାତ୍ରଙ୍କୁ ଭୋଟ ଦିଅନ୍ତୁ ।’

 

ଜୟ ହନୁମାନଙ୍କ ବକ୍ତୃତା ଶୁଣିବାକୁ କ୍ରମେ କେତେକ ଲୋକ ଜମା ହୋଇ ପଡ଼ିଲେ । ଭାଗୀରଥ ମଧ୍ୟ ତାଙ୍କ କ୍ଳାନ୍ତ ମୁଖରେ ହାସ୍ୟ ଫୁଟାଇ ଯୋଡ଼ହସ୍ତରେ ଉପସ୍ଥିତ ଜନସାଧାରଣଙ୍କୁ ଭୋଟ ପାଇଁ ନିବେଦନ କଲେ । ସେତେବେଳକୁ ହାତ ଟଣା ଛବି ଥିବା ଏକ ପ୍ରକାଣ୍ଡ ପୋଷ୍ଟର ଧରି ଛୋଟା ମାଧବ କେଉଁଠୁ ଆସି ଭାଗୀରଥଙ୍କ ଦେହକୁ ଘଷି ହୋଇ ଠିଆ ହୋଇଥିଲା । ଭାଗୀରଥଙ୍କ ବକ୍ତୃତା ସରି ଆସିଲା କ୍ଷଣି ସେ ପାଗଳ ପରି ଡାହାଣ ହାତ ଉପରକୁ ଟେକି ପାଟି କରି ଉଠିଲା–‘ଭୋଟ ଦେବ କେଉଁଠି ?’ ଉପସ୍ଥିତ କର୍ମୀ ଓ କଲେଜ ଛାତ୍ରମାନେ ପାଟି କରି କହି ଉଠିଲେ–‘ରିକ୍‍ସା‌ ଚିହ୍ନ ଯେଉଁଠି ।’ ବହୁ ସମୟ ଯାଏ ବାରମ୍ବାର ଏଇ ସ୍ଳୋଗାନ୍‌ ଦିଆଗଲା । ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରୁ କେତେଜଣ ମଧ୍ୟ ସ୍ଳୋଗାନ ଦେବାରେ ଯୋଗ ଦେଲେ । ନିଛାଟିଆ ସିଂହଦ୍ଵାର ନିର୍ବାଚନ ପ୍ରଚାରରେ ହଠାତ୍‌ ଯେପରି ଚେଇଁ ଉଠିଲା ।

 

ସିଂହଦ୍ଵାର ପରେ ଦୋଳମଣ୍ଡପ ସାହି, ବାଲି ସାହି ଓ ବାସେଳୀ ସାହିରେ ନିର୍ବାଚନ ପ୍ରଚାର କରିସାରି ନଅର ଗଳିରେ ପହଞ୍ଚିଲାବେଳକୁ ମୁହଁ ସଞ୍ଜ । ନୂତନ ମିଷ୍ଟାନ୍ନ ଭଣ୍ଡାରରେ ସାମାନ୍ୟ ଜଳ ଯୋଗ ପରେ ଶୋଭାଯାତ୍ରା ନୂତନ ଶକ୍ତି ସଞ୍ଚୟ କରି ନଅର ଗଳିରେ ପହଞ୍ଚିଲା । ଏଇ ନଅର ଗଳିରେ ଭାଗୀରଥଙ୍କ ଶୈଶବ ଓ ଯୌବନ କଟିଥିଲା । ନଅର ଗଳିର ପ୍ରତି ଘର, ପ୍ରତି ମଣିଷ, ଏପରି କି ରାସ୍ତା କଡ଼ରେ ପଡ଼ିଥିବା ପ୍ରତି ପଥର ଖଣ୍ଡ ସହିତ ଭାଗୀରଥଙ୍କ ଅତୀତର ସ୍ମୃତି ଜଡ଼ିତ ଥିଲା । ଏମିତି ବହୁ ମୁହଁ ସଞ୍ଜରେ ସାହି ପିଲାମାନଙ୍କ ସଙ୍ଗେ ଡୁ-ଡୁ, ବୋହୂ-ବୋହୂକା ଖେଳିବାର ସ୍ମୃତି ତଥାପି ଅମୂଲ୍ୟ ସ୍ମୃତି ପରି ହୃଦୟରେ ସଞ୍ଚିତ ଅଛି । ଅନ୍ଧାରୁଆ ସାହି ଦାଣ୍ଡରେ ମଇଳା ହାଫ୍‌ପ୍ୟାଣ୍ଟ ପିନ୍ଧି ଧୂଳି ଧୂସରିତ ହୋଇ ଖେଳୁଥିବାବେଳେ କଚେରୀ ଫେରନ୍ତା ବାପାଙ୍କ ସ୍ୱର ଶୁଣି ଧାଇଁ ଯାଇ ସିଧା ହାଣ୍ଡିଶାଳରେ ବୋଉ ପାଖରେ ସେ କେତେଥର ଆତ୍ମଗୋପନ କରିଛନ୍ତି । ଦରିଦ୍ର ବାପା ବୋଉ ଏକମାତ୍ର ସନ୍ତାନ ଉପରେ କେତେ ସ୍ନେହ ଢାଳି ନାହାନ୍ତି । ସବୁ ସ୍ନେହମମତା ଶୈଶବର ମଧୁର ସ୍ମୃତିରେ ଜଡ଼ିତ ଏଇ ଅନ୍ଧାରୁଆ ଗଳି–। ତାଙ୍କ ଘରବି ତାଙ୍କର ହୋଇ ନାହିଁ । ଗତ ନିର୍ବାଚନବେଳେ ଅବସ୍ଥା ଚକ୍ରରେ ପଡ଼ି ମାତ୍ର କୋଡ଼ିଏ ହଜାର ଟଙ୍କାରେ ଘରଟିକୁ ସେ ବିକ୍ରୀ କରିଦେଇଛନ୍ତି ।

 

ସବୁଠାରୁ ଆଗେ ଆଗେ ଆଶା ବାଡ଼ି ଖଡ଼ ଖଡ଼ କରି ଚାଲିଥିଲା ମାଧବ । ସ୍ଳୋଗାନ୍‌ ଦେଇ ଦେଇ ସେତେବେଳକୁ ତା’ ତଣ୍ଟି ବସି ଯାଇଥିଲା । ତଥାପି ସେ ମୁଷ୍ଟିବଦ୍ଧ ଡାହାଣ ହାତ ଉପରକୁ ଛିଞ୍ଚାଡ଼ି ଚିତ୍କାର କରୁଥିଲା–‘ଭୋଟ ଦେବ କେଉଁଠି ?’ ଶୋଭାଯାତ୍ରାର ଅନ୍ୟମାନେ ମିଳିତ ଭାବରେ ଉତ୍ତର ଦେଉଥିଲେ–‘ରିକ୍‌ସା ଚିହ୍ନ ଯେଉଁଠି ।’ ମାଧବ ପୁଣି ଉତ୍ସାହିତ ହୋଇ କହୁଥିଲା–‘ଚାଷୀ ମୂଲିଆର ସାଥି ।’ ଅନ୍ୟମାନେ ଉତ୍ତର ଦେଉଥିଲେ–‘ଭାଗୀରଥ ମହାପାତ୍ର ।’ ପୁରୁଣା ରାଲେ ସାଇକେଲ ଖଣ୍ଡକ ଗଡ଼ାଇ ଗଡ଼ାଇ ନୀରବରେ ଚାଲିଥିଲେ ଭାଗୀରଥ ମହାପତ୍ର । ତାଙ୍କରି ସାହିରେ ତାଙ୍କରି ପାଇଁ ଚାଲିଥିବା ଏଇ ନିର୍ବାଚନ ପ୍ରଚାର ତାଙ୍କୁ କୌଣସି ଏକ ବିୟୋଗାନ୍ତ ନାଟକର ଶେଷ ଦୃଶ୍ୟ ପରି ମନେହେଉଥିଲା । ଦ୍ୱିତଳ ପ୍ରସାଦ ଓ ପ୍ରଚୁର ବ୍ୟାଙ୍କ୍‌ ବାଲାନ୍‌ସ ଅଧିକାରୀ ଭାଗୀରଥଙ୍କୁ ଚାଷୀ ମୂଲିଆର ସାଥି କୁହାଯିବା, ସେ ବେଶ୍ ଉପଭୋଗ କରୁଥିଲେ । ନିର୍ବାଚନ ରାଜନୀତିରେ ସାଧୁତା ଓ ସଚ୍ଚୋଟତା ତାଙ୍କର ପୁରୁଣା ରାଲେ ସାଇକେଲ୍‌ ଖଣ୍ଡକ ପରି । ଚମତ୍କାର ଆମ୍ବାସାଡ଼ର କାର୍‌ ଥାଇବି ପୁରୁଣା ରାଲେ ସାଇକେଲ୍‌ ଖଣ୍ଡକରେ ବୁଲି ଭୋଟ ପାଇଁ ପ୍ରଚାର କରିବା ନିର୍ବାଚନୀ ସାଧୁତା, ଭାଗୀରଥ ତାହା ଠିକ୍ ବୁଝିଥିଲେ ।

 

ଏହା ମଧ୍ୟରେ ଦାଣ୍ଡରେ ଖେଳୁଥିବା ଛୋଟ ଛୋଟ ପିଲାମାନେ ଶୋଭାଯାତ୍ରାକାରୀମାନଙ୍କୁ ଘେରି ଯାଇଥିଲେ । ନିର୍ବାଚନ ପ୍ରଚାର ଶୁଣିବାକୁ ନୁଆଁଣିଆ ଚାଳଘର ପିଣ୍ଡା ଉପରେ ମାଇପିମାନେ ଜମି ଯାଇଥିଲେ । ନବଘନ ଓ ଗିରିଧାରୀ ଘର ବୁଲି ପ୍ରଚାର ପତ୍ର ବାଣ୍ଟିବାରେ ଲାଗି ପଡ଼ିଥିଲେ । ଭାଗୀରଥ ମଧ୍ୟ ହାତ ଯୋଡ଼ି ପରିଚିତ ଭୋଟରମାନଙ୍କୁ ନିଜ ସପକ୍ଷରେ ନିବେଦନ କରୁଥିଲେ ।

 

ପ୍ରଥମେ ଭାଗୀରଥ ଭୋଟ ପାଇଁ ଯାହାକୁ ନିବେଦନ କଲେ, ସେ ହେଉଚି ବିନ ମହାରଣା । ଭାଗୀରଥ ତାକୁ ପିଲାଦିନୁ ଚିହ୍ନନ୍ତି । ଏହା ଭିତରେ ସେ ଅନେକ ବୁଢ଼ା ହୋଇଯାଇଚି । ଗାଲ ଭିତରକୁ ପଶି ଯାଇଛି, ବୁଢ଼ାକୁ ଆଉ ଭଲ ଶୁଭୁନାହିଁ । ଚିତାଲାଗି ଅମାବାସ୍ୟା ଗୋଟିଏ ଦିନ, ଯେତେବେଳେ ବିନର ଖୋଜାପଡ଼େ । ଭାଗୀରଥ କେତେ ଥର ଏଇ ଦିନ ବିନ ଘରକୁ ଯାଇଛନ୍ତି । କେଡ଼େ ଚଞ୍ଚଳ ସେ ଛବି ଆଙ୍କିପାରେ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ପ୍ରଥମେ ସେ ପ୍ରତି କବାଟରେ ଚୂନ ଲଗାଇ ଦେଇଯାଏ । ତା’ପରେ ତୂଳୀରେ ଆଙ୍କିଦିଏ ଗଣେଶ, କାର୍ତ୍ତିକ, ଭୈରବ । ଅନ୍ୟ ସମୟରେ ବିନ ପଟଚିତ୍ର ଆଙ୍କି ପେଟ ପୋଷେ । ଜାତିରେ ଚିତ୍ରକାର । ବିନ କହିଲା, ‘ବାବୁ ନିଜେ କାହିଁକି ଆଇଲେ । ତମେ ତ ସାଇ ଲୋକ । ତମକୁ ନ ଦେଇ ଆଉ କାହାକୁ ଭୋଟ ଦବୁ ।’

 

ପଛରୁ ନବଘନ କହିଲା, ‘ବୁଝିଲ ମଉସା, ବାବୁ ଏଥର ଆସେମ୍ବ୍ଳିକି ଗଲେ ଚିତ୍ରକାରମାନଙ୍କ ପାଇଁ ଲଢ଼ିବେ । ତମେମାନେ ହେଲ ଓଡ଼ିଆ ଜାତିର ଗୌରବ । ଯେତେଦିନ ଯାଏ ତମମାନଙ୍କ ଉନ୍ନତି ନ ହୋଇଚି, ଜାତି ପଛରେ ପଡ଼ିଛି ବୋଲି ଜାଣ ।’

 

ବିନ କହିଲା, ‘ବଡ଼ ବଡ଼ ବାବୁମାନେ ତ ଆଇଚ । ସବୁତ ଜାଣ । ମୁଁ କ’ଣ କହିଲେ ଛୋଟ ତୁଣ୍ଡରେ ବଡ଼ କଥା ହବ । ଆଉ ବାବୁ ପେଟ ପୋଷି ହେଉନାଇଁ । ବେଳକୁ ବେଳ ଅଭାବ ବଢ଼ୁଛି ! ହଉ, ମୋର ବା ଆଉ କେତେ ଦିନ !’

 

ମାଧବ ପଛରୁ ପାଟି କଲା, ‘ମଉସା, ଡେରି ନାହିଁ । ହେଲେ ସମାଜବାଦ ଆଣିବାକୁ ହବ ।’

 

ଜୟ ହନୁମାନ କହିଲେ, ‘ମଉସା ସମଝଦାର ଲୋକ । ହାତଟଣା ରିକ୍‍ସା ଚିହ୍ନରେ ମୋହର ଦେବେ ।’

 

ଭାଗୀରଥବାବୁ ପାଖ ଘରକୁ ଗଲେ । କବାଟ ଖଡ଼ଖଡ଼ କରି କହିଲେ, ‘ନୋକନି ଅଛୁ କି–’ । ନୋକନି ଭାଗୀରଥଙ୍କ ପିଲାଦିନର ସାଙ୍ଗ । ଏକାଠି ନିମ୍ନ ପ୍ରାଥମିକ ସ୍କୁଲରେ ପଢ଼ୁଥିଲେ । ଭାଗୀରଥ ପାଠ ପଢ଼ିଲେ, ଲୋକନାଥ ପୂଜାପଣ୍ଡା ଓରଫ୍‌ ନୋକନି ପାଠ ନ ପଢ଼ି ଜାଗା ଘରେ କୁସ୍ତି କରିବା, ଗୋବରା ଚଢ଼େଇ ପୋଷିବାରେ ମନଦେଲା । ଭାଗୀରଥ କଲେଜରେ ଯୋଗଦେଲାବେଳକୁ ନୋକନି ଭଲ ବନାଟି ବୁଲାଇ ନାଆଁ କରିସାରିଥିଲା । ଥରେ ଦି’ଥରବି ସାହି ନାଆକା ହୋଇଥିଲା । ଏବେ ସେ ଯାତ୍ରୀ ଗୁମାସ୍ତା ।

 

ନୋକନି ଓଦା ସର ସର ଗାମୁଛା ଖଣ୍ଡେ ପିନ୍ଧି ବାହାରି ଆସିଲା । ତା’ ପଛେ ପଛେ ଡିବିଟିଏ ଧରି ତା’ ଭାରିଜା । ନୋକନି କହିଲା, ‘ଭାଗୀବାବୁ, ଆମ ପାଖକୁ ନ ଆସିଥିଲେ କ’ଣ ଚଳି ନ ଥାନ୍ତା ? କ’ଣ କରିବି, ଏଇନେ ଜାଗରପଦାରୁ ଆସୁଚି । ପୋଖରୀପାଣି ଯାଇ ହାତମାଟି କରୁଚି, ସିଏ କହିଲା, ନିଜେ ଭାଗୀବାବୁ ଆଇଚନ୍ତି । ସେମିତି ଧାଇଁଛି ।’

 

ଭାଗୀରଥ କହିଲେ, ‘ନୋକନି, ତୁ ତ ଯେମିତି ହେଲେ ମୋତେ ଭୋଟ ଦେଇଥାନ୍ତୁ, ସେଥିପାଇଁ ମୁଁ ଆସିନାହିଁ । ସାଇରୁ ଯେମିତି ଖଣ୍ଡିଏ ହେଲେ ଭୋଟ ଖଟିଖିଆ ପାର୍ଟି ନ ପାଏ !

 

ନୋକନି ଦୃଢ଼ ଭାବରେ କହିଲା, ‘ବାୟା ହେଲେ ଆଜ୍ଞା ! ଅର୍ଜ୍ଜୁନ ଗୋଟାଏ ନେତା ହବାକୁ ମଣିଷ ହୋଇଗଲାଣି !’

 

ଏମିତି ଘର ପରେ ଘର । ସବୁଠି ଭୋଟ ମିଳିବାର ପ୍ରତିଶ୍ରୁତି । ନଅର ଗଳିର ତ ସମସ୍ତେ ଭାଗୀରଥଙ୍କ ଚିହ୍ନା । ଆଜି କିନ୍ତୁ ବହୁଦିନ ପରେ ତାଙ୍କୁ ଏଇ ଚିହ୍ନାଜଣା ଲୋକମାନେ କେମିତି ଅପରିଚିତ ଲାଗୁଥିଲେ । ନଅର ଗଳିର ଘର ସବୁ ସେମିତି ଆଗ ଅପେକ୍ଷା ଆଉରୀ ନୁଆଁଣିଆ ହୋଇଯାଇଥିଲା, ଲୋକେ ସେମିତି ଆଉରି ଦରିଦ୍ର–ଆଉରି ମଳିନ ଦିଶୁଥିଲେ !

 

ଭାଗୀରଥ ତାଙ୍କ ସମ୍ପର୍କୀୟ ଜଣେ ଦାଦାଙ୍କ ଘରକୁ ଗଲେ । ନଅର ଗଳି ଛାଡ଼ିବା ପରେ ବୋଧହୁଏ ଆଉ କେବେ ସେ ଏ ଆଡ଼େ ଆସି ନଥିଲେ । ସଂକୀର୍ଣ୍ଣ ମଇଳା ଘର ଭିତରୁ କେମିତି ଗୋଟାଏ ଗନ୍ଧ ବାହାରୁଥିଲା । ଭାଗୀରଥଙ୍କୁ ଲାଗିଲା, ସେ ଯେମିତି ପୁଣିଥରେ ତାଙ୍କ ଅତୀତକୁ ଫେରିଯାଇଛନ୍ତି ! ଆଜୀବନ ଶ୍ଵାସରୋଗୀ ତାଙ୍କର ଦାଦା ପ୍ରେତପୁରୀର କଙ୍କାଳ ପରି ଦିଶୁଥିଲେ । ଖୁଡ଼ିଙ୍କ ଦୁଇ ଗୋଡ଼ ଗୋଦର । ସେ ମସିଣା ପକାଇ ଦେଲେ । ଦାଦା କୁଶଳ ପଚାରିଲେ । ଭାଗୀରଥ ଭାବିଲେ, ସେମାନେ ହୁଏତ ସେମାନଙ୍କ ଦୁଃଖ ଦାରିଦ୍ର୍ୟର କାହାଣୀ କହି ବସିବେ । ସେମାନେ ତାହା କହିଲେ ନାହିଁ । ଏଇ ନୁଆଁଣିଆ ଚାଳଘର ପରି ସେମାନଙ୍କ ଦୁଃଖ ଦାରିଦ୍ର୍ୟ ସେମାନଙ୍କ ବ୍ୟାଧି କେବେଠୁ ଆପଣାର ହୋଇଯାଇଚି । ଦାଦା କହିଲେ, ‘ବାବୁ, ପୁଣି ଭୋଟରେ ଠିଆ ହୋଇଚ, ଶୁଣିଲି । ଜଗନ୍ନାଥେ ଜିତାପଟ କରିବେ । ଆସେମ୍ବ୍ଳି ଚାଲିଲାବେଳେ ତମ ବକ୍ତୃତା ସମାଜରେ ବାହାରେ । ଥରେ ଫଟ ବାହାରିଥିଲା । ଯାହାହଉ, ଚକ୍ରା ଭାଇନାଙ୍କ ନାଆଁ ରଖିଲ । ଖାଲି ଏତିକି ଦୁଃଖ ରହିଗଲା, ଭାଇନା ଥିଲେ ଦେଖିଥାନ୍ତେ ।’

 

ଭାଗୀରଥ ପିଲାଦିନେ ଦାଦାଙ୍କୁ ଭାରି ଡରୁଥିଲେ । ଦାଦା ଥିଲେ ପୁରୀ ଦେଉଳରେ ସିପାହୀ । ମାଟିଆ ଜାମା ପେଣ୍ଟ୍‍ ପିନ୍ଧି, ହାତରେ ଗୁଆ କୋରଡ଼ା ଧରି ସିଂହଦ୍ଵାର ପାଖରେ ସେ ଠିଆ ହୋଇଥିବାର ଦୃଶ୍ୟ ଏବେବି ତାଙ୍କର ସ୍ପଷ୍ଟ ମନେ ଅଛି ।

 

ଖୁଡ଼ି ଆଣି ଦେଲେ ପିତଳ ତାଟିଆରେ ତାଟିଆଏ ଚା’ ଅଦା ବାସ୍ନା ! ଭାଗୀରଥ ଚା’ ଖାଇଲେ । କହିଲେ, ‘ନଅର କାଳୀଙ୍କ ପାଖରେ ଭୋଟକେନ୍ଦ୍ର । ତମେ ଓ ଦାଦା ଯେମିତି ହେଲେ ଯିବ । ହାତଟଣା ରିକ୍‌ସା ଚିହ୍ନରେ ମୋହର ମାରିବ ।’

 

ଦାଦା କହିଲେ–‘ନିଶ୍ଚୟ ଯିବି । ମୋ ପୁତୁରା ଠିଆ ହୋଇଚି, ଯିବି ନାଇଁ ?”

 

ଭାଗୀରଥ ଉଠିଲେ । ଆଜିର ନିର୍ବାଚନ ପ୍ରଚାର ଏଇଠାରେ ଶେଷ ହେଲା । ଘଣ୍ଟାରେ ସାଢ଼େ ସାତଟା । ଆଠଟାରେ ତାଙ୍କ ଘରେ ମହାଜନତା ପାର୍ଟିର ଜରୁରୀ ମିଟିଂ ।

Image

 

(ଦଶ)

 

ନିର୍ବାଚନର ପରିଣତି ସମ୍ପର୍କରେ ଭାଗୀରଥ ଯେତେ ଚିନ୍ତିତ ନଥିଲେ, କାଞ୍ଚନ ଦେବୀ ଥିଲେ ତା’ଠାରୁ ବେଶି । ନିର୍ବାଚନ ପଡ଼ୁଛି ଆସନ୍ତା ଗୁରୁବାରେ–ଆଜି ହେଲାଣି ଶନିବାରେ–ମଝିରେ ଦିନ ବୋଲି ଚାରିଟା । ସାରା ସହର ଉଠୁଛି ପଡ଼ୁଛି । ଭାଗୀରଥଙ୍କୁ ଆଉ ଖାଇବାକୁ ଶୋଇବାକୁ ବେଳ ନାହିଁ । ସବୁବେଳେ ଘରେ ଲୋକ–କିଏ ନିର୍ବାଚନର କର୍ମୀ, କିଏ ସାମ୍ବାଦିକ, କିଏ ବା ଓକିଲ ବନ୍ଧୁ । ଷ୍ଟୋଭ୍‌ରେ ଦିନରାତି ଚା କେଟ୍‌ଲୀ ବସିଛି । ପୂଜାରୀ ବିଚରାକୁ ମୁହୂର୍ତ୍ତେବି ଛୁଟି ମିଳୁନାହିଁ । ତେବେ ନିର୍ବାଚନରେ ବାବୁ ଜିତିଲେ ସେ ଆଠଦିନ ପାଇଁ ଘରକୁ ଜୀବ ବୋଲି ମା’ଙ୍କ ଠାରୁ ପ୍ରତିଶ୍ରୁତି ପାଇଛି । କାଞ୍ଚନ ଦେବୀ ଶୋଇବା ଘରେ ଏକୁଟିଆ ବସି ଖୋଲା ଆକାଶକୁ ଅନାଇଥିଲେ । ରାତି ଅନେକ ହେଲାଣି । ଡ୍ରଇଁ ରୁମ୍‌ରେ ମହାଜନତା ପାର୍ଟିର ମୁଖ୍ୟ କର୍ମକର୍ତ୍ତାମାନଙ୍କର କ’ଣ ଗୁପ୍ତ ଆଲୋଚନା ସଭା ବସିଛି । ଭିତରକୁ ଯିବାକୁ କାହାରିକୁ ଅନୁମତି ନାହିଁ । ବେଳେବେଳେ ଯାହା କଲିଙ୍ଗ୍‌ ବେଲ୍‌ ବାଜିଲେ ପୂଜାରୀ ଭିତରକୁ ଯାଉଚି–ଚା’ ପାଣି କିମ୍ବା ସିଗାରେଟ୍‌ ଦେଇ ଆସୁଛି । ତା’ପରେ ସେ ଆସି ଏରୁଣ୍ଡି ବନ୍ଧ ପାଖରେ ଗାମୁଛାଟିଏ ପକାଇ ଢୁଳାଉଛି ।

 

ଝରକାପାଖେ ଠିଆହେଲେ ସମୁଦ୍ର ଦିଶୁ ନାହିଁ–ସମୁଦ୍ର ଗର୍ଜନ କାନରେ ବାଜୁଛି । ଦୂରରେ ସମୁଦ୍ର ଓ ଆକାଶ ମିଶି ଯାଇଛି–ସବୁ ଦିଶୁଛି ଧୂଆଁଳିଆ । କାଞ୍ଚନ ଦେବୀ ବାଲ୍‌କୋନି ଉପରେ ଠିଆ ହେଲେ । ଥଣ୍ଡାପବନ ତାଙ୍କ ଶାଢ଼ୀ ଭିତରେ ସଞ୍ଚରିଗଲା, ଦେହ ଶୀତେଇ ଉଠିଲା । ଉପରେ ସୁନ୍ଦର ଆକାଶ–ଜହ୍ନର ଏ ଯାଏଁ ଦେଖା ନାହିଁ; କିନ୍ତୁ ଈଷତ୍‌ ଜହ୍ନ ଆଲୁଅରେ ଝାଉଁବଣ ତୋଫା ଦେଖାଯାଉଛି । ଆଉ କିଛି ସମୟ ଗଲେ ସମୁଦ୍ର ପାଣି ନୀଳ ରଙ୍ଗର ଗାଲିଚାଟିଏ ପରି ଦେଖାଯିବ–ଆଃ, କେଡ଼େ ଦୁଷ୍ଟ ଏଇ ପବନ ? କାଞ୍ଚନ ଦେବୀ ନିଜ ଶାଢ଼ୀକୁ ସମ୍ଭାଳି ନେଲେ । କେଜାଣି କାହିଁକି ଦେହ ବାରମ୍ବାର ଶୀତେଇ ଉଠୁଛି । ଭାଗୀରଥଙ୍କ ଉପରେ ଅକାରଣେ ଅଭିମାନ ହେଉଛି । ଏମିତି ମଣିଷ ଇଏ ଦିନେ ହେଲେ ପାଖରେ ବସି ହସି କଥା କହିବାକୁ ତାଙ୍କୁ ସମୟ ନାହିଁ । ଚାହୁଁ ଚାହୁଁ ବାହା ହେବାର ଦଶବର୍ଷ ବିତିଗଲା । ଏଇ କାଲିପରି ଲାଗୁଛି । କ’ଣ ଦେଖି ବାପା ୟାଙ୍କ ହାତରେ ଟେକି ଦେଇଥିଲେ କେଜାଣି ? ନଅର ଗଳିର ସେଇ ଅନ୍ଧାରୁଆ ଦୁଇ ବଖରା ଘର, ଛୋଟ ଅଗଣାଟି, ଲମ୍ବା ବାଡ଼ି । ଓକିଲ ବନ ବିହାରୀ ମିଶ୍ରଙ୍କ ଝିଅ ହୋଇବି ସେ ଶାଶୁଘରକୁ ଆସି କୂଅରୁ ପାଣି କାଢ଼ିଲେ, ଶାଶୁଙ୍କ ଗୋଡ଼ ଘଷିଲେ । ସବୁ କାମ ନିଜ ହାତରେ କଲେ । ସେତେବେଳେ ତ ଇଏ ନୂଆ ହୋଇ ଓକିଲ ଆରମ୍ଭ କରିଥାନ୍ତି । ସାଇକେଲ୍‌ ଠେଲି କଚେରୀ ଯାଉଥାନ୍ତି । ଏତେ ପୁରୁଣା ଓକିଲ ଥାଉ ଥାଉ ଯାଙ୍କୁ ପଚାରେ କିଏ । ମାସକୁ ଦୁଇଶହ ଟଙ୍କାବି ରୋଜଗାର ହେଉ ନଥାଏ । ବାପା ମଝିରେ ମଝିରେ ହାତରେ ହାତଖର୍ଚ୍ଚ ନାଆଁରେ କିଛି କିଛି ଟଙ୍କା ଦେଇଯାଉ ନଥିଲେ ଇଏ ଚଳି ପାରୁଥାନ୍ତେ କି ନା ସନ୍ଦେହ । ସେତେବେଳେ ସେ କିନ୍ତୁ ବହୁତ ପରିଶ୍ରମ କରୁଥିଲେ । ସକାଳୁ ଯା’ନ୍ତି ସିନିଅର ଓକିଲ ପାଖକୁ । ଦଶଟାରେ ଫେରି କ’ଣ ଦି’ଟା ଖାଇ ଦିନଟିଯାକ ଶାଶୁଙ୍କ ପାଖେ ବସି ବସି ସେ କାଟନ୍ତି । ବାପାଙ୍କ ଉପରେ ମନେ ମନେ ଚିଡ଼ନ୍ତି । ତକିଆରେ ମୁହଁ ମାଡ଼ି କାନ୍ଦନ୍ତି । କାହାକୁ ବା କହିବେ । ଯାହା ଆଗରେ ସବୁ କହନ୍ତେ, ଯାହାକୁ ସେ ଜୀବନରେ ସବୁଠାରୁ ଭଲପାଉଥିଲେ, ଦେବୀ ମୂର୍ତ୍ତିପରି ସେଇ ତାଙ୍କର ବୋଉକୁ ସେ କେବେଠୁଁ ହରାଇ ସାରିଥିଲେ ।

 

କାଞ୍ଚନ ଦେବୀଙ୍କୁ ବଡ଼ ଏକୁଟିଆ ଲାଗିଲା । ତାଙ୍କର ମନେହେଲା, ପିଲାଟି ଦିନରୁ ଯେମିତି ସବୁବେଳେ ଏକୁଟିଆ ହୋଇ ରହିଆସିଛନ୍ତି । ତାଙ୍କ ମନକଥା କେହି କେବେ ବୁଝିନାହାନ୍ତି କି ବୁଝିବାକୁ ଚେଷ୍ଟା କରିନାହାନ୍ତି । ପିଲାଦିନେ ସେ ଖୁବ୍ ଭଲ ପଢ଼ୁଥିଲେ–ପରେ ଅବଶ୍ୟ ମାଟ୍ରିକରେ ଦ୍ୱିତୀୟ ଶ୍ରେଣୀ ପାଇଲେ–କିନ୍ତୁ ସପ୍ତମ, ଅଷ୍ଟମ ଶ୍ରେଣୀରେ ସିଏତ କ୍ଳାସରେ ପ୍ରଥମ ହେଉଥିଲେ । ସପ୍ତମରେ ପଢ଼ିଲାବେଳେ ତାଙ୍କ ବାଲିସାଇ ମାଇନର ସ୍କୁଲରୁ ସେ ତ ଏକା ବୃତ୍ତି ପାଇ ସ୍କୁଲର ନାଆଁ ରଖିଥିଲେ; କିନ୍ତୁ କାହିଁକି ମାଟ୍ରିକ୍‌ ପରେ ବାପା ତାଙ୍କୁ ଆଉ ପଢ଼ାଇଲେ ନାହିଁ । ତାଙ୍କ ସାଙ୍ଗମାନେ କଲେଜରେ ପଡ଼ିଲେ । ସୁରମା ଡାକ୍ତରୀପାଶ୍‌ କରି କଟକରେ କୋଉ ଡାକ୍ତରକୁ ବାହା ହୋଇ ପ୍ରାକ୍‌ଟିସ କରୁଛି । ସୁହାସିନୀ କେଉଁ କଲେଜରେ ଓଡ଼ିଆ ଅଧ୍ୟାପିକା ହୋଇଛି । ସେମାନଙ୍କ ସଙ୍ଗେ ଦେଖାହେଲେ କାଞ୍ଚନ ଦେବୀଙ୍କୁ ଲାଜ ଲାଗେ । ସେମାନଙ୍କଠାରୁ ସେ କେତେ କମ୍ ପଢ଼ିଛନ୍ତି ଭାବିଲେ ବାପାଙ୍କ ଉପରେ ରାଗ ହୁଏ ।

 

ଇଏବି କୋଉ ଭଲ ଲୋକ ! ବାହା ହୋଇ କ’ଣ କେହି ପଢ଼ୁ ନାହାନ୍ତି ? ଭାଗ୍ୟଲକ୍ଷ୍ମୀ ତ ପୁଣି ପଢ଼ିଲା; କିନ୍ତୁ କାଞ୍ଚନ ଦେବୀ ପଢ଼ିବାକୁ କହିବାରୁ ସେ ଖାଲି ହସିଲେ । ହେଇ ସେ କ’ଣ ବଡ଼ ପାଟିରେ କହୁଛନ୍ତି । ଦିନସାରା ନିର୍ବାଚନ ପ୍ରଚାରରେ ସାହି ସାହି ବୁଲୁଥିଲେ । ରାତି ଆସି ଦଶଟା ହେଲାଣି । ଖିଆପିଆରେ ଠିକଣା ନାହିଁ । ସେଥିରେ ପୁଣି ଗରମ ଗରମ ବକ୍ତୃତା ଦିଆଯାଉଛି ! କାଞ୍ଚନ ଦେବୀଙ୍କର ମନେପଡ଼ିଲା–ଆଉ ମୋଟେ ଚାରିଦିନ । ଏଥର କିନ୍ତୁ ଯଦି ସେ ଜିଣନ୍ତି, ଯେମିତି ହେଲେ ଉପମନ୍ତ୍ରୀ ହେବେ । ଗତ ପାଞ୍ଚବର୍ଷ ଭିତରେ ସତର ଥର ମନ୍ତ୍ରୀମଣ୍ଡଳରେ ନୂଆ ନୂଆ ଲୋକ ନିଆ ହେଲେ । ଶେଷଯାଏଁ ଅପେକ୍ଷା କରି କରି ତାଙ୍କ ପାଳି ପଡ଼ିଲା ନାହିଁ । ସବୁବେଳେ ମୁଖ୍ୟମନ୍ତ୍ରୀ ଗୋବର୍ଦ୍ଧନ ଚୌଧୁରୀଙ୍କର ଗୋଟିଏ କଥା–‘ଭାଗୀରଥବାବୁ, ତୁମେ ଯୁବକ-। ତମେ ବ୍ୟସ୍ତ ହେବାର କ’ଣ ଅଛି । ତମ ଆଗରେ ବିରାଟ ଭବିଷ୍ୟତ ପଡ଼ିଛି । ଏଥର କିନ୍ତୁ ତାଙ୍କୁ ମନ୍ତ୍ରୀ କିମ୍ବା ଅତି କମ୍‌ରେ ଉପମନ୍ତ୍ରୀ ପଦଟିଏ ନ ମିଳିଲେ ସେ ଛାଡ଼ିବେ ନାହିଁ । କାଲି ତ ସିଏ କହୁଥିଲେ, ‘ଏଥର ମନ୍ତ୍ରୀମଣ୍ଡଳରେ ନିଆ ନ ଗଲେ ଦରକାର ହେଲେ ସେ ଖଟିଖିଆ ଦଳରେ ମିଶି ଯିବେ ।’

 

ପୂଜାରୀର କାଶ ଶୁଣି କାଞ୍ଚନଦେବୀ ଉଠି ଠିଆହେଲେ । ପଚାରିଲେ କ’ଣ କିରେ ?’

 

‘ବାବୁ ଖବର ଦେଇଛନ୍ତି, ଆପଣ ଖାଇ ନିଅନ୍ତୁ । ବାବୁ କର୍ମୀମାନଙ୍କ ସଙ୍ଗେ କୋଉ ହୋଟେଲରେ ଖାଇବେ ।’

 

କାଞ୍ଚନଦେବୀ କିଛି କହିଲେ ନାହିଁ । ଦିନ ବୋଲି ଆଉ ଚାରିଟା । ଯାହାହେଉ ସେ କେମିତି ନିର୍ବାଚନ ଜିଣନ୍ତୁ । ବାଲ୍‌କୋନୀ ଉପରୁ ଲକ୍ଷ୍ୟ କଲେ, ମହାଜନତା ପାର୍ଟିର ମୁଖିଆ ମୁଖିଆ ନେତା ଓ କର୍ମଚାରୀମାନେ ତାଙ୍କ ଘର ପାହାଚରୁ ରାସ୍ତା ଉପରକୁ ଓହ୍ଲାଇ ଯାଉଛନ୍ତି । ସେ ପ୍ରାୟ ସମସ୍ତଙ୍କୁ ଚିହ୍ନନ୍ତି । ଜୟ ହନୁମାନ ଅଗ୍ରବାଲା ହାତ ହଲାଇ ଗିରିଧାରୀଙ୍କୁ କ’ଣ କହୁଛି । ନବଘନ ରାବଣା ଦୋରା କାନ୍ଧରେ ହାତ ପକାଇ ଫୁସ୍‌ଫୁସ୍‌ କ’ଣ ବୁଝାଉଛି । ଆଉ କେତେଜଣ କର୍ମୀ ନିଜ ନିଜ ଭିତରେ କ’ଣ କଥା ଭାଷା ହେଉଛନ୍ତି ଓ ସିଗାରେଟ୍‌ ଖାଉଛନ୍ତି । ସବୁଠାରୁ ପଛରେ ଓହ୍ଲାଇଲେ ଭାଗୀରଥ । ତା’ପରେ ସମସ୍ତେ ନିଃଶବ୍ଦରେ ସମୁଦ୍ରକୂଳର କେଉଁ ହୋଟେଲ ଆଡ଼େ ଚାଲିଲେ । ସେମାନେ ଅଦୃଶ୍ୟ ହୋଇଯିବା ଯାଏଁ କାଞ୍ଚନ ଦେବୀ ସେମାନଙ୍କୁ ଅନାଇ ରହିଥାନ୍ତି ।

Image

 

(ଏଗାର)

 

ଭାଗୀରଥ ସେଦିନ ଘରକୁ ଫେରିଲେ ବହୁତ ଡେରିରେ–ରାତି ପ୍ରାୟ ଦୁଇଟାରେ । କାଞ୍ଚନ ଦେବୀ ସେ ଯାଏଁ ଶୋଇ ନଥିଲେ । ସ୍ଵାମୀଙ୍କୁ ଶୋଇବାଘରେ ନିରୋଳାରେ ଦେଖି କେଜାଣି କାହିଁକି ତାଙ୍କର ମନେହେଲା, ସେ ଯେପରି ବର୍ଷ ବର୍ଷ ଧରି ତାଙ୍କୁ ଦେଖି ନଥିଲେ । ସେ ତାଙ୍କୁ ନିରେଖି ଅନେଇଲେ–ସତେ ଯେମିତି ଭାଗୀରଥଙ୍କ ବୟସ ୟାଭିତରେ ଅନେକ ବଢ଼ି ଯାଇଛି-। ଦେହର ରଙ୍ଗ କଳା ପଡ଼ିଯାଇଛି, ମୁହଁ ଉପରେ ବୟସର କେତୋଟି ରେଖା । ଏମିତିକି କାନ ପାଖରେ କେତୋଟି ବାଳ ଧଳା ହୋଇଯାଇଛି । କାଞ୍ଚନ ଦେବୀ ଶିହରୀ ଉଠିଲେ ।

 

ଭାଗୀରଥ କ୍ଳାନ୍ତ ମୁହଁରେ ହସ ଫୁଟାଇ କହିଲେ, ‘କ'ଣ ଦେଖୁଛ ?’’ କାଞ୍ଚନଦେବୀ ତଥାପି ଅବାକ୍‌ ହୋଇ ସ୍ୱାମୀଙ୍କ ମୁହଁକୁ ଅନାଇଥିଲେ । କହିଲେ,‘ତୁମେ ବୁଢ଼ା ହୋଇଯାଇଛ ।’

 

ଭାଗୀରଥ କହିଲେ, ‘ରାଜନୀତି କଲେ ନିଜ ଦେହର କ’ଣ ଯତ୍ନ ନେବାକୁ ସମୟ ମିଳେ-?’ କାଞ୍ଚନଦେବୀ ମନଟା ହଠାତ୍‌ କାହିଁକି ଦବି ଯାଇଥିଲା । ତାଙ୍କୁ ଲାଗୁଥିଲା, ଏ ପ୍ରକାଣ୍ଡ କୋଠାଘର, ଏତେ ବ୍ୟାଙ୍କ୍‌ ବାଲାନସ୍‌, ଏମ୍‌.ଏଲ୍.ଏ ପଦ–ସବୁ ଯେମିତି ବୃଥା । ତାଙ୍କର କିଛି ଦରକାର ନାହିଁ, ବରଂ ଭଲ ଥିଲା ସେଇ ନଅର ଗଳିର ଛୋଟ ଅନ୍ଧାରୁଆ ଚାଳଘର । ସେତେବେଳେ ସେ ନିଜକୁ ଏତେ ଏକୁଟିଆ, ଏତେ ଅସହାୟ ଭାବୁ ନଥିଲେ । ଘରେ ତ ଶାଶୁଥିଲେ, କେଡ଼େ ସ୍ନେହୀ ମଣିଷ । ସାହିର ମାଇପିମାନେ ସବୁବେଳେ ଆସି ଗହଳି କରୁଥିଲେ । ଭାଗୀରଥ ଏତେ କର୍ମବ୍ୟସ୍ତ ନଥିଲେ । ଦିନରାତି ଚିନ୍ତାରେ ଏମିତି ଅସ୍ଥିର ହେଉ ନଥିଲେ ।

 

ଭାଗୀରଥ କହିଲେ, ‘ଅବସ୍ଥା ଭଲ ଜଣାପଡ଼ୁନାହିଁ । ଯେମିତି ଜଣାଯାଉଛି, ଶେଷରେ ଏଇ ଘରଟାହିଁ କାଳ ହେବ । ଗିରିଧାରୀ କହୁଥିଲା, ଏ ଘର କିଳାପୋତା ଟଙ୍କାରେ ତିଆରି ବୋଲି; ଗଦାଧର ପ୍ରଚାର ପତ୍ର ବାଣ୍ଟୁଛି । ମୋ ବ୍ୟାଙ୍କ୍‌ ବାଲାନସ୍‍ବି ସେମାନେ କେମିତି ଜାଣିସାରିଲେଣି । ଆଜିକାଲି ବ୍ୟାଙ୍କବାଲାଙ୍କୁ ଆଉ ବିଶ୍ଵାସ ନାହିଁ ।’

 

ଭାଗୀରଥଙ୍କ ଆଖିରୁ ଯେମିତି ନିଦ୍ରା ବିଦାୟ ନେଇ ଯାଇଥିଲା । ସେ ନାଇଟ୍ ଗାଉନ୍ ପିନ୍ଧି ବିଛଣାରେ ଶୋଇବା ପରିବର୍ତ୍ତେ ଚେୟାର୍‌ ଉପରେ ବସି ସିଗାରେଟ୍‍ରେ ନିଆଁ ଧରାଇଲେ । ତାଙ୍କ ପାଖକୁ ଲାଗି ବସି ଥିଲେ କାଞ୍ଚନଦେବୀ । କାଞ୍ଚନଦେବୀ ହଠାତ୍ ଅନୁଭବ କଲେ–ତାଙ୍କର ଦେହରେ ଯେତିକି ଯେତିକି ଚର୍ବି ଜମୁଛି, ଭାଗୀରଥ ଯେମିତି ସେହି ଅନୁପାତରେ ପତଳା ହୋଇ ଆସୁଛନ୍ତି । ଏତେ ଔଷଧ ଏତେ ମିତହାର ସତ୍ତ୍ୱେ ସେ କ୍ରମେ ପୃଥୁଳହିଁ ହେଉଛନ୍ତି । ତାଙ୍କୁ କାନ୍ଦ ଲାଗିଲା । ନାଃ–ଆଉ ଆଶାନାହିଁ । ବାହା ହେବାର ଦଶବର୍ଷ ପୂରିଗଲା, ଆଉ କେବେ ସେ ମାଆ ହେବେ ? ଶାଶୁ ଥିଲାବେଳେ ସବୁଦିନ ସଞ୍ଜବେଳେ ଶ୍ୟାମାକାଳୀଙ୍କ ଦେଉଳକୁ ଯାଉଥିଲେ ସେଇ ଗୋଟିଏ ମାନସିକ ନେଇ–ମରିବା ଆଗରୁ ନାତି ମୁହଁ ଦେଖିଯିବେ । ଶ୍ୟାମାକାଳି ଦେଉଳର ବୁଢ଼ା ପୂଜାରୀ ତା’ ସବୁଦିନେ ସେଇ ଗୋଟିଏ କଥା କହେ–“ମା’ ମନସ୍କାମନା ପୂରଣ କରିବେ । ମା’ଙ୍କୁ ଚୁହା, ସିନ୍ଦୂର କଳା ବାଛେଣୀ ଲାଗି କର ।’’ ବୁଢ଼ୀ କେତେଥର ମା’ଙ୍କୁ ଚୁହା ସିନ୍ଦୂର ଲାଗି କରିଥିବେ-। ପ୍ରତି ମଙ୍ଗଳବାର ଦିନ ସେ ନିର୍ଜଳା ଉପାସ କରୁଥିଲେ । ସଞ୍ଜବେଳକୁ ଶ୍ୟାମାକାଳୀଙ୍କ ପ୍ରସାଦ ଟିକିଏ ଯାହା ସେବା କରୁଥିଲେ । ତଥାପି ଶ୍ୟାମାକାଳୀ ଡାକ ଶୁଣିଲେ ନାହିଁ । ଶାଶୁ ମରିବାର ପାଞ୍ଚବର୍ଷ ପୂରିଗଲା । ଶ୍ୟାମାକାଳୀ ତଥାପି ଡାକ ଶୁଣୁ ନାହାନ୍ତି ।

 

“କ’ଣ ଏମିତି ସବୁ ଭାବୁଛ ? ଶୋଇବ ଯାଅ ।’’ ଭାଗୀରଥ କହିଲେ । କାଞ୍ଚନଦେବୀ ପ୍ରାୟ କାନ୍ଦ କାନ୍ଦ ସ୍ଵରରେ ଉତ୍ତର ଦେଲେ, ନାଇଁମ ଭାବିବି ଆଉ କ’ଣ । କେମିତି ଆଉ ଦିନ ଚାରିଟା କଟିବ, ସେଇକଥା ଭାବୁଛି । ତେବେ ଏସବୁ ରାଜନୀତିରେ କ’ଣ ଲାଭ ? ଶାନ୍ତି, ସୁଖ କିଛି ନାହିଁ ଜୀବନରେ । ସେଥିରେ ପୁଣି କିଏ କେତେ ପ୍ରକାର ନିନ୍ଦା ଦେଉଛନ୍ତି, ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।’’

 

ଭାଗୀରଥ କହିଲେ, ‘ଗୋଧି ଚମଡ଼ାର ଖୋଳ ନ ଗଳେଇଲେ କେହି ରାଜନୀତି କରିବାକୁ ବାହାରେ ? ଆମ ଲୋକଙ୍କର ନୈତିକତା ଯାହା, ସେଥିରେ ମହାତ୍ମାବି ରାଜନୀତିରେ ଯୋଗ ଦେଲେ ଦସ୍ୟୁ ପାଲଟି ଯିବ । ଯେଉଁମାନେ ଆଜି ମୋତେ ନିନ୍ଦା କରୁଛନ୍ତି, ମୁଁ ଭୋଟପାଇ ମନ୍ତ୍ରୀ ହେଲେ ଦେଖିବ, ସେଇମାନେ ପ୍ରଥମେ ମୋର ସମ୍ବର୍ଦ୍ଧନା ସଭା କରିବେ । ଏଇ ନବଘନ କଥା ଦେଖୁଚ ତ ! ମାତ୍ର ଦୁଇମାସତଳେ ସେ ଥିଲା ଖଟିଖିଆ ଦଳର ଜିଲ୍ଲା ଶାଖାର ସମ୍ପାଦକ । ଦୁଇଟି ଶହେ ଟଙ୍କିଆ ନୋଟ୍‌ ଆଜି ମୋର ପ୍ରଧାନ ପ୍ରଚାରକରେ ପରିଣତ କରିଛି । ଏସବୁ ପ୍ରଚାରକଗୁଡ଼ିକ ଟଙ୍କା ଲୋଭରେ କାମ କରୁଛନ୍ତି । ଆଜି ପୁରୀ ହୋଟେଲ୍‌ରେ ବେଶ୍ ମୋଟା ବିଲ୍‌ ଟାଏ ହେଲା । ରାବଣଦୋରା ଏତେ ପିଇ ଦେଲା ଯେ ତାକୁ ଗୋଟିଏ ରିକ୍‌ସାରେ ଗିରିଧାରୀ ସଙ୍ଗେ ପାର୍ଟି ଅଫିସକୁ ପଠାଇ ଦେଲି ।’

 

ଭାଗୀରଥ ସିଗାରେଟ୍‌ ଶୋଷି ଶୋଷି ଚଟାଣ ଉପରେ ଇତଃସ୍ତତଃ ହେବାକୁ ଲାଗିଲେ-। କାଞ୍ଚନ ଦେବୀଙ୍କୁ କେଜାଣି କାହିଁକି ଭୟ ଲାଗୁଥିଲା । ସମୁଦ୍ରର ପ୍ରଚଣ୍ଡ ଘୁ ଘୁ ଶବ୍ଦ ସତେ ଯେମିତି ତାଙ୍କ ଭୟକୁ ଆହୁରି ବଢ଼ାଇ ଦେଉଥିଲା । ତାଙ୍କୁ ଲାଗିଲା, ସାରା ପୁରୀ ସହର ଅଚେତନ । ‘କେବଳ ତାଙ୍କରି ଘରେ ଆଲୁଅ ଜଳୁଛି । ତାଙ୍କ ଘରଟି ଯେମିତି ଗୋଟିଏ ଦ୍ୱୀପ । ସେ ଓ ତାଙ୍କ ସ୍ୱାମୀ ଯେମିତି ସମସ୍ତଙ୍କଠାରୁ ଅଲଗା ! ସମସ୍ତେ ଶୋଇ ଥିବାବେଳେ କେବଳ ସେଇ ଦୁଇଜଣହିଁ ଚେଇଁ ରହିଛନ୍ତି ।

 

କାଞ୍ଚନ ଦେବୀ ସେଇ ଗୋଟିଏ କଥାହିଁ ଦୋହରାଇଲେ, ‘‘ମୋତେ ଏସବୁ କାହିଁକି ଭଲଲାଗୁ ନାହିଁ । ଏତେ ଧନ ସମ୍ପତ୍ତିରେ କାହାର କ’ଣ ହେବ ? ଗଲା ପାଞ୍ଚବର୍ଷ ଭିତରେ ତମେ ଏତେ ଟଙ୍କା ବ୍ୟାଙ୍କରେ ରଖିଛ, ମୋଟର ଗାଡ଼ି କିଣିଛ, କୋଠାଘର ତିଆରି କରିଛ, ସବୁଆଡ଼େ ତୁମର ନାଁ ବ୍ୟାପିଛି । କିନ୍ତୁ ମୋତେ ଲାଗୁଛି, ତମେ ବେଳକୁ ବେଳ ଚିନ୍ତାରେ, ଅଶାନ୍ତିରେ ଛଟପଟ ହେଉଛ । ତମ ଦେହତ କଳାକାଠ ପଡ଼ିଗଲାଣି । ମୋତେବି କାହିଁକି ଭାରି ଏକୁଟିଆ ଲାଗୁଛି । ୟା ଅପେକ୍ଷା ନଅର ଗଳିରେ ଆମେ ଭଲଥିଲେ ।’’

 

ଭାଗୀରଥ କାଞ୍ଚନ ଦେବୀଙ୍କ ହୃଦୟର ଶୂନ୍ୟତା ଅନୁଭବ କଲେ । ରାଜନୀତିର କୋଳାହଳ ଭିତରେ ସେ ଯେମିତି ନିଜର ନୀରବ ମୁହୂର୍ତ୍ତଗୁଡ଼ିକୁ ଡୁବାଇ ଦେଇଥିଲେ । ତାଙ୍କୁବି ହଠାତ୍ ଲାଗିଲା, ସେ ଯେମିତି କେଉଁଠି କ’ଣ ହଜାଇ ଦେଇଛନ୍ତି, ଖୋଜି ଖୋଜି ପାଉନାହାନ୍ତି । ଗଲା ପାଞ୍ଚବର୍ଷ ଭିତରେ ଏମ୍.ଏଲ୍.ଏ ରହି ସେ ନିଜର ଟଙ୍କା ଓ ପ୍ରତିପତ୍ତି ଯେତିକି ବଢ଼ାଇଛନ୍ତି, ଯେମିତି ସେତିକି ଦରିଦ୍ର ହୋଇଯାଇଛନ୍ତି । କେଉଁଠି କ’ଣ ଅଭାବ ରହିଯାଇଛି । ତାଙ୍କ ହୃଦୟବି ହାହାକାର କରି ଉଠିଲା । ସେ କହିଲେ, ‘ଏଥର ଜିତିଲେ ମନ୍ତ୍ରୀମଣ୍ଡଳରେ ରହିବା ନିଶ୍ଚିତ । ଗତଥର ଗୋବର୍ଦ୍ଧନବାବୁ ମତେ ଠକି ଦେଲେ । ଏଥର କିନ୍ତୁ ସେମିତି କରିପାରିବେ ନାହିଁ ।’

 

ସ୍ୱାମୀ ମନ୍ତ୍ରୀ ହେବେ ବୋଲି ଗତ ପାଞ୍ଚବର୍ଷ ଭିତରେ କାଞ୍ଚନଦେବୀ ଅନେକ ଥର ଶୁଣୁଛନ୍ତି । ଜଙ୍ଗଲ ମନ୍ତ୍ରୀ ରାଧିକାଚରଣଙ୍କର ସ୍ତ୍ରୀ ତାଙ୍କର ଲବଙ୍ଗ । ତାଙ୍କଠାରୁ ସେ ଶୁଣୁଛନ୍ତି, ମନ୍ତ୍ରୀମାନଙ୍କର କେତେ କ୍ଷମତା । ଥରେ ମନ୍ତ୍ରୀ ଗାଦିରେ ବସିଲେ ଜୀବନରେ ଆଉ ଅଭାବ ରହିବ ନାହିଁ । ରାଧିକାଚରଣବାବୁ ଆଗରୁ ଜଙ୍ଗଲ ବିଭାଗର କିରାଣୀ ଥିଲେ । ପରେ ସେଇ ବିଭାଗରେ ମନ୍ତ୍ରୀ ହେବାପରେ ତାଙ୍କ ପୁତୁରାମାନଙ୍କୁ ଜଙ୍ଗଲ ସବୁ ଠିକା ଦେଇ ଲକ୍ଷ ଲକ୍ଷ ଟଙ୍କାର ମାଲିକ ହେଲାଣି । ଭୁବନେଶ୍ୱରରେ ସେ ଯେଉଁ କୋଠା ତିଆରି କରିଛନ୍ତି, ତାହା ଦୁଇହଜାର ଟଙ୍କାରେ କଲିକତାର କୋଉ କମ୍ପାନୀକୁ ଭଡ଼ା ଦିଆଯାଇଛି । ସବୁଦିନେ ତ ଟଙ୍କାର ଖବରକାଗଜରେ ବକ୍ତୃତା ବାହାରେ । ସ୍ତ୍ରୀବି ସବୁବେଳେ ପାଖେ ପାଖେ । ଯେତେବେଳେ ଦେଖିବ, ରାଧିକାଚରଣବାବୁଙ୍କ ଘର ସାମ୍ନାରେ ସାତଆଠଟା କାର୍ । ମନ୍ତ୍ରୀଙ୍କ ଦର୍ଶନ ପାଇଁ ସାମ୍ବାଦିକ ଓ ବ୍ୟବସାୟୀମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି ।

 

ଭାଗୀରଥ ଯେମିତି ମନ୍ତ୍ରୀ ହୋଇଯାଇଛନ୍ତି, କାଞ୍ଚନ ଦେବୀ ସେହିପରି ତାଙ୍କ ଆଡ଼କୁ ଅନାଇଲେ । ଭାଗୀରଥ କହିଲେ, ‘ଏଥର ଠିକ୍ ସମୟ ଆସିଗଲା । ଅମୋଘ ଅସ୍ତ୍ର ପ୍ରୟୋଗ କରିବାକୁ ହେବ । ଜୟ ହନୁମାନ କାଲି ଦଶ ହଜାର ଟଙ୍କା ଦେବ । ଆମ ପାର୍ଟି ସରକାର ଗଢ଼ିଲେ ତା’ର ଚିନି, କିରୋସିନ୍‌ ଡିଲରସିପ୍‌ଟା ନ କଟିଲେ ହେଲା ।’

 

କାଞ୍ଚନ ଦେବୀ ଚମକି ଉଠିଲା ପରି କହିଲେ, ‘ମଲା, କାଉ କା କା କଲାଣି । ସକାଳ ହୋଇଗଲା ନା କ’ଣ !”

 

ଭାଗୀରଥ ବାହାରକୁ ଅନାଇଲେ । ସକାଳର କୋମଳ ଆଲୋକରେ ସମୁଦ୍ରଟା ଦିଶୁଥିଲା ଶାନ୍ତ–ନିସ୍ତରଙ୍ଗ !

Image

 

(ବାର)

 

ସକାଳ ହେଉ ହେଉ ବିଶୁନି ପଶୁପାଳକ ମେଞ୍ଚାଏ ପ୍ରଚାରପତ୍ର ଧରି ନୂତନ ମିଷ୍ଟାନ୍ନ ଭଣ୍ଡାର ପାଖରେ ଖଟିଖିଆ ଦଳର ପ୍ରାର୍ଥୀ ଅର୍ଜ୍ଜୁନ ଗୋଛିକାରଙ୍କ ପାଇଁ ପ୍ରଚାର ଆରମ୍ଭ କରି ଦେଇଥିଲେ । ପ୍ରଚାରପତ୍ରଗୁଡ଼ିକ ଯେମିତି ଏଇ ମାତ୍ର ଛାପାଖାନାରୁ ଆସିଥିଲା, କଳା ବଲ ବଲ ଅକ୍ଷରଗୁଡ଼ିକ ସ୍ପଷ୍ଟ ପଢ଼ି ହେଉ ନଥିଲା । ସେଥିରେ ପୁଣି ବର୍ଣ୍ଣ ଅଶୁଦ୍ଧି ମୂଳରୁ ଶେଷ ଯାଏଁ ପୁରୀ ରହିଥିଲା, ବିଶୁନି କିନ୍ତୁ ଗଡ଼ ଜିଣିବା ପରି ଅତ୍ୟନ୍ତ ଉଲ୍ଲାସର ସହିତ ନୂତନ ମିଷ୍ଟାନ୍ନ ଆଡ଼େ ମୁହାଁଇଥିବା ଗରାଖମାନଙ୍କୁ ସେଥିରୁ ଖଣ୍ଡେ ଖଣ୍ଡେ ବଢ଼ାଇ ଦେଇ କହୁଥିଲେ, ‘ଆଜ୍ଞା, ୟାକୁ ପଢ଼ିଲେ ଭାଗୀରଥବାବୁଙ୍କ ଅସଲୀ ରୂପ ଜାଣିବା ହେବେ ।’

 

ସକାଳର ଗରମ ଚା’ପରି ଏଇ ପ୍ରଚାରପତ୍ର ମଧ୍ୟ ଗରାଖମାନଙ୍କୁ ହଠାତ୍‌ କିଛି ଉତ୍ତେଜନା ଯୋଗାଇ ଦେଲା । ଗତ କେତେ ଦିନ ହେଲା କ୍ରମାଗତ ସେଇ ଏକା କଥା ଶୁଣି ଶୁଣି ଯେଉଁମାନେ ମାନ୍ଦା ଅନୁଭବ କରୁଥିଲେ, ଆଜିର ପ୍ରଚାରପତ୍ର ଦେଖି ସେମାନଙ୍କ ଭିତରୁ କେହି କେହି ଉତ୍ସାହିତ ହୋଇ କହିବାର ଶୁଣାଗଲା–‘ଯାହାହେଉ, ପୁଣି ଜମିଲା !’ ହଠାତ୍ ଯେମିତି ଖଟିଖିଆ ଦଳର ନିର୍ବାଚନ ପ୍ରଚାର ମହାଜନତା ଦଳକୁ ପଛରେ ପକାଇଦେଲା ! ଖଟିଖିଆ ଦଳର ନେତା ଗଦାଧର ସାଧାରଣଃ ନୂତନ ମିଷ୍ଟାନ୍ନ ଆଡ଼େ ନ ଆସୁଥିଲେ ମଧ୍ୟ ଆଜି ସକାଳୁ କେଜାଣି କାହିଁକି ପହଞ୍ଚି ଯାଇଥିଲେ ।

 

କିଛି ସମୟ ପରେ ଦେଖାଗଲା, ସମସ୍ତଙ୍କ ହାତରେ ଖଣ୍ଡିଏ ଖଣ୍ଡିଏ ସେଇ ପ୍ରଚାରପତ୍ର-। ସକାଳର ଆଲୋଚନାଟା ମଧ୍ୟ ସେଇ ପ୍ରଚାରପତ୍ରକୁ କେନ୍ଦ୍ର କରି ଜମି ଉଠିଲା । ବିଶୁନିଙ୍କ ଭାଇ ରଘୁନି ପଶୁପାଳକ ପାଟିରେ ଦୁଇଟା ସିଙ୍ଗଡ଼ା ଏକାସଙ୍ଗେ ପୂରାଇ କହିଲେ, ‘ଆଏ, ଭାଗୀରଥଙ୍କୁ ମୁଁ ପିଲାଦିନୁ ଜାଣେ । ତାଙ୍କ ନନା ଚକ୍ରୁ ମହାପାତ୍ରେ ଆମ ଦାଦାଙ୍କ ସଙ୍ଗେ ଘଣିଥିଲେ-। ଚକ୍ରୁ ମହାପାତ୍ରେ ଆମ ବାବାଙ୍କଠୁ କେତେ ଥର ଧାର ଉଧାର ନେଇଥିବେ । ବୁଢ଼ାର କିଛି ବୋଲି କିଛି ନଥିଲା । ଦଶ ତୁଠିଆ ଖଣ୍ଡେ ପିନ୍ଧି ବୁଢ଼ା ଖାଲି ନଅର କାଳୀଙ୍କ ଦେଉଳରୁ ଶାମାକାଳୀଙ୍କ ଦେଉଳ, ଶାମାକାଳୀ ଦେଉଳରୁ ନଅର କାଳୀ ଦେଉଳ ହେଉଥିବ । ତାଙ୍କ ପୁଅ ଭଗୀ ଗରିବଗୁରୁବାଙ୍କ ପଇସାରେ କୋଠା ବାଡ଼େଇ ନେତା ବନିଚି !

 

ବିଶୁନି ପ୍ରଚାରପତ୍ରଯାକ ବାଣ୍ଟିସାରି ନୂତନ ମିଷ୍ଟାନ୍ନ ଭଣ୍ଡାରରେ ଚା’ ଖାଇବାରେ ଯୋଗ ଦେଇଥିଲେ । ବିଶୁନି ଓ ରଘୁନି ଦୁହିଁଙ୍କ ଉପସ୍ଥିତିରେ ଅନ୍ୟ ଗରାଖମାନେ ଯେ ଭାଗୀରଥଙ୍କ ସପକ୍ଷରେ କିଛି କହିପାରନ୍ତେ, ତା’ ନୁହେଁ । ଦୁହିଁଙ୍କ ଚେହେରା ଏକା ପରି । ଜେଗା ଘରେ କୁସ୍ତି କରି ଦୁହେଁ ଚେହେରା ବନାଇଛନ୍ତି । ଦୁହିଁଙ୍କ କାନ୍ଧରେ ନାଲି ଗାମୁଛା, ନାକ ତଳେ ଦି’ପଟ ଲମ୍ବା ଲମ୍ବା ନିଶ । ଦୁହିଁଙ୍କ ମୁଣ୍ଡରେ ସିନ୍ଦୂର କଲି ।

 

ଆଜି ସକାଳୁ ଦୁଇ ଭାଇଙ୍କୁ ଏମିତି ଏକାଠି ଦେଖି ହରିଦତ୍ତ ବିଚରା ଟିକିଏ ବିଚଳିତ ହୋଇ ପଡ଼ିଲା । ଭାଗ୍ୟକୁ ମାଧବ ତଥାପି ସେ ଯାଏଁ ଆସି ନଥିଲା । ସେମାନେ କେମିତି ଶୀଘ୍ର ଦୋକାନ ଛାଡ଼ି ଯାଆନ୍ତୁ, ହରିଦତ୍ତ ମନେ ମନେ ଜଗନ୍ନାଥଙ୍କ ପାଖରେ ଏହାହିଁ ପ୍ରାର୍ଥନା କରୁଥିଲା ।

 

ବିଶୁନି କହିଲେ, ‘ଆଜ୍ଞା, ମହାଜନତା ଦଳ ଗାଦିକୁ ଆସିବା ଦିନୁ ଆମେ ଗରିବ ଗୁରୁବାମାନେ ବଡ଼ ଦହଗଞ୍ଜ ହେଲୁଣି । ଏ ସରକାର ଜେଗା ଘରମାନଙ୍କୁ ଗୋଟିଏବି ପଇସା ଦେଉନି । ସବୁଆଡ଼େ ଭେଜାଲ୍, ଆଜ୍ଞା ! ଖାଣ୍ଟି ନିତିଆନି ଟୋପେ ମିଳୁନି । ମୋ ଭାଇ ଏ ବର୍ଷ ଓଡ଼ିଶା ଚମ୍ପିଆନ୍ ହୋଇଥିଲା, ଆପଣମାନେ ଜାଣିଥିବେ । ସମାଜରେ ତା’ ଫଟ ବାହାରିଥିଲା । ସିଏ ଆଜ୍ଞା ଘିଅ ଟୋପେ ନ ପଡ଼ିଲେ ଭାତଗୁଣ୍ଡା ଛୁଏଁନି । ମିଛ କହିବେ ଆଜ୍ଞା, ମୁଁ ଯେତେ ଚେଷ୍ଟା କଲି, ଖାଣ୍ଟି ଘିଅ ସେରେ ଯୋଗାଡ଼ କରିପାରିଲିନି । ସବୁଆଡ଼େ ଭେଜାଲ, ଆଜ୍ଞା, ଭେଜାଲ୍ ଏ ସରକାରକୁ ନ ହଟାଇଲେ ଖାଣ୍ଟି ଜିନିଷ ଆଉ ଦେଖିବାକୁ ମିଳିବନି । ଖାଣ୍ଟି ଜିନିଷ ପେଟରେ ନ ପଡ଼ିଲେ ଦେହ ମିହନ୍ତ କରି ଫାଇଦା କ’ଣ ?’

 

ଉପସ୍ଥିତ ଗରାଖମାନଙ୍କ ଭିତରୁ କେତେ ଜଣ ବିଶୁନି ପଶୁପାଳକଙ୍କ କଥାର ଗୁରୁତ୍ୱ ବୁଝିଲା ପରି ଜଣାପଡ଼ୁଥିଲେ । ଆଉ କେତେ ଜଣ ଚୁପ୍‍ଚାପ୍‌ ନିଜ ନିଜର ଚା’ ଜଳଖିଆ ଖାଇ ପରସ୍ପର ଭିତରେ କ’ଣ ସବୁ ଆଲୋଚନା କରିବାରେ ବ୍ୟସ୍ତ ଥିଲେ ।

 

ବିଶୁନି କହି ଚାଲିଥିଲେ, ‘ଆଜ୍ଞା, ମହାଜନତା ପାର୍ଟିର ନେତା ଭାଗୀରଥ ସେଦିନ ଗଦାଧରବାବୁଙ୍କ ଦୋକାନରେ ହରତାଳ କଲେ । ଆପଣମାନେ ଜାଣନ୍ତି, ବାହାରକୁ ସେ କହୁଛନ୍ତି, ମଦ ଖାଅ ନାହିଁ । ମଦ ଖାଇବା ମହାପାପ । ଏଣେ କିନ୍ତୁ ରାତିରେ ସେ ନିଜେ ଗଦାଧରବାବୁଙ୍କ ଦୋକାନରୁ ବୋତଲ ବୋତଲ ମଦ କିଣନ୍ତି । ମୁଁ କ’ଣ କହିବି ? ଗଦାଧରବାବୁଙ୍କୁ ପଚାରିବା ହୁଅନ୍ତୁ ।’

 

ଗଦାଧରବାବୁ ଏ ଯାଏଁ ସବୁରି ଅଲକ୍ଷ୍ୟରେ ବସି ପାନ ଚୋବାଉଥିଲେ । ଧୋବ ଫର ଫର ଧୋତୀ ପଞ୍ଜାବି ଭିତରୁ ପଥରବନ୍ଧା ଦାନ୍ତ ଦୁଇପାଟି ଚିପି ଚିପି ସେ କହିଲେ, ‘ଆଜ୍ଞା, ଏଇ ଦେଖନ୍ତୁ । କେସ୍‍ମେମୋଗୁଡ଼ିକ ନେଇ ଆସିଚି । ଏଇଥରୁ ଆପଣ ଜାଣିପାରିବେ ଭାଗୀରଥବାବୁ କେଉଁ କେଉଁ ତାରିଖରେ ମୋ’ ଦୋକାନରୁ ମଦ କିଣିଛନ୍ତି ।’

 

ଗଦାଧରବାବୁ ଏହା କହି ସତକୁ ସତ କେତୋଟି ଧଳା କାଗଜ ଉପରକୁ ଟେକି ଧରିଲେ । ଉପସ୍ଥିତ ଲୋକମାନଙ୍କ ମଧ୍ୟରୁ କେତେଜଣ କ୍ୟାସ୍‍ମେମୋଗୁଡ଼ିକୁ ଦେଖିବା ପାଇଁ ଗଦାଧରବାବୁଙ୍କ ପାଖକୁ ଲାଗିଗଲେ ।

 

ବିଶୁନି ଉତ୍ସାହିତ ହେଲା ପରି କହିଲେ, ‘ଦେଖିବା ହୁଅନ୍ତୁ ଅବ୍‍ଧାନ୍, ନେତା ବୋଲାଉଥିବା ଭାଗୀରଥଙ୍କ ଅସଲ ରୂପ । ଆଜ୍ଞା ଖାଲି ସେତିକି ନୁହେଁ, କହିବେ ଯଦି ଜଗନ୍ନାଥଙ୍କ ଧଣ୍ଡାମାଳ ଛୁଇଁ ହଲପ କରି କହିବି, କେତେଥର ଭାଗୀରଥବାବୁଙ୍କୁ ନୋଳିଆ ସାହିରେ ଦେଖିଚି । ହଇଏ, ତମେ ଜେଣ୍ଟେଲ୍‍ମାନ ବେଲାଉଚ ! ତମେ ସେଠି ନୋଳିଆମାନଙ୍କ ସଙ୍ଗେ ବସି ତାଡ଼ି ପିଇବ । ଛି–ଛି ! ତମ ବାପ ଚକ୍ରୁ ମହାପାତ୍ରେ କେଡ଼େ ଧାର୍ମିକ ଲୋକ ଥିଲେ । ତମେ ତେଲେଙ୍ଗାଙ୍କ ଭୋଟ ପାଇବ ବୋଲି ତାଙ୍କ ସଙ୍ଗେ ତାଡ଼ି ପିଇବ ।’

 

ଗଦାଧର ପାଳି ଧରିବା ପରି କହିଲେ, ‘ଆଜ୍ଞା, ଭାଗୀରଥବାବୁଙ୍କୁ ଆମେ ପୁରୀ ସହରର ଭୋଟଦାତାମାନେ ଗତଥର ଆସେମ୍ବ୍ଳିକୁ ପଠାଇଥିଲେ । ଗତ ପାଞ୍ଚବର୍ଷ ଭିତରେ ସେ ଆମ ଜନସାଧାରଣଙ୍କ ପାଇଁ କ’ଣ କରିଛନ୍ତି, ଆଜି ତାହାର ଜବାବ ଦିଅନ୍ତୁ । ପାଞ୍ଚବର୍ଷ ଭିତରେ ଥରେବି ସେ ଲୋକଙ୍କ ଅବସ୍ଥା ବୁଝିନାହାନ୍ତି । ନିଜର ଘର ନଥିଲା ବୋଲି ସମୁଦ୍ରକୂଳରେ ପ୍ରକାଣ୍ଡ କୋଠା କରିଛନ୍ତି । ନିର୍ବାଚନ ଚିହ୍ନ ସିନା ହାତଟଣା ରିକ୍‍ସା, ତାଙ୍କର କିନ୍ତୁ ଏବେ ଦୁଇଟା ମଟରଗାଡ଼ି-। ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କ୍‍ରେ ଜମାଇଛନ୍ତି ଆଜ୍ଞା, ଲକ୍ଷ ଲକ୍ଷ ଟଙ୍କା ! ଏଣେ କିନ୍ତୁ ଆପଣଙ୍କୁ ଦେଖାଇବାକୁ ପୁରୁଣା ସାଇକେଲ ଖଣ୍ଡକରେ ଚଢ଼ି ସାହି ସାହି ବୁଲୁଛନ୍ତି । ଏ ଲୋକ ଦେଖାଣିଆ ଢଙ୍ଗରେ ଭୁଲନ୍ତୁ ନାହିଁ ।–ଏତିକି ମୋର ଅନୁରୋଧ ।’

 

କେହି କେହି ଚା’ ଖାଇ ଉଠି ଚାଲିଯାଉଥିଲେ, ପୁଣି ନୂଆ ଗରାଖମାନେ ଆସି ସେମାନଙ୍କ ସ୍ଥାନ ଅଧିକାର କରୁଥିଲେ । ବିଶୁନି ନୂଆ ଲୋକମାନଙ୍କୁ ପ୍ରଚାରପତ୍ର ଖଣ୍ଡିଏଁ ଧରାଇ ଦେଉଥିଲେ । ତା’ପରେ ସେ ଓ ଗଦାଧର ଆରମ୍ଭ କରୁଥିଲେ ବକ୍ତୃତା । ଆଶ୍ଚର୍ଯ୍ୟର କଥା, ଭାଗୀରଥଙ୍କ ପ୍ରଚାରକଙ୍କ ଭିତରୁ କେହିଜଣେବି ଏ ଯାଏଁ ଦେଖାନଥିଲେ । ତେଣୁ ସେମାନଙ୍କ କଥାର ପ୍ରତିବାଦ କରିବାକୁ କେହି ନଥିଲେ । ସେମାନେ ବେଶ୍‌ ସ୍ୱଚ୍ଛନ୍ଦରେ ନିର୍ବାଚନ ପ୍ରଚାର ଚଳାଇଥିଲେ–ସେମାନଙ୍କ ପ୍ରାର୍ଥୀ ଅର୍ଜ୍ଜୁନ ଗୋଛିକାରଙ୍କ ସପକ୍ଷରେ ଯେତେ ନୁହେଁ, ଭାଗୀରଥଙ୍କ ବିଷୟରେ ତା’ଠାରୁ ବେଶି ।

 

କେହିଜଣେ ପତଳାଲୋକ ଚିଁ ଚିଁ ସ୍ୱରରେ ଅର୍ଜ୍ଜୁନ ଗୋଛିକାରଙ୍କୁ ଭୋଟ ଦେବାପାଇଁ ନିବେଦନ କରୁଥିଲା–‘‘ଥରେ ତ ଭାଗୀରଥବାବୁଙ୍କୁ ଆସେମ୍ବ୍ଳିକୁ ପଠାଇ ଦେଖିଲେ ସେ କ’ଣ କଲେ । ଏଥର ଅର୍ଜ୍ଜୁନବାବୁଙ୍କୁ ପଠାଇ ଦେଖାଯାଉ, କ’ଣ କରୁଛନ୍ତି ।’’

 

କଥାଟା ଯେମିତି ଅନେକଙ୍କ ମନକୁ ପାଇଲା । ଗୈରିକ ବସନପରିହିତ ଜଣେ ବଙ୍ଗାଳୀ ବାବାଜୀ ପଢ଼ୁଥିବା ଖବରକାଗଜ ଉପରୁ ମୁଣ୍ଡ ଟେକି କହିଲେ, ‘ଠିକ୍‌ କଥା ମାହାଶୟ ଠିକ୍ କଥା ! ନତୁନ୍‌ ନତୁନ୍‌ ଲୋକ ପଠାଇବା ଦରକାର । ତା’ ନ ହେଲେ କେମିତି ଲୋକ୍, ଜାନିବା କେମ୍‍ତି ?’

Unknown

 

ଏତିକି କହି ସେ ପୁଣି ତାଙ୍କର ଖବରକାଗଜ ପଢ଼ା ଆରମ୍ଭ କରିଦେଲେ । ମୁରାରୀ ଦାସଙ୍କ ପରି ଏଇ ଲଣ୍ଡିତମସ୍ତକ ବାବାଜୀ ମଧ୍ୟ ନୂତନ ମିଷ୍ଟାନ୍ନ ଭଣ୍ଡାରର ଜଣେ ନିତିଦିନିଆ ଗରାଖ-। ସବୁଦିନେ ସେ ଆସନ୍ତି, ଚୁପଚାପ୍‌ ବସି ଖବରକାଗଜ ପଢ଼ନ୍ତି, ପୁଣି କେତେବେଳେ ସବୁରି ଅଲକ୍ଷ୍ୟରେ ଉଠି ଚାଲିଯାନ୍ତି । କଦବା ସେ ଅନ୍ୟମାନଙ୍କ ଆଲୋଚନାରେ ଭାଗ ନିଅନ୍ତି । କଥା କହନ୍ତି କମ୍ । ତାଙ୍କ କଥା ଶୁଣି ଅନ୍ୟମାନେ କ’ଣ କହନ୍ତି, ତାହା ଶୁଣିବାକୁ ତାଙ୍କର ଆଗ୍ରହ ନଥାଏ-। ଆଜିବି ନିର୍ବାଚନ ସମ୍ପର୍କରେ ନିଜ ମତ ପ୍ରକାଶ କରି ସେ ଖବରକାଗଜ ପଢ଼ାରେ ଲାଗିଗଲେ । ଅନ୍ୟମାନଙ୍କ କଥା ଶୁଣିବାଟା ଯେ ଆବଶ୍ୟକ, ଭାବିଲେ ନାହିଁ ।

 

ବିଶୁନି ପଶୁପାଳକ ବାବାଜୀଙ୍କୁ ସମର୍ଥନ କରି କହିଲେ, ‘ବାବାଜୀ ମାହାର୍ଜେ ଠିକ୍‌ କହୁଛନ୍ତି । ଆମର ନୂଆ ନୂଆ ଲୋକ ପଠାଇବା କଥା ।’

 

ଠିକ୍ ଏତିକିବେଳେ ଆଶାବାଡ଼ି ଖଣ୍ଡକ ଖଡ଼୍ ଖଡ଼୍ କରି ମାଧବ ପହଞ୍ଚିଗଲା । ହଠାତ୍ ବିଶୁନି ପଶୁପାଳକଙ୍କ ସହିତ ମୁହାଁମୁହିଁ ହୋଇଯିବାରୁ ସେ ଟିକିଏ ଇତସ୍ତତଃ ହୋଇ ବାବାଜୀ ମହାଶୟଙ୍କ ନିକଟରେ ବସି ପଡ଼ିଲା ଏବଂ ବିକୃତ ବଙ୍ଗଳାରେ ବାବାଜୀଙ୍କୁ ପଚାରିଲା, ‘ଆର କି ଖବର୍ ?’

 

ବାବାଜୀ ଖବରକାଗଜ ଉପରୁ ମୁହଁ ନ ଟେକି କହିଲେ, ‘ଖାଲି ତ ନିର୍ବାଚନ ଖବର । ଆର୍‌ କି ?’

 

ସେଦିନ କିନ୍ତୁ ହରିଦତ୍ତର ଆଶଙ୍କା ଅମୂଳକ ପ୍ରମାଣିତ ହେଲା । ମାଧବ ଆସିବା ପରେ ପରେ କେଜାଣି କାହିଁକି ବିଶୁନି ଓ ରଘୁନି ଉଠି ଚାଲିଗଲେ । ହରିଦତ୍ତ ମୁରାରୀ ଦାସ କାନ ପାଖେ ଚୁପ୍‌ ଚୁପ୍‌ କହିଲା, ‘ଓଃ–ଆଜି ସଖାଳୁ ସଖାଳୁ ଗୋଟାଏ ରିଷ୍ଟ କଟିଗଲା ।’

Image

 

(ତେର)

 

ଶ୍ୟାମାକାଳୀଙ୍କ ଦେଉଳର ଗୋଟିଏ କୋଣରେ ଦୁଇ ହାତ ଯୋଡ଼ି ଠିଆ ହୋଇଥିଲେ ଭାଗୀରଥ । ଠାକୁରାଣୀଙ୍କ ଆଗରେ କାଠରୁଖାଟି ଉପରେ ପୁଲାଙ୍ଗ ତେଲର ଦୀପଟି ମିଞ୍ଜିମିଞ୍ଜି ଜଳୁଥିଲେବି ଦେଉଳ ଭିତରଟି ବେଶ୍ ଅନ୍ଧାରୁଆ ଦିଶୁଥିଲା । କେବଳ ଯାହା ଠାକୁରାଣୀଙ୍କ ପିତଳ ଆଖି ଦୁଇଟି ଅନ୍ଧାର ଭିତରୁ ଦପ୍ ଦପ୍‌ ହେଉଥିଲା । ଦେଉଳଟି ଭିତରେ ଆଉ କେହି ନଥିଲେ । ବୁଢ଼ା ପୂଜାରୀ ସବୁଦିନ ପରି କାନ୍ଥକୁ ଆଉଜି ବସି ଢୁଳାଉଥିଲା । ମଝିରେ ମଝିରେ ଘାଗଡ଼ା ପାଟିରେ ସେ କ’ଣ ପଦେ ଲେଖାଏ ଭଜନ ବୋଲୁଥିଲା । ପୁଣି କେତେବେଳେ ମଶା ଆଡ଼େଇବା ପାଇଁ ନିଜ ଦେହରେ ନିଜେ ଚଟ୍‍କଣି ଖାଉଥିଲା । ଚାରିଆଡ଼େ କେମିତି ଗୋଟାଏ ଖାଁ ଖାଁ ଭାବ । ଯେଉଁମାନେ ସଞ୍ଜବେଳେ ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଆସିଥିଲେ, ସେମାନେ ଜଳାଇଥିବା ଦୀପସବୁ କେତେବେଳୁ ଲିଭି ଯାଇଥିଲା । ଏଇ ମାତ୍ର ଲିଭିଥିବା କେତୋଟି ଦୀପରୁ ମୋଡ଼ି ମୋଡ଼ି ହୋଇ ଉଠୁଥିବା ଧୂଆଁ କେମିତି ରହସ୍ୟମୟ ଭୟାନକ ଦିଶୁଥିଲା । ଧୋତି ଓ କମିଜିପିନ୍ଧି ଏମିତି ଏଠି ନିରୋଳାରେ ଠିଆ ହୋଇଥିଲେ ଭାଗୀରଥ । ଅନ୍ଧାରରେ ତାଙ୍କ ମୁହଁର ଭାବଭଙ୍ଗୀ ଜାଣିବା ସହଜ ନଥିଲା । କେବଳ ମଝିରେ ମଝିରେ ସେ ଅସ୍ପଷ୍ଟ ସ୍ୱରରେ ଉଚ୍ଚାରଣ କରୁଥିଲେ–ମାଆ, ଏ ବିପଦରେ ତୁହି ଭରସା ।’

 

ବିପଦ କିନ୍ତୁ ହଟିଯିବା ପରି ମନେହେଉ ନଥିଲା । ଶ୍ୟାମାକାଳୀଙ୍କ ଆଖି ଦୁଇଟି ଦେଖି ଭାଗୀରଥଙ୍କୁ ଭୟ ଲାଗୁଥିଲା । ସତେ ଯେମିତି ସେ ପିତଳ ଆଖି ଦୁଇଟି ତାଙ୍କୁ ବାରମ୍ବାର ଚେତାଇ ନେଉଥିଲା–ସେ ଦୋଷୀ ! ଭାଗୀରଥ ମଧ୍ୟ ସେଇଆ ଅନୁଭବ କରୁଥିଲେ । ସେ ଭାବୁଥିଲେ, ସାରା ସହରରେ ଆଜି ତାଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ମୁଣ୍ଡଟେକିଛି, ସେ ଅଭିଯୋଗ କ’ଣ ମିଥ୍ୟା ? ସେ କ’ଣ ନିଜର ସଚ୍ଚୋଟପଣିଆ ବଳରେ ଆଜି ଏତେ ସୁନ୍ଦର କୋଠାଘର ତୋଳାଇଛନ୍ତି-। ଏତେଟଙ୍କା ବ୍ୟାଙ୍କ ବାଲାନ୍‍ସ ରଖିଛନ୍ତି । ଏ କୋଠଘର–ଏ ବ୍ୟାଙ୍କ୍‌ ବାଲାନ୍‍ସରୁ ବା ସେ ପାଇଛନ୍ତି କ’ଣ ? କାଞ୍ଚନ ଦେବୀଙ୍କ କଥା ମନେପଡ଼ିଲା । ସତେ ତ–ଭଲଥିଲା ସେଇ ନଅର ଗଳିର ଅନ୍ଧାରୁଆ ଚାଳଘର । ତାଙ୍କର ସେଇ ନୁଆଁଣିଆ ଛୋଟ ଚାଳ ଘରଟିର ଅନ୍ଧାରିଆ କୋଠରୀରେ ଯେମିତି କାହାର ସ୍ନେହମମତା ଦେହକୁ ମନକୁ ଛୁଇଁ ଯାଉଥିଲା । ଆଜି ସିନା ସେ ବୁଝୁଛନ୍ତି, ସେମାନେ ଥିଲେ ଦରିଦ୍ର । ସମାଜର ଯେଉଁମାନେ ଧନୀ, ଦୁଇ ମହଲା ତିନି ମହଲା କୋଠାଘରେ ରହନ୍ତି, ମୋଟର ଚଢ଼ନ୍ତି, ଯେଉଁମାନଙ୍କ ଘରେ ରେଫ୍ରିଜରେଟର ରେଡ଼ିଓ–ସେମାନଙ୍କୁ ଦେଖି, ସେମାନଙ୍କ ସହିତ ନିଜକୁ ତୁଳନା କରି, ଆଜି ସେ ବୁଝୁଛନ୍ତି ତାଙ୍କ ପିଲାଦିନେ ସେ କେମିତି କିଛି ପାଇ ନଥିଲେ, ସବୁଥିରୁ ଥିଲେ ବଞ୍ଚିତ, କିନ୍ତୁ ସେଦିନ ତ ସେ ଏତେ କଥା ବୁଝି ନଥିଲେ । ତାଙ୍କ ନଅର ଗଳିରେ ଗୋଟିଏ ବୋଲି କୋଠାଘର ନଥିଲା । ଦୁଇ ପଟେ ଦୁଇ ଧାଡ଼ି ଚାଳଘର, ମଝିରେ କଚ୍ଚା ସରୁ ରାସ୍ତା । ଗୋଟିଏ ମୁଣ୍ଡେ ନଅର କାଳୀଙ୍କ ଦେଉଳ, ଆର ମୁଣ୍ଡେ ଅତି ପୁରୁଣା ଅତି ଗହୀରିଆ ନଅର ପୋଖରୀ । ପିଲାଦିନୁ ସେ ଶୁଣି ଆସିଛନ୍ତି, ପୁରୀ ରଜାଙ୍କର ନଅର ଆଗେ କୁଆଡ଼େ ସେଇଠି ଥିଲା । ସେଇ ପୋଖରୀରେ ରାଣୀ ଓ ରାଜପରିବାରର ଅନ୍ୟାନ୍ୟ ସ୍ତ୍ରୀମାନେ କୁଆଡ଼େ ସ୍ନାନ କରୁଥିଲେ । ତେବେ ସେ ସବୁ ଥିଲା ଶୁଣା କଥା । ଭାଗୀରଥ ଦେଖିଲାବେଳକୁ–ନଅରର ଚିହ୍ନବର୍ଣ୍ଣ କେଉଁଠି ନଥିଲା । ଥିଲା ଖାଲି ପୁରୁଣା ପୋଖରୀଟା–ସେଥିରେ କେଉଁକାଳର ଅବ୍ୟବହୃତ ସ୍ଥିର ପଚାସଢ଼ା ପାଣି, ତା’ ଉପରେ ନେଳି ମାଡ଼ି ଯାଇଥିଲା । ପିଲାଦିନେ ନଅର ପୋଖରୀ ପାଖରେ କେତେ ଡୁ ଡୁ ବୋହୂବୋହୂକା ଖେଳ । ନଅର ପୋଖରୀଠାରୁ ସମୁଦ୍ରକୂଳ ଯାଏଁ ଖାଲି ଗୋଟିଏ ପରେ ଗୋଟିଏ ବାଲିବନ୍ତ । ସୂର୍ଯ୍ୟ ବୁଡ଼ିଗଲାବେଳେ ବାଲି ଉପରେ ସୂର୍ଯ୍ୟ କିରଣ କେମିତି ଲାଲ୍ ଦେଖାଯାଏ । ଅଳ୍ପ କେତେଦିନ ହେଲା ନଅର ପୋଖରୀ ପୋତା ହୋଇଯାଇଛି । ଯେଉଁଠି ଥିଲା ଧୁ ଧୁ ବାଲି ପଡ଼ିଆ, ସେଠି କେତେ ନୂଆ ନୂଆ ଘର ମୁଣ୍ଡ ଟେକି ଠିଆ ହୋଇଛି । ଆଉ, ଏଇ ପରିବର୍ତ୍ତନ ଭିତରେ ସତେ ଯେମିତି ହଜିଯାଇଛି ଭାଗୀରଥଙ୍କର ସେଇ ଅତିପ୍ରିୟ ଶୈଶବ, ତାଙ୍କର ସେଇ ଲୋଭନୀୟ ଅତୀତ ।

 

ଭାଗୀରଥ କିଛି ବୁଝିନପାରିବା ପରି ଠାକୁରାଣୀଙ୍କ ଦପ୍‌ ଦପ୍‌ ଜଳୁଥିବା ପିତଳ ଆଖି ଦୁଇଟିକୁ ଅନାଇଥିଲେ । ଆପେ ଆପେ ପାଟିରୁ ବାହାରି ଆସିଲା ଅସ୍ପଷ୍ଟ ସ୍ୱର–‘ମାଆ’, ‘ମାଆ’,–। ପ୍ରଥମେ କେବେ ସେ ଏ ଦେଉଳ ଭିତରକୁ ଆସିଥିଲେ, ତାଙ୍କର ମନେ ନାହିଁ କିନ୍ତୁ ବୁଢ଼ୀମା ସଙ୍ଗେ ପିଲାଦିନେ ସେ ଏ ଦେଉଳକୁ କେତେଥର ଯେ ଆସିଥିବେ, ଠିକଣା ନାହିଁ । ବୁଢ଼ୀମା ଠାକୁରାଣୀଙ୍କ ପାଇଁ ମାଳ ଗୁନ୍ଥି ଆଣିଥାନ୍ତି, ଠାକୁରାଣୀଙ୍କ ଆଗେ ଘିଅ ଦୀପ ବସାନ୍ତି । ନାତିକୁ କହନ୍ତି–‘ମାଆଙ୍କୁ ମୁଣ୍ଡିଆ ମାର୍ । କହ–‘ମତେ ପାଠ ଦିଅ ।’ ଭାଗୀରଥ ସେଇଆ କରୁଥିଲେ । ମୁଣ୍ଡିଆ ମାରି କହୁଥିଲେ–‘ମା’ ଶ୍ୟାମାକାଳୀ, ମତେ ପାଠ ଦେ, ମତେ ପାଠ ଦେ ।’

 

ଦେଉଳ ଭିତରେ ହଠାତ୍ ଗୋଟିଏ ନାରୀମୂର୍ତ୍ତି । ଭାଗୀରଥ ଚମକି ପଡ଼ିଲେ । କେଜାଣି କାହିଁକି ଟିକିଏ ପଛକୁ ଘୁଞ୍ଚିଗଲେ । ସ୍ତ୍ରୀ ଲୋକଟି ଚୁପ୍ ଚାପ୍ ଘିଅ ଦୀପ ଜାଳିଲା । ଦେଉଳର ଗୋଟିଏ କୋଣରେ ଠିଆ ହୋଇଥିବା ଭାଗୀରଥଙ୍କୁ ସେ ଯେମିତି ଦେଖି ନଥିଲା । ଘିଅ ଦୀପ ଜଳାଇ ସେ ତଳେ ଲମ୍ବ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କଲା । ତା’ପରେ ଠିଆ ହୋଇ ଅସହାୟ ଶିଶୁ ପରି କହିବାକୁ ଲାଗିଲା–‘ମାଆ ଲୋ ମାଆ ! କେବେ ମୋ କଥା ବୁଝିବୁ ? ମୋ କଥା କ’ଣ ଜମା ମନେପଡ଼ୁ ନାହିଁ ? କେବେ ଆଉ ତାଙ୍କ ଦିହ ଭଲହେବ ? ସବୁ ଓଷଦ ତ କଲି । କିଛି ହେଲା ନାଇଁ-। ଖାଲି ତୋରି ପାଦୁକ ଟୋପିଏ ଲେଖାଏଁ ଦଉଛି । ମାଆ ଲୋ–ତୁ ନ ଚାହିଁଲେ ଭାସିଯିବି । ମାଆ ଲୋ ମାଆ– !’

 

ସ୍ତ୍ରୀ ଲୋକଟି ଏତିକି କହି ବେଶ୍‌ ତର ତର ହୋଇ ଚାଲିଗଲା । ଭାଗୀରଥ ଯେମିତି ସ୍ତ୍ରୀ ଲୋକଟିକୁ ଆଗରୁ କେଉଁଠି ଦେଖିଥିଲେ । ମନେପକାଇବାକୁ ଚେଷ୍ଟା କରି ମନେପକାଇ ପାରିଲେନାହିଁ । ସ୍ତ୍ରୀ ଲୋକଟି ଯେ କେତେ ନିର୍ବୋଧ, ସେ କଥା ଭାବି ସେ ଆଶ୍ଚର୍ଯ୍ୟ ହେଲେ । ହୁଏତ ତା’ ସ୍ୱାମୀଙ୍କର କୌଣସି ଦୁରାରୋଗ୍ୟ ବ୍ୟାଧି ହୋଇଛି । ଭଲ ହେଉନାହିଁ । ସ୍ତ୍ରୀ ଶେଷରେ ଔଷଧ ବଦଳରେ ଠାକୁରାଣୀଙ୍କ ପାଦୁକ ଉପରେ ଭରସା ରଖିଛି । ତାଙ୍କୁ ଲାଗିଲା, ଶ୍ୟାମାକାଳୀ ଯେମିତି ସେ ସ୍ତ୍ରୀ ଲୋକଟିର ବୋକାମି ପାଇଁ ହସୁଛନ୍ତି ! ଚନ୍ଦନ ଓ ସିନ୍ଦୂରବୋଳା ତାଙ୍କ ମୁହଁଟି ଯେମିତି ହସରେ ଫାଟି ପଡ଼ିବ !

 

ଶ୍ୟାମାକାଳୀ ତାଙ୍କ ନିଜ ଅପରାଧ ପାଇଁ ତାଙ୍କ ଉପରେ ଚିଡ଼ୁ ନାହାନ୍ତି ତ ? ଭାଗୀରଥଙ୍କୁ ଭୟ ଲାଗିଲା । ପିଲାଦିନେ ଏଇ କଳା ଏରୁଣ୍ଡିବନ୍ଧ ଉପରେ ‘ମା’ ପାଠ ଦେ, ପାଠ ଦେ’ କହି ମୁଣ୍ଡ ବାଡ଼େଇ ବାଡ଼େଇ ସେ ଯେଉଁ ବିଦ୍ୟାଲାଭ କଲେ, ତା’ର ସେ କି ସଦ୍‌ବ୍ୟବହାର କରିଛନ୍ତି ? କେଜାଣି କେମିତି ପିଲାଦିନୁ ସେ ହୋଇପଡ଼ିଲେ ଆଦର୍ଶବାଦୀ । ମହାପୁରୁଷମାନଙ୍କ ଜୀବନୀ ପଢ଼ିଲେ ତାଙ୍କ ଦେହ ଶୀତେଇ ଉଠୁଥିଲା, ଆଖିରୁ ଲୁହ ଗଡ଼ିପଡ଼ୁଥିଲା । ତାଙ୍କରି ପରି କେତେ ମହାପୁରୁଷ ଦୁଃଖ ଦାରିଦ୍ର୍ୟ ସଙ୍ଗେ ଲଢ଼େଇ କରିବାର ରୋମାଞ୍ଚକର କାହାଣୀ ସବୁ ପଢ଼ି ତାଙ୍କୁ ଲାଗୁଥିଲା, ସେମାନଙ୍କ ପରି ସେ ବି ଦିନେ ହେବେ ଜଣେ ମହାପୁରୁଷ, ଦୁଃଖୀ ଦରିଦ୍ରଙ୍କ ଆଖିରୁ ଲୁହ ପୋଛିବେ । ଘର କାନ୍ଥରେ ସେ ଟାଙ୍ଗିଥିବେ ଗାନ୍ଧି, ଗୋପବନ୍ଧୁ, ବିବେକାନନ୍ଦଙ୍କ ଫଟୋ । ଗାନ୍ଧିଙ୍କ ସମ୍ପର୍କରେ ଲେଖା କେତେ ବହି ସେ ପଢ଼ିଥିବେ, ଗାନ୍ଧୀବାଦ ବିଷୟରେ ଘଣ୍ଟା ଘଣ୍ଟା ଧରି ବନ୍ଧୁମାନଙ୍କ ସଙ୍ଗେ ଆଲୋଚନା କରିଥିବେ । ଗାନ୍ଧିଜୟନ୍ତୀ ଦିନ ପାହାନ୍ତାରୁ ଲୋକସମ୍ପର୍କ ବିଭାଗର ମାଇକ୍‍ରୁ ‘ରଘୁପତି ରାଘବ ରାଜାରାମ୍’ ରେକର୍ଡ଼ ପ୍ରଚାରିତ ହେବାମାତ୍ରେ, ସେ ନିତ୍ୟକର୍ମ ସାରି ପହଞ୍ଚି ଯାଉଥିଲେ ସମୁଦ୍ରକୂଳରେ ଗାନ୍ଧିଘାଟ ନିକଟରେ ସେତେବେଳେ ସେ ସାମନ୍ତ ଚନ୍ଦ୍ରଶେଖର କଲେଜରେ ପଢ଼ୁଥାନ୍ତି । ମନରେ ନଥାଏ ଅର୍ଥଚିନ୍ତା–ସମାଜର ଧନୀ କ୍ଷମତାଶାଳୀମାନଙ୍କ ସଙ୍ଗେ ପ୍ରତିଦ୍ୱନ୍ଦ୍ୱୀତା କରିବାର କଳ୍ପନାବି ନଥାଏ ମନରେ । ସେ ସ୍ଥିର କରିଥାନ୍ତି–ସେ ଚାକିରୀ କରିବେ ନାହିଁ, କରିବେ ସ୍ୱାଧୀନ ବ୍ୟବସାୟ ଓକିଲାତି । ଭାରତର ସବୁ ବଡ଼ ବଡ଼ ନେତା ଓ ଓକିଲାତି କରୁଥିଲେ । ଓକିଲାତି କରି ସେ ଧାଇଁବେ ନାହିଁ ପଇସା ପଛରେ । ସମାଜରୁ ଷୋଷଣ ଅତ୍ୟାଚାର ଲୋପ କରିବା ହେବ ତାଙ୍କର ଲକ୍ଷ୍ୟ । ସେ କଳ୍ପନା କରୁଥିଲେ, ସେ ଚାଲିଛନ୍ତି ଆଗେ ଆଗେ, ତାଙ୍କ ପଛେ ପଛେ ଅଗଣିତ ଭୋକିଲା ମଣିଷ, ଫୁଙ୍ଗୁଳା ଦେହ, ମୁଣ୍ଡବାଳ ଫୁରୁ ଫୁରୁ, ପେଟ ପଶିଯାଉଛି ପିଠିରେ, ଆଣ୍ଠୁରେ ଆଣ୍ଠୁ ବାଜୁଛି ପାଟି ଖନିମାରି ଯାଉଛି । ସେ ସେଇମାନଙ୍କ ନେତା । ସେମାନଙ୍କୁ ସେ ଦେଖୁଥିଲେ ସବୁଠାରେ–ରାସ୍ତା କରରେ ସେମାନେ ଭିକ ମାଗୁଛନ୍ତି, ଉଦୁଦିଆ ଖରାବେଳେ ଝାଳନାଳ ହୋଇ ଯାତ୍ରୀମାନଙ୍କୁ ରିକ୍‍ସାରେ ବୋହି ନେଉଛନ୍ତି, କଳକାରଖାନାରେ କୋଇଲା ସଙ୍ଗେ ପୋଡ଼ି ଦେଉଛନ୍ତି, ବାଲିରେ ନିଜ ଛାତିର ଲହୁ ଢାଳି ସବୁଜ ଫସଲ ଫଳାଉଛନ୍ତି । ସେମାନଙ୍କ ନେତା ସେ–ଭାଗୀରଥ ମହାପାତ୍ର । ସେ କଳ୍ପନା କରୁଥିଲେ, ସେ ବି ସେମାନଙ୍କ ପରି ରହିବେ, ସେଇମାନଙ୍କର ସୁଖଦୁଃଖରେ ଜଣେ ହୋଇ ଠିଆ ହେବେ ।

 

ସେତେବେଳେ ଦେହମନ କେଡ଼େ ଫୁର୍ତ୍ତି ଲାଗୁଥିଲା । ସଭାସମିତି ଆଲୋଚନାରେ ସେ ତ ଥିଲେ ସବୁଠାରେ ଆଗୁଆ । ଓଡ଼ିଆ ଇଂରାଜୀରେ ଅନର୍ଗଳ ବକ୍ତୃତା ଦେବାରେ କେହି ତାଙ୍କୁ ବଳି ଯାଉ ନଥିଲେ । ତଣ୍ଟି ଫଟାଇ ସେ ଚିତ୍କାର କରୁଥିଲେ–‘ସମାଜବାଦ । ସମାଜବାଦ ! ସମାଜବାଦ ବିନା ସ୍ୱାଧୀନତା ଏକ ପ୍ରହସନ, ଏକ ଭାଣ୍ଡାମି ! ରାଜନୀତିକ ସ୍ୱାଧୀନତା ପାଇଁ ଭାରତୀୟମାନେ ଯେମିତି ତ୍ୟାଗ ବରଣ କରିଛନ୍ତି, ତା’ଠାରୁ ଶହେ ଗୁଣ ତ୍ୟାଗ ବରଣ କରିବାକୁ ହେବ ସମାଜବାଦ ପାଇଁ ।’

 

ସେତେବେଳେ କେହି ସହପାଠୀ ତାଙ୍କ କାନ ପାଖେ କହିଥିଲା,–‘ତୁ ଗୋଟାଏ ବିପ୍ଳବୀ ହେବୁ ।’ କିଏ କହିଥିଲା–‘ଭାଗୀରଥଟା କମ୍ୟୁନିଷ୍ଟ ।’ ସେ କିନ୍ତୁ କାହାକୁ କିଛି କହୁ ନଥିଲେ । ଖାଲି ହସି ଦେଉଥିଲେ । ତାଙ୍କୁ ଲାଗୁଥିଲା, ସେ ଅନ୍ୟମାନଙ୍କଠାରୁ ଭିନ୍ନ । ଅନ୍ୟମାନେ ତାଙ୍କୁ ବୁଝିବେ କିପରି ? ଅନ୍ୟମାନଙ୍କ ପ୍ରତି ତାଙ୍କ ମନରେ ଦୟା ଆସିଥିଲା ସେଦିନ ।

 

ଦେଉଳର ଗୋଟିଏ କୋଣରେ କ’ଣ ଫଡ଼୍ ଫଡ଼୍ ହେବାର ଶୁଣି ଭାଗୀରଥ ପ୍ରକୃତିସ୍ଥ ହେଲେ । ଏତେ ସମୟ ହେଲା କ’ଣ ସବୁ ଭାଗୁଛନ୍ତି ସେ ? ଆଉ ତିନୋଟି ଦିନ ପରେ ନିର୍ବାଚନ । କେତେ ସମୟ ସେ ରହିଲେଣି ଦେଉଳ ଭିତରେ ?

 

ନିଦୁଆ ପାଟିରେ ବୁଢ଼ା ପୂଜାରୀ ସେପାଖୁ ପାଟିକଲା–‘ହ୍ୟାପ ପାରାଗୁଡ଼ା ସବୁବେଳେ ଏଇଠି ଛୁଆଦେଲେ !’

 

ଭାଗୀରଥଙ୍କୁ ଲାଗିଲା, ରାତି ଅନେକ ହେଇଯାଇଚି । ଜୟ ହନୁମାନ, ନବଘନ, ଗିରିଧାରୀ ସଞ୍ଜବେଳେ ତାଙ୍କ ଘରକୁ ଆସି ତାଙ୍କ ପାଇଁ ଅପେକ୍ଷା କରି କରି ଫେରିଯାଇଥିବେ । କାଞ୍ଚନ ଦେବୀ ମଧ୍ୟ ଚିନ୍ତିତା ହୋଇ ପଡ଼ିବେଣି । ନିର୍ବାଚନର ମହାକୋଳାହଳ ଭିତରୁ ରକ୍ଷା ପାଇବା ପାଇଁ ଆଜି କିନ୍ତୁ ସେ ସଞ୍ଜବେଳୁ ଲୁଚି ପଳାଇ ଆସିଛନ୍ତି ଏଠାକୁ । ଦିନ ପରେ ଦିନ ସେଇ ଆଲୋଚନା, ସେଇ ଭୋଟଭିକ୍ଷା, ଆବେଦନ ନିବେଦନ । ସଞ୍ଜବେଳକୁ ଆଜି ମନେ ହେଲା, ସେ ଯେମିତି ପାଗଳ ହୋଇଯିବେ ! ଏକ ପ୍ରକାଣ୍ଡ ବିସ୍ଫୋରଣରେ ଯେମିତି ତାଙ୍କର ସବୁ ଶିରା, ସବୁ ଧମନୀ ଫାଟି ଛିନ୍‍ଭିନ୍ ହୋଇଯିବ ! କେଜାଣି କାହିଁକି ସେ ପଳାଇ ଆସିଥିଲେ ତାଙ୍କ ଅତି ପରିଚିତ ଏଇ ଦେଉଳ ଭିତରକୁ । ଅନେକ ଦିନ ଧରି ସେ ଯେ କିପରି ଏଠାକୁ ଆସି ନଥିଲେ, ଭାବି ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ।

 

ଭାଗୀରଥ ଶ୍ୟାମାକାଳୀଙ୍କୁ ପ୍ରଣାମ କଲେ, ଠାକୁରାଣୀଙ୍କ ଆଗରେ ଥୁଆ ହୋଇଥିବା ବଡ଼ ତମ୍ବାଥାଳୀରୁ ସିନ୍ଦୂର ଟୋପାଏ କାଣିଆଙ୍ଗୁଠି ଟିପରେ ଆଣି ବେକତଳକୁ ଲଗାଇଲେ । ପୁଣିଥରେ କହିଲେ–‘ମାଆ, ତୁଇ ଭରସା, ତୁଇ ଭରସା’–ତା’ପରେ ବାହାରକୁ ଆସିଲେ ।

 

ବାହାରେ ସେଇ ଗୋଟିଏ ଜାଗାରେ ସଞ୍ଜବେଳୁ ସେମିତି ବସିଥିବା ବୁଢ଼ା ପୂଜାରୀ ଭାଗୀରଥଙ୍କୁ ଦେଖି ବିଳିବିଳେଇଲା ପରି କହିଲ, ‘ସରକାର୍; ଏଯାଏଁ ଯାଇ ନାହାନ୍ତି ?’

 

ଭାଗୀରଥ ପଚାରିଲେ, ବେଳ କେତେ ହେଲା ?

 

ବୁଡ଼ା କହିଲା, କାଇଁ ବନା ମହାସୁଆର ତ ଆସିନି । ଗୁରୁଘର ଆଜି ଭଅଣ୍ଡରେ ଖଟଣିଥିଲା । ମହାସୁଆର ଏ ବାଟେ ଗଲାବେଳେ ମତେ ଡାକଟାଏ ଦିଏ ।...ବସିବା ହୁଅନ୍ତୁ ସର୍‍କାର୍ । ଠିଆ ହେଲେ କାହିଁକି ?’

 

ଭାଗୀରଥ କହିଲେ, ‘ନାଇଁ, ଡେରି ହୋଇଗଲାଣି । ଆଉ ଆଉ ତିନୋଟି ଦିନ ଗଲେ ଭୋଟ୍ । ଶ୍ୟାମାକାଳୀ ଯାହା କରିବେ । ମଉସା, ରାତିରେ ତମର କ’ଣ ସେଇ ଗୁରୁଘରେ ଖିଆପିଆ ?’–ଭାଗୀରଥ କ’ଣ ଭାବି ବୁଢ଼ା ପାଖରେ ବସି ପଡ଼ିଲେ ।

 

ବୁଢ଼ା ସଳଖି ହୋଇ ବସି କହିଲା, ହଅ–ରାତିରେ ତ ସେଇ ଗୁରୁଘରୁ ପାରୁଶଟାଏ ମିଳେ । ଚାଳିଶି ବରଷ ହୋଇଗଲା । ତାଙ୍କରି ଦୟାରୁ ରାତିରେ ଅନ୍ନ ପୁଞ୍ଜିଏ ମିଳେ । ଦିନରେ ହେଲେ ଭଲ, ନ ହେଲେ ଭଲ । ପରବା ନାଇଁ । ଆଉ ତ ସେ ଘିଅନ୍ନ, ଡାଲି, ମହୁର, ବେସର, ଶାଗ, ରାଇତା, ଖଟା, ରସାବଳୀ ନାହିଁ ! ଆଉ ଦରିଦ୍ରି କାଳରେ ଗୁରୁଘର ଯାହା କରୁଚି, ଆଉ କେହି କରିବେ ନାଇଁ ।’

 

ହେତୁ ପାହିଲାଦିନୁ ଭାଗୀରଥ ଶ୍ୟାମାକାଳୀ ଦେଉଳର ଏ ବୁଢ଼ା ପୂଜାରୀକୁ ଦେଖି ଆସିଛନ୍ତି । ସେ ପିଲା ଥିଲାବେଳେ ବୁଢ଼ା ଯେମିତି ଦେଖାଯାଉଥିଲା, ଏବେବି ତ ସେମିତି ଦିଶୁଚି । ଏ ବୁଢ଼ାର ଯେ କେବେ ପିଲାଦିନ ଥିବ କିମ୍ବା କେବେ ଯେ ସେ ହୋଇଥିବ ସୁନ୍ଦର ହୃଷ୍ଟପୁଷ୍ଟ ଯୁବକ, ଏ କଥା କେହି ବିଶ୍ୱାସ କରିପାରନ୍ତି ନାହିଁ । ଏ ଯେମିତି ବୁଢ଼ା ହୋଇ ଜନ୍ମ ହୋଇଚି ଓ ସେଇଥିପାଇଁ ‘ବୁଢ଼ା’ ବିଶେଷଣଟା ତା’ ନାଆଁର ଗୋଟାଏ ଅଂଶ ହୋଇଯାଇଚି ! ଆଜି ବୁଢ଼ା ପାଖରେ ବସି ନିକଟରୁ ଅନାଇବାବେଳେ ଭାଗୀରଥଙ୍କୁ ବୁଢ଼ା ପୂଜାରୀ ମଣିଷ ପରି ନ ଦିଶି ଦିଶୁଥିଲା ଗୋଟାଏ ଜନ୍ତୁପରି ! ପିଲାଦିନେ ଖାଲି ଏଇ ବୁଢ଼ା ପୂଜାରୀର ଘାଗଡ଼ା ସ୍ୱରଟା ଶୁଣି ସେ କେତେଥର ଡରିଛନ୍ତି । ସମୁଦ୍ରର ଘୁ ଘୁ ସାଙ୍ଗକୁ ବୁଢ଼ା ପୂଜାରୀର ନିଦୁଆ ଘାଗଡ଼ା ସ୍ୱର ମିଶି ଶୀତରାତିଗୁଡ଼ାକରେ ଯେମିତି ତାଙ୍କୁ ଡରାଉଥିଲା ! ଖୁବ୍‌ ସକାଳୁ ଶେତେଙ୍ଗାରେ ଗାଧୋଇ ସାହି ଦାଣ୍ଡରେ କ’ଣ ସବୁ ଗୁଣୁ ଗୁଣୁ ଶ୍ଳୋକ ବୋଲି ସେ ଯାଏ । କେବେ ହାତରେ ଧରିଥାଏ ଛଞ୍ଚାଟିଏ । ଭାଗୀରଥଙ୍କର ଏ ଦୃଶ୍ୟ ଅତି ପରିଚିତ ।

 

ଭାଗୀରଥ ପଚାରିଲେ, ‘ଏଇଠି ତ ସବୁବେଳେ ରହୁଚ ?’

 

ବୁଢ଼ା କହିଲା, ‘ହଁ–ଆଉ କୁଆଡ଼େ ଯିବି ? ମୋ ସାଙ୍ଗମାନେ କିଏ କୁଆଡ଼େ ମରି ହଜି ଗଲେଣି । ଭୋରରୁ କଦମ୍ବ ଗଡ଼ରେ ନିତ୍ୟକର୍ମ କରିବାକୁ ଯାଏ । ବେଳେବେଳେ ପତି ମହାପାତ୍ରେ ଟାଣିନେଲେ ବଡ଼ ଆଖେଡ଼ା ନଇଲେ କୋଇଲି ବୈକୁଣ୍ଠରେ ଘଡ଼ିଏ ବସିବା କଥା । ଆଉ ସବୁବେଳେ ଏଇଠି । ଆମ ବେଳା ତ ସଇଲା ।’

 

ଭାଗୀରଥ ଉଠିଲେ । ଶୀଘ୍ର ଶୀଘ୍ର ପାଦ ପକେଇ ଦେଉଳ ବେଢ଼ା ବାହାରକୁ ଆସିଲେ-

Image

 

(ଚଉଦ)

 

ସଞ୍ଜ ବୁଡ଼ୁ ବୁଡ଼ୁ ମୁରାରୀ ଦାସ ଈଷତ୍ ମଇଳା ଧୋତି ପଞ୍ଜାବି ପିନ୍ଧି, କାନ୍ଧରେ ତାଙ୍କର ବହୁ ଦିନର ସଞ୍ଚିତ ମଠା ଚାଦର ଖଣ୍ଡିକ ପକାଇ ହାତୀମୁଣ୍ଡିଆ ବାଡ଼ିଟି ଧରି ଶାମ ଗୋଛିକାରଙ୍କ ଘରକୁ ବାହାରିଥିଲେ । ପୁରୀ ସହରର ଜଣେ ଅତି ପୁରୁଣା ବାସିନ୍ଦା ଭାବରେ ତାଙ୍କୁ ନିଜ ସାହି, ପୁଣି ପାଖଆଖର ସାହିମାନଙ୍କରୁ ମଝିରେ ମଝିରେ କାହାର ଶୁଭଅଶୁଭ କାର୍ଯ୍ୟରେ ନିମନ୍ତ୍ରଣ ଆସେ । ପନ୍ଦରବର୍ଷତଳେ ଭାରିଜା ମରିଯିବା ପରେ ଚାକରାଣୀ ଶୁକ ଛଡ଼ା ମୁରାରୀ ଦାସଙ୍କ ଘରେ ଆଉ କେହି ନଥିଲେ । ଜଗନ୍ନାଥେ କୁଆଁ କୁଆଁ ଶବ୍ଦ ନ ଶୁଣାଇବା ଦୁଃଖ କେବଠୁ ଦେହସୁହା ହୋଇଯାଇଥିଲା । ତେବେ, ଏ ଯୁଗରେ ନିଜଞ୍ଜାଳୀ ହେବା ଭଲ । ସରକାରୀ କାମ ଥିବାବେଳେ ବେଳ ଅଣ୍ଟୁ ନଥିଲା । ଚାକିରୀ ଗଲା ଦିନୁ ନିକମା ଲାଗେ । ବସି ବସି ଦିନ କଟେ ନାହିଁ । ନୂତନ ମିଷ୍ଟାନ୍ନ ଭଣ୍ଡାରରେ ବସି ବସି ଫାଙ୍କା ଆଖିରେ ଲୋକମାନଙ୍କ ଗତିବିଧି ଲକ୍ଷ୍ୟ କରିବା କଥା । ସାଙ୍ଗ ବୋଲି ତ ହରିଦତ୍ତ । ପାଖକୁ ପାଖ ବସି ତା’ରି ସଙ୍ଗେ ଏଣୁତେଣୁ ଅଦରକାରୀ ବିଷୟରେ ଗପସପ ।

 

ଖରାବେଳେ ଭାତ ଦି’ଟା ଖାଇ ମୁରାରୀ ମସିଣାରେ ଗଡ଼ୁ ଗଡ଼ୁ ସମାଜ ପଢ଼ନ୍ତି । ଆଖିକୁ ନିଦ ଆସିଯାଏ । ଉଠିଲାବେଳକୁ ବେଳ ଗଡ଼ିଯାଇଥାଏ । ଚା’ ଟିକିଏ ଖାଇ ଗୋଟିଏ ଗୋଟିଏ ମୋତିବାବୁଙ୍କ ଘଣ୍ଟା ଦୋକାନକୁ ବାହାରନ୍ତି । ସମାଜରେ ପଢ଼ିଥିବା ବିଷୟ ସେଠି ଆଲୋଚନା ହୁଏ । ସେଠୁ ଯାଆନ୍ତି ବଡ଼ ଦେଉଳରେ ସଞ୍ଜ ଆଳତି ଦେଖିବାକୁ । ସଞ୍ଜ ଆଳତି ଦେଖି ହରିଦତ୍ତର ଦୋକାନ ଦେଇ ଘରକୁ ଫେରନ୍ତି । କେବେ ଚଞ୍ଚଳ, କେବେ ଡେରିରେ । ଚଞ୍ଚଳ ଆସିଲେ ଖୁସି ହେବାକୁ କେହି ନାହିଁ । ଡେରିରେ ଆସିଲେ କେହି କହିବାକୁ ନାହିଁ ‘କାହିଁକି ଡେରି ହେଲା’ ବୋଲି । ଏକୁଟିଆ ମଣିଷ । କେହି ନାହିଁ ଆଗକୁ ପଛକୁ । ଶ୍ୟାମଘନ କେତେଥର ଲଗାଇଲେ, ଲେଖାଯୋଖାରେ ପୁତୁରାଟିଏ ତ ଅଛି । ତାକୁ ଆଣି ପୁଅ କର । ସିଏ ‘ଦେଖିବା ଦେଖିବା’ କହି ଦିନ କାଟୁଥିଲେ । ଦିନେ ଶୁଣିଲେ, ପୁତୁରା କୁଆଡ଼ୁ ଗୋଟାଏ ରିଫିଉଜି ବଙ୍ଗାଳୁଣୀକୁ ମନକୁ ମନ ବାହା ହୋଇ ରହିଲାଣି । ମୁରାରୀ ଏ ଖବର ପାଇବା ଦିନୁ ଆଉ ପୋଷିଆ ପୁଅ କରିବା କଥା ଚିନ୍ତା କରିନାହାନ୍ତି । ଯେତେ ଯାହା କଲେ ପୋଷିଆ ପୁଅ ତ ଆଉ ନିଜ ପୁଅ ହୋଇଯିବ ନାହିଁ ! ଯାଉ–ବୁଡ଼ି ଯାଉ ଚୈତନ ଦାସଙ୍କ କୁଳ ! ମୁରାରୀଙ୍କର ବେଳେ ବେଳେ ଭାଗ୍ୟ ଉପରେ ଅଭିମାନ ହୁଏ । ବାପା ଚୈତନ ଦାସଙ୍କ କଥା ମନେପଡ଼େ । ଏଡ଼େ ବଡ଼ ଧାର୍ମିକ ଲୋକ ଚୈତନ ଦାସ; ଜଗନ୍ନାଥେ ତାଙ୍କ କୁଳ ବୁଡ଼ାଇ ଦେଲେ !

 

କେତେ ଅଭିମାନ କେତେ ଦୁଃଖ ମୁରାରୀ ଦାସ ତାଙ୍କ ଅନ୍ଧାରୁଆ ମନ ଭିତରେ ସମ୍ପତ୍ତି ପରି ସାଇତି ରଖିଥିଲେ, ସେ କଥା କେହି ଜାଣନ୍ତି ନାହିଁ । ସବୁ ତ ସେ ଖୋଲି କାହାରି ଆଗରେ କହନ୍ତି ନାହିଁ । ଯାହା ଆଗରେ ସବୁ ଖୋଲି କହୁଥିଲେ, ସେ ଯେମିତି ଆଉ କିଛି ନ ଶୁଣିବ ବୋଲି ତାଙ୍କୁ ଠକି ଦେଇ ଚାଲିଗଲା । ସେଇ ତାଙ୍କର ସ୍ତ୍ରୀ, ଗଲା ମାସରେ ମରିବାର ପନ୍ଦରବର୍ଷ ପୂରିଗଲା-

 

ଆଜି କାହିଁକି ପୁରୁଣା ଦିନର ସ୍ମୃତିଗୁଡ଼ିକ ତୁହାକୁ ତୁହା ମନେପଡ଼ୁଥିଲା । କେତେ ହଜି ଯାଇଥିବା ମୁହଁ ଆଖିଆଗରେ ଭାସି ଉଠୁଥିଲା, କେତେ ଲିଭିଯାଇଥିବା କଥା କାନରେ ବାଜି ଯାଉଥିଲା । କେତେ ଦୃଶ୍ୟ, କେତେ ଘଟଣା, କେତେ ସ୍ୱର ମିଶି ମନ ଭିତରେ କେମିତି ଗୋଟାଏ କରୁଣ ମୂର୍ଚ୍ଛନା ସୃଷ୍ଟି କରୁଥିଲେ । ଏ ବୟସରେବି ମୁରାରୀ ଦାସଙ୍କର ଇଚ୍ଛା ହେଉଥିଲା, ପିଲାଙ୍କ ପରି ବଡ଼ପାଟିରେ ରାହା ଧରି କାନ୍ଦନ୍ତେ; ଯେମିତି ସେ କାନ୍ଦୁଥିଲେ ଦାଣ୍ଡରେ ମୁଆଁବାଲା ବେଣ୍ଟ ମୁଆଁ ବିକି ଗଲାବେଳେ, ଆଜିଠାରୁ ଷାଠିଏବର୍ଷତଳେ । ସେତେବେଳେ କିନ୍ତୁ ତାଙ୍କୁ କାଖେଇ ଆଖିରୁ ଲୁହ ପୋଛି ଦେଉଥିଲା ଜଣେ । ତା’ ମୁହଁ ଆଜି ସଫା ମନେପଡ଼ୁ ନାହିଁ–ଭାବିଲେ ଖାଲି ଦିଶି ଯାଉଚି ଛାଇ ଛାଇଆ ନାରୀ ମୂର୍ତ୍ତିଟାଏ–ସ୍ନେହମମତାର ଅବତାର–ସେଇ ତାଙ୍କର ବୋଉ । କୁଆଡ଼େ ଗଲାଣି ସେ କେବଠୁ ?

 

ମୁରାରୀ ଦାସଙ୍କ ଗତି ଆପେ ଆପେ ଶିଥିଳ ହେଲା, ବାଡ଼ିର ଠକ୍ ଠକ୍ ଶବ୍ଦ ଶୁଣାଗଲା ଅନିୟମିତ । କେତେବେଳେ ସେ ଯାଉ ଲୋ ଜୋରରେ ପାଦ ପକେଇ, ପୁଣି କେତେବେଳେ ପ୍ରାୟ ଠିଆ ହୋଇଯାଉଥିଲେ ।

 

ସାହିମାନଙ୍କରେ ଧୂଳିଧୂସର ପିଲାମାନେ ଖେଳର ଧୂମ୍‌ ଲଗାଇଥିଲେ । ଦଳେ ପିଲା ପାଟି କରୁଥିଲେ–‘ଏତେ ଏତେ ପାଣି ।’ ଆଉ ଦଳେ କହୁଥିଲେ, ‘ଗଉର୍‌ ଗଉର୍‌ ରାଣୀ’ ।

 

ଶାମ ଗୋଛିକାରଙ୍କ ବୋଉଙ୍କ ଦଶାହ ଭୋଜିକୁ ଗଲାବେଳେ ମୁରାରୀ ଭାବୁଥିଲେ, ସିଏବି ଦିନେ ଏମିତି ତାଙ୍କ ସାହି ଦାଣ୍ଡରେ ପାଟି କରୁଥିଲେ–‘ଏତେ ଏତେ ପାଣି ।’ ଆଉ କିଏ ସବୁ ଥିଲେ ସେଦିନ ତାଙ୍କ ପିଲାଦିନର ଖେଳ ସାଥୀ ? ଭାବିଲେ ସେମାନଙ୍କ ମୁହଁ ମନେପଡ଼ୁ ନାହିଁ । ମନ ଉପରେ ବିସ୍ମୃତିର ଶିଉଳି ମାଡ଼ିଗଲାଣି । ଏବେ ତ ତାଙ୍କର ଭ୍ରମ ହେଲାଣି । ଅନେକ ଥର ଚିହ୍ନାଲୋକଙ୍କୁ ଚିହ୍ନି ପାରୁନାହାନ୍ତି, ଅଚିହ୍ନା ଲୋକଙ୍କୁ ଚିହ୍ନା ଲୋକ ଭାବି ଡାକି ଦେଉଛନ୍ତି ।

 

ହଁ–ସମୟ କ’ଣ କାହାପାଇଁ ଅଟକେ ? ଏଇ କାଲିପରି ଲାଗୁଚି । ସିଏ ନୂଆ ହୋଇ ଶିକ୍ଷକ ଚାକିରୀ ପାଇଥାନ୍ତି । ମାର୍କଣ୍ଡସାହି ନି: ପ୍ରା: ସ୍କୁଲରେ ଆରମ୍ଭ ହୋଇଥାଏ ଚାକିରୀ । ସେତିକିବେଳେ ଦାମ ଗୋଛିକାରଙ୍କ ଅବସ୍ଥା ଥାଏ ଅତି ସ୍ୱଚ୍ଛଳ । ପଙ୍ଗତ ପରି ପଙ୍ଗତଟାଏ କରିଥିଲେ ସେ । କାନ୍ତି, ଝିଲି, ମରିଚିଲଡ଼ୁ, ଖଜା, ଗଜା, ଜଗନ୍ନାଥବଲ୍ଲଭ–ପୁରୀ ଦେଉଳର କୋଉ ପିଠା ସେ ନ କରିଥିଲେ ନୁହେଁ । ଦାମ ଗୋଛିକାରେ କେବଠୁ ମଲେଣି । ଆଜି ସେ ଯାଉଛନ୍ତି ତାଙ୍କ ସ୍ତ୍ରୀଙ୍କ ଦଶାହ ଭୋଜି ଖାଇବାକୁ । ତାଙ୍କ ଦିନ ତ ଆଉରି ସରି ନାହିଁ ।

 

ଠାଏ ଠାଏ ପିଲାମାନେ ସେମାନଙ୍କ ଖେଳ ଭିତରେବି ଦିନରାତି ଶୁଣୁଥିବା ନିର୍ବାଚନୀ ସ୍ଳୋଗାନ୍ ସବୁ ଦୋହରାଉଥିଲେ । କିଏ କହୁଥିଲା–‘ଭୋଟ ଦେବ କେଉଁଠି ।’ ଆଉ କିଏ ଉତ୍ତର ଦେଉଥିଲା–‘ରିକ୍‍ସା ଚିହ୍ନ ଯେଉଁଠି ।’ କିଏ କହୁଥିଲା–‘ଗୋଛିକାରେ ମାଇଲେ ଟାଙ୍ଗ୍ ।’ ଉତ୍ତର ଆସୁଥିଲା–‘ଭାଗୀରଥ ଚିତ୍ପଟାଙ୍ଗ୍ ।’ ପିଲାମାନେ ଖେଳୁଥିଲେ ଓ ଅର୍ଥ ନ ବୁଝି ତଣ୍ଟି ଫଟାଇ ନିର୍ବାଚନୀ ସ୍ଳୋଗାନ୍‍ମାନ ଦେଉଥିଲେ ।

 

କେବେ ଏ ନିର୍ବାଚନ ଶେଷ ହେବ ? ଏଇ କେତେଦିନ ହେଲା ସେମିତି ଆଉ କିଛି ନାହିଁ–ଯୁଆଡ଼େ ଗଲେ ତ ଖାଲି ସେଇ ଗୋଟିଏ କଥା । ଏ ପାଲା ସରିବାକୁ ତଥାପି ଦୁଇ ଦିନ ବାକୀ । ସକାଳୁ କିଏ ସବୁ ଆସିଥିଲେ ମୁରାରୀଙ୍କ ଘରକୁ । ନବଘନ, ରାବଣା ଦୋରାକୁ ସେ ଚିହ୍ନନ୍ତି । ଆଉ ଜଣେ କିଏ ମାରଓ୍ୱାଡ଼ିବି ଆସିଥିଲା । କ’ଣ କହୁଥିଲା ତା’ ନାଆଁ ହନୁମାନ ଅଗ୍ରଓ୍ୱାଲା-। ସେମାନେ କ’ଣ ସବୁ କହିଲେ, ମନେପଡ଼ୁ ନାହିଁ । ଦୁଇଟି କଥା ମନେପଡ଼ୁଛି–ରିକ୍‍ସା ଚିହ୍ନରେ ଭୋଟ ଦେବ । ସମାଜବାଦ ନ ଆସିଲେ ଦେଶର ଅବସ୍ଥା ବଦଳିବ ନାହିଁ । ମୁରାରୀ ସେମାନଙ୍କୁ କ’ଣ ସବୁ କହିଲେ, ସେମାନେବି ତାଙ୍କୁ କେତେ କ’ଣ ବୁଝାଇଲେ । ରାବଣା ଦୋରା ଅଧା ତେଲୁଗୁ ଅଧା ଓଡ଼ିଆରେ ଅନର୍ଗଳ ବୁଝାଉଥାଏ–‘ଦେଶର ହାଲତ୍ ଯାହା ହେଲାଣି ନା, ମହାଜନତା ପାର୍ଟିକୁ ଭୋଟ ନ ଦେଲେ ଏପଟୁ ପାକିସ୍ଥାନ୍ ସେପଟୁ ଚୀନ୍ ମାଡ଼ି ଆସିବ । ଭାଗୀରଥବାବୁ ଏଥର ଭୋଟ୍ ପାଇ ମନ୍ତ୍ରୀ ହେଲେ ସମାଜବାଦ ଆଣିବେ ।’

 

ମୁରାରୀ ଦାସ ଭାବିଲେ, ସେ ଜନ୍ମ ହୋଇଥିଲାବେଳେ ଦେଶରେ ଥିଲେ ପ୍ରବଳ ପ୍ରତାପୀ ଗୋରା ସରକାର । ଖାଲି ଭାରତ ନୁହେଁ, ସାରା ପୃଥିବୀ ସେମାନେ ଅଧିକାର କରି ବସିଥିଲେ । ଇଂରେଜ ସାମ୍ରାଜ୍ୟରୁ ସୂର୍ଯ୍ୟାଅସ୍ତ ହେଉ ନଥିଲା । ତାଙ୍କ ଦିହକ ଇଂରେଜ ସରକାର ଅମଳରେ କଟିଲା । ଦେଶ ସ୍ୱାଧୀନ ହୋଇ ଗୋରାମାନଙ୍କ ହାତରୁ ଆମ ଲୋକଙ୍କ ହାତକୁ ଶାସନ କ୍ଷମତା ଆସିବା ତ ଏଇ ଏବ କଥା । କ୍ଷମତା ପାଇ କିଏ କେତେ ବଡ଼ ହେଲେ । ଯେଉଁମାନେ ଦିନେ ଗୋରା ଅମଳରେ ଲାଠିମାଡ଼ ଖାଇଥିଲେ କି ଜେଲ୍ ଯାଇଥିଲେ, ସେମାନେ ସ୍ୱାଧୀନ ଭାରତରେ ହେଲେ ନେତା, ମନ୍ତ୍ରୀ, ଏମ୍. ଏଲ୍. ଏ. । ଥରେ ମନ୍ତ୍ରୀ କି ଏମ୍. ଏଲ୍. ଏ. ହେଲେ କି କ୍ଷମତା, କି ସମ୍ପତ୍ତି ! ଏଇ ଭାଗୀରଥ କଥା ତ ଆଖିଆଗରେ । ଚକ୍ରପାଣି ମହାପାତ୍ରଙ୍କ ପୁଅ ଭଗୀ । ଗରିବ ହେଲେବି ଚକ୍ରପାଣି ଥିଲେ ସଚ୍ଚୋଟ ମଣିଷ । ମୁରାରୀ ସ୍ୱର୍ଗଦ୍ୱାର ନି: ପ୍ରା: ସ୍କୁଲରେ ଶିକ୍ଷକ ଥିବାବେଳେ ଘରକୁ ଫେରିବା ବାଟରେ ବେଳେ ବେଳେ ଚକ୍ରପାଣିଙ୍କ ସଙ୍ଗେ ଦେଖା ହୋଇଯାଉଥିଲା । କଚେରୀରେ ମୋହରୀର କାମ କରି କଷ୍ଟେମଷ୍ଟେ ସଂସାର ଚଳାଉ ଥିଲେ ସେ-। ପୁଅଟିକୁ ମଣିଷ କରିବା ତାଙ୍କର ଥିଲା ଗୋଟିଏ ବୋଲି ଆଶା । ଭାଗୀରଥ ଓକିଲ ହେଲା, ବଡ଼ ଲୋକ ଘରେ ବାହା ହେଲା, ତା’ପରେ ଆସେମ୍ବ୍ଳି ମେମ୍ବର । ଏବେ ତ ସମୁଦ୍ରକୂଳେ ଏଡ଼େ ବଡ଼ କୋଠା–ଉପରକୁ ଚାହିଁଲେ ମୁଣ୍ଡ ବୁଲାଇ ଦେବ । ମଟର ଗାଡ଼ି କିଣିଚି । ଥରେ ଆସେମ୍ବ୍ଳି ମେମ୍ବର ହେଲେ ଆଉ କ’ଣ ଅଭାବ ? ଏଥରବି ଭୋଟରେ ଠିଆ ହୋଇଚି । ରାବଣା ଦୋରା କଥା ମନେପଡ଼ିଲା । ଏଥର ଭାଗୀରଥ ମନ୍ତ୍ରୀ ହେବେ । ଭଲ କଥା । କିଏ କେତେ ମନ୍ତ୍ରୀ ହେଉଛନ୍ତି । ଯେଉଁମାନେ ରାଜା ଥିଲେ, ସେମାନେ ତ ଏବେ ମନ୍ତ୍ରୀ ହେବାକୁ ଧରାପରା । ଚକ୍ରପାଣି ମହାପାତ୍ରଙ୍କ ପୁଅଟି ମନ୍ତ୍ରୀ ହୋଇଯାଉ !

Image

 

(ପନ୍ଦର)

 

ଆଗରେ ଶାମ ଗୋଛିକାରଙ୍କ କୋଠାଘର । ମୁରାରୀଙ୍କ ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା-। କେଡ଼େ ଜଣାଶୁଣା କେଡ଼େ ଆପଣାର ଏଇ ସ୍ଥାନଟି । ହେଇ ସେପାଖେ ମାର୍କଣ୍ଡ, କେଉଁ କାଳର ପୁରୁଣା ପୋଖରୀ, ଅନ୍ଧାରରେ ପାଣି ଦେଖାଯାଉ ନାହିଁ । ତଳକୁ ତଳ ମାଙ୍କଡ଼ା ପଥରର ପାହାଚ, ଓହ୍ଲାଇ ଓହ୍ଲାଇ ପୋଖରୀକୁ ଗଲେ ରହସ୍ୟମୟ ପାତଳ ପୁରୀରେ ପହଞ୍ଚିବା ପରି ଲାଗେ । ମୁରାରୀ ଦେଖିଲେ, କିଛି କେଉଁଠି ବଦଳି ନାହିଁ । ସିଏ ମାର୍କେଣ୍ଡେଶ୍ୱର ନି: ପ୍ରା: ସ୍କୁଲରେ ଶିକ୍ଷକ ଥିଲାବେଳେ ଯାହା ଯେଉଁଠି ଯେମିତି ଥିଲା, ସବୁ ସେମିତି ଅଛି । ସ୍କୁଲର ହଳଦିଆ ଘର, ଆଗରେ ବାଲିପଡ଼ିଆ ସେମିତି ପଡ଼ିଛି । କେତେ ପୁଅ ଝିଅ ଏହାରି ଉପରେ ଖେଳି, କୁଦି, ନାଚି ଗୀତ ଗାଇ ଗଲେଣି । ସ୍କୁଲ କଡ଼କୁ ଠିଆ ହୋଇଥିବା ଚମ୍ପା ଗଛଟା ଚିହ୍ନା ଲୋକ ପରି ମୁରାରୀଙ୍କୁ ଅନାଇଚି । ଯେମିତି କହୁଚି, ‘ତମେ ବୁଢ଼ା ହୋଇଗଲଣି, ଦାସେ ।’ ମୁରାରୀବି ଯେମିତି କହୁଛନ୍ତି, ‘କିରେ ତତେ ପରା ମୁଁ ପୋତିଥିଲି ସେଠି, ପାଣି ଦେଇ ବଢ଼ାଇଥିଲି । ତୋ ଦେହରେ ଯେତେବେଳେ ନୂଆ ନୂଆ ଫୁଲ ଫୁଟୁଥିଲା, କେତେ ସୁନ୍ଦର ବାସୁଥିଲା, ସେତିକିବେଳେ ମୋର ବଦଳି ହୋଇଗଲା । ବୁଢ଼ା ହୋଇଗଲୁଣି ତୁବି ।’

 

ମୁରାରୀ ହାତୀମୁଣ୍ଡିଆ ବାଡ଼ିଟି ଠକ୍ ଠକ୍‌ କରି ଶାମ ଗୋଛିକାରଙ୍କ ପିଣ୍ଡା ଉପରକୁ ଉଠିଲେ । ଶାମ ଗୋଛିକାରଙ୍କ ଘରର ଚଉଡ଼ା ଛଅହାତ, ଘରଟି ଦି’ ମହଲା । ପଥର ପିଣ୍ଡା । ପୁରୁଷେ ଉଚ୍ଚପିଣ୍ଡା ଉପରେ ଆଉ କେତେଜଣ ଜାକିଜୁକି ହୋଇ ବସିଥିଲେ । ପିଣ୍ଡାର ଗୋଟିଏ କଡ଼କୁ ଡେ ଲାଇଟ୍‍ଟିଏ ଜଳୁଥିଲା । ପିଣ୍ଡାତଳେ ଅଇଁଠା ଖଲିପତ୍ର ସବୁ ପଡ଼ିଥିଲା । ତାହାକୁ ଘେରିଥିବା ପାଞ୍ଚ ଛଅଟି କୁକୁର ଓ ଗୋଟିଏ କାଳିଆ ବୁଲାଷଣ୍ଢ ଯେତେ ଘଉଡ଼େଇଲେବି ସେଠାରୁ ଯାଉ ନଥିଲେ । ଡେ-ଲାଇଟ୍ ଆଲୁଅରେ ସାହିର ଅଧାଅଧି ଆଲୋକିତ ହୋଇଥିଲା । କେତୋଟି ଛୋଟ ପିଲା ନିକଟସ୍ଥ ନଳାରେ ବସି ନିତ୍ୟକର୍ମ କରୁ କରୁ ପ୍ରସନ୍ନ ଚିତ୍ତରେ ଉଜ୍ଜ୍ୱଳ ଡେ ଲାଇଟ ଆଡ଼େ ଅନାଇ ଥିଲେ ।

 

ମୁରାରୀ ଦାସ ପିଣ୍ଡା ଉପରକୁ ଆସି ମୁଣ୍ଡଟା ଟିକିଏ ତଳକୁ କରି ବସିଥିବା ଲୋକମାନଙ୍କ ମୁହଁକୁ ଅନାଇଲେ । ପ୍ରାୟ ସମସ୍ତେ ତାଙ୍କର ଚିହ୍ନାଜଣା । ବାଡ଼ିଟି କାନ୍ଥକୁ ଆଉଜେଇ ସେ ପଡ଼ିଥିବା ସତରଞ୍ଜି ଉପରେ ଲଥ୍ କରି ବସି ପଡ଼ିଲେ ।

 

ପଙ୍ଗତ ହେବାକୁ ଡେରି ଥିଲେବି କେଉଁଠି ଡକରା ଥିଲେ ମୁରାରୀ ଦାସଙ୍କ ପରି ଆଉ କେତେଜଣ ଏମିତି ବହୁତ ଆଗରୁ ଆସି ପହଞ୍ଚିଥାନ୍ତି । ଆଜିବି ସେମିତି କେତେଜଣ ପହଞ୍ଚି ଯାଇଥିଲେ । ମୁରାରୀ ଚକାମାଲି ପକାଇ ବସି କହିଲେ, ‘ଶ୍ୟାମଘନ, ତମର ଆଉ ଆଜିକାଲି ଦେଖାନାହିଁ !’’

 

ଶ୍ୟାମଘନ ମୁରାରୀଙ୍କ ଆଡ଼କୁ ହାତଟା ଲମ୍ବାଇ ଆଣି କହିଲେ, ‘ଘେନିବା ହୁଅନ୍ତୁ’ । ମୁରାରୀ ଶ୍ୟାମଘନଙ୍କ ହାତରୁ ପାନଖିଲଟି ନେଇ ପାଟିରେ ପକାଇ ଡାହାଣହାତ ଆଙ୍ଗୁଠିରେ କାନକୁ ସ୍ପର୍ଶ କଲେ । କହିଲେ, ‘କାଲିପରି ଲାଗୁଚି । ଶାମ ଗୋଛିକାରଙ୍କ ବାହାଘର ଭୋଜୀ ଖାଇବାକୁ ଆସିଥିଲି ଆଉ ଆଜି...।’

 

ଶ୍ୟାମଘନ ପାକୁଆ ପାଟିରେ ପାନ ଚୋବାଉ ଚୋବାଉ ମୁହଁକୁ କେମିତି ବିକୃତ କରି କହିଲେ, ‘ଦାସେ, ଆମ ବେଳା ଆସି ସଇଲା । ବ୍ରହ୍ମଚାରୀଟି ଚାଲିଗଲା, ଶୁଣିଥିବ ।’

 

ମୁରାରୀ ବ୍ରହ୍ମଚାରୀ ଚାଲିଯିବା ଖବର ପାଇ ନଥିଲେ । ବଡ଼ ପାଟିରେ କହିଲେ, ‘ଚାଲିଗଲା ! କେବେ ?’

ଶ୍ୟାମଘନ କହିଲେ, ‘ଏଇତ ଆଜିକି ତିନିଦିନ ହେଲା, ନୋକନି ତ ମାଲଭାଇ । ସେଠି ବସିଚି ।’

ନୋକନି ଓରଫ୍ ଲୋକନାଥ ପୂଜାପଣ୍ଡା ଯେମିତି କ’ଣ କହିବ କହିବ ହେଉଥିଲା । କହିଲା, ‘ବଡ଼ ତକଲିପି ହେଲା ଆଜ୍ଞା ! ଦିହଟାଯାକ ତ ଖାଲି ଘା’ ମାଡ଼ିଗଲା । ଅଫିମ ଟିକିଏ ଚାହା ଟିକିଏ ଖାଇ ବ୍ରହ୍ମା ଜାଗାରେ ପଡ଼ି ପଡ଼ି ମଲା ।’

ଶ୍ୟାମାକାଳୀଙ୍କ ବୁଡ଼ା ପୂଜାରୀ ନୋକନି ମୁହଁରୁ କଥା ଛଡ଼ାଇ ନେଲା ପରି କହିଲା, ‘ଆରେ ମରି ନାଇଁ ଯେ ତରିଗଲା । କେଡ଼େ ଯୁଆନ ଥିଲା ସେ । ଯିଏ ନ ଦେଖିଚି, କ’ଣ ଜାଣିବ ? ଯେମିତି ଯୁଆନ, ସେମିତି ଭାଙ୍ଗୁଆ, ସେମିତି ସଉକୀ । ସିଏ ମୁଁ ସଙ୍ଗାତ ବଇଥେଲୁ । ଏଇ ହାତରେ କେତେ କଲିକତୀ ବହୁରୂଚି ମଡ଼େଇଚି । ବ୍ରହ୍ମଚାରୀ ସରା ସରା ଭାଙ୍ଗ ପାଣିପରି ପିଇ ଦବ । ଏକାଥରେ ଗୋଟିଏ କୁଡ଼ିଆ ଅଭଡ଼ା ଖାଇବାବାଲା । ତାଡ଼େ ଚଢ଼େଇନେବା ତା’ ପେଟକୁ ନିଅଣ୍ଟ । ଛାଡ଼...କଲବଲ ହେଇ ମଲା । ସହଜେ ପିଣ୍ଡରୁ ପ୍ରାଣ ଛାଡ଼ିଲା ନାଇଁ । ସବୁ କଥେ, ଭାଗ୍ୟ କଥେ ।’

ନୋକନି କହିଲା, ‘ମଉସା, ଯାହା କହିଲ, ସତ । ମୋ ପିଲାଦିନେ ମୁଁ ଦେଖିଚି, ଶ୍ୟାମାକାଳୀଙ୍କ ପାଖେ ଯାହାର ଶଙ୍ଖୁଡ଼ି ଭୋଗ ହେଲେ ବ୍ରହ୍ମଚାରୀଙ୍କୁ ଆଗେ ଡକରା । ଏଡ଼େ ବଡ଼ ଶିଳ ପଡ଼ିଥିବ, ଭାଙ୍ଗ ବଟା ହେଉଥିବ, ଗୀତ ବୋଲା ଚାଲିଥିବ, ପଖୌଜ ମାଡ଼ି ଚାଲିଥିବ । ବୋଲିବାଣୀରେବି କିଏ ବଳେଇ ଯିବାକୁ ନାଇଁ । ମଉଜୀ ଲୋକ । ପଶାପାଲୀ ଉପରେ ବସିଥିଲେ ଖାଇବା ପିଇବା କଥା ପଚାରେ କିଏ ?’

ଆଲୋଚନାଟା ଆସ୍ତେ ଆସ୍ତେ ଜମୁଥିଲା । ମୁରାରୀ ଦାସ, ଶ୍ୟାମଘନ, ବୁଢ଼ା ପୂଜାରୀଙ୍କ ପରି ବୁଢ଼ାମାନଙ୍କ ସାଙ୍ଗକୁ ଲୋକନାଥ ପୂଜାପଣ୍ଡା, ରଘୁନାଥ ପଶୁପାଳକ, ବିଶ୍ୱନାଥ ପଶୁପାଳକଙ୍କ ପରି ଟୋକାମାନେ ଯୁଟିଥିଲେ । ଉଜ୍ଜ୍ୱଳ ଡେ ଲାଇଟ ଆଲୁଅରେ ସମସ୍ତେ ଯେମିତି ଟିକିଏ ତେଜି ହୋଇ ବସିଥିଲେ । ରାମ ଗୋଛିକାରଙ୍କ ସାନ ଝିଅ କାଚ ପ୍ଲେଟ୍‍ରେ ପାନଖିଲ ଓ ଗୁଣ୍ଡି ମେଞ୍ଚାଏ ଥୋଇ ଦେଇଗଲା । ସେମାନେ ଖଣ୍ଡିଏ ଖଣ୍ଡିଏ ପାନ ପାଟିରେ ପକାଇଲେ ।

ବୁଢ଼ା ପୂଜାରୀ କହିଲା, ‘ତମେ ପିଲାଗୁଡ଼ାକ ନୋକନି । ଏ ମହରଗ ବେଳାରେ ତ ଭାତ ସାଙ୍ଗକୁ ନୁଣ ମିଳୁନି, ମଉଜ କ’ଣ କରିବ । ତୋ ବାପା ପହଣ୍ଡା ଥିଲେ କହନ୍ତା । ମୋଠୁ ଦଶବର୍ଷ ବଡ଼ ସିଏ । ଜଗନ୍ନାଥ ପହଣ୍ଡିବେଳେ ଜନ୍ମ ହୋଇଥିଲା ବୋଲି ତା ନାଁ ପହଣ୍ଡା । ଭୀମ ପରି ଚେହେରା । କଦମଗଡ଼ ଜେଗାରେ ଦଣ୍ଡ ବୈଠକ ମାରିବା, ମୁଦ୍ଗର ବୁଲାଇବା ମୁଁ ଦେଖିଚି । ଘରେ ତ ରହେ ନାଇଁ କେବେ, ସବୁବେଳେ ଜେଗା ଘରେ । ତା’ ବେଳେ ସିଏ ସବୁଠୁ ବଡ଼ ଭାଙ୍ଗୁଆ । କୋଉ ମେଣ୍ଢା ନଢ଼େଇ, ଆଖେଡ଼ା ପିଲା ନାଚରେ ପହଣ୍ଡା ନଥିବ, ଏମିତି ନାଇଁ ।’

ନିଜ ବାପର ପ୍ରଶଂସା ଶୁଣି ନୋକନି ଟେକି ହୋଇ ବସିଲା ।

ଶ୍ୟାମଘନ, କହିଲେ ‘ସେମିତି ଲୋକ ଆଉ କାହାନ୍ତି ? ସାଇ ଯାତରେ ଦେଖିବ ପହଣ୍ଡାକୁ । ତରବାରୀ ଚଳାଉଥିଲେ ଆଖି ଖୋସି ହୋଇଯିବ, ରାମରଜ ବୋଳି ହୋଇ ନିଝାମ ଝାଡ଼ୁଥିଲେ ଦେଖଣାହାରୀ ତାଟେଙ୍ଗା ହୋଇ ଅନାଇଥିବେ । ତା’ପରି ଆଉ ନାଗା ବନ୍ଧେଇବ କିଏ-? ତା’ ନାଗା ପାହୁଲ, ନାଗା ଆଖି, ଆଉ କାହାର ହବ !’

ନୋକନି କହିଲା, ‘ବାପା ମରିବାର କୋଡ଼ିଏବର୍ଷ ହେଲାଣି । ଆମ ଘରେ ଭାଡ଼ି ଉପରେ ସେମିତି ତାଙ୍କର ସେଇ ନାଗା ବନ୍ଧେଇବା ସଜ ଥୁଆ ହୋଇଚି । ସେଇ ଛୁରି, ବର୍ଚ୍ଛା, ଫାର୍ଶା, ଢୋଲ, ଫୁଲି ସବୁ ଥୁଆ ହୋଇଚି ।’

ଏତିକିବେଳେ ଆଗପଛ ହୋଇ ଚାରି ଜଣ ବୋଝିଆ ମୁଣ୍ଡରେ ମହାପ୍ରସାଦ ବୋଝମାନ ଧରି ପହଞ୍ଚିଗଲେ । ନୋକନି ସଙ୍ଗେ ସଙ୍ଗେ ଉଠି ଆସି ସେମାନଙ୍କ ମୁଣ୍ଡରୁ ବୋଝ ଓହ୍ଲାଇ ଦେଲା । ବୋଝିଆମାନେ ବୋଝସବୁ ଥୋଇ ଦେଇ ଗାମୁଛାରେ ସେମାନଙ୍କ ଦେହରୁ ଝାଳ ପୋଛିବାରେ ଲାଗିଲେ । ଜଣେ ତା’ କର୍କଶ ଗଳାରେ କହିଲା, ‘ଚାରିଟା ବାଇହାଣ୍ଡି, ବାରହାଣ୍ଡି ଡାଲି ତରକାରୀ । ଆଉ ଦି’ ବୋଝ ଆସୁଚି ।’

ରାମ ଗୋଛିକାରଙ୍କ ଘର ଭିତରକୁ ମହାପ୍ରସାଦ ବୁହା ହୋଇଗଲା । ମହ ମହ ବାସ୍ନାରେ ସ୍ଥାନଟି କମ୍ପୁଥାଏ । ବିଶୁନି ପଶୁପାଳକ ପଚାରିଲେ, ‘ଆରେ ସୁଆର କିଏ ?’

‘ଜଣେ ବୋଝିଆ କହିଲା, ‘‘ହରି ମହାସୁଆର । ପାରାକାର ଆଉ ଜଣେ କହିଲା, ‘ଗୋଛିକାରେ ତ ସବୁ ଖଟଣିକି କିଣି କରି ଦେଇଥିଲେ ।’

ରାମ ଗୋଛିକାର ନିଜେ ଏତିକିବେଳେ ବାହାରକୁ ଆସିଲେ । ସେ ଲଣ୍ଡା ହୋଇଥିଲେ, ନୂଆ ଧୋତିଟିଏ ପିନ୍ଧିଥିଲେ । ବେଶ୍ ମାଂସଳ ଗୋରା ଚେହେରା । ମୁରବୀ ପରି ଦିଶୁଥିଲେ । କହିଲେ, ‘ଘଣ୍ଟେ ହେଲା ସକାଳଧୂପ ଉଠିଲାଣି । ରାଧାମାଧବ ଚାଲି ପକେଇ ଆସୁଥିଲ କି– !’

ବୋଝିଆମାନେ ପ୍ରତିବାଦ କଲେ । ଜଣେ କହିଲା, ‘କ’ଣ ଏମିତି କହିବା ହଉଚନ୍ତି ଅବ୍‍ଧାନ୍ । ଯେମିତି ମାଲ ବାହାରିଚି–ତୀର ମାର୍ଗେ ନେଇଆସୁଚି ।’

ଗୋଛିକାରେ ବିରକ୍ତିରେ ସେମାନଙ୍କୁ ପଇସା ବଢ଼ାଇ କହିଲେ, ‘ହଉ ହଉ ନେଲ ତମ ବୋଝମୂଲ !’ ଗୋଛିକାରଙ୍କ ଆଙ୍ଗୁଠିର ସୁନା ମୁଦିସବୁ ଆଲୁଅରେ ଚିକ୍ ଚିକ୍-ଦିଶୁଥିଲା ।

‘କେତେ ଦେଉଛନ୍ତି ଅବ୍‍ଧାନ୍,’ ଜଣେ ବୋଝିଆ କହିଲା, ‘ଜଣପିଛା ପାଁସୁକା କଥା ଛିଣ୍ଡିଚି ।’

ଏହାପରେ କିଛି ସମୟ ଚାଲିଲା ଯୁକ୍ତିତର୍କ । ଏକ ପକ୍ଷରେ ରାମ ଗୋଛିକାରେ, ଅନ୍ୟ ପକ୍ଷରେ ବୋଝିଆମାନେ । ଶେଷରେ ଟଙ୍କାଟେ ଲେଖାଏଁ ନେଇ ବୋଝିଆମାନେ ଖାଲି ବେତାଟିମାନ ମୁଣ୍ଡରେ ଥୋଇ ମନକୁ ମନ ଗର ଗର ହୋଇ ଫେରିଲେ ।

ସେତେବେଳକୁ ରାତି ପ୍ରାୟ ଆଠଟା ହୋଇଥିଲା । କ୍ରମଶଃ ଜଣକ ପରେ ଜଣେ ଲୋକ ଆସି ଜୁଟୁଥିଲେ । ନୋକନି ପିଣ୍ଡା ଉପରୁ ତଳକୁ ଓହ୍ଲାଇ ଆସି ପଙ୍ଗତ ପାଇଁ ପହଞ୍ଚୁଥିବା ଲୋକମାନଙ୍କୁ ‘ଆସିବା ହୁଅନ୍ତୁ, ଛାତ ଉପରେ ବ୍ୟବସ୍ଥା ହୋଇଚି’ କହି ଛାତ ଉପରକୁ ବାଟ ଦେଖାଉଥିଲା । ଯୋଉଠି ପଙ୍ଗତ ପାଇଁ ଡକରା ହେଲେ ଆପେ ଆପେ ଉପରେ ପଡ଼ି ସେ ବେଭାରୀ ହୁଏ । ଭଲ ପରଶୁଣି ବୋଲି ପୁରୀ ସହରରେ ତା’ର ନାଆଁ ଅଛି । ପାକେଲା ଗାମୁଛା ଅଣ୍ଟାରେ ଭିଡ଼ି ସେ ମହାପ୍ରସାଦ ପରଶି ଗଲାବେଳେ ତାକୁ ତାରିଫ୍ ନ କରିବ, ଏମିତି କେହିନାହିଁ ।

ଆସି ପହଞ୍ଚୁଥିଲେ ଜଣକ ପରେ ଜଣେ । ଯେଝା ସମୟରେ ଯିଏ ଆସିବା କଥା । ଦେଉଳର ଭୋଗ ଉଠିବା ସମୟ ତ ଠିକଣା ନଥାଏ; ତଥାପି ଯେଉଁମାନେ ପଙ୍ଗତକୁ ଯିବା କଥା, ସେମାନେ ପ୍ରାୟ ବୁଝିନିଅନ୍ତି, କୋଉ ଭୋଗରେ ଖଟଣି ଦିଆଯାଇଛି ଓ ସେହି ଅନୁସାରେ ଆସି ପହଞ୍ଚନ୍ତି ।

ମୁରାରୀ ଦାସ, ଶ୍ୟାମଘନ, ବୁଢ଼ା ପୂଜାରୀ, ରଘୁନି, ବିଶୁନିବି ପିଣ୍ଡାରୁ ଉଠି ଛାତ ଉପରକୁ ଗଲେ । ନୋକନି କହିଲା, ‘ଆଉ ଡେରି କାହିଁକି ? ଲୋକ ହୋଇ ଗଲେଣି । ପ୍ରଥମ ପଙ୍ଗତ ବଢ଼ିଯାଉ ! ସ୍ଥାନ ସଂକୀର୍ଣ୍ଣ ।’

ରାମ ଗୋଛିକାରଙ୍କ ପୁରୁଣା କୋଠାଘରର ଛାତ ଉପରେ ଲାଗି ଲାଗି ହୋଇ ନିମନ୍ତ୍ରିତ ଅତିଥିମାନେ ବସିଲେ । ମୁରାରୀଙ୍କ ପାଖକୁ ବସିଲେ ଶ୍ୟାମଘନ, ତାଙ୍କ ପାଖକୁ କୁଆଡ଼ୁ ଆସି ବସି ପଡ଼ିଲା ମାଧବ, ଆଶାବାଡ଼ିଟା ପଛକୁ ଥୋଇ । ଅତିଥିମାନେ ବସି ସାରିବା ପରେ ଅଧର ଦଇତାପତି ଗୋଟିଏ ହାତରେ ଏକ ପ୍ରକାଣ୍ଡ ତମ୍ବା ଢାଳ ଓ ଅନ୍ୟ ହାତରେ ମେଞ୍ଚାଏ ବଟା ଭାଙ୍ଗ ଧରି ପହଞ୍ଚି ଗଲେ । ଜଣ ଜଣ କରି ପଚାରି ଗଲେ, ‘ଟିକିଏ ହଉ ।’ କେହି ବିନା ଦ୍ୱିଧାରେ କେହି ସାମାନ୍ୟ ବଳତ୍କାରରେ ଟେଳେ ଲେଖାଏଁ ନିଗୁଦି ପାଟିରେ ପକାଇ ଢୋକେ ଲେଖାଏଁ ପାଣି ପିଇଲେ ।

ମାଧବ ନିଗୁଦିଟେଳାକ ପାଟିରେ ପକାଇ ସାରି କହିଲା, ‘ଦଇତାପତିଏ, ଇୟେ ହେଲା ନାହିଁ । ଏଥିରେ କ’ଣ ଆଖି କଇଁଚି କାକୁଡ଼ିଆ ବୁଲିବ ?’

ବିଶୁନି ମାଧବ ଆସିବାବେଳୁ ତାକୁ କଣେଇ କଣେଇ ଚାହୁଁଥିଲେ । ନୂତନ ମିଷ୍ଟାନ୍ନ ଭଣ୍ଡାରରେ ତାଙ୍କୁ ଯେ ମାଧବ ‘ଗୁଣ୍ଡା’ କହିଥିଲା, ଏ କଥା ସିଏ ଏଯାଏଁ ଭୁଲି ନଥିଲେ । ମାଧବ ଆଡ଼କୁ ନ ଚାହିଁ ତାକୁ ଶୁଣେଇ ଶୁଣେଇ ବିଶୁନି କହିଲେ, ‘ଆରେ ପଞ୍ଚକୋଶୀ କ’ଣ ଭାଙ୍ଗ ଖାଇବେ-। ଶିଳଧୂଆ ପାଣି ଟିକିଏ ଶୁଂଘେଇ ଦେଲେ ପରା ମାରଗେ ନେଉଟିବେ ।’

ଏ ମନ୍ତବ୍ୟରେ ଅଧର ଦଇତାପତିଙ୍କ ସମେତ ଉପସ୍ଥିତ ସମସ୍ତେ ହୋ ହୋ ହସି ଉଠିଲେ । ମାଧବ ଯେ ଖୋଦ୍ ପୁରୀ ସହରିଆ ନୁହେଁ, ତା’ ବାପ ଅଠରନଳା ପାଖର ଗୋଟିଏ ଗାଁରୁ ଆସି ସହରରେ ଘର କରିଥିଲେ, ଏକଥା ଯେଉଁମାନଙ୍କୁ ଜଣାଥିଲା, ସେମାନେ ମାଧବ ଆଡ଼କୁ ଟିକିଏ ଅବଜ୍ଞାରେ ଅନାଇଲେ ।

ମାଧବକୁ କିନ୍ତୁ ଅପମାନଟା ବଡ଼ ବାଧିଲା । ତା’ ବାପ ଅଠରନଳାରୁ ଆସିଚି ସତ, ସିଏ କିନ୍ତୁ ଏଇ ପୁରୀ ସହରରେ ବଢ଼ିଚି । ଯମୁନା ଗାଧୁଆଠାରୁ ସାଇଯାତ ଯାଏଁ, ପୁଣି ମେଣ୍ଢା ଲଢ଼େଇଠାରୁ ଗୋଟି ପୁଅ ନାଚ ଯାଏଁ, ସବୁଠି ମାଧବ ରହି ଆସିଚି । ଥରେ ବାଜି ପକେଇ ଚଳନ୍ତା ରେଳଗାଡ଼ିରୁ ଡେଇଁ ପଡ଼ି ପିଲାଦିନୁ ଗୋଟିଏ ଗୋଡ଼ ସେ ହରାଇଥିଲା । ସେଇଦିନୁ ଆଶାବାଡ଼ିଟିହିଁ ତା’ର ହରାଇଥିବା ଗୋଡ଼ର କାମ ଦେଉଚି । ତା’ ନ ହେଲେ ସିଏବି କୁସ୍ତି କସରତ୍‍ରେ ଯୋଗ ଦେଇଥାନ୍ତା । ନିଜେ କୁସ୍ତି ନ କରିପାରିଲେବି କୁସ୍ତି ପ୍ରତିଯୋଗିତାବେଳେ ତା’ର ସବୁଠୁ ବେଶୀ ଉତ୍ସାହ । ସହରର ପହିଲିମାନ୍‍ମାନଙ୍କ ସଙ୍ଗେ ତା’ର ବେଶ୍ ଦୋସ୍ତି । ସେମାନଙ୍କ ସଙ୍ଗେ କୁସ୍ତିର କାଇଦା ବିଷୟରେ–ଘଣ୍ଟା ଘଣ୍ଟା ଗପିଲାବେଳେ ଯିଏ ତା’ କଥା ଶୁଣିବ, ଭାବିବ, ମାଧବ ନିଶ୍ଚୟ ଗୋଟାଏ ବଡ଼ ପହିଲିମାନ୍‌ ହୋଇଥିବ ।

ନୋକନି କଦଳୀପତ୍ର ବିଡ଼ାକ ଧରି ସମସ୍ତଙ୍କ ଆଗରେ ଗୋଟିଏ ଗୋଟିଏ ପକାଇ ମାଧବ ଆଗକୁ ଆସିଲାବେଳେ ମାଧବ କହିଲା, ‘ନୋକନି, ଭୋଟ ବେଳ ୟେ । ଖଟିଖିଆମାନଙ୍କରବି ଭାଙ୍ଗ ଭୋଜନର ଅଭାବ ନାଇଁ ।’

ମାଧବ କଥାରେ ସବୁଆଡ଼େ ହାସ୍ୟରୋଳ ଖେଳିଗଲା ନାହିଁ ସତ, କିନ୍ତୁ ବିଶୁନି କଥାଟି ଠିକ୍ ବୁଝିପାରିଲେ । ସିଏ ଅର୍ଜ୍ଜୁନ ଗୋଛିକାର ପାଇଁ ପ୍ରଚାର କରୁଥିବାରୁ ମାଧବ ତାଙ୍କୁ ଏମିତି ଇଲେଇତି କରୁଚି । ସେ ତାଙ୍କ କାନ୍ଧ ଉପର ପାକେଲା ଗାମୁଛାରେ ମୁହଁଟା ପୋଛି ନେଇ ଥରେ ମାଧବ ଆଡ଼କୁ ଚାହିଁ ତା’ପରେ ପାଖରେ ବସିଥିବା ତାଙ୍କ ଭାଇ କାନରେ କ’ଣ ଚୁପ୍ ଚୁପ୍ କହିଲେ-

 

ମୁରାରୀ ଦାସ ମାଧବ ପାଖରେ ବସିଥିବାରୁ ବିଶୁନି ଓ ମାଧବ ମଧ୍ୟରେ ଚାଲିଥିବା ଏ ବାକ୍ୟ ବିନିମୟ ତାଙ୍କ ଦୃଷ୍ଟି ଏଡ଼ାଇ ପାରି ନଥିଲା; ପୁଣି ଅଳ୍ପ ଦିନତଳେ ନୂତନ ମିଷ୍ଟାନ୍ନ ଭଣ୍ଡାରରେ ବିଶୁନି ମାଧବକୁ ଯେପରି ମାଡ଼ ମାରିଥିଲେ, ତାହା ମୁରାରୀ ନିଜେ ଦେଖିଥିଲେ । ଘଟଣାଟି କାଳେ ଅପ୍ରୀତିକର ହୋଇ ପଡ଼ିବ, ଏଇ ଆଶଙ୍କାରେ ସେ ମାଧବକୁ କହିଲେ, ‘ଆରେ, ଏ ଭୋଟ ପାଇଁ ତମେ ସବୁ ଏମିତି ମାତିଚ କାହିଁକି ?–ପାଞ୍ଚବର୍ଷରେ ସିନା ଥରେ ଭୋଟ, ସବୁବେଳେ ତ ପୁଣି ଭାଇ ଭାଇ ପରି ଏକାଠି ରହିବ ? ନା ନାଇଁ ?

 

ମାଧବ ମୁରାରୀ ଦାସଙ୍କୁ ସମର୍ଥନ କଲାପରି ମୁଣ୍ଡ ହଲାଇଲା ।

 

ଶ୍ୟାମଘନ କହିଲେ, ‘‘କାହିଁକି କହୁଚନ୍ତି ଏ ଟୋକାଙ୍କ କଥା । ମୋ ପୁଅ କଥାରୁ ତ ମୁଁ ଦେଖୁଚି । ସକାଳୁ ଯାଉଚି କୁଆଡ଼େ ଯେ ଫେରୁଚି ରାତି ଅଧକୁ । କାଲି ରାତିରେ ତ ମୋଟେ ଆସିଲା ନାଇଁ । ସକାଳୁ ଆସିଲା । ମହାଜନତାପାର୍ଟି କାମରେ କ’ଣ ଲାଗିଚି ।’

 

ମୁରାରୀ କହିଲେ, ‘ଆଏ, ତାକୁ ଦେଖିଲିଣି କେତେଥର । ଭାଗୀରଥ ପାଇଁ ଭୋଟ ପ୍ରଚାର କରୁଚି ।’

 

ଶ୍ୟାମଘନ କହିଲେ, ‘ଦାସେ, ମୁଁ କ’ଣ ଖବର ପାଉନାଇଁ ? ସବୁ ଖବର ପାଉଚି । ଛାଡ଼, ମୋ ଭାଗ୍ୟ’–ତା’ପରେ ଚୁପ୍ ଚୁପ୍ ମୁରାରୀଙ୍କ କାନ ପାଖେ କହିଲେ, ‘ମୁଁ ତାକୁ ବୁଝାଇଲି–ହଇରେ, ତତେ ଇଥିରୁ କ’ଣ ମିଳିବ ? ଆପଣା ସ୍ୱାର୍ଥରେ ଲାଗିଛନ୍ତି ସମସ୍ତେ । ଯିଏ ଭୋଟ ପାଇବ, ସିଏ କେମିତି ଦି’ପଇସା ଖାଇବ, ବଡ଼ ଲୋକ ହବ, ଏଇ କଥା ଭାବୁଚି । ଆମ ପରି ଲୋକ ସେ କାଦୁଅରେ ପଶିବ କିଆଁ, ଗୋଡ଼ ଧୋଇବ କିଆଁ ?’

 

ଶ୍ୟାମଘନ ମୁରାରୀଙ୍କ ମୁହଁର ଏତେ ପାଖକୁ ମୁହଁ ଲଗାଇ କଥା କହୁଥିଲେ ଯେ ତାଙ୍କ ପାଟିରୁ ଛେପ ଆସି ମୁରାରୀଙ୍କ ଗାଲ ଉପରେ, ପଡ଼ୁଥିଲା । ମୁରାରୀ କହିଲେ, ‘ଠିକ୍ କଥା ଠିକ୍ କଥା ।’

 

ପରଷୁଣୀମାନେ ଏହା ଭିତରେ କଦଳୀପତ୍ର ଉପରେ ମହାପ୍ରସାଦ ବାଢ଼ି ସାରିଥିଲେ । ନୋକନି ହାତରେ ଘିଅ ବଢ଼ାଟାଏ ଧରି ସେଥିରେ ଡାହାଣ ହାତ ଆଙ୍ଗୁଠି ସବୁ ବୁଡ଼ାଇ ତରତର ହୋଇ ପ୍ରତି ପତ୍ର ଉପରେ ଘିଅ ଟୋପାଏ ଲେଖାଏଁ ଛିଞ୍ଚି ଦେଇଗଲା । ବୁଢ଼ା ପୂଜାରୀ ଘାଗଡ଼ା ସ୍ୱରରେ ସମସ୍ତଙ୍କୁ ଶୁଣାଇ କହିଲା, ‘ହାତ ଚାଲୁ ।’

 

କେହିଜଣେ ବଡ଼ ପାଟିରେ ଗାଇଉଠିଲେ, ‘ନୀଳାଞ୍ଚଳ ନିବାସାୟ ନିତ୍ୟାୟ ପରମାତ୍ମନେ...’ ଓ ତାଙ୍କ ଶ୍ଳୋକ ଆବୃତ୍ତି ସରିବା ଆଗରୁ ନିମନ୍ତ୍ରିତ ଅତିଥିମାନେ ମହାପ୍ରସାଦ ଭୋଜନ ଆରମ୍ଭ କରିଦେଇଥିଲେ ।

Image

 

(ଷୋହଳ)

 

ହାଡ଼ିସାହିର ଘର ସବୁ ହୁତ୍ ହୁତ୍ ଜଳି ଯାଉଥିଲା, ଦରିଦ୍ର ମେହେନ୍ତରମାନଙ୍କ ନୁଆଁଣିଆ ଚାଳଘର ସବୁ । ସାପ ଜିଭପରି ଲହ ଲହ ନାଲି ନିଆଁ ଉତ୍ସାହିତ ହେଲାପରି ଉପରକୁ ଉଠୁଥିଲା । ଧୂଆଁରେ ଆକାଶଟା ଛାଇ ହୋଇ ଯାଇଥିଲା । ସାରା ବସ୍ତିଟିର ଲୋକେ ଠାକୁରାଣୀଙ୍କ ଚଉତରା ପାଖରେ ହୋ–ହୋ ଚିତ୍କାର କରୁଥିଲେ । ମାଇପିମାନେ ଆରମ୍ଭ କରିଦେଇଥିଲେ ବାହୁନା–ଲହରେଇ ଲହରେଇ ସେମାନେ କାନ୍ଦୁଥିଲେ । ମାଆମାନଙ୍କ କାନ୍ଦ ଦେଖି ଛୋଟ ପିଲାମାନେବି ରାହା ଧରିଥିଲେ । ବଡ଼ପିଲାମାନେ ଆବାକ୍ ହୋଇ ଅନାଇ ଦେଖୁଥିଲେ–ସେମାନଙ୍କ ଘର ସବୁ କେମିତି ଜଳି ପାଉଁଶ ହୋଇଯାଉଚି, ରଡ଼ନିଆଁ ହୋଇ ଚାଳ ସବୁ ତଳକୁ ଖସି ପଡ଼ୁଚି–ବାଉଁଶ ମଡ଼ ମଡ଼ ଫୁଟୁଚି, କେତେ ପ୍ରକାର ବିକଟାଳ ଗନ୍ଧ ନାକରେ ବାଜୁଚି । ବଡ଼ମାନେ ପାଗଳ ପରି ଏଆଡ଼େ ସେଆଡ଼େ ଧାଇଁଛନ୍ତି । ବାଲ୍‍ଟି ବାଲ୍‍ଟି ପାଣି ଆଣି ନିଆଁ ଉପରେ ଫିଙ୍ଗୁଛନ୍ତି । ନିଆଁ କିନ୍ତୁ ଥଟ୍ଟା କଲାପରି ଉଠୁଚି ଉପରକୁ ଉପରକୁ । ନାଲି ନିଆଁ ଧାସରେ ଚଉତରା ଉପର ଠାକୁରାଣୀ ଭୟଙ୍କର ଦିଶୁଛନ୍ତି । ମେହେନ୍ତର ସ୍ତ୍ରୀ ଓ ପୁରୁଷମାନେ ଦିଶୁଛନ୍ତି ବିକଟାଳ, ପ୍ରତିମୂର୍ତ୍ତି ପରି ।

 

ଜଳି ଯାଉଚି ଚାଳଘର ସବୁ । ଗାନ୍ଧିନଗର ଜଳି ଯାଉଚି ।

 

ଦୂରରୁ ଏ ଦୃଶ୍ୟ ଉପଭୋଗ କରୁଥିଲେ ନବଘନ ଓ ବିଶୁନି; ଗାନ୍ଧିନଗରଠାରୁ ଅଧମାଇଲିଏ ଦୂରରେ ଗୋଟିଏ ଅନ୍ଧାରୁଆ ସ୍ଥାନରେ ଠିଆ ହୋଇ ସେମାନେ ବିଡ଼ିରେ ନିଆଁ ଧରାଇଲେ । ସେମାନେ ଚୁପ୍‍ଚାପ୍‌ କଥା ହେଉଥିଲେ ଓ ଚୁମୁଟାଚୁମୁଟି ହୋଇ ହସୁଥିଲେ । ସେମାନେ ଘରପୋଡ଼ିର ଜଳନ୍ତା ନିଆଁରେ ସମସ୍ତଙ୍କୁ ଦେଖିପାରୁଥିଲେ, ସେମାନଙ୍କୁ କିନ୍ତୁ କେହି ଦେଖିପାରୁ ନଥିଲେ । ବିଶୁନି କାନ୍ଧ ଉପରେ ପକାଇଥିବା ଗାମୁଛାଟା ସଳଖି ନେବାପାଇଁ କାନ୍ଧଟାକୁ ଦି’ଥର ଝାଙ୍କି ଦେଇ କହିଲେ, ‘‘ଦେଖ୍ ମ ସେ ଘନିଆ ହାଡ଼ିକି ! ମନ୍ତ୍ରୀ ଆସିବା ଦିନ ତା’ର ଯୋଉ ଗୁମର । କ’ଣ ନା ସମାଜବାଦ ପାଇଁ ଭାଗୀରଥକୁ ଭୋଟ ଦବ । ଦଉଥା ଭୋଟ ! ପିଲା ମାଇକିନା ଧରି ବଡ଼ ଦାଣ୍ଡରେ ଠିଆହେଲେ ସମାଜବାଦ କ’ଣ ବୁଝିବୁ ।’’

 

ନବଘନ ହୋ ହୋ ହସିଲା । କହିଲା, ‘ଏ ପାନକ ନ ପାଇଥିଲେ ଶଳେ ଚେଙ୍କି ନ ଥାନ୍ତେ । କିବେ, ତମେ ତ ମଇଳା ସଫା କରିବା ଲୋକ । ତମେ କ’ଣ ବୁଝିବ ରାଜନୀତି, ସମାଜବାଦ, ନିର୍ବାଚନ ! ମହାଜନତା ପାର୍ଟି ଜିଣିଲେ ହାରିଲେ ତମର କି ଫାଇଦା ? ସେ ଦିନ ସଭା କରି ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କରିବା ତମର କ’ଣ ଦରକାର ଥିଲା ? ମୁଁ ଯଦି ଷଣ୍ଢଟାକୁ ସଭାରେ ନ ପୂରାଇଥାନ୍ତି ।’

 

ବିଶୁନି ନବଘନକୁ ତାରିଫ କରି କହିଲେ, ‘ଯାହା କହ ମାହାଜେ, ମାତ୍‌ କରିଦେଲ ସେଦିନ । ରାଜନୀତି ତ ଆଉ ମାଧବ ପରି ହାଣ୍ଡିଖିଆଙ୍କ ଦେହି ହବନାହିଁ । ସଭାରେ ଷଣ୍ଢ ପୂରେଇବା କଥାଟା ତମ ମୁଣ୍ଡକୁ ଢୁକିଲା ବୋଲିନା !’

 

ନବଘନ ଗାଈ ଘାସ ଚାକୁଳେଇଲା ପରି ପାନ ଚୋବାଉ ଚୋବାଉ କହିଲା, ‘‘ରାଜନୀତି ସହଜ କଥା ନୁହେଁ, ପୁଷ୍ପାଳକେ । ଖଣ୍ଡାଧାରରେ ଚାଲିବା କଥା । ମୋରି କଥା ଦେଖ । ବାହାରକୁ ଲୋକେ ଜାଣିବାରେ ମୁଁ ମହାଜନତା ପାର୍ଟିର କର୍ମୀ; କିନ୍ତୁ ଅସଲରେ ଖଟିଖିଆ ପାର୍ଟି ପାଇଁ ଜାନ୍‌ ଦେବାକୁବି ମୋର ପରବାୟ ନାହିଁ । ତମେ ତ ଜାଣ । ଭାଗୀରଥଠୁ ଟଙ୍କା ପକେଇ ଅର୍ଜ୍ଜୁନ ଗୋଛିକାରଙ୍କ ପାଇଁ କାମ କରିବା ରାଜନୀତି, ବୁଝିଲ ?’

 

ଏତିକିବେଳେ ଟିଂ-ଟିଂ ଶବ୍ଦ କରି ଗୋଟାଏ ଦମ୍‍କଳ ସେଇ ବାଟ ଦେଇ ଗଲା । ଟିଂ-ଟିଂ ଶବ୍ଦରେ ବିଶୁନି ଓ ନବଘନ ଚମକି ପଡ଼ିଲେ । ବିଶୁନି କହିଲା, ‘ଏଥର ଆସୁଥାଉ ଦମ୍‍କଳ । ସବୁ ସଫା ହୋଇ ସାରିଚି ।’

 

ସତକୁ ସତ ସେତେବେଳକୁ ହାଡ଼ିସାହି ପୋଡ଼ି ଛାରଖାର ହୋଇସାରିଥିଲା । ବସ୍ତିଟାଯାକର ମେହେନ୍ତର ରାସ୍ତା ଉପରେ ନିଃସହାୟ ହୋଇ ସେମାନଙ୍କ ଘର ଓ ସଂସାରର ପାଉଁଶ କୁଢ଼କୁ ଅନାଇଥିଲେ । ସେମାନଙ୍କୁ ସାନ୍ତ୍ୱନା ଦେଲାପରି ଦମ୍‍କଳବାଲା ଲମ୍ବା ଟିଉବ ସବୁ ରାସ୍ତା ଉପରେ ଲମ୍ବାଇ ଦେଇ ପୋଡ଼ାଘରମାନଙ୍କ ଉପରକୁ ପାଣି ସ୍ପ୍ରେ କରିବାରେ ଲାଗି ପଡ଼ିଲେ ।

 

ବିଶୁନି କହିଲେ, ‘ନବଘନ, ମୁଁ ଏଥର ଯାଏ । ଏଯାଏଁ ଭାଙ୍ଗ ହୋଇନି । ସାଙ୍ଗମାନେ ଜେଗାରେ ଅନେଇ ଥିବେ । ତମେ ତ କହୁଚ, ହାଡ଼ି ସାହି ଆଡ଼େ ଟିକିଏ ବୁଲିଯିବ ।’

 

ଏହାପରେ ନବଘନ ହାଡ଼ିସାହି ଆଡ଼େ ଆସିଲା । ସେତେବେଳକୁ ପାଖଆଖରୁ ଅନେକ ଲୋକ ହାଡ଼ିସାହିରେ ଜମି ଯାଇଥିଲେ । –ତେବେ ନବଘନର ଆସିବା ପ୍ରତି ସମସ୍ତଙ୍କ ଦୃଷ୍ଟି ପଡ଼ିଲା । ନିର୍ବାଚନ ଆରମ୍ଭ ହେବା ଦିନୁ ଭାଗୀରଥଙ୍କ ପାଇଁ ନବଘନ ଯେପରି ପ୍ରଚାର କରୁଥିଲା, ସେଥିରୁ ମହାଜନତାରୁ ପାର୍ଟିର ଜଣେ ସଚ୍ଚା କର୍ମୀରୂପେ ନବଘନ ସହରରେ ସୁପରିଚିତ ହୋଇସାରିଥିଲା । ନବଘନ ଶୀଘ୍ର ଶୀଘ୍ର ପାଦ ପକେଇ ପ୍ରଥମେ ବସ୍ତିଟାଯାକ ଥରେ ବୁଲି ଆସିଲା-। ତା’ପରେ ଦୀର୍ଘ ନିଃଶ୍ୱାସ ଟାଏ ପକାଇ ଠାକୁରାଣୀଙ୍କ ଚଉତରା ଉପରେ ଘନ ନାହାକ ପାଖରେ ବସିପଡ଼ିଲା ।

 

ଘନ ନାହାକର ସ୍ତ୍ରୀ ସ୍ୱାମୀର ପାଦତଳକୁ ବସି ସୁକୁ ସୁକୁ ହୋଇ କାନ୍ଦୁଥିଲା । ତା’ର ପିଲା ଯୋଡ଼ିକ ମାଆ ପାଖରେ ବସି କିଛି ନ ବୁଝିବା ପରି ଏଣେତେଣେ ଅନାଉଥିଲେ । ନବଘନ ନେତାପରି କହିଲା, ‘ମାଉସୀ, ବ୍ୟସ୍ତ ହୁଅନାହିଁ । ଅତି ଶୀଘ୍ର ସରକାରୀ ସାହାଯ୍ୟ ଆସି ପହଞ୍ଚିବ । ଆଉ ଚାଳଘର ନୁହେଁ, ଏଥର ଏଠାରେ ଟାଇଲିଘର ସବୁ ତିଆରି ହେବ । ଏବେ ସ୍କୁଲ ପିଲାମାନେ ପଢ଼ୁଛନ୍ତି–କରିବ ଟାଇଲି ଘର, ନିଆଁକୁ ନଥିବ ଡର । ସତ କଥା, ଟାଇଲି ଘର ହେଲେ ନିଆଁକୁ ଆଉ କି ଡର ?’

 

ଘନ ନାହାକର ସ୍ତ୍ରୀ ଟାଇଲି ଘରର ଉପକାରିତା ବୁଝିଲା କି ନାହିଁ କେଜାଣି, ସୁକୁ ସୁକୁ କାନ୍ଦ ବନ୍ଦକରି ନବଘନ ମୁହଁକୁ ଅନାଇଲା । ନବଘନ କହି ଚାଲିଥାଏ, ‘ହରିଜନ ଭାଇମାନଙ୍କ ପାଇଁ କାଲିଠାରୁ ଆମେ ମହାଜନତା ପାର୍ଟି ପକ୍ଷରୁ ସାହାଯ୍ୟ ସଂଗ୍ରହ କରିବୁ । ହରିଜନ ମାଆ ଭଉଣୀମାନେ ରହିବେ କେଉଁଠି, ଖାଇବେ କ’ଣ ? ଯେଉଁମାନେ ସେଦିନ ସାଧାରଣ ସଭାରେ ଷଣ୍ଢ ପୂରାଇଥିଲେ, ସେମାନେହିଁ ଆଜି ଗାନ୍ଧିନଗରରେ ନିଆଁ ଲଗାଇଛନ୍ତି । ସେମାନଙ୍କୁ ଭଲଭାବରେ ଆମେ ଜାଣୁ ।’

 

‘କିଏ ସେମାନେ ?’ –କେହିଜଣେ ପଚାରି ଦେଲା । ସେତେବେଳକୁ ହାଡ଼ିସାହିରେ ଘରପୋଡ଼ି ଖବର ପାଇ ପାଖଆଖ ସାହିରୁ ଅନେକ ଲୋକ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ଏପରିକି ‘ଚାବୁକ’ ଓ ‘ମାଙ୍କଡ଼ସା’ ପରି ବିଶିଷ୍ଟ ଓଡ଼ିଆ ସମ୍ବାଦପତ୍ରମାନଙ୍କର ସାମ୍ବାଦିକମାନେ ମଧ୍ୟ ସମ୍ବାଦ ସଂଗ୍ରହ ପାଇଁ ଇତସ୍ତତଃ ହେବାର ଦେଖାଯାଉଥିଲା ।

 

ନବଘନର କଥା କହିବା ଭଙ୍ଗୀରେ ନିଶ୍ଚୟ କିଛି ଚମତ୍କାରିତା ଥିଲା । କାରଣ ଠାକୁରାଣୀଙ୍କ ଚଉତରା ପାଖରେ କ୍ରମଶଃ ଲୋକ ଭିଡ଼ ହେବାକୁ ଲାଗିଲା ।‘ମାଙ୍କଡ଼ସା’ ଦୈନିକ ସମ୍ବାଦପତ୍ରର ସାମ୍ବାଦିକ ଅତି ବିଶ୍ୱସ୍ତ ବନ୍ଧୁପରି ନବଘନର କାନ ପାଖକୁ ମୁହଁ ନେଇ ପାଟିରୁ ଦମକାଏ ଦୁର୍ଗନ୍ଧମୟ ପବନ ବାହାର କରି କହିଲେ, ‘କିଏ ସେମାନେ ?’

 

ଘନ ନାହାକ ଆଡ଼େ ନବଘନ ମୁହଁ ବୁଲାଇ ନେଇ କହିଲା, ‘ସେମାନଙ୍କୁ ସର୍ବସାଧାରଣଙ୍କ ଆଗରେ ଏଥର କଇଫତ୍ ଦବାକୁ ହେବ । ସେଥିପାଇଁ ସମୟ ଆସିଚି । ଏଇ ଗାନ୍ଧିନଗରର ଦରିଦ୍ର ପ୍ରଜାଗଣଙ୍କ ପାଇଁ ଦରକାର ହେଲେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଟାଙ୍ଗିଦେଲେବି ଦୋଷ ନାହିଁ ।’

 

ନବଘନର କଥାର ଦୃଢ଼ତା ଅନେକଙ୍କୁ ସ୍ପର୍ଶ କଲା । ଦୁଇ ହାତ ଯୋଡ଼ି ଉପରକୁ ଟେକି ଘନ ନାହାକ କହିଲା, ‘ଆଜ୍ଞା ଆମେ ଛାର ମେହେନ୍ତର ନୋକ । ଆମ ଘର ପୋଡ଼ିଦେଲ । ଆମର ଅପରାଧ ?’

ନବଘନ ଯେମିତି ଏଇ କଥା କେତେପଦ ଶୁଣିବ ବୋଲି ଅପେକ୍ଷା କରିଥିଲା । ଏଥର ସେ ବସିବା ଜାଗାରୁ ଉଠି ଠିଆହୋଇ ପଡ଼ିଲା । କହିଲା, ‘ଆପଣମାନଙ୍କର ଅପରାଧ, ଆପଣମାନେ ଚାହାନ୍ତି ସମାଜବାଦ । ଆପଣମାନେ ଚାହାନ୍ତି ଚାଷୀ ମୂଲିଆର ସାଥୀ ଭାଗୀରଥ ମହାପାତ୍ର ହୁଅନ୍ତୁ ଆପଣମାନଙ୍କର ପ୍ରତିନିଧି ।’

‘ଚାବୁକ’ ଓ ‘ମାଙ୍କଡ଼ସା’ ପତ୍ରିକାର ସାମ୍ବାଦିକମାନେ ଖଣ୍ଡିଏ ଖଣ୍ଡିଏ କାଗଜ ବାହାର କରି ପେନ୍‍ସିଲ୍‍ରେ କ’ଣ ସବୁ ଟିପି ପକାଉଥିଲେ ।

ସବୁରି ଅଲକ୍ଷିତରେ ସେଠି କେତେବେଳେ ପହଞ୍ଚି ଯାଇଥିବା ମାଧବ ଆଶାବାଡ଼ିଟା ସମ୍ଭାଳି ନେଉ ନେଉ ପାଟିକରି ଉଠିଲା, ‘ହାଁ–କଥା ସେଇଠି, କଥା ସେଇଠି । ଆପଣମାନେ ମହାଜନତା ପାର୍ଟିକୁ ଭୋଟ ଦେବେ ଜାଣି ଖଟିଖିଆ ପାର୍ଟି ଏମିତି କରିଚି । ତଥାପି ଭାଇ, ଦବି ଯାଆନ୍ତୁ ନାହିଁ । ଜାନ୍ ଗଲେବି ଆମର ସେଇ ଗୋଟିଏ କଥା–ସମାଜବାଦ !’

ମାଧବ ପଛକୁ କେହିଜଣେ ଗେଡ଼ା, ନାଲିଜାମା ଓ ଧଳା ଟୋପି ପିନ୍ଧା ଲୋକ ପାଳି ଧରିବା ପରି କହି ଉଠିଲା, ‘ସେଇ କଥା–ସେଇକଥା–ସମାଜବାଦ ।’ ନବଘନ ପରିଚିତ ସ୍ୱର ଶୁଣି ଅନାଇଲା ଲୋକଟି ଆଡ଼େ । ଦେଖିଲା ଠିକଣା ଜାଗାରେ ମାଧବ ପାଖକୁ ରାବଣାବି ପହଞ୍ଚି ଯାଇଚି ।

Image

 

(ସତର)

 

ସହରରେ କେଉଁ ଦିନ କିଛି ଚାଞ୍ଚଲ୍ୟକର ଘଟନା ଘଟିଲେ ତା’ ପରଦିନ ନୂତନ ମିଷ୍ଟାନ୍ନ ଭଣ୍ଡାରରେ ଲୋକଗହଳି ଟିକିଏ ବଢ଼ିଯିବା ସ୍ୱାଭାବିକ । ଗେରୁଆ ବସନ ପରିହିତ ଲଣ୍ଡିତମସ୍ତକ ବଙ୍ଗାଳୀ ବାବାଜୀ ଆସିବା ସମୟର ଘଣ୍ଟାଏ ଆଗରୁ ଆସି କୌଣସି ବଙ୍ଗଳା ଖବରକାଗଜ ପଢ଼ିବାରେ ଲାଗିଯାନ୍ତି । ବାବାଜୀଙ୍କୁ ସବୁ କଥାରେ ବିଶ୍ୱାସ କରୁଥିବା ଓ ସମ୍ମତି ଜଣାଉଥିବା ପାତଳା, ଚିଁ ଚିଁ ସ୍ୱରରେ କଥା କହୁଥିବା ଲୋକଟିବି ତାଙ୍କ ପଛେ ପଛେ ଆସି ପହଞ୍ଚି ଯାଏ । ମୁରାରୀ ଦାସ ତ ହୋଟେଲ ଖୋଲିବା ପରେ ପରେ ଆସି ପହଞ୍ଚନ୍ତି । ତାଙ୍କ ଆସିବା ସମୟର ବ୍ୟତିକ୍ରମ ନାହିଁ । ଅବଶ୍ୟ ଯିବା ସମୟ ବେଳେ ବେଳେ ଏପଟ ସେପଟ ହୋଇଯାଏ । ହରିଦତ୍ତ ଅଟକାଇ ଦିଏ । କହେ–‘ବ୍ୟସ୍ତ କାହିଁକି, କିଏ ଅପେକ୍ଷା କରିଚି ?

 

ସବୁଦିନେ ସେଇ ପରିଚିତ ପରିବେଶ, ନିୟମିତ ଗରାଖମାନଙ୍କ ପରିଚିତ କଣ୍ଠସ୍ୱର, ଆଲୋଚନା, ଯୁକ୍ତିତର୍କ, ଚା’ ଆଣିବା ପାଇଁ ନଟବରକୁ ଆଦେଶ, ପୃଥୁଳ ହରିଦତ୍ତର ସ୍ଥିତପ୍ରଜ୍ଞ ରୂପ ଓ ପଇସାଗଣା । ସବୁଦିନେ ଏକା ଦୃଶ୍ୟ । କେଉଁ ଘଟନାର ଆଲୋଚନାରେ କିଏ କିପରି ମତାମତ ଦେବ, କ’ଣ କହିଲେ କିଏ ଉତ୍ତେଜିତ ହେବ, ତା’ ମଧ୍ୟ ଆଗରୁ କହିବା କଠିନ ନୁହେଁ ।

 

ଗତକାଲିର ଘରପୋଡ଼ି ଘଟନା ପରେ ନୂତନ ମିଷ୍ଟାନ୍ନଭଣ୍ଡାରରେ ଲୋକ ଗହଳି ଖୁବ୍‌ ବଢ଼ିଯାଇଛି । ଗରାଖମାନଙ୍କ କଣ୍ଠସ୍ୱର ଅଧିକ ଜୋରରେ ଶୁଣାଯାଉଛି । ସକାଳୁ ସକାଳୁ ସହରର ବହୁବ୍ୟକ୍ତି ଆସି ଜୁଟି ଯାଇଛନ୍ତି । ଦୋକାନ କଡ଼ରେ ପ୍ରାୟ ଦୁଇ ଡଜନ ସାଇକେଲ୍ ଡେରା ହୋଇଛି-। କେହି ସକାଳୁ ସକାଳୁ ସମୁଦ୍ରକୂଳେ ବୁଲି ଫେରିବା ବାଟରେ, କେହି ବା ଚା’ କପେ ଖାଇବା ପାଇଁ ଏଠାରେ ଆସି ପହଞ୍ଚି ଯାଇଛନ୍ତି । ଗରମ ଚା’ ସାଙ୍ଗକୁ ଗରମ ଖବର । ଛୋଟ ସହରଟିକୁ ଉଷ୍ମତା ଓ ଉତ୍ତେଜନା ଯୋଗାଇବା ଯେପରି ନୂତନ ମିଷ୍ଟାନ୍ନଭଣ୍ଡାରର ମୁଖ୍ୟ କାର୍ଯ୍ୟ !

 

ଗଦାଧର ତାଙ୍କ ଚଷମା କାଚକୁ ରୁମାଲରେ ପୋଛୁ ପୋଛୁ କହିଲେ, ‘ରାଜନୀତିରେ ମତଭେଦ ହୁଏ, ଆଲୋଚନା ସମାଲୋଚନା ହୁଏ, ଗାଲିଗୁଲଜବି ହୁଏ; କିନ୍ତୁ ୟା ବୋଲି ଆମର ଦରିଦ୍ର ହରିଜନ ଭାଇମାନଙ୍କ ଘରେ ନିଆଁ ଲଗାଇଦେବା କେଉଁ ରାଜନୀତି ? ସକାଳୁ ଉଠି ଗାନ୍ଧି ନଗର ଆଡ଼େ ଯାଇଥିଲି । ସବୁ ଘର ଜଳି ପାଉଁଶ ହୋଇଯାଇଚି । ସମସ୍ତେ ଆକାଶକୁ ଅନାଇ ବସିଛନ୍ତି !’

 

ବିଶୁନି ପଶୁପାଳକ କିଛି ନ ଜାଣିବା ପରି ଆରମ୍ଭ କଲେ–‘ଇୟେ ଯାହାହେଲା, ଧର୍ମ ସହିବଟି ? କିହୋ, ହାଡ଼ି ସାଇଟା ଧୁ ଧୁ ଜଳିଗଲା । ଦମ୍‍କଳବାଲା ଗଲେ କୁଆଡ଼େ ? ଯୋଉ ଦଳ ନିଆଁ ଲଗେଇଲେ ସରକାର ତ ତାଙ୍କରି । ଦମ୍‍କଳ ଆସନ୍ତେ କେମିତି ? ସବୁ ଘର ଜଳିଗଲା ପରେ ଲୋକ ଦେଖାଣିଆକୁ ଦମ୍‍କଳ ଆସିଲା । ଯାହା କହ, ଏ ସରକାର ପକ୍କା ଜାଲମ ଜାଣିବ ।’

 

ରଘୁନି ବିଶୁନିଙ୍କ ପାଖରେ ବସି ଭାଇଙ୍କ କଥାକୁ ସମର୍ଥନ କରି ମୁଣ୍ଡ ହଲାଇ ଥିଲା ।

 

‘ମାଙ୍କଡ଼ସା’ର ସ୍ଥାନୀୟ ପ୍ରତିନିଧି କ’ଣ ଗୋଟାଏ ସାପ୍ତାହିକ ପତ୍ରିକାର ପୃଷ୍ଠା ଓଲଟାଉ ଓଲଟାଉ କହିଲେ, ‘ପୁଷ୍ପାଳକେ, ଦମକଳବାଲା ଯେ ଡେରିରେ ଆସିଛନ୍ତି, ଏ କଥା ସତ୍ୟ । ଆପଣ ଆମକୁ ଲିଖିତ ଅଭିଯୋଗ ଦେଲେ ଆମେ ତାହାକୁ ତ୍ୱଶ୍ଚୟ ପ୍ରକାଶ କରିବୁ ।’

 

ବିଶୁନି କହିଲେ, ‘ଆଏ, ଆଉ ସେଥିରେ ଫାଇଦା କ’ଣ ? ସବୁ ତ ଜଳି ପାଉଁଶ ହୋଇଗଲା । ତେବେ ପୁରୀବାସୀ ଇଆର ଜରୁର ଜବାବ୍‌ ଦେବେ ।’

 

ରଘୁନିବି ଭାଇଙ୍କ ମୁହଁରୁ କଥା ଛଡ଼ାଇ ନେଲାପରି କହିଲା, ‘ଜରୁର ଜବାବ ଦେବେ । ଜଗାବଳିଆଙ୍କ ଜେଗା ଇୟେ । ଇଠି ପତିତପାବନଙ୍କ ଗରବ ଗଞ୍ଜନ ବାନା ଉଡ଼ୁଛି । ମହାଜନତା ପାର୍ଟିର ଗର୍ବ ଜରୁର୍‌ ଭାଙ୍ଗିବ ।’

 

‘ମାଙ୍କଡ଼ସା’ ପ୍ରତିନିଧି ସ୍ୱର ନରମାଇ କହିଲେ, ‘ପୁଷ୍ପାଳକେ, କଥାଟା ଭୁଲ୍ ବୁଝୁଛନ୍ତି କାହିଁକି ? ଖବରକାଗଜରେ ଅଭିଯୋଗଟା ବାହାରିଲେ ଭବିଷ୍ୟତରେ ଦମ୍‍କଳବାଲା ସାବଧାନ ହେବେ । ଆଜି ହାଡ଼ିସାହିରେ ନିଆଁ ଲାଗିଲା, କାଲି ତମ ସାହିରେ ଲାଗିବ ।’

 

ନିଜ ସାହିରେ ନିଆଁ ଲାଗିବା କଥାଟା ଶୁଣି ରଘୁନାଥ ପୁଷ୍ପାଳକେ ଓରଫ ରଘୁନି ଟେବୁଲ ଉପରେ ଦୁମ୍ କରି ହାତଟା ପିଟିଦେଇ କହିଲା, ‘ଆଏ ଯାଅ ହେ ! ଆମ ସାଇ ନାଆଁ ହରଚଣ୍ଡୀ ସାଇ । ଆମ ସାଇରେ ନିଆଁ ଲଗେଇଦବ, ଏମିତି ପୁଅ ଜନମ ହୋଇନାହାନ୍ତି । ସାଇପାଇଁ ଜାନ୍ ଚାଲିଯାଉ ।’

 

ରଘୁନି ହଠାତ୍ ଉତ୍ତେଜିତ ହୋଇ ପଡ଼ିବାରୁ ‘ମାଙ୍କଡ଼ସା’ ପ୍ରତିନିଧିଙ୍କ ମୁହଁ ଭୟରେ କଳା ପଡ଼ିଗଲା । ତଥାପି ଅବସ୍ଥା ସମ୍ଭାଳି ନେବାକୁ ସେ କହିଲେ, ‘ନାଇଁମ, ହରଚଣ୍ଡୀ ସାଇରେ କେହି ନିଆଁ ଲଗେଇ ପାରିବ ନାହିଁ । କଥାକୁ କହୁଥିଲିନା !’’

 

ଏହାପରେ ବିଶୁନ ରଘୁନି କାନରେ ଚୁପ୍ ଚୁପ୍‌ କ’ଣ କହିଲେ । କିଛି ସମୟ ପରେ ବିଶୁନି କହିଲେ, ‘ଦବୁ–ଅଭିଯୋଗ ଲିଖିତ ଆକାରରେ ଦବୁ । କିନ୍ତୁ ନାଆଁ ନ ଦେଇ ‘ଆମ୍ଭେ ପୁରୀବାସୀ’ ବୋଲି ଲେଖିବୁ ।

 

‘ମାଙ୍କଡ଼ସା’ ପ୍ରତିନିଧି ଆଶ୍ୱସ୍ତି ସୂଚକ ହସ ହସି ସମ୍ମତି ଜଣାଇଲେ । ଗଦାଧର ଗଳା ଝାଡ଼ି କହିଲେ, ‘‘ଆପଣ ‘ମାଙ୍କଡ଼ସା’ ପରି ସମ୍ବାଦପତ୍ରର ପ୍ରତିନିଧି । ସତକଥା ଲେଖିବା ସାମ୍ବାଦିକର ଧର୍ମ । ଆପଣ କିନ୍ତୁ ନିର୍ବାଚନ ନାମରେ ଯେପରି ଅନ୍ୟାୟ ଚାଲିଛି, ଲେଖୁ ନାହାନ୍ତି ।’’

 

‘ଲେଖୁ ନାହିଁ ?’–‘ମାଙ୍କଡ଼ସା’ ପ୍ରତିନିଧି ଉଚ୍ଚସ୍ୱରରେ ପ୍ରତିବାଦ କଲେ । ‘ପୁରୀସହରରେ ନିର୍ବାଚନ ପ୍ରଚାର ଆରମ୍ଭ ହେବା ଦିନଠୁ ଯାହା ଯାହା ଘଟିଛି, ସବୁ ପୁଙ୍ଖାନୁପୁଙ୍ଖ ‘ମାଙ୍କଡ଼ସା’ରେ ବାହାରେ’ ଆପଣଙ୍କ ଦୋକାନ ଆଗରେ ଯେଉଁ ସତ୍ୟାଗ୍ରହ ହୋଇଥିଲା, ତାହାର ବିବରଣୀ ଫଟୋ ସହ ‘ମାଙ୍କଡ଼ସା’ରେ ବାହାରିଥିଲା ।’

 

ଗଦାଧର ନିଜ ଭୁଲ ବୁଝିପାରିବାପରି କହିଲେ, ‘ସେ ଯାହାହେଉ, କାଲି ହାଡ଼ିସାଇ ପୋଡ଼ିବା କଥାଟା ଯେମିତି ଆପଣଙ୍କ କାଗଜର ପ୍ରଥମ ପୃଷ୍ଠାରେ ବାହାରେ । ମହାଜନତା ପାର୍ଟି ଯେ ଏପରି କାଣ୍ଡ କରିଛି, ସର୍ବସାଧାରଣଙ୍କର ଏହା ବିଶ୍ୱାସ ।’’

 

ଏହି ସମୟରେ କ୍ଷୀପ୍ର ପଦରେ ନବଘନ ଓ ତା’ ପଛେ ପଛେ ଆଶାବାଡ଼ି ଖଡ଼ ଖଡ଼ କରି ମାଧବ ନୂତନ ମିଷ୍ଟାନ୍ନ ଭଣ୍ଡାର ଭିତରେ ପ୍ରବେଶ କଲେ । ସମସ୍ତଙ୍କ ଦୃଷ୍ଟି ସେମାନଙ୍କ ପ୍ରତି ଆକୃଷ୍ଟ ହେବାରୁ ଚାଲିଥିବା ଆଲୋଚନାଟା ସେଇଠି ଅଟକିଗଲା ।

 

ନବଘନ କୌଣସି କାର୍ଯ୍ୟରେ ଅତିଶୟ ବ୍ୟସ୍ତ ଥିବାପରି ମନେହେଉଥିଲା । ଜାମାର ସବୁବୋତାମ ଦେବାକୁବି ସେ ସମୟ ପାଇ ନଥିଲା । ଖୁବ୍ ଚିନ୍ତିତ ଓ ବ୍ୟଗ୍ର ଥିବାପରି ସେ ଲଥ କରି ଗୋଟାଏ ଚୌକିରେ ବସିପଡ଼ି ନଟବର ଉଦ୍ଦେଶ୍ୟରେ ପାଟିକଲା, ‘ନଟବର, ଚା’ ଆଣ ।’ ମାଧବବି ଧଇଁସଇଁ ହୋଇ ନବଘନ ପଛେ ପଛେ ଆସିଥିଲା । ନବଘନ ପାଖଚୌକିରେ ବସିପଡ଼ି ସେ ଟେବୁଲ୍‍ରେ ତା’ ଆଶାବାଡ଼ିଟା ଆଉଜେଇ ଦେଲା ।

 

ଏକ ସମୟରେ ବିଶୁନି ଓ ମାଧବଙ୍କ ନୂତନ ମିଷ୍ଟାନ୍ନ ଭଣ୍ଡାରରେ ଉପସ୍ଥିତି ହରିଦତ୍ତ ପକ୍ଷରେ ଥିଲା ଏକାନ୍ତ ଭୟପ୍ରଦ । ସେ ଗରାଖମାନଙ୍କ ପାଇଁ ଚା’ ଜଳଖିଆ ବରାଦ ଦେବା ଓ ଗରାଖମାନଙ୍କ ଠାରୁ ପଇସା ଗଣି ରଖିବା ଭିତରେବି ମାଧବ ଓ ବିଶୁନିଙ୍କୁ କଣେଇ କଣେଇ ଅନାଉଥାଏ ।

 

ନବଘନ ସମସ୍ତଙ୍କୁ ଶୁଣେଇ ଅଥଚ ମାଧବ ଆଡ଼କୁ ଅନାଇ କହିଲା ‘କ’ଣ କରିବା, ଆଉ କେଡ଼େ ବେଗି ଦେଇଥାନ୍ତା । କେତେ କାମ ପଛକୁ ପକେଇ ଆଗ ଆମ ରସିଦ ବହି ଛାପି ଦେଲା !’

 

ମାଧବ ଚା’ କପ୍‍ରୁ ଚା’ ପ୍ଲେଟରେ ଢାଳି ସୁଡ଼୍‍କରି ଚା’ ଢୋକି କହିଲା, ‘ଆଏ ସିଏ କ’ଣ ସେମିତି ଶୁଣିଥାନ୍ତା ! ସେ ପ୍ରେସବାଲା ପରା ପହିଲେ ଆମରି ସାଇରେ ଭଡ଼ା ରହୁଥିଲା । ଚିହ୍ନା ଲୋକ ବୋଲି ସବୁକାମ ପଛରେ ପକେଇ ଧଡ଼ାସ୍‌ କିନା ଆମ ରସିଦ ବହି ଛାପି ଦେଲା କି !’

 

ନବଘନ ଚା’ ଖାଇ ପରମ ତୃପ୍ତ ହେଲା ପରି ଭାବ ଦେଖାଇ ଉପସ୍ଥିତ ଭଦ୍ରଲୋକମାନଙ୍କ ଉଦ୍ଦେଶ୍ୟରେ କ୍ଷୁଦ୍ର ଭାଷଣଟିଏ ଆରମ୍ଭ କରିଦେଲା, ‘ଦେଖନ୍ତୁ’ କିଛି ମନେକରିବେ ନାହିଁ-ଯଦିଓ ସାହାଯ୍ୟ ଭିକ୍ଷା କରିବାର ସ୍ଥାନ ଏ ନୁହେଁ, ତଥାପି ବାଧ୍ୟ ହୋଇ ସାହାଯ୍ୟଭିକ୍ଷା କରୁଛି । ଗତକାଲି ଗାନ୍ଧୀନଗରରେ ନିଆଁ ଲାଗିବା ଫଳରେ ଆମର ହରିଜନ ଭାଇମାନଙ୍କ ଅବସ୍ଥା ଯାହା ହୋଇଛି, ଆପଣମାନେ ଜାଣନ୍ତି । ଆମରି ମାଆ ଭଉଣୀ ଆଜି ମୁଣ୍ଡ ଗୁଞ୍ଜିବାକୁ ଜାଗା ନ ପାଇ ବଡ଼ଦାଣ୍ଡରେ ବସିଛନ୍ତି । ସରକାରୀ ସାହାଯ୍ୟ ଆସିବ ସନ୍ଦେହ ନାହିଁ; କିନ୍ତୁ ସରକାରୀ ସାହାଯ୍ୟ ଆସିବାକୁ ଡେରି ହବଇହବ । ଅତଏବ ଆମେ ଆମ୍ଭମାନଙ୍କର ସାକ୍ଷ୍ୟ ଅନୁସାରେ କିଛି କିଛି ସାହାଯ୍ୟ କରିବା । ସେଥିପାଇଁ ଗାନ୍ଧୀନଗର ସାହାଯ୍ୟ ପାଣ୍ଠିର ସମ୍ପାଦକ ହିସାବରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଯତ୍‍ସାମାନ୍ୟ ସାହାଯ୍ୟ କରି ହରିଜନ ଭାଇମାନଙ୍କ ସହାୟତା କରନ୍ତୁ ।’

 

କ’ଣ କହିବ ବୋଲି ମାଧବର ଜିଭ ଯେପରି ଖଲ ଖଲ ହେଉଥିଲା । ସେ ସଙ୍ଗେ ସଙ୍ଗେ ଦି’ପଦ ଯୋଡ଼ିଦେଲା, ‘କିଛି ଭାବିବାର ନାହିଁ । ପଇସାଟାଏ ଦେଲେବି ହକ୍ ‘ରସିଦ୍’ କାଟିଦେବୁ ।’ ମାଧବ ପକେଟରୁ ବାହାର କରି ରସିଦ ବହିଟା ଉପରକୁ ଟେକି ସମସ୍ତଙ୍କୁ ଦେଖାଇଲା ।

 

ବଙ୍ଗାଳୀ ବାବାଜୀ ଏତେବେଳଯାଏଁ ଖବରକାଗଜ ପଢ଼ାରେ ବ୍ୟସ୍ତ ଥିଲେ । ନବଘନର ସାହାଯ୍ୟ ଭିକ୍ଷା କଥାଟା ତାଙ୍କ ମନକୁ କିନ୍ତୁ ଖୁବ୍ ପାଇଲା । ସେ ଖବରକାଗଜରୁ ମୁହଁ ଉଠାଇ ତାଙ୍କ ପାଖରେ ବସିଥିବା ସେଇ ପାତଳା ଚିଁ ଚିଁ ସ୍ୱରରେ କଥା କହୁଥିବା ଲୋକଟିକୁ କହିଲେ, ‘ମହାଶୟ, ଏଟା ବଡ଼ ଉତ୍ତମ ପ୍ରସ୍ତାବ । ସରକାରୀ ସାହାଯ୍ୟକୁ ଅପେକ୍ଷା ନ କରି ଆଗେ ବେସରକାରୀ ସାହାଯ୍ୟର ବ୍ୟବସ୍ଥା କରିବା ଚାଇ ।’

 

ନବଘନ କାନରେ କଥାଟା ବାଜିବାରୁ ସେ ଆହୁରି ଉତ୍ସାହିତ ହୋଇପଡ଼ିଲା । କହିଲା, ‘ସେଇଥିପାଇଁ ଆମେ ‘ଗାନ୍ଧୀନଗର ସାହାଯ୍ୟ ପାଣ୍ଠି’ ଲାଗି ସାହାଯ୍ୟ ସଂଗ୍ରହରେ ବାହାରିଛୁ । ବାଧ୍ୟବାଧକତା ନାହିଁ । ଯାହା ସାକ୍ଷ୍ୟକୁ ଚାହିଁ ଯିଏ ଯାହା ଦେଲା ।’

ମାଧବ ପାଳି ଧରିଲା, ‘ଆରେ ଦେଇଥିଲେ ପାଇ । ପରର ବିପଦବେଳେ ଠିଆ ହେଲେ ଆମ ଅସୁବିଧାରେ ପାଁଜଣ ଠିଆ ହେବେ । ନା–କହୁନାହାନ୍ତି ?’’

ଗଦାଧର ଓ ବିଶୁନି ପରସ୍ପରକୁ ଅନାଇ ଚୁପ୍ ଚାପ୍‌ ହସୁଥିଲେ । ରଘୁନି କହିଲା ‘ଭାଇ ଉଠୁନ୍‍ନ । ପେଟଟା ଗାଉନ୍ଦା ଲାଗୁଚି ।’

ବିଶୁନି ଉଠିଲେ । ରଘୁନିବି ।

ବିଶୁନି ରଘୁନି ଉଠିଯିବା ପରେ ମାଧବ ଆଶ୍ୱସ୍ତିରେ ନିଃଶ୍ୱାସଟା ମାରିଲା । ଗଦାଧରକୁ ଶୁଣାଇ ଶୁଣାଇ କହିଲା, ‘ଇଏ ଗୋଟାଏ ଜନକଲ୍ୟାଣ କାର୍ଯ୍ୟ । ଇଠି ମହାଜନତା ପାର୍ଟି ଖଟିଖିଆ ପାର୍ଟି ସବୁ ସମାନ । ସାକ୍ଷ୍ୟକୁ ଚାହିଁ ଦି’ପଇସା ଦେଲେ ହରିଜନ ଭାଇମାନେ ପାଇବେ ।’

ସତକୁ ସତ ନବଘନ ଓ ମାଧବଙ୍କ ଆବେଦନ ଦୃଆ ହେଲା ନାହିଁ ଏହା ଭିତରେ କୌଣସି କୌଣସି ଭଦ୍ରଲୋକ ସେମାନଙ୍କ ଜଳଖିଆ ଖାଇବା ଓ ଆଲୋଚନା କରିବା ଭିତରେ ଗାନ୍ଧୀନଗର ସାହାଯ୍ୟ ସମିତିର ସମ୍ପାଦକ ନବଘନ ହାତରେ ଚାରଣା ଆଠଣା ଗୁଞ୍ଜିଦେବା ଆରମ୍ଭ କରିଦେଇଥିଲେ, ନବଘନ ତରତର ହୋଇ ଖଣ୍ଡିଏ ଛୋଟ ପେନ୍‍ସିଲରେ ରସିଦ କାଟିବାରେ-ଲାଗି ପଡ଼ିଥିଲା ।

Image

 

(ଅଠର)

 

ସମୁଦ୍ରକୂଳର କୋଠା ଘରଟାକୁ କେନ୍ଦ୍ର କରି ଭାଗୀରଥଙ୍କ ନାମରେ ଚାଲିଥିବା ଅପପ୍ରଚାର ଯେତିକି ଯେତିକି ଘନୀଭୂତ ହେଉଥିଲା, ଭାଗୀରଥ ଓ ତାଙ୍କ ସମର୍ଥକମାନଙ୍କର ସଭା ସମିତି, ଭାଷଣ ଓ ଲୋକସମ୍ପର୍କ ରକ୍ଷା ସେହି ପରିମାଣରେ ବଢ଼ି ଚାଲିଥିଲା । ଗିରିଧାରୀ, ନବଘନ, ରାବଣା, ମାଧବ ଓ ଆଉ କେତେ ଜଣ କର୍ମୀଙ୍କ ସହିତ ନିଜେ ଭାଗୀରଥ ପୁରୁଣା ରାଲେ ସାଇକେଲ ଖଣ୍ଡିକ ଠେଲି ଠେଲି ସହର ଏମୁଣ୍ଡରୁ ସେମୁଣ୍ଡ କେତେ ଥର ଘୂରିଆସି ଥିଲେ । ଚକ୍ରତୀର୍ଥର ନୋଳିଆ ବସ୍ତିଠାରୁ ଲୋକନାଥ ଘାଟଯାଏ, ପୁଣି ସ୍ୱର୍ଗଦ୍ୱାରଠାରୁ ମଙ୍ଗଳାଘାଟ ଯାଏ, ନିର୍ବାଚନ ମଣ୍ଡଳୀର ସାତସାହି ବୟାଳିଶି କନ୍ଦି ସବୁଠି ସେ ସମାଜବାଦର ମହତ୍ତ୍ୱ ବୁଝାଇ ହାତଟଣା ରିକ୍‍ସା ଚିହ୍ନରେ ଭୋଟ ଦେବା ପାଇଁ ଲୋକଙ୍କୁ ନିବେଦନ କରିସାରିଥିଲେ । ପନ୍ଦର ଦିନ ଭିତରେ ଥରକୁ ଥର ତିନିଥର ପୋଷ୍ଟର ମରାଯାଇ ହାତଟଣା ରିକ୍‍ସା ଓ ଭାଗୀରଥଙ୍କ ଯୋଡ଼ହସ୍ତ ହସ ହସ ମୁଖମଣ୍ଡଳର ଛବି ସହରର କାନ୍ଥ ବାଡ଼ରେ ଛାଇ ଦିଆଯାଇଥିଲା । ଖଟିଖିଆ ପାର୍ଟିର ପାର୍ଥୀ ଅର୍ଜ୍ଜୁନ ଗୋଛିକାରଙ୍କ ଅପେକ୍ଷା ଭାଗୀରଥଙ୍କ ନିର୍ବାଚନ ପ୍ରଚାର ଯେ ଅଧିକ ହୋଇଥିଲା, ଏହା ସହଜରେ ଜାଣିହେଉଥିଲା ।

 

କିନ୍ତୁ ଭାଗୀରଥ ସହଜରେ ସନ୍ତୁଷ୍ଟ ହେବା ଲୋକ ନଥିଲେ । ବହୁ ବର୍ଷ ରାଜନୀତି କରି ସେ ବୁଝିଲେ, ଭୋଟରମାନଙ୍କୁ କେବେ ବିଶ୍ୱାସ କରାଯାଇନପାରେ । ସେମାନେ ମୁହଁରେ ଯାହା କହନ୍ତି, କାମରେ ତାହା କରନ୍ତି ନାହିଁ । ଯଦି ସେମାନେ ଯାହା କହୁଛନ୍ତି, ସେଇ ଅନୁସାରେ ଭୋଟ ଦିଅନ୍ତି, ତେବେ ତ ସେ ନିଶ୍ଚିତ ଭାବରେ ବିପୁଳ ଭୋଟରେ ଜିଣିବା କଥା, କିନ୍ତୁ ତାଙ୍କ କୋଠାଘରକୁ କେନ୍ଦ୍ରକରି ଯେପରି କୁତ୍ସରଟନା ଚାଲିଛି ଓ ବିଶୁନି ପଶୁପାଳକ ଯେପରି ହଜାର ହଜାର ପ୍ରଚାରପତ୍ର ବାଣ୍ଟି ଚାଲିଚନ୍ତି ତାହାର ପ୍ରଭାବ ଯେ ପୁରୀବାସୀଙ୍କ ଉପରେ କ’ଣ ହେବ, କହିବା କଠିନ । ପୁଣି ଅର୍ଜ୍ଜୁନ ଗୋଛିକାରଙ୍କ ନିର୍ବାଚନ ପ୍ରଚାରରେ ଥିବା ଗଦାଧର ଜଣେ ଅତି ଧୂର୍ତ୍ତ ରାଜନୀତିଜ୍ଞ, ଏଥିରେ ସନ୍ଦେହ ନାହିଁ । ମୋଟା ଫ୍ରେମ ଚଷମା ଭିତରୁ ତାଙ୍କର ବିଲେଇ ଆଖିଭଳି ଜଳୁଥିବା ଆଖି ଦୁଇଟିକୁ ଦେଖିଲେ କେଜାଣି କାହିଁକି ଭୟ ଲାଗେ । ଦିନେ ଦିନେ ରାତିରେ ଭାଗୀରଥ ମୋଟା ଚଷମା କାଚ ଭିତରେ ଜଳୁଥିବା ସେ ଆଖି ଦୁଇଟିକୁ ସ୍ୱପ୍ନରେ ଦେଖି ଭୟରେ ଉଠି ବସି ପଡ଼ିଚନ୍ତି ଓ ତାଙ୍କର ମନେ ହେଇଛି, ତାଙ୍କର ସବୁ ଗୋପନୀୟ କାର୍ଯ୍ୟକଳାପ ତାଙ୍କ ବ୍ୟାଙ୍କ ବାଲାନ୍‍ସ, ଗିରିଧାରୀ ବାହିନୀପତି ଓ ଜୟହନୁମାନ ଅଗ୍ରଓ୍ୱାଲାଙ୍କ ସହିତ ତାଙ୍କର ଭିତିରି ବୁଝାମଣା, ସବୁ ଯେମିତି ସେ ଆଖି ଦୁଇଟି ଲକ୍ଷ୍ୟ କରିଛି ! ଥରେ ଦି’ଥର କାଞ୍ଚନ ଦେବୀ ସ୍ୱାମୀ ଏମିତି ନିଦରୁ ଉଠି ବସି ପଡ଼ିବା ଦେଖି ବ୍ୟସ୍ତ ହୋଇ ପଚାରିଛନ୍ତି–‘କ’ଣ ହେଲା ଯେ ?’ ଭାଗୀରଥ ଆଶ୍ୱାସନା ଦେଇଛନ୍ତି–‘ନା’ କିଛି ନାହିଁ ଶୋଷ ଲାଗୁଚି ।

 

ଭାଗୀରଥ ଇସ୍ତ୍ରୀକରା ଖଦଡ଼ ଧୋତି ଓ ପଞ୍ଜାବୀ ପିନ୍ଧି କଦମ୍ବ ଗଡ଼ ଜେଗାର ଉଞ୍ଚ ଚଉତରା ଉପରେ ସାହିର ମୁଖିଆ ଲୋକଙ୍କ ମେଳରେ ବସିଥିଲେ । ଏଇ କେତେଦିନ ହେଲା ଜେଗାଘରମାନଙ୍କରେ ସାହିର ମୁଖିଆ ମୁଖିଆମାନଙ୍କ ସଙ୍ଗେ ଆଲୋଚନା କରି ନିର୍ବାଚନ ଦିନ ସେମାନେ କ’ଣ କରିବେ, ସେଇକଥା ସେମାନଙ୍କୁ ବୁଝାଉଛନ୍ତି । ସଭାସାଙ୍ଗକୁ ଜେଗାଘରେ ରୋଷେଇର ବ୍ୟବସ୍ଥା କରାଯାଉଥିବାରୁ ନିମନ୍ତ୍ରିତ ସମସ୍ତ ମୁଖିଆ ଯଥା ସମୟରେ ଆସି ଉପସ୍ଥିତ ହେବା ଲକ୍ଷ୍ୟ’ କରାଯାଉଛି । ଆଜି ମଧ୍ୟ ସଞ୍ଜ ବୁଡ଼ୁ ବୁଡ଼ୁ ପାଖଆଖ ସାହିମାନଙ୍କରୁ ପ୍ରାୟ ତିରିଶ ଜଣ ମୁଖିଆ ଭାଗୀରଥଙ୍କୁ ଘେରି ବସିଥିଲେ ।

 

କଦମ୍ବଗଡ଼ର ସିମେଣ୍ଟ ଚଉତରା ପଡ଼ିଥିବା ସେତେରଞ୍ଜି ଉପରେ ନିମନ୍ତ୍ରିତ ବ୍ୟକ୍ତିମାନେ ବସିଥିଲେ । ଭାଗୀରଥଙ୍କ ସାମ୍ନାରେ ପେଟ୍ରୋମାକସ୍‍ ଲାଇଟ୍‍ଟି ରଖାଯାଇଥିଲା ଓ ଲାଇଟ୍‍କୁ କେନ୍ଦ୍ରକରି କେତୋଟି ପୋକ ଘୂରୁଥିଲେ । ରାତି ବେଶୀ ହୋଇ ନଥିଲେବି ମାତ୍ରାଧିକ ଭାଙ୍ଗ ଖାଇ ଦେଇଥିବାରୁ କେତେଜଣ ମୁଖିଆ କାନ୍ଥକୁ ଆଉଜି ଘୁମାଉଥିଲେ । ଜେଗାର ରୋଷଘରେ ରୋଷେଇ ଚାଲିଥିଲା ଓ ଫୁଟୁଥିବା ମାଂସତକାରୀର ତୀବ୍ର ବାସ୍ନାରେ ସ୍ଥାନଟି ମହକୁ ଥିଲା । ମାଂସ ତରକାରୀର ବାସ୍ନା ସାଙ୍ଗକୁ କେଉଁଠି ଫୁଟି ଥିବା ଯୁଈ ଫୁଲର ବାସ୍ନା ମଧ୍ୟ ବେଳେ ବେଳେ ପବନରେ ଭାସି ଆସୁଥିଲା ।

 

ପ୍ରଥମେ ଗିରିଧାରୀ କଥାଟା ଆରମ୍ଭ କଲେ–‘‘ଆଉ ସେ ସାଇ ଅବସ୍ଥା କ’ଣ ଦୟିତାପତିଏ ?’

 

ଅଧର ଦୟିତାପତିଙ୍କ ଆଖି ଦୁଇଟା ପାଚକ ନିଶାରେ ମାଡ଼ି ମାଡ଼ି ହୋଇ ପଡ଼ୁଥିଲା । ପାଖରେ ବସିଥିବା ତାଙ୍କର ଆଠବର୍ଷର ପୁଅ ବାପାଙ୍କ ହାତଟାକୁ ଟାଣି ଦେବାରେ ଅଧର ଦୟିତାପତି ପ୍ରକୃତିସ୍ଥ ହେଲେ । ଓଜନିଆ ସ୍ୱରରେ କହିଲେ–‘ବାଇୟା ହେଲେ ଅବଧାନ ! ଅର୍ଜ୍ଜୁନଟା ପକ୍କା ଗରଦଗୁମାନୀ । ତାକୁ ଆମେ ଜାଣିନୁ ? କାଳିଆ କ’ଣ ତା’ର ଅଭାବ ରଖିଚି ? କାଇଁ ଦିନେ ଭୋଖିଶୋଷୀଙ୍କ ପାଇଁ ଦି’ପଇସା ଖରଚ କଲା ? ଭୋଟରେ ଠିଆ ହେଇଚି ଯେ ଦିନେ ସାଇରେ ପାଦ ଦେଲାଣି ? ଆମ ସାଇର ସବୁ ଭୋଟ ଭାଗୀରଥବାବୁଙ୍କର । ନା କ’ଣ ଭିତରଛୁ ମହାପାତ୍ରେ ?’

 

ଭିତରଛୁ ମହାପାତ୍ରେ ପାଳିଧରିବା ପରି କହିଲେ, ‘ଇୟେ ଗୋଟେ ପଚାରିବା କଥା । ଅର୍ଜ୍ଜୁନଟା ରାଢ଼ଟାଏ । ହାତ ଟେକି, ଦି’ପଇସା କାହାକୁ ଦବା ମୁଁ ଦିହକରେ ଦେଖିନାହିଁ । ପକ୍କା ପମ୍ପାଲୁଟାଏ । ଫିନ୍ ଫିନ୍ ଲୁଗା ପିନ୍ଧିବା, ଟେରି କାଟିବା, ସୁନାମୁଦି ଚେନ୍ ମାଜିବା–ଇୟା ଛଡ଼ା ଆଉ କୋଉ କାମକୁ ନୁହେଁ ।’

 

ସଭାର ଗୋଟାଏ କୋଣକୁ ବୁଢ଼ା ପୂଜାରୀ କଳା ଛାଇଟାଏ ପରି ବସିଥିଲା । ତାକୁ ଯେ ଏ ସଭାକୁ ନିମନ୍ତ୍ରଣ କରାଯାଇଥିଲା, ତା’ ନୁହେଁ । ସଞ୍ଜ ହେଲେ ଜେଗାଆଡ଼େ ଘେରେ ବୁଲିଯିବା ତା’ର ଅଭ୍ୟାସ । ନୋକନି ତାକୁ ଏମିତି ଅଟକାଇ ଦେଇଛି–‘ବସୁନ କାହିଁକି ମଉସା, ଆସିଚ ଯେତେବେଳେ, ପୁଞ୍ଜିଏ ହେଇଯାଉ । ଗୁରୁଘରେ ତ ସବୁଦିନେ ସେଇ ବଗଡ଼ା ।’’

 

ମନକୁ ମନ ଗପିଲା ପରି ସେ କହିଲା, ‘ପୁରୀ ସହର ଇୟେ । ଏଠି ବାରମାସରେ ତେର ଯାତ । ରଥ, ଝୁଲଣ, ଚନ୍ଦନ, ସାଇଯାତ, ଗୋଷଣୀଯାତ ସାଙ୍ଗକୁ ଇଏ ଗୋଟାଏ ନୂଆ ଯାତ–ଭୋଟ । ନାକ’ଣ କୁସୁନ ?’

 

କୁସୁନ ବଡ଼ଦେଉଳରେ ଯୋଗାଣିଆ । ବୁଢ଼ା ପୂଜାରୀ କଥାକୁ ଜୋରରେ ମୁଣ୍ଡ ହଲାଇ ସେ ସମର୍ଥନ କଲା । କହିଲା, ‘ହଁଅଅ ଆଉତ ଦି’ଟା ଦିନ, ସଇଲା ବୋଲ । ପୁଣି ତ ଏଥର ଭାଗୀବାବୁ ଆମର ଆସିବେ ।’

 

ନୋକନି ଭାଗୀରଥଙ୍କ ସଙ୍ଗେ ଏକଦା ନିମ୍ନ ପ୍ରାଇମେରୀ ସ୍କୁଲରେ ପାଠ ପଢ଼ିଥିବାରୁ, ଭାଗୀରଥଙ୍କୁ ଥଟ୍ଟା କରିବା ଅଧିକାରଟା ଯେପରି ତା’ରହିଁ ଥିଲା । କୁସୁନ ମୁହଁରୁ କଥାଟା ଛଡ଼େଇ ନେଲାପରି ସେ କହିଲା, ‘ଇଥର ଏସେମ୍ବ୍ଳିକି ଗଲେ ଗୋଟେ ବଢ଼ିଆ ପଙ୍ଗତ ଯେମିତି ଦବ । ଆଉ ଏ ରୋଷେଇ ହବ ନାଇଁ । ଦେଉଳରେ ଘିଅନ୍ନ, ଡାଲି, ମହୁର, ବେସର, ଶାଗ, ରାଇତା, ଖଟା, ଗୋଟିବାଇଗଣ, ରସାବଳୀ–’

 

ବୁଢ଼ା ପୂଜାରୀ ଦି’ଥର ଖେଁ ଖେଁ କାଶି ପ୍ରତିବାଦ କଲାପରି କହିଲା, ‘ନୋକନି, ଆରେ ପହଣ୍ଡା ପୁଅ ହେଇ ତୁ ବି ସେମିତି କହୁଚୁ । କିରେ ପିଠାପଣାରେ ସିନା ମଉଜ । ହଅଅ–ଆଉ ସେ ଗୁଆଘିଆ ମିଳୁଚି ଯେ ସେ ଖୁସୁବୁ ଜାଣିବ । କାନ୍ତି, ଝିଲି, ମାଠପୁଳି, ମାଣ୍ଡୁଅ, ଏଣ୍ଡୁରି, ସୁଆରପିଠା, ହଂସକେଳି, ପାଗଆରିଷା, ମରିଚିଲଡ଼ୁ, ପାପୁଡ଼ି, ତ୍ରିପୁରୀ, ଫେଣୀ, ପାରିଜାତକ, ସୁଆରୀ, ଲୁଣିଖୁରମା, ନଡ଼ିଆକେଳି, ଅମାଲୁ, ଚଢ଼େଇନେଦା ।’ ମୁଖସ୍ଥ କଲାପରି ଏତକ କହିଦେଇ ବୁଢ଼ା ପୂଜାରୀ ଖେଁ ଖେଁ କାଶିବାକୁ ଲାଗିଲା ।

 

ଅଧର ଦୟିତାପତି କାନ୍ଧ ଉପରେ ପଡ଼ିଥିବା ପାଚିଲା ଗାମୁଛାରେ ମୁହଁଟା ପୋଛି ପୋଛି କହିଲେ, ମଉସା, ସେ ବେଳା ଆଉ ନାଇଁମ । ସେ ସାଇଯାତ ଆଉ ଅଛି ? ‘ସହରୀ ଜାଲମ’ରେ ଯାହା ଲେଖିଚି–

 

ଛାଡ଼ିଣ ଜଞ୍ଜାଳ ପିଲା ବୁଢ଼ା ମେଳ

ହୋଇ କଲେ ଜଡ଼ଉତ,

ନାଗା ସନିଆସୀ ସଟରା ତପସୀ

ଫୁର୍ତ୍ତିରେ ବୁଲାଇ ହାତ ।

 

କାଢ଼ିକେ ନିଝାମ ଝାଡ଼ି ଝମ ଝମ

ଯୋଡ଼ି ପାହୁଲ ପକାଇ,

ବାଡ଼ି ବାଙ୍କ ଛୁରୀ ଛଡ଼ି ତରୁଆରୀ

ହାଡ଼ି ବାଜାକୁ ସାଜଇ ।

 

ଖଣ୍ଡ ଖଣ୍ଡ କାଠି ଚାଞ୍ଛି ଘଷି ମାଠି

ପିଟିଲେ ସଟରା ଯାକ,

ଗଳାରେ ଘାଗେଡ଼ା ମାଳି ଟୋପି ଜୁଡ଼ା

ମୁକୁଳା କାଛାକୁ ଛକ ।

 

ଏରାପକ୍ଷୀ କେରା- କେରା କାନ୍ଧେ ତୋରା

ତା’ ତଳକୁ ଓରମାଳ,

ଗୋଇଠି ଉପର ଚଉଁରୀ ତୋଡ଼ର

ହିନ୍ଦୀ ଗୀତ ଶିଖ ମାଲ ।

 

ନଳି ଶବଦକୁ ନ କଲେ ନାଗାକୁ

ନିନ୍ଦାବୋଲି ତୋଳି ଗାଞ୍ଜ,

ବାରଦ ପୂରାଇ ଘୁରାଇ ଘୁରାଇ

ଭିଡ଼େ କଲାକ ଆବାଜ ।

 

ଦୟିତାପତିଏ ଭାଙ୍ଗୁଆ ପାଟିରେ ଲହରେଇ ଲହରେଇ ଗୀତଟି ବୋଲି ସନ୍ତୁଷ୍ଟ ହୋଇ କୁସୁନ ଆଡ଼େ ଅନାଇଲେ । କହିଲେ, ‘କ’ଣ ଯୁଆନ, ଏମିତି ଦୋଅଣି ହଜେଇଲା ମାରଗେ ଅନଉଚୁ କ’ଣ ? ଦି’ପଦ ହୋଇଯାଉ ।’’

 

କୁସୁନ ଯେମିତି ଏତିକି ଶୁଣିବାକୁ ତକେଇଥିଲା । ଦୁଇ ହାତରେ ତାଳି ମାରି ଆରମ୍ଭ କରି ଦେଲା–

 

ସରିଲା ଗାଧୁଆ ସବୁ ସାଙ୍ଗ ଠିଆ

ଭାଙ୍ଗି ବାଣ୍ଟିଗଲେ ନେଣ୍ଟି,

ଯେତେ ସମରଥ କଲେ କସରତ

କମର ଭିଡ଼ିଲେ କଟି ।

 

ବୋଳି ରାମରଜ କିଏ ମୋଡ଼ି ଭୁଜ

କେ ବୁଲାଇ ବନାପଟା,

ଦେଖାଉଛି ଘର ଟେକି ମୁଦୁଗର

କେ ବୁଲୁଛି ଚକାଉଠା ।

 

ଖେଳଇ କେ ବାଙ୍କ ଶ୍ରମେ କେ ଅଚଙ୍କ

ବୁଲଇ କେ ଚକ୍ରଦାଣ୍ଡୀ

କେ ପକାଇ ପେଲା ଠେଲା ଦେଉଁ ଢେଲା

ବାଜି ଆଣ୍ଠୁ ଗଣ୍ଠି ଛିଣ୍ଡି ।

 

କେ ଧରି କା ଚୁଟି ଫିଙ୍ଗି ଖାଉଁ ମାଟି

ବୋଲେ ସେ ନିପ୍ରାସି ଘାତି,

ଯେବେ ମୋଟାମୋଟି ଲୋକ ହଟିଲାଟି

ପମ୍ଫାଲୁ ତା’ ନାମ ଖ୍ୟାତି ।

 

ପୁଣି ଇନ୍ଦ୍ର ହାତୀ କଖାରୁ କହନ୍ତି

କେ ବୋଲେ କଳ ବୃଷଭ,

ହେଲୁ ଅଶକତ ଫେଟୁ ଓଦା କାନ୍ଥ

ଚେମେଡ଼ିଙ୍କ ଦେହ ଦମ୍ଭ ।

 

କେ ଖେଳେ ବନାଟି ଚାହିଁ ମିଟି ମିଟି

କେ କାହାକୁ କରେ ଚିତି

କେ ହୋଇଲେ ଘାଲି ବାଧା ହେଲା ବୋଲି

ଭାବୁସିରେ ଘଷେ ଛାତି ।

 

ବେଳ ଚାରିଘଡ଼ି ଯୁଆନଙ୍କୁ ଭିଡ଼ି

ଆଣିଲା ଖେଳ ଜାଗାରୁ,

ଭାଙ୍ଗ ଶିଳ ପାଖେ ବସି ଏକ ମୁଖେ

ପୋଛନ୍ତି ଝାଳ ଦେହରୁ ।

 

ଭିଡ଼େ ବାଟିବାରୁ ଭାଙ୍ଗେ ନାହିଁ ପାରୁ

ସିଠା ତିନିଥର ମଲା,

ଗଡ଼ତ ପଡ଼ତ ବେଳେ ଉଚ୍ଚାରିତ

ବହ୍ଲିଆରି ବଉଁ ଭୋଲା ।

 

କେ ମାହାର୍ଦ୍ଦ ସରା ସେଥିରେ କି ମାରା

ବୋଲି ସରେ ସରେ ପିଇ,

କେ ମାରେ ହଉଡ଼ି କିଏ ମୁହଁ ମୋଡ଼ି

ବୋଲେ ସାଙ୍ଗ ରାଗ ନାହିଁ ।

 

ଗିରିଧାରୀ ଆଉ ସମ୍ଭାଳି ପାରିଲେ ନାହିଁ । ପାଟି କରି ଉଠିଲେ, ‘କୁସୁନ, ଏତିକିରେ ତ ସରି ଯାଉନି । ପୁଣି ଏହି କଦମ୍ବଗଡ଼ରେ ରୋଷେଇବାସ ହେବ, ସଙ୍ଗୀମାନେ ଆସିବେ । ଗୀତ ପଖୋଜମାଡ଼ ହେବ । ଆଜି କିନ୍ତୁ ଅସଲ କଥାଟା ପଡ଼ୁ ।’

 

ସମସ୍ତେ ତାଙ୍କୁ ସମର୍ଥନ କଲେ । କୁସୁନ ଏକା ରାହାକେ ଗୀତ ଗାଇ ଯାଉଥିଲା, ଟିକିଏ ଲାଜେଇ ଗଲାପରି ହୋଇ ଖୋସଣିରୁ ପାନ ଖଣ୍ଡିଏ ପାଟିରେ ପୂରାଇ ପାଟି ଚାକୁଳେଇବାରେ ଲାଗିଲା ।

 

ଭାଗୀରଥ ନିଜେ କଥାଟା ଆରମ୍ଭ କଲେ, ‘ଦେଖନ୍ତୁ ଭାଇମାନେ, ଆଉ ଦି’ଟା ଦିନ ପରେ ନିର୍ବାଚନ । ଆମେ ଏଠି କ’ଣ ପାଇଁ ଏକାଠି ହୋଇଥାଇଁ ଆପଣମାନେ ଜାଣନ୍ତି । ଏଇ ଜେଗାଘର ଦିନେ ଆମ ପୁରୀ ସହରର ଅଧୀବାସୀଙ୍କର ସଂସ୍କୃତିର କେନ୍ଦ୍ର ଥିଲା । ଏଇଠି ମାଲମାନେ କୁସ୍ତି କସରତ୍ କରୁଥିଲେ; ସାଇ ଯାତବେଳେ ଏଇଠୁ ପଲଟଣ ବାହାରୁ ଥିଲା, ଏଇଠି ସାଇର ହାନିଲାଭ ବିଚାର ହେଉଥିଲା, ଭାଇ ଭାଇ ଭିତରେ କଳି ହେଲେ ଏଇଠି ତା’ର ଫଇସଲା ହେଉଥିଲା । ସେଇଥିପାଇଁ ମୁଁ କେତେ ଦିନ ହେଲା ଜେଗାଘରମାନଙ୍କରେ ପାଖଆଖ ସାଇର ମୁଖିଆ ମୁଖିଆମାନଙ୍କ ସଙ୍ଗେ ଆଲୋଚନା କରୁଛି । ବଡ଼ ଆଖେଡ଼ା, ବାରବାଟୀ, ନରସିଂହବଲ୍ଲଭ, ପାଣ୍ଡଜେଗା, ସଙ୍କଟଜେଗା, ଜମିଖୁଣ୍ଟିଆ ପଞ୍ଚୁଆତି ଜେଗା–ସବୁଠି ଦିନେ ଦିନେ ସଭା ହୋଇଯାଇଛି । ଆଜି ଏଇ ଶେଷ ସଭା । ଆମର ମହାଜନତା ଦଳ ଯେଉଁ ସମାଜବାଦ କଥାଟି କହୁଛି, ତା’ର ମୂଳ ଅର୍ଥଟି ବୁଝିଲେ ଆପଣମାନେ ଦେଖିବେ, ଜେଗା ଘର ଭଳି ପ୍ରାଚୀନ ଅନୁଷ୍ଠାନଗୁଡ଼ିକରେ ଉନ୍ନତି ଅତି ଜରୁରୀ । ଜେଗା ଘରଗୁଡ଼ିକର ଉନ୍ନତି ହେଲେ ସାଧାରଣ ଲୋକଙ୍କର ଉନ୍ନତି ହେବ ଓ ଦେଶରେ ସମାଜବାଦ ପ୍ରତିଷ୍ଠା ହେବ ।’

ପ୍ରଥମେ ମାଧବ ଓ ପରେ ସଭାର ଅନ୍ୟମାନେ କରତାଳି ଦେଇ ଭାଗୀରଥଙ୍କୁ ସମର୍ଥନ କଲେ ।

ଭିତରରୁ ମହାପାତ୍ରେ ଅଳି କଲାପରି କହିଲେ, ‘ଅବଧାନ୍‌, ଆମ ପୁରୀବାସୀଙ୍କର ଭୋଟରେ ଫେର ଆପଣ ଆସେମ୍ବ୍ଳିକି ଯିବେ । ଫେର୍ ମହାଜନତା ଦଳ ସରକାର ଗଢ଼ିବ । ଆମ ସେବାୟତ୍‌ ସଂପ୍ରଦାୟର ଉନ୍ନତି ପାଇଁ ଏଥର ସରକାର କିଛି ନ କଲେ ହେବ ନାଇଁ ।’

ଉପସ୍ଥିତ ସେବାୟତମାନଙ୍କ ମନକୁ କଥାଟି ପାଇଲା । ବିଶ୍ୱନାଥ ପତି ମହାପାତ୍ର କହିଲେ, ‘ଆପଣମାନେ ତ ସମସ୍ତେ ପୁରୀବାସୀ । ଆମର ଧର୍ମ, ଆମର ସଂସ୍କୃତି ଆଜି ବୈଦେଶିକ ପ୍ରଭାବରେ କିପରି ଲୋପ ହୋଇଯାଇଛି, ଆପଣମାନେ ଅଙ୍ଗେ ନିଭାଉଛନ୍ତି । ସରକାରୀ ଚାକିରୀ ଛାଡ଼ି ଭୁବନେଶ୍ୱରରୁ ପୁରୀ ଆସିଲା ପରେ ମୁଁ ଦେଖୁଛି, ଯଦି ଭାଗୀରଥବାବୁଙ୍କ ଭଳି ଜନନେତା ବେଳ ଥାଉଁ ଥାଉଁ ସରକାରୀ ସାହାଯ୍ୟର ବ୍ୟବସ୍ଥା ନ କରନ୍ତି, ତେବେ ଆମର ପୁରୁଣା ସଂସ୍କୃତି ଆଉ ବଞ୍ଚି ପାରିବ ନାହିଁ । ନେତା, ନାଗା, ସାହିଯାତ୍ରା ଆଉ ଆଗପରି ହେଉନାହିଁ । ବଡ଼ଦେଉଳର ମାଜଣାମୁଣ୍ଡି ଉପରେ ଆଉ ଓଡ଼ିଶୀ ସଙ୍ଗୀତ ଆସର ବସୁନାହିଁ । ଆମର ପଣ୍ଡା ପଢ଼ିଆରୀମାନେ ଯେଉଁ ଯାତ୍ରୀ ବ୍ୟବସାୟ କରି ଶହ ଶହ ବର୍ଷ ହେଲା ବଞ୍ଚି ଆସୁଥିଲେ, ସେ ବ୍ୟବସ୍ଥା ଅଣ-ଓଡ଼ିଆମାନଙ୍କ ହାତକୁ ଚାଲିଯାଉଛି । ହଜାର ହଜାର ବର୍ଷ ହେଲା ଆମ ଦେଉଳର ରତ୍ନଭଣ୍ଡାରରେ ଯେଉଁ ସୁନା, ରୁପା, ହୀରା, ନୀଳା ଅଛି, ତାହାର ପରିମାଣ କେତେ, ତାହା ଅକ୍ଷୁଣ୍ଣ ଅଛି ନା ଭଣ୍ଡାର-ମେକାପମାନଙ୍କ ଅସାଧୁତା ଫଳରେ ହ୍ରାସ ହୋଇ ଆସୁଛି, ସରକାର ତାହାର ଏଯାଏଁ ଅନୁସନ୍ଧାନ କଲେନାହିଁ । ସୁନା କୁଣ୍ଡଳ, ସୁନା, ହରିଡ଼ା, କଣ୍ଠିମାଳ, ସୁନା ଶ୍ରୀଭୁଜ ସୁନା ରାହୁରେଖା, ଅଷ୍ଟରତ୍ନଜଡ଼ିତ ଚିତା, ରତ୍ନବିଭୂଷିତ ତୂଳ, ସୁନାମାଳି, ପଦକ, କୁରୁଜାତମାଳି, ସୁନାଥାଳି, ସୁନାଖାଡ଼ି–ଏହାର ମୂଲ୍ୟ ଆଧୁନିକ ଯୁଗରେ କଳନା କରିବା କଠିନ । ନୂଆ ସରକାର ଏଇ ରତ୍ନଭଣ୍ଡାରର ଉପଯୁକ୍ତ ସଂରକ୍ଷଣ ପାଇଁ ଯଥାଶୀଘ୍ର ବ୍ୟବସ୍ଥା କରିବା ଏକାନ୍ତ ଆବଶ୍ୟକ ।’

ଉଚ୍ଚଶିକ୍ଷିତ ବୋଲି ସେବାୟତ ସଂପ୍ରଦାୟର ବିଶ୍ୱନାଥ ପତି ମହାପାତ୍ରଙ୍କ ସମ୍ମାନଟା ଯଥେଷ୍ଟ ବେଶି । ତେଣୁ ଉପସ୍ଥିତ ମୁଖିଆମାନେ ତାଙ୍କ କଥାକୁ ଏକାନ୍ତ ମନୋଯୋଗ ସହକାରେ ଶୁଣୁଥିଲେ ।

ଅଧର ଦୟିତାପତି କୃତ୍ୟ କୃତ୍ୟ ଭାବ ଦେଖାଇ କହିଲେ, ଆଃ–କଥାଟାଏ କହିଲ ତ । ପଚାରନ୍ତୁ–ଭାଗୀବାବୁଙ୍କୁ ସେଇ କଥା କେତେଥର–କହିଚ । ଆମ ସହରର ସାଇ ଯାତ ପୁଣି ଜାକଜକମରେ ବାହାରୁ । ସେଥିପାଇଁ ସରକାରୀ ସାହାଯ୍ୟ ମିଳୁ ।’

ନୋକନି କହିଲା, କାଇଁ କହୁଛନ୍ତି, ସରକାରୀ ଟଙ୍କା କେତେ କୁଆଡ଼େ ପାଣି ମତନ୍ ବୋହିଯାଇଛି । ଆମ ସାଇରେ ଭାଗବତ ଘରଖଣ୍ଡ ସେମିତି ଅଧା ଭଙ୍ଗାହୋଇ ପଡ଼ିଛି । ନିକୁଛ୍ୟାରେ ଟଙ୍କା ପାଞ୍ଚଶହ ହେଲେ ମରାମତି ହୋଇଯାଆନ୍ତା । ସାଇର ପାଞ୍ଚଲୋକ ଏକାଠି ହେବାକୁ ଆଉ ଜାଗା ନାହିଁ । ସେଇଠୁ ଆମର ଗୋସାଣୀଯାତବେଳେ ବୁଢ଼ା ବୁଢ଼ୀ ବାହାରୁଥିଲେ । ଦି’ବର୍ଷ ହେଲା ସିଏବି ବନ୍ଦ । ସରକାରୀ ଟଙ୍କା କେତେ କିଏ ଖାଇ ଯାଉଛି । ଟଙ୍କା ବିଶାଶହେ ହେଲେ ଆମ ବୁଢ଼ାବୁଢ଼ୀ ବାହାରି ପାରନ୍ତା ।

ବିଶ୍ୱନାଥ ପତି ମହାପାତ୍ରେ କହିଲେ, ନୋକନି, ଅଧର, ସରକାରୀ ସାହାଯ୍ୟ ନ ମିଳିଲେ ଆମର ସଂସ୍କୃତି ଆଉ ବଞ୍ଚିପାରିବ ନାହିଁ; କିନ୍ତୁ ଆମେ ଏଠି ଏମିତି କଥାଟା ଆଲୋଚନା କଲେ ହେବନାହିଁ । ଆମର ବାରମାସରେ ତେରଯାତ । ସେ ଯାତଗୁଡ଼ିକ ଯେମିତି ସବୁ ବର୍ଷ ଭଲରୂପେ ହୁଏ ସେଥିପାଇଁ ସରକାର ଧ୍ୟାନଦେବା ଦରକାର । ତା’ଛଡ଼ା ଆମର ଯେଉଁ ପ୍ରାଚୀନ ଦେବାଳୟଗୁଡ଼ିକ ଅଛି–ଏଇ ଧର କପାଳ ମୋଚନ, ଯମେଶ୍ୱର, ଶ୍ରୀଲୋକନାଥ, ନୀଳକଣ୍ଠେଶ୍ୱର, ମାର୍କଣ୍ଡେଶ୍ୱର କିମ୍ବା ଆମର ଯେଉଁ ସବୁ ପୁଷ୍କରିଣୀ ଅଛି, ନରେନ୍ଦ୍ର, ମାର୍କଣ୍ଡ, ଶ୍ୱେତଗଙ୍ଗା–ଏସବୁର ସୁରକ୍ଷା ପାଇଁ ମଧ୍ୟ ସରକାରୀ ସାହାଯ୍ୟ ଲୋଡ଼ା । ତା’ଛଡ଼ା ବଡ଼ଦେଉଳର ଚୁନଧଉଳା ପାଇଁ, ରତ୍ନଭଣ୍ଡାର ସମ୍ପତ୍ତିର ଉପଯୁକ୍ତ ତଦାରଖ ପାଇଁ, ସେବାୟତ ସଂପ୍ରଦାୟର ଉନ୍ନତି ବିଧାନ ପାଇଁ ସରକାର ବ୍ୟବସ୍ଥା କରିବା ଆବଶ୍ୟକ ।

 

ପତିମହାପାତ୍ରଙ୍କ କଥାଟି ସମସ୍ତଙ୍କ ମନକୁ ଏପରି ପାଇଲା ଯେ ଯେପରି ସରକାରୀ ସାହାଯ୍ୟ ମିଳିଯାଇଛି, ଉପସ୍ଥିତ ମୁଖିଆମାନଙ୍କ ମୁହଁରେ ସେହିପରି ପ୍ରସନ୍ନ ଭାବ ଫୁଟିଉଠିଲା ।

 

ବୁଢ଼ା ପୂଜାରୀ ଉଠିଆସୁଥିବା କାଶଟିକୁ କୌଣସିମତେ ଚାପିଦେଇ କହିଲା, ‘ଆରେ ନୋକନି, ବିସିକି ପିଲାଦିନୁ ଦେଖି ଆସିଚି । ମୁଁ ଦେଖିବାରେ ତା’ ଅକଲ ପରି ଅକଲ ଆଉ କାହାରି ନାଇଁ । ମିଛରେ ସିଏ ବଡ଼ ରୋଜଗାରୀ । ତା’ କଥା ଶୁଣିଲେ ସରକାରୀ ଟଙ୍କା ଆସିବ ।’

 

ଗିରିଧାରୀ ବୁଢ଼ା ପୂଜାରୀ କଥା ନ ଶୁଣିବା ପରି କହିଲେ, ‘ବର୍ତ୍ତମାନ ଆପଣମାନଙ୍କ ଅନୁମତି ନେଇ ପୁରୀ ସହରର ଏଇ ସର୍ବସାଧାରଣ ସଭାପକ୍ଷରୁ ମୁଁ କେତୋଟି ପ୍ରସ୍ତାବ ଆଣୁଛି । ଆପଣମାନେ ତାହା ସମର୍ଥନ କଲେ ପ୍ରସ୍ତାବଗୁଡ଼ିକୁ ଖବରକାଗଜ ଓ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦିଆଯିବ ।’

 

ପ୍ରଥମ ପ୍ରସ୍ତାବ : ଏହି ସଭା ସରକାରଙ୍କଠାରେ ଦାବି କରୁଛି ଯେ ପୁରୀ ସହରର ସାଂସ୍କୃତିକ ଅନୁଷ୍ଠାନ ସବୁର ବିକାଶ ପାଇଁ ତଥା ପ୍ରାଚୀନ ଦେବାଳୟ ଓ ପୁଷ୍କରିଣୀର ସୁରକ୍ଷା ପାଇଁ ଉପଯୁକ୍ତ ସରକାରୀ ସାହାଯ୍ୟ ମିଳୁ ।

 

ଦ୍ୱିତୀୟ ପ୍ରସ୍ତାବ : ବଡ଼ ଦେଉଳର ରକ୍ଷଣାବେକ୍ଷଣ ଓ ତହିଁରେ ନିଯୁକ୍ତ ସେବାୟତ ସଂପ୍ରଦାୟର ଉନ୍ନତି ବିଧାନ ପ୍ରତି ସରକାର ଯଥା ଯୋଗ୍ୟ ଦୃଷ୍ଟି ଦିଅନ୍ତୁ ।

 

ତୃତୀୟ ପ୍ରସ୍ତାବ : ପୁରୀ ସହରର ଏହି ସର୍ବସାଧାରଣ ସଭା ଦୃଢ଼ ବିଶ୍ୱାସ କରେ କି ମହାଜନତା ପାର୍ଟିର ସମାଜବାଦ ନୀତି ଫଳରେ ସହରର ସାଂସ୍କୃତିକ ଓ ଆର୍ଥିକ ଉନ୍ନତି ସମ୍ଭବପର-

 

ଚତୁର୍ଥ ପ୍ରସ୍ତାବ : ଏହି ସଭା ସହରର ସମସ୍ତ ଭୋଟର ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛି ଯେ ସହରର ସର୍ବବିଧ କଲ୍ୟାଣ ପାଇଁ ସେମାନେ ଭାଗୀରଥ ମହାପାତ୍ରଙ୍କୁ ହାତଟଣା ରିକ୍‌ସା ଚିହ୍ନରେ ଭୋଟ ଦିଅନ୍ତୁ ।’

 

ପ୍ରବଳ କରତାଳି ମଧ୍ୟରେ ପ୍ରସ୍ତାବଗୁଡ଼ିକ ପାଶ୍ ହୋଇଗଲା । ରାତି ଅଧିକ ହୋଇଥିବାରୁ ଓ ଉପସ୍ଥିତ ମୁଖିଆମାନେ ଭାଙ୍ଗ ନିଶାରେ ଆଉ ବେଶି ଆଲୋଚନା କରିବାର ବ୍ୟବସ୍ଥାରେ ନଥିବା ଲକ୍ଷ୍ୟକରି ଭାଗୀରଥ ପଚାରିଲେ, ‘ରୋଷେଇ କେଉଁଯାଏଁ ଗଲା ।’

 

ଦୟିତାପତିଏ ସେଇ ସଭା ମଝିରୁ ରୋଷଘର ଆଡ଼େ ଚାହିଁ ପାଟିକରି ଉଠିଲେ, ‘ହରିଣ ଭାଇନା, କାମ ବଢ଼ିଲା ?’

 

ତାଙ୍କ କଥା ନ ସରୁଣୁ ହରିଭାଇନା ରୋଷଘର ଭିତରୁ ବାହାରି ଆସି ସଭା ସମ୍ମୁଖରେ ଠିଆ ହୋଇଗଲେ । ସେ କରିଆ ଗାମୁଛା ଖଣ୍ଡିଏ ପିନ୍ଧିଥିଲେ, ତାଙ୍କ ମଇଳା ପଇତାକୁ କାନରେ ସାତ ପରସ୍ତ କରି ଗୁଡ଼ାଇଥିଲେ । ଅପର୍ଯ୍ୟାପ୍ତ ଝାଳ ବୋହି ତାଙ୍କ ରୋଷ ନିଆଁ ସିଝା ଦେହଟା ଚିକି ଚିକି ଦିଶୁଥିଲା । ସେ ମୋଟା ଗଳାରେ ଅତିଶୟ ନମ୍ରତା ଦେଖାଇ କହିଲେ, ‘ସବୁ ରେଡ଼ି, ଖାଲି ପତର ପକାଇବା କଥା, କାହିଁକି ଆଉ ଉଛୁର କରିବା ?’

 

ଉପସ୍ଥିତ ମୁଖିଆମାନେ ଆଶ୍ୱସ୍ତିସୂଚକ ଧ୍ୱନିମାନ କରି ସଭା ଭଙ୍ଗ କଲେ । ନୋକନି, ଅଧର ଓ ମାଧବ ଏଥର ପଙ୍ଗତର ବ୍ୟବସ୍ଥା କରିବାରେ ଲାଗିପଡ଼ିଲେ ।

Image

 

(ଊଣେଇଶି)

 

ମୁଖ୍ୟମନ୍ତ୍ରୀ ଗୋବର୍ଦ୍ଧନ ଚୌଧୁରୀଙ୍କ ଭାଷଣ ଶୁଣିବା ପାଇଁ ନିର୍ଦ୍ଧାରିତ ସମୟର ବହୁ ଆଗରୁ ସିଂହଦ୍ୱାରଠାରେ ଲୋକମାନେ ଜମା ହେବାରେ ଲାଗିଥିଲେ । ଗଲା କେତେମାସ ଧରି ଯେତେ ନିର୍ବାଚନ ପ୍ରଚାର, ସଭା ସମିତି, ଆଲୋଚନା, ଯୁକ୍ତିତର୍କ ଚାଲିଥିଲା, ଆଉ ମାତ୍ର ଅଳ୍ପ କେତେ ଘଣ୍ଟା ପରେ ସେ ସବୁର ସମାପ୍ତି ଘଟିବ । ତେଣୁ ନିର୍ବାଚନର ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ରାଜ୍ୟର ଅପ୍ରତିଦ୍ୱନ୍ଦ୍ୱୀ ନେତା ଗୋବର୍ଦ୍ଧନ ସ୍ୱୟଂ ପୁରୀ ସହରରେ ଆବିର୍ଭୁତ ହେଉଛନ୍ତି । ତାଙ୍କ ସଙ୍ଗରେ ତାଙ୍କର କେତେ ଜଣ ମୁଖ୍ୟ ସହକାରୀ ତଥା କଟକର ବିଶିଷ୍ଟ ନାଗରିକ ମଧ୍ୟ ଯୋଗଦେଉଛନ୍ତି ବୋଲି ନବଘନ ଓ ମାଧବ ଦିନସାରା ମାଇକରେ ପ୍ରଚାର କରିଛନ୍ତି ।

 

ସିଂହଦ୍ୱାରର ଠିକ୍ ସାମ୍ନାରେ କଂସାରୀମାନଙ୍କ ଧାଡ଼ି ଧାଡ଼ି ପିତଳ ଓ କଂସା ଦୋକାନ ନିକଟରେ କେତୋଟି ଖଟଦ୍ୱାରା ସଭାମଞ୍ଚ ନିର୍ମାଣ କରାଯାଇଛି କେତେଜଣ ମେକାନିକ୍ ମଞ୍ଚ ଉପରେ ବାର ଲାଇଟ୍ ଖଞ୍ଜିବାରେ ଲାଗିଛନ୍ତି । ନବଘନ ଅତି ଉତ୍ସାହରେ ମାଇକ୍ ପାଖକୁ ଯାଇ ମାଇକ୍ ଠିକ୍ ଅଛି କି ନାହିଁ ପରୀକ୍ଷା କରିବାକୁ ମାଇକକୁ ଫୁ-ଫୁ କରି ଫୁଙ୍କୁଛି ଓ ହାଲୋ, ଏକ-ଦୁଇ-ତିନି-ଚାରି ବାରମ୍ୱାର କହୁଛି । ମୁଖ୍ୟମନ୍ତ୍ରୀସ୍ଥ ମଞ୍ଚର ଯେଉଁ ସ୍ଥାନରେ ବସିବା କଥା, ରାବଣା ଶୂନ୍ୟମଞ୍ଚର ସେଇ ସ୍ଥାନରେ ବସି ବେଳେ ବେଳେ ହାତଠାରି ଉପସ୍ଥିତ ଲୋକମାନଙ୍କୁ ବସି ପଡ଼ିବାକୁ ନିର୍ଦ୍ଦେଶ ଦେଉଛି ।

 

ସଭା ଆରମ୍ଭ ହେବାକୁ ତଥାପି ଅନେକ ଡେରି ଅଛି । ମୁରାରୀ ଦାସ୍ ଜଗନ୍ନାଥଙ୍କ ସଞ୍ଜ ଆଳତି ଦେଖିବାକୁ ଯିବା ବାଟରେ ଅଟକି ଯାଇଥିଲେ । ସଭାମଞ୍ଚରୁ ଅଳ୍ପ ଦୂରରେ କଂସାରୀ ଘନ ମହାଜନ ଦୋକାନ ଆଗରେ ପଡ଼ିଥିବା ବେଞ୍ଚ ଉପରେ ବସିପଡ଼ି ସେ ଲୋକଗହଳିକୁ ଅନାଉଥିଲେ-। ବେଶ୍ ଲୋକଗହଳି–ଗହଳି ଭିତରେ ଚିହ୍ନାଜଣାବି କେହି କେହି ଅଛନ୍ତି । ସଭାମଞ୍ଚ ଉପରେ ମହାଜନତା ପାର୍ଟିର ନେତା ଗିରିଧାରୀ, ଜୟ ହନୁମାନ, ନବଘନ ଓ ମାଧବ ଇତସ୍ତତଃ ହେଉଛନ୍ତି । ନବଘନ ତ ଆଉ ପିଲା ପରି ଦିଶୁନାହିଁ–ଦିଶୁଛି ଜଣେ ପୋଖତ୍ ମୁରବୀ ପରି । ମୁରାରୀ ଦାସଙ୍କୁ କେମିତି ବୋକା ବୋକା ଲାଗିଲା । ସେ ପଞ୍ଜାବି ପକେଟରୁ ପାନ ଖଣ୍ଡିଏ କାଢ଼ି ପାଟିରେ ପୂରାଇ ଡାହାଣ କାନକୁ ଛୁଇଁଲେ ।

 

ନବଘନ ମାଇକ୍ ପାଖକୁ ଯାଇ କହିବା ଆରମ୍ଭ କରିଦେଲା, ‘ହ୍ୟାଲୋ–ଏକ-ଦୁଇ-ହଁ ଠିକ୍ ଅଛି ।–ପୁରୀ ସହରର ଭାଇମାନେ, ଆପଣାମାନେ ଜାଣନ୍ତି, ଆଜି ଆମ୍ଭମାନଙ୍କର ଅତି ପ୍ରିୟ ନେତା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ଗୋବର୍ଦ୍ଧନ ଚୌଧୁରୀ ଆପଣମାନଙ୍କୁ ଭାଷଣ ଦେବେ । ତାଙ୍କ ସଙ୍ଗେ କଟକର କେତେଜଣ ବିଶିଷ୍ଟ ନାଗରିକ ମଧ୍ୟ ଆସୁଛନ୍ତି । ସେମାନଙ୍କୁ ଭେଟିବାର ସୁଯୋଗ ପାଇଥିବାରୁ ଆଜି ଆମ୍ଭେ ପୁରୀବାସୀ ଗର୍ବିତ । ମୁଖ୍ୟମନ୍ତ୍ରୀ ମହୋଦୟ ବର୍ତ୍ତମାନ ସର୍କିଟ୍ ହାଉସରେ ଅଛନ୍ତି । ଆଉ ମାତ୍ର ଅଳ୍ପ ସମୟ ପରେ ସେ ଏଠାରେ ପହଞ୍ଚିଯିବେ । ଆପଣମାନେ ଦୟାକରି ନିଜ ନିଜ ଜାଗାରେ ବସି ପଡ଼ନ୍ତୁ । ବସି ପଡ଼ନ୍ତୁ ଭାଇମାନେ । ହାତଯୋଡ଼ି ଅନୁରୋଧ କରୁଛି । ନ ବସିଲେ ଠେଲା ପେଲା ହୋଇ ହନ୍ତସନ୍ତ ହେବେ । ବସିପଡ଼ନ୍ତୁ–ବସିପଡ଼ନ୍ତୁ ।’

 

କେହି କେହି ନବଘନର କଥା ଶୁଣି ସଭାପଞ୍ଚ ନିକଟକୁ ଲାଗି ବସିପଡ଼ିଲେ । ଅନେକ କିନ୍ତୁ ଟିକିଏ ଦୂରରେ ଠିଆ ହୋଇ ରହିଲେ । କିଏ କେଉଁ କାମରେ ଯାଇଥିଲେ, ସଭା ଦେଖି ଅଟକି ଯାଇଛନ୍ତି । ସଭାମଞ୍ଚଠାରୁ ଦୂରେଇ ଠିଆହେଲେ ଚାଲିଯିବାକୁ ସୁବିଧା ।

 

ସିଂହଦ୍ୱାରରେ ସନ୍ଧ୍ୟା ସମୟରେ ଲୋକ ଗହଳିଟା ଅଧିକ ହୋଇଯାଏ । ଧାର୍ମିକ ବ୍ୟକ୍ତିମାନେ ସଞ୍ଜଆଳତି ଦେଖିବାକୁ ଆସନ୍ତି । ଏମାରମଠ ତଳର ପ୍ରଶସ୍ତ ପଥର ଚଉତରା ଉପରେ ଦଳ ଦଳ ଭିକମଗା ଆସି ଜମା ହୁଅନ୍ତି । ଲକ୍ଷ୍ମୀବଜାରରେ କିଣାବିକାଟା ଏତିକିବେଳେ ବଢ଼ିଯାଏ । ଦଳ ଦଳ ବାବାଜୀ ଗରୁଡ଼ ଖମ୍ୱ ପାଖରେ ଗୋଲ ହୋଇ ବସି ଖଞ୍ଜଣୀ ପିଟି କୀର୍ତ୍ତନ ଆରମ୍ଭ କରିଦିଅନ୍ତି । ମଳିନ ଆଲୁଅରେ ପରିବେଶଟା ରହସ୍ୟମୟ ଲାଗେ । ତା’ ସାଙ୍ଗକୁ ରାଜନୀତିକ ସଭାସମିତି ହେବାର ଥିଲେ, ନେତାମାନେ ଗଳା ଫଟାଇ ବାରମ୍ୱାର ଜଗନ୍ନାଥଙ୍କ ଆଡ଼କୁ ହାତ ଦେଖାଇ ବକ୍ତୃତା ଦେବା ଆରମ୍ଭ କରିଦିଅନ୍ତି ।

 

ମୁରାରୀ ଦାସ ଗୋପବନ୍ଧୁଙ୍କ ମୂର୍ତ୍ତିଆଡ଼େ ଅନାଇଲେ । ଜଳୁଥିବା ବାରଲାଇଟ୍ ତଳେ ଅପର୍ଯ୍ୟାପ୍ତ ପୋକ । ମୂର୍ତ୍ତି ପାଖରେ ତିନି ଚାରୋଟି ପିଲା ବସି ସଭା ଆଡ଼କୁ ଅନାଇଛନ୍ତି ।

 

ହଠାତ୍ ନବଘନର ଚିତ୍କାରରେ ମୁରାରୀ ଦାସ୍ ଚମକି ପଡ଼ିଲେ । ନବଘନ ଗର୍ଜନ କରୁଥିଲା, ‘ଆସିଗଲେ ଭାଇମାନେ, ଆମ୍ଭ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଶାଳ ଉତ୍କଳର ଅପ୍ରତିଦ୍ୱନ୍ଦ୍ୱୀ ନେତା ଶ୍ରୀଯୁକ୍ତ ଗୋବରର୍ଦ୍ଧନ ଚୌଧୁରୀ ଆସିଗଲେ ।’

 

ଜନତାର କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ସଭାମଞ୍ଚକୁ ଉଠିଲେ । ତାଙ୍କ ପଛେ ପଛେ ଭାଗୀରଥ, ଗିରିଧାରୀ, ଜୟ ହନୁମାନ ଓ ଅନ୍ୟମାନେ । ଶୁଭ୍ର ଖଦଡ଼ ଧୋତି ପଞ୍ଜାବି ପରିହିତ, ଛଅ ଫୁଟରୁ ଅଧିକ ଉଚ୍ଚ, ସୁଗଠିତ ଶରୀର ଗୋବର୍ଦ୍ଧନ ଚୌଧୁରୀ ଯଥାର୍ଥରେ ମୁଖ୍ୟମନ୍ତ୍ରୀ ପରି ଦିଶୁଥିଲେ ଏବଂ ସେ ସଭାରେ ଆସନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଜନତା ଅସ୍ୱାଭାବିକ ଭାବରେ ଶାନ୍ତ ହୋଇପଡ଼ିଲା । ପ୍ରଥମେ ସ୍ଥାନୀୟ ବିଧବାଶ୍ରମର କେତେଜଣ ମହିଳା ପ୍ରକାଣ୍ଡ ଫୁଲମାଳମାନ ମୁଖ୍ୟମନ୍ତ୍ରୀ ଓ ମଞ୍ଚ ଉପରେ ଆସୀନ ଅନ୍ୟ ବରେଣ୍ୟ ନେତାମାନଙ୍କ ଗଳାରେ ଲମ୍ବାଇଦେବା ପରେ ପ୍ରବଳ ଉତ୍ସାହ ଭିତରେ ସଭାକାର୍ଯ୍ୟ ଆରମ୍ଭ ହେଲା ।

 

ପ୍ରଥମେ ଗିରିଧାରୀ ବାହିନୀପତି ତାଙ୍କ ସ୍ୱଭାବସୁଲଭ ଢଙ୍ଗରେ ଦେଶର ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ପୁରୀସହରରେ ଉପସ୍ଥିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଗୋବର୍ଦ୍ଧନଙ୍କୁ ସମ୍ୱର୍ଦ୍ଧନା ଜଣାଇବା ସଙ୍ଗେ ସଙ୍ଗେ କଟକ ସହରର ବିଶିଷ୍ଟ ନାଗରିକ ତଥା ମୁଖ୍ୟମନ୍ତ୍ରୀଙ୍କ ଅନ୍ୟତମ ଅନ୍ତରଙ୍ଗ କୋଇଲି ଭଗତଙ୍କୁ ସଭାରେ ସଭାପତିତ୍ୱ କରିବାକୁ ଅନୁରୋଧ ଜଣାଇ କହିଲେ, ‘କଟକ ସହରର ବିଶିଷ୍ଟ ନାଗରିକ ଶ୍ରୀଯୁକ୍ତ କୋଇଲି ଭଗବତଙ୍କ ବିଷୟରେ କିଛି କହିବା ମୋ ପକ୍ଷରେ ଧୃଷ୍ଟତା ହେବ । ଆମ୍ଭମାନଙ୍କର ନେତା ଗୋବର୍ଦ୍ଧନ ଚୌଧୁରୀଙ୍କର ଡାହାଣହାତ ହେଉଛନ୍ତି ଶ୍ରୀଯୁକ୍ତ କୋଇଲି ଭଗତ-। ତାଙ୍କୁ ଜଣେ ମହାପୁରୁଷ କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କ ନାମରେ ଏବେ ‘ମହାତ୍ମା କୋଇଲି ପାଠାଗାର’ ଖୋଲା ଯାଇଅଛି ଏବଂ ନିକଟରେ ‘ମହାତ୍ମା କୋଇଲି ବାଳିକା ସ୍କୁଲ’ର ଭିତ୍ତି ପ୍ରସ୍ତର ପକାଇବେ ସ୍ୱୟଂ ମୁଖ୍ୟମନ୍ତ୍ରୀ । ଆଜି ଏହି ପରୋପକାରୀ ଦାନଶୀଳ ମହାତ୍ମାଙ୍କୁ ପାଇ ଆମ୍ଭେ ପୁରୀବାସୀ ଗର୍ବିତ ।’

 

ଘନ ଘନ କରତାଳି ମଧ୍ୟରେ ସଭାମଞ୍ଚର ପଛରେ ବସିଥିବା କୋଇଲି ଭଗତ ଆଗକୁ ଆସିଲେ ଓ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଲାଗି ଏକ ପ୍ରକାଣ୍ଡ ତକିଆକୁ ଆଉଜି ବସିଲେ । ତାଙ୍କ ପ୍ରସନ୍ନ ମୁଖ ସର୍ବଦା ପାନ ଚୋବାଇବାରେ ବ୍ୟସ୍ତ ଥିଲା । ସେ ମୁଖ୍ୟମନ୍ତ୍ରୀଙ୍କ କାନ ପାଖେ କ’ଣ ଫୁସ୍ ଫୁସ୍ କହିବା ଆରମ୍ଭ କରିଛନ୍ତି, ହଠାତ୍ ଏତିକିବେଳେ ଗୋଟିଏ ହାବେଳୀ ବାଣ ସୁ ସୁ ହୋଇ ନାଲି ନେଳି ନିଆଁ ଝୁଲର କାରୁକାମ ଦେଖାଇ ଉପରକୁ ଉଠିଲା । ଲୋକେ ଭୟରେ ପାଟିକରି ଉଠି ଯିବାକୁ ବସିଲେ । ନିଜେ ମୁଖ୍ୟମନ୍ତ୍ରୀ ତତ୍‍କ୍ଷଣାତ୍ ମାଇକ୍ ପାଖକୁ ଆସି କହିଲେ, ‘ବସନ୍ତୁ ଭାଇମାନେ । ଖଟିଖିଆ ଦଳର ଗୁଣ୍ଡାମାନେ ଏ ସଭାକୁ ଭଣ୍ଡୁର କରିବାକୁ ବସିଛନ୍ତି । ସେ କଥା ଆଗରୁ ମୁଁ ଖବର ପାଇଥିଲି । ସେଥିପାଇଁ ଆମର ପୋଲିସ୍ ପ୍ରସ୍ତୁତ ଅଛି । ସେମାନଙ୍କୁ ଠିକଣା ଜବାବ୍ ଦେବାକୁ ଆମର ସ୍ୱେଚ୍ଛାସେବକମାନଙ୍କୁ ହୁକୁମ୍ ଦିଆଯାଇଛି । ଆପଣମାନଙ୍କର ଭୟର କାରଣ ନାହିଁ । ମୁଁ ନିଜେ କହୁଚି–ଭୟର କାରଣ ନାହିଁ । ବସି ପଡ଼ନ୍ତୁ ।’

 

ମୁରାରୀ ଦାସ୍ ଦେଖିଲେ, ଦଳେ କଳା ମୋଟା ନିଶୁଆ ଲୋକ ଉପରକୁ ଠେଙ୍ଗା ଟେକି ଲୋକଙ୍କୁ ‘ବସିଯା’ ‘ବସିଯା’ କହୁଛନ୍ତି ଓ ଦରକାର ପଡ଼ିଲେ କାହାରି କାହାରି ମୁଣ୍ଡକୁ ଠେଙ୍ଗାରେ ଧୀରେ ଧୀରେ ପିଟି ଦେଉଛନ୍ତି । ମୁରାରୀ ଏଇ ସ୍ୱେଚ୍ଛାସେବକମାନଙ୍କୁ ‘ବ୍ୟାଧି-ନିବାରିଣୀ’ ପାଖରେ ଦେଖିଥିଲେ । ସେମାନେ ସଭା ସମିତିରେ ଗଣ୍ଡଗୋଳ କରନ୍ତି ବୋଲି ତାଙ୍କର ଧାରଣା ଥିଲା । ଆଜି କିନ୍ତୁ ଦେଖିଲେ, ସେମାନେ ଗଣ୍ଡଗୋଳ ବନ୍ଦ କରୁଛନ୍ତି । କିଛି ସମୟ ପରେ ଲୋକେ ପୁଣି ସ୍ଥିର ହୋଇ ବସିଲେ । ହଠାତ୍ ମାଇକ୍ କିଛି ସମୟ ଘାଉଁ ଘାଉଁ ହେବା ପରେ ମୁଖ୍ୟମନ୍ତ୍ରୀ ଗୋବର୍ଦ୍ଧନ ଚୌଧୁରୀ କହୁଥିବାର ଶୁଣାଗଲା, ‘ଭାଇ ଓ ଭଉଣୀମାନେ, ଆଜି ଆପଣମାନଙ୍କ ସ୍ନେହର ଡାକରା ଏଡ଼ି ନ ପାରି ମୁଁ ଏଠି ଉପସ୍ଥିତ ହୋଇଛି । ଆଜି କେତେ ଜଣ ଶିଳ୍ପପତିଙ୍କ ସଙ୍ଗେ କଲିକତାରେ ମୋର ଏକ ଜରୁରୀ ଆଲୋଚନା ଥିଲା । ଯିବାପାଇଁ ମୁଁ ପ୍ଳେନ୍ ଟିକେଟ୍ କାଟି ସାରିଥିଲି; କିନ୍ତୁ ପୁଣି ଭାବିଲି, ପୁରୀ ସହରର ଲକ୍ଷ ଲକ୍ଷ ଭାଇ ଭଉଣୀ ମୋତେ ଅପେକ୍ଷାକରି ବସିଥିବେ ମୋ ମୁହଁରୁ ପଦେ ଶୁଣିବା ପାଇଁ । ତେଣୁ ପ୍ରୋଗ୍ରାମ୍ କ୍ୟାନସଲ୍ କରି ବନ୍ଧୁ କୋଇଲିଙ୍କ ସହ ଏଠାରେ ଉପସ୍ଥିତ ହେଲି । (କରତାଳି) ଭାଇ ଓ ଭଉଣୀମାନେ, ସମୟ ଅଳ୍ପ । ଆଉ ମାତ୍ର କେତେ ଘଣ୍ଟା ପରେ ନିର୍ବାଚନ । ଖୁବ୍ ସଂକ୍ଷେପରେ ମୋ ଭାଷଣ ଦେଇସାରି ମୁଁ ସଙ୍ଗେ ସଙ୍ଗେ କଟକ ଫେରିଯିବି । ମୋର ଆଶା, ମୁଁ ଯାହା କହିବି, ଆପଣମାନେ ମନେରଖିବେ । ଖଟିଖିଆ ପାର୍ଟିର ଚାର୍‌ଶୋବିଶ୍ କଥାରେ ଭୁଲିଯିବେ ନାହିଁ ।

 

ଭାଇମାନେ ! ଆମ ଦଳ ମୋ ନେତୃତ୍ୱରେ (ଗୋବର୍ଦ୍ଧନ ନିଜ ପ୍ରଶସ୍ତ ବକ୍ଷସ୍ଥଳକୁ ଆଙ୍ଗୁଳି ନିର୍ଦ୍ଦେଶ କଲେ) କ୍ଷମତାକୁ ଆସିବା ଦିନୁ ଓଡ଼ିଶାରେ ନବଜାଗରଣ ଆସିଛି । ସମଗ୍ର ଭାରତ ତଥା ବିଶ୍ୱର ଦୃଷ୍ଟି ଓଡ଼ିଶା ଉପରେ ପଡ଼ିଛି । ଖାରବେଳ ଓ କପିଳେନ୍ଦ୍ର ଦେବଙ୍କ ପରେ ଇତିହାସରେ ଆଉ କେଉଁ ଶାସକ ଅମଳରେ ଓଡ଼ିଶା ଏଭଳି ପ୍ରସିଦ୍ଧି ପାଇ ନଥିଲା (କରତାଳି) । ଆପଣମାନେ ଜାଣନ୍ତି, ମୁଁ ମୁଖ୍ୟମନ୍ତ୍ରୀ ହେବାପରେ ପୃଥିବୀର ବିଭିନ୍ନ ଗସ୍ତ କରିଛି । ବିଭିନ୍ନ ଦେଶର ନେତା ଓ ଶିଳ୍ପପତିମାନଙ୍କ ସଙ୍ଗେ ଓଡ଼ିଶାର ଉନ୍ନତି ବିଷୟରେ ଆଲୋଚନା କରିଛି । ସେମାନେ ସମସ୍ତେ ମୋତେ କ’ଣ କହନ୍ତି, ହୁଏତ ଆପଣମାନେ ଯେତେବେଳେ ମୋ ଉପରେ ଏତେ ସ୍ନେହ ଢାଳି ଦେଇଛନ୍ତି, ସତ କଥାଟା ଆପଣମାନଙ୍କ ଆଗରେ ଖୋଲି ନ କହିଲେ ମନଟା ଛଟପଟ ହେବ-। ଭାଇ ଭାଇ ହୃଦୟ ଖୋଲି କଥା ନ କହିବ ତ କହିବ କାହା ଆଗରେ ? (କରତାଳି)–ସେମାନେ ସମସ୍ତେ କହନ୍ତି; ଓଡ଼ିଶା ଦିନେ ନା ଦିନେ ଅଲବତ୍ ପୃଥିବୀର ସବୁଠାରୁ ଧନୀ ରାଜ୍ୟ ହେବ । ଗୋଟାଏ ନୁହେଁ, ପନ୍ଦରଟା ବମ୍ୱେ କଲିକତା ଏଇ ଓଡ଼ିଶାରେ ମୁଣ୍ଡ ଟେକିବ । ଗୋଟିଏବି ଚାଳଘର କେଉଁଠି ରହିବ ନାହିଁ, ସବୁ ଘର ହେବ କୋଠାଘର । ଘରେ ଘରେ ଇଲେକଟ୍ରିକ୍ ଆଲୁଅ, ରେଫ୍ରିଜରେଟର୍, ଇଲେକଟ୍ରକ୍ । ଓଭେନ । ରାସ୍ତାସବୁ ହେବ ଲଣ୍ଡନ ବା ପ୍ୟାରିସ୍‍ର ରାସ୍ତା ପରି ସୁନ୍ଦର । ପ୍ରତି ପରିବାରରେ ଅନ୍ତତଃ ଗୋଟିଏ ଲେଖାଏଁ କାର ରହିବ । ସମସ୍ତଙ୍କ ହାତରେ ବ୍ୟାଙ୍କ ବାଲାନ୍‌ସ । ଆଉ ଏ ସବୁ ହେବ କେବଳ ମୋରି ନେତୃତ୍ୱରେ । ଏ କଥା ମୁଁ କହୁନାହିଁ । ପୃଥିବୀର ସବୁ ବଡ଼ ବଡ଼ ଦେଶର ନେତା ଓ ଶିଳ୍ପପତିମାନଙ୍କର ଏଇ ମତ । ଆପଣମାନେ ଖବରକାଗଜରେ ପଢ଼ିଥିବେ, ଅତୀତରେ ମୁଁ କେତେ ବଡ଼ ବଡ଼ କାମ କରିଛି, କେତେ ବଡ଼ ବଡ଼ ଲୋକଙ୍କ ଜୀବନ ବଞ୍ଚାଇଛି । ଯେତେବେଳେ ଇଂରେଜ ସରକାର ବିରୁଦ୍ଧରେ ଭାରତବାସୀ ସ୍ୱାଧୀନତା ପାଇଁ ସଂଗ୍ରାମ କରୁଥିଲେ, ସେତେବେଳେ ମୁଁ ବିଦେଶରେ ରହି ସ୍ୱାଧୀନତା ପରେ ଦେଶର କିପରି ଉନ୍ନତି ହେବ, କିପରି ନୂଆ ନୂଆ କଳକାରଖାନାମାନ ସ୍ଥାପିତ ହେବ, ସେଇ ବିଷୟ ଚିନ୍ତା କରୁଥିଲି । ବର୍ତ୍ତମାନ ଆଉ ଚିନ୍ତା କରିବାର ସମୟ ନାହିଁ; କାମର ସମୟ ଆସିଚି କାମ ଦରକାର, ଆକ୍‍ସନ୍–ଆକ୍‍ସନ୍-। (ଗୋବର୍ଦ୍ଧନ ମୁଷ୍ଟିବଦ୍ଧ ହାତ ଉପରକୁ ଟେକିଲେ ଓ ଜନତା ମଧ୍ୟରୁ ପ୍ରବଳ କରତାଳି ହେଲା ।)

 

କରତାଳି ବନ୍ଦ ହେବାପରେ ଗୋବର୍ଦ୍ଧନ ଆହୁରି ଉତ୍ସାହିତ ହେଲା ଭଳି ସାମାନ୍ୟ ହସି ଆରମ୍ଭ କଲେ, ‘ଆପଣମାନେ ଜାଣନ୍ତି, ଆଜି ଆଉ ପୁରୁଣା ଯୁଗ ନାହିଁ, ଜମାନା ବଦଳି ଯାଇଛି । ଦେଶକୁ ଆଜି ରୁଷ୍ ଆମେରିକା ଭଳି ଧନୀ କରିବାକୁ ପଡ଼ିବ । ଖଟିଖିଆ ପାର୍ଟି ଦେଶକୁ ପଛକୁ ଟାଣୁଛି । ସେମାନଙ୍କୁ ହଟାଇବାକୁ ପଡ଼ିବ । ସେମାନେ ଜନତାର ଦୁଷ୍‍ମନ୍ । ଆପଣମାନଙ୍କର ଦୁଷ୍‍ମନ୍‍ । ସେଇମାନେ ଆପଣଙ୍କର ନେତା ଦୀନ ଦରିଦ୍ରର ସାଥୀ ଭାଗୀରଥ ମହାପାତ୍ରଙ୍କ ବିରୁଦ୍ଧରେ ପ୍ରଚାର କରୁଛନ୍ତି, ସେ କୁଆଡ଼େ ଦୁର୍ନୀତି କରି କୋଠାଘର ତୋଳାଇଛନ୍ତି । ଏ ମିଥ୍ୟା ପ୍ରଚାରରେ ଭୁଲନ୍ତୁ ନାହିଁ । ଏ ଦେଶ ସବୁଦିନେ ଦରିଦ୍ର ରହୁ, ଏହା କ’ଣ ଆପଣମାନେ ଚାହାନ୍ତି ? ଦେଶ ଧନୀ ହେବା ଅର୍ଥ, ଦେଶର ପ୍ରତି ଲୋକ ଧନୀ ହେବା । ମୁଁ ଚାହେଁ, ଆପଣମାନେ ସମସ୍ତେ କୋଠାଘର ତୋଳନ୍ତୁ । ଭାଗୀରଥବି ଆପଣମାନଙ୍କ ଭିତରୁ ଜଣେ । ସେ ଘରଟିଏ ତୋଳିଲେ ଭୁଲ୍ କ’ଣ ହେଲା ? ଭାଗୀରଥ ଏଇତ ମୋତେ କହୁଥିଲେ, ସେ ତାଙ୍କ ନିଜ ରହିବା ପାଇଁ ଏତେବଡ଼ କୋଠା ତୋଳାଇଛନ୍ତି ବୋଲି କହିବା ଭୁଲ୍–ପୂରାପୂରି ମିଛ । ତାଙ୍କ ପରିବାରରେ ତ ସେମାନେ ମାତ୍ର ଦୁଇଜଣ ସ୍ୱାମୀ ଆଉ ସ୍ତ୍ରୀ । ଭାଗୀରଥଙ୍କ ଉଦ୍ଦେଶ୍ୟ–ଯେଉଁମାନଙ୍କର ଘରଦ୍ୱାର ନାହିଁ, ଶୀତ କାକରରେ ରାସ୍ତା ଘାଟରେ ପଡ଼ୁଛନ୍ତି, ସେଇମାନେ ସେଠି ଆଶ୍ରୟ ନେଇପାରିବେ । ସେ କୋଠା ଆପଣମାନଙ୍କର–ପୁରୀ ସହରର ଦୀନ ଦଳିତ ମଣିଷର । ସେ କୋଠା ଘରେ ରହିବାକୁ ଚାହେଁ ନାହିଁ । ସେ ଧନ ସମ୍ପତ୍ତି କ୍ଷମତା ଚାହେଁ ନାହିଁ, ସେ ଚାହେଁ, ଆପଣମାନଙ୍କର ଖଣ୍ଡିଏ ଭୋଟ୍–’ (କରତାଳି)

 

ମୁଖ୍ୟମନ୍ତ୍ରୀ ଗୋବର୍ଦ୍ଧନ ଉତ୍ତେଜିତ ହୋଇ ପାଣି ଗିଲାସେ ପାଇଁ ନିର୍ଦ୍ଦେଶ ଦେଲେ । ଜଣେ ସ୍ୱେଚ୍ଛାସେବକ ପାଣି ଗିଲାସେ ବଢ଼ାଇ ଦେଲେ । ଗୋବର୍ଦ୍ଧନ ପାଣି ଗିଲାସଟି ପାଖକୁ ନେଉଛନ୍ତି, ଏହି ସମୟରେ ସଭାରେ ପୁଣି ଗଣ୍ଡଗୋଳ ଆରମ୍ଭ ହେଲା । ସଭାର ଦକ୍ଷିଣ ଦିଗରେ ବସିଥିବା ଲୋକେ ‘ଟେକା’ ‘ଟେକା’ ବୋଲି ଚିତ୍କାର ଆରମ୍ଭ କଲେ । ଆଉ ଦୁଇଟି ହାବେଳୀ ବାଣ ମଧ୍ୟ ସୁ ସୁ ହୋଇ ଆକାଶ ମାର୍ଗରେ ଉଠିଲା । ଗୋବର୍ଦ୍ଧନ ହାତ ଘଡ଼ିକୁ ଅନାଇ ଦେଖିଲେ, ଆଉ ଅଳ୍ପ ସମୟ ଭିତରେ କଟକରେ ପହଞ୍ଚିବାକୁ ହେବ । ସଭାରେ ବିଶୃଙ୍ଖଳା ସତ୍ତ୍ୱେ ଚଢ଼ା ଗଳାରେ ପୁଣି କହିବା ଆରମ୍ଭ କରିଦେଲେ, ‘ଦେଖନ୍ତୁ ଭାଇମାନେ, ଖଟିଖିଆ ପାର୍ଟି ସଭା ଭଣ୍ଡୁର କରିବାକୁ ବସିଚି; ମାତ୍ର ସେଥିପାଇଁ ମୁଁ ବ୍ୟସ୍ତ ନୁହେଁ । ମୁଁ ଜାଣେ, ଆପଣମାନେ ଆମର ହାତଟଣା ରିକ୍‌ସା ଚିହ୍ନରେହିଁ ମୋହର ଦେବେ । ଓଡ଼ିଶାର ସବୁଠାରେ ଆମରି ପ୍ରତିନିଧିମାନେହିଁ ଜିଣିବେ । ଆମରି ଦଳହିଁ ସରକାର ଗଢ଼ିବେ । ଖଟିଖିଆ ଦଳକୁ ଭୋଟ ଦେବା ଯାହା, ଭୋଟ କାଗଜ ଖଣ୍ଡି ପାଣିରେ ଫିଙ୍ଗି ଦେବା ସେଇଆ । ଆପଣମାନେ ଜାଣନ୍ତି, ଆପଣମାନଙ୍କର ଏଇ ସହରକୁ ଲଣ୍ଡନ ବା ପ୍ୟାରିସ୍ ସହର ଭଳି ସୁନ୍ଦର କରିବାକୁ ଆମେ ଏକ ଯୋଜନା ପ୍ରସ୍ତୁତ କରିସାରିଛୁ । ଏଇଥର ଆମେ ସରକାର ଗଢ଼ି ସାରିଲା ପରେ ସେ ଯୋଜନା ହାତକୁ ନେବୁ । ସମୁଦ୍ରକୂଳେ ମ୍ୟାରିନ୍ ଡ୍ରାଇଭ୍ ନିର୍ମାଣ ହେବ । ସହରର ସବୁ ରାସ୍ତା ଚଉଡ଼ା ହେବ । ରାସ୍ତାରେ କେଉଁଠି ଟିକିଏବି ମଇଳା ରହିବ ନାହିଁ । ରାସ୍ତା କଡ଼େ କଡ଼େ ଫୁଲଗଛ ଲଗା ହେବ । ଚାଳଘର ସବୁ କୋଠା ହେବ । ସେଥିପାଇଁ ସରକାରୀ ସାହାଯ୍ୟ ମିଳିବ । ଖଟିଖିଆ ପାର୍ଟିକୁ ଭୋଟ ଦେଲେ ସହରର ଅବସ୍ଥା କେବେ ବଦଳିବ ନାହିଁ । ଖଟିଖିଆ ପାର୍ଟିକୁ ଭୋଟ ଦେଲେ ଆପଣମାନେ ଅନୁତାପ କରିବେ ।’

 

ଏହାପରେ ଜନତାର କୋଳାହଳ ଓ କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ବକ୍ତୃତା ଶେଷ କଲେ । ଭାଗୀରଥ ମହାପାତ୍ର ଓ କୋଇଲି ଭଗତ ଅଳ୍ପ କିଛି କିଛି କହିବା ପରେ ସଭା ସଙ୍ଗ ହେଲା-। ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର କାରରେ ସଭାସ୍ଥଳରୁ ପଳାଇଲେ । ନବଘନ ଓ ମାଧବଙ୍କ ନେତୃତ୍ୱରେ ଦଳେ ଲୋକ ବହୁ ସମୟ ଯାଏ ‘ଭୋଟ ଦେବ କେଉଁଠି,’ ‘ରିକ୍‌ସା ଚିହ୍ନ ଯେଉଁଠି, ’ଆମର ନେତା, ଭାଗୀରଥ ମହାପାତ୍ର’ ପ୍ରଭୃତି ସ୍ଳୋଗାନରେ ସିଂହଦ୍ୱାର କମ୍ପାଇବାରେ ଲାଗିଥାନ୍ତି ।

Image

 

(କୋଡ଼ିଏ)

 

ଅବଶେଷରେ ସେହି ଦିନଟି ଆସିଗଲା ।

ଭାଗୀରଥ ଖୁବ୍ ସକାଳୁ ଉଠି ତାଙ୍କ କୋଠାଘର ବାଲ୍‌କୋନି ଉପରେ ଠିଆ ହୋଇ ଜଗନ୍ନାଥଙ୍କ ଦେଉଳଆଡ଼େ ଅନାଇ ବହୁ ସମୟ ଯାଏ କ’ଣ କହିଲେ ଓ ବାରମ୍ୱାର ନମସ୍କାର କଲେ । ଆଜିର ସକାଳଟି ଅନ୍ୟ ଯେ କୌଣସି ଦିନର ସକାଳ ପରି ଥିଲା ଶାନ୍ତ ଓ ଶୀତଳ । ଅଳ୍ପ ଦୂରରେ ସମୁଦ୍ରଟା ଚିରାଚରିତ ରୀତିରେ ଗର୍ଜନ କରି ଚାଲିଥିଲା ଓ କେବେ କେବେ କେହି ଜଣେ ଦି’ଜଣ ନୀରବରେ ସମୁଦ୍ରକୂଳ ଅଭିମୁଖେ ଚାଲିଥିଲେ । ଭାଗୀରଥଙ୍କୁ କିନ୍ତୁ ଆଜିର ଦିନଟି ଅନ୍ୟ ଦିନଗୁଡ଼ିକଠାରୁ ଭିନ୍ନ ଜଣାଗଲା । ତାଙ୍କର ମନେ ହେଲା, ସମସ୍ତେ–ରାସ୍ତାରେ ଚାଲିଥିବା ଲୋକମାନେ, ପ୍ରତି ଘରେ ପୁରୁଷ ଓ ସ୍ତ୍ରୀ, ସମ୍ବାଦପତ୍ର ଓ ରେଡ଼ିଓ–ଯେମିତି ଉଦ୍‍ଗ୍ରୀବ ହୋଇ ଅପେକ୍ଷା କରିଛନ୍ତି ଆଜିର ଦିନଟି ପାଇଁ । ପୁଣିଥରେ ନିର୍ବାଚନରେ ଜିଣିଲେ ସେହିଁ ହେବେ ଅପ୍ରତିଦ୍ୱନ୍ଦ୍ୱୀ ଜନନେତା, ମନ୍ତ୍ରୀ ତ ନିଶ୍ଚୟ ଓ ତା’ପରେ ପ୍ରଶଂସା–ସମ୍ବାଦ ପତ୍ରରେ ଫଟୋ–ସେ ହସୁଛନ୍ତି, ବେକରେ ବୋଝେ ଫୁଲମାଳ–କିମ୍ବା ସେ ବକ୍ତୃତା ଦେଉଛନ୍ତି ମାଇକ୍ ସାମ୍ନାରେ, ବାଁ ପାଖରେ ଚୌକିରେ ତାଙ୍କ ସ୍ତ୍ରୀ କାଞ୍ଚନ ଦେବୀ । ସଭା ସମିତିରେ ତାଙ୍କର ପରିଚୟ ଦିଆଯାଉଛି–ଛାତ୍ର ଜୀବନରୁ ସେ ଦେଶସବାକୁହିଁ ବ୍ରତ କରିନେଇଥିଲେ; ଇଚ୍ଛା କରିଥିଲେ ବଡ଼ ଚାକିରୀ କରିପାରିଥାନ୍ତେ, କଲେ ନାହିଁ;–ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳ ଓଡ଼ିଶାରେ ମିଶାଇବା ପାଇଁ ଜେଲ୍ ଯାଇଥିଲେ, ଦୁଃଖ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ କରି ଆଜି ଦେଶବାସୀଙ୍କର ଆଦର୍ଶ ହୋଇଛନ୍ତି । କିନ୍ତୁ ହାରିଗଲେ ? ସବୁ ନୀରବ । କେବେ କେବେ ପାର୍ଟିର ଜିଲ୍ଲା ଶାଖାର ମିଟିଂରେ ବକ୍ତୃତା ଦେବାରେ ସମସ୍ତ ରାଜନୀତିକ କାର୍ଯ୍ୟକଳାପର ସମାପ୍ତି । କଳା ମଳିନ କୋଟ ପିନ୍ଧି ପୁଣି ଓକିଲାତି, ପାଟି ଅଫିସରଙ୍କୁ ଖୋସାମତି । କେବେ କେବେ ସନ୍ଧ୍ୟାରେ ନୂତନ ମିଷ୍ଟାନ୍ନଭଣ୍ଡାର ଆଡ଼େ ଗଲେ କେତେଜଣ ପରିଚିତ ଲୋକଙ୍କ ନମସ୍କାର ଓ ଆଶ୍ୱାସନା ଯେ ଆସନ୍ତା ନିର୍ବାଚନରେ ପୁଣି ସେହିଁ ଜିଣିବେ–ନୂଆ ଏମ. ଏଲ.ଏ ସବୁବେଳେ ଭୁବନେଶ୍ୱରରେ ମଉଜମଜଲିସରେ ବ୍ୟସ୍ତ, ଭୟରେ ଆଉ ନିଜ ସାହି ମାଡ଼ୁ ନାହାନ୍ତି ।

ପଛରୁ କାଞ୍ଚନଦେବୀ ପାଟି କଲେ–କ’ଣ ଭାବୁଚ ମ ? ପୂଜାରୀ ଚା’ କରିସାରିଲାଣି ।’

ଭାଗୀରଥ ପଛକୁ ଅନାଇଲେ । କାଞ୍ଚନ ଦେବୀ କେତେବେଳେ ସ୍ନାନାଦି ଶେଷ କରି ବହୁଦିନୁ ଅବ୍ୟବହୃତ ମଠା ଲୁଗାଟି ପିନ୍ଧି ହାତରେ ପ୍ଲାଷ୍ଟିକ ବାସ୍କେଟ୍‌ଟିଏ ଓହଳାଇ ଠିଆ ହୋଇଥିଲେ । ଭାଗୀରଥ ଆଜିପରି ସିରିୟସ୍ ଦିନରେବି ରହସ୍ୟ କରି କହିଲେ, ‘ଏ କେଉଁ ଗୋସାଣୀ ବାହାରିଲେ ?’

କାଞ୍ଚନଦେବୀ ପାହାନ୍ତରୁ ଉଠି ନିତ୍ୟକର୍ମ ସାରି ଶ୍ୟାମାକାଳୀ ଦେଉଳକୁ ବାହାରିଥିଲେ । ସ୍ୱାମୀ ତାଙ୍କୁ କୌଣସି ଗୋସାଣୀ ସହିତ ତୁଳନା କରିବାଟା ତାଙ୍କୁ ଭଲଲାଗିଲା ନାହିଁ । ସେ ନିଜ ଶରୀରର ପୃଥୁଳତା ସମ୍ପର୍କରେ ହଠାତ୍ ସଚେତନ ହୋଇ ପଡ଼ିଲେ । କିନ୍ତୁ ଆଜିପରି ଦିନରେ ସ୍ୱାମୀଙ୍କୁ ବା କ’ଣ କହିବେ ? ସ୍ୱାମୀଙ୍କ ମୁହଁକୁ ଅନାଇ ତାଙ୍କ ହୃଦୟ କେମିତି ମମତାରେ ପୂର୍ଣ୍ଣ ହୋଇଗଲା । ଆଃ–ଏଇଥର ଜିତିଥାନ୍ତେ ହେଲେ, ଆଉ ପଛେ ନିର୍ବାଚନରେ ଠିଆ ନ ହୁଅନ୍ତେ । କହିଲେ, ମୁଁ ଟିକିଏ ଶ୍ୟାମାକାଳୀ ଯାଉଛି । ଶୀଘ୍ର ଫେରିବି । ତମେ ଜଳଖିଆ ନ ଖାଇ କୁଆଡ଼େ ଯିବ ନାହିଁ ।’

କାଞ୍ଚନ ଦେବୀ ଧିରେ ଧିରେ କୋଠା ଉପରୁ ଓହ୍ଲାଇଗଲେ । ଭାଗୀରଥ ସୋଫା ଉପରେ ବସିପଡ଼ି ଟି ପୟରୁ କପରେ ଚା’ ଢାଳିଲେ । ଚା’ କପ୍‍ରେ ମୁହଁ ଲଗାଇଛନ୍ତି, କଲିଂବେଲ୍ ବାଜିଲା । ଭାଗୀରଥ ବୁଝିଲେ, ସେମାନେ ଆସିଗଲେ । ପୂଜାରୀ ଉଦ୍ଦେଶ୍ୟରେ ପାଟି କଲେ, ‘ଉପରକୁ ଡାକିଦିଅ ।’

ସେମାନେ ଧୀରେ ଧୀରେ ଉପରକୁ ଆସିଲେ । ଗିରିଧାରୀ, ଜୟ ହନୁମାନ ମାଧବ, ରାବଣା ଦୋରା, ଘନ ନାୟକ । ପୂଜାରୀ ସଙ୍କୁଚିତ ହୋଇ ଉପରକୁ ଆସି ସମସ୍ତଙ୍କୁ ଚା’ ଦେଲା । ଗିରିଧାରୀ ସୁ କରି ଚା’ ଢୋକି କହିଲେ, ‘ଗୋବର୍ଦ୍ଧନଙ୍କ ଭାଷଣଟା ବଢ଼ିଆ କାମ ଦେଇଚି । ସବୁଠି ସେଇ ଗୋଟିଏ କଥା–ମହାଜନତା ପାର୍ଟି ତ ସରକାର ଗଢ଼ିବ । ଖଟିଖିଆ ପାର୍ଟିକି ଭୋଟ ଦେଇ ଲାଭ କ’ଣ ?’

ଜୟ ହନୁମାନ କହିଲେ, ‘ଓଃ–ଜିତାପଟ ତ ଆମର ହେବ ଇ ହେବ । ନବଘନ କାଲି ରାତିସାରା ଶୋଇନାହିଁ । ନବଘନଟାର କାଇଁ ସକାଳୁ ଦର୍ଶନ ନାଇଁ ?’

‘ମୁଁ ବି ରାତିସାରା ଶୋଇନି ।’ ରାବଣା କହିଲା, ‘ଶଳା ହାଡ଼ି ସାଇରେ ଛ’ ଟିଣ ହାଣ୍ଡିଆ ଖତମ୍ ହୋଇଗଲା । ହେଇ ଘନ ତ ଅଛି । ପଚାରୁନ ହାଡ଼ିସାଇର ସବୁ ଭୋଟ୍ ଆମର । ଶଳା ନରସିଙ୍ଗା କାଲି ମୋ ସାଙ୍ଗେ ବାଜି ପକେଇଚି । ଖଟିଖିଆ ପାର୍ଟି ହାରିଗଲେ ମୋତେ ଶହେ ଟଙ୍କା ଦବ ।’ ମାଧବ କହିଲା, ‘କାଲି ଦିଶୁନି ପୁଣି ପାମ୍ପଲେଟ୍ ବାଣ୍ଟିଚି । ସେଇ କଥା–ଭାଗୀରଥ ମହାପାତ୍ରଙ୍କ କୋଠାଘର ଗରିବଗୁରୁବାଙ୍କ ଟଙ୍କାରେ ତିଆରି । ଆମେ ସାଇ ସାଇ ବୁଲି ବୁଝେଇଚୁ ଆରେ, ଏ କୋଠା ଗରିବ ଜନତାର । ଭୋଟ ସଇଲେ ଭାଗୀରଥ ତାଙ୍କର ଯୋଡ଼ିଏ ବଖରା ଘର ରଖି ସବୁ ଛାଡ଼ିଦେବେ ଜନତା ପାଇଁ । ଯାହା କହ, ଅଧର ଦୟିତାପତି, ନୋକନି, କୁସୁନ ମୋ ସାଙ୍ଗେ ସାରା ରାତି ତକଲିପ୍ ହେଇ ବୁଲିଛନ୍ତି । ପାଞ୍ଚଟି ଟଙ୍କାକୁ ଚାହିଁ ଖାସା ମେହେନତ କରିଚନ୍ତି-। ଖାଲି ଆମେ ଭୋଟ ପାଇଗଲେ ରଘୁନି ବିଶୁନି ଦି’ଭାଇଙ୍କୁ ଘଣା ପେଲେଇବା କଥା ।

ରାବଣା ଉତ୍ତେଜିତ ହୋଇ କହିଲା, ‘ସେ ନରସିଙ୍ଗାଟାବି ହାରାମୀ ଅଛି । ତାକୁ ଜେଲରେ ଠୁଙ୍କିବା ନା ? ।

ଭାଗୀରଥ ଗମ୍ଭୀର ହୋଇ ବସିଥିଲେ । ଗିରିଧାରୀ ଚିନ୍ତିତ ହୋଇ କହିଲେ, ‘ଆମରବି ପ୍ରଚାରପତ୍ର କାଲି ବଣ୍ଟା ଯାଇଚି । ଆଠବର୍ଷତଳେ ଅର୍ଜ୍ଜୁନ ଗୋଛିକାରର ଭାଉଜ ନେତ୍ରମଣି ଦେବୀଙ୍କର ଯେଉଁ ଅକାଳ ମୃତ୍ୟୁ ହୋଇଥିଲା, ସେଥିରେ ଅର୍ଜ୍ଜୁନ ଜଡ଼ିତ ଥିଲା । ସେ ବିଷୟ ତଦନ୍ତ କରିବା ପାଇଁ ପୁରୀର ଜନସାଧାରଣ ଦାବି କରନ୍ତି ।’

ଭାଗୀରଥ ହସିଲେ । ଗିରିଧାରୀବି । ଆତ୍ମହତ୍ୟା ପରେ ନେତ୍ରମଣିଙ୍କ ଭାଇ ଅର୍ଜ୍ଜୁନ ବଡ଼ ଭାଇଙ୍କ ନାମରେ ଯେଉଁ କେଶ୍ କରିଥିଲେ, ସେଥିରେ ଭାଗୀରଥ ଅର୍ଜ୍ଜୁନ ବଡ଼ ଭାଇଙ୍କ ସପକ୍ଷରେ ଲଢ଼ି ତାଙ୍କୁ ନିର୍ଦ୍ଦୋଷରେ ମୁକୁଳେଇ ଦେଇଥିଲେ ଓ ମୋଟା ଫି ଆଦାୟ କରିଥିଲେ । ଆଜି କିନ୍ତୁ ରାଜନୀତିକ ଶତ୍ରୁତା ଯୋଗୁଁ ସେ ପୁଣି ସେଇ ପୁରୁଣା ଗୁଜବଟା ପ୍ରଚାର କରିଛନ୍ତି । ନିର୍ବାଚନର ଠିକ୍ ସକାଳେ ଶହ ଶହ ପ୍ରଚାରପତ୍ର ସହରସାରା ବିଛାଇ ଦିଆଯାଇଛି । ଅର୍ଜ୍ଜୁନର ଉତ୍ତର ଦେବାକୁ ସମୟ ନାହିଁ । ଗଦାଧରଙ୍କ ଭଳି ବିଚକ୍ଷଣ ରାଜନୀତିଜ୍ଞବି ଏଥିରେ ବୋକା ପାଲଟି ଯାଇଥିବେ ।

ମାଧବ କହିଲା, ‘ହେଇ ପରା ଶୁଣି ଆଇଲି–ଅର୍ଜ୍ଜୁନଟା ଆମ ପାମ୍ପଲେଟ୍ ଦେଖି କୁଆଡ଼େ କଦଳୀ ଗଛ କାଟିଲା ପରି ଭୁଷ୍ କିନା ତଳେ ପଡ଼ିଗଲା । ଖଟିଖିଆ ଦଳର କର୍ମୀମାନଙ୍କ ମୁହଁ କଳା ପଡ଼ିଯାଇଚି । ଖାଲି ଅର୍ଜ୍ଜୁନର ଅମାନତଟା ଉଡ଼ି ନ ଯାଉ ୟା ଛଡ଼ା ତାଙ୍କର ଆଉ କିଛି ଚିନ୍ତା ନାଇଁ ।’

ଗିରିଧାରୀ କହିଲେ, ‘ଆରେ ସାତଟା ବାଜିବ, ଆଉ ବସି ରହିବା କାହିଁକି ? ସବୁ ବୁଥ୍‍ରେ ଏଜେଣ୍ଟ ପହଞ୍ଚିଲେ କି ନାହିଁ, ଦେଖିବାକୁ ହେବ । ଆପଣ ବାହାରନ୍ତୁ, ଭାଗୀରଥବାବୁ ।’

ଭାଗୀରଥବାବୁ ତର ତର ହୋଇ ଅନ୍ୟ ରୁମକୁ ଗଲେ ଓ ପ୍ରାୟ କୋଡ଼ିଏ ମିନିଟ୍ ପରେ ତାଙ୍କର ଖଦଡ଼ ପଞ୍ଜାବି ଓ ଧୋତି ପିନ୍ଧି ବାହାରି ଆସିଲେ । ତା’ପରେ ସେମାନେ ସମସ୍ତେ ତଳକୁ ଓହ୍ଲାଇଲେ । କର୍ମୀମାନେ ଆଗେ ଆଗେ ଭାଗୀରଥ ପଛେ ପଛେ । ସେତେବେଳେ ଯାଏ ରାସ୍ତାରେ ଲୋକଗହଳି ହୋଇ ନଥାଏ । ଉଜ୍ଜ୍ୱଳ ସୂର୍ଯ୍ୟାଲୋକରେ ରାସ୍ତାଟା ଦିଶୁଥାଏ ଅଧିକ ନିର୍ଜନ । ଭାଗୀରଥଙ୍କୁ କେଜାଣି କାହିଁକି ବଡ଼ ଏକୁଟିଆ, ବଡ଼ ନିଃସହାୟ ଲାଗିଲା । କିପରି ଗୋଟାଏ ଅବସନ୍ନ ଭାବ ସମଗ୍ର ଶରୀରକୁ ଆକ୍ରାନ୍ତ କରିଦେଲା । କେଉଁଆଡ଼େ ଚାଲିଛନ୍ତି ସେ–କେଉଁ ଉଦ୍ଦେଶ୍ୟରେ ? ଏତେ ନିନ୍ଦା ଅପମାନ, ଏତେ ମାନସିକ ଯନ୍ତ୍ରଣାର ପରିଣତି କ’ଣ ? ଭୂତକୋଠି ପରି ପ୍ରକାଣ୍ଡ ଖାଁ ଖାଁ । କୋଠାଘର, ଛୋଟ ନେଳିଆ ଖାତାଟିରେ ଲେଖା କେତୋଟି ସଂଖ୍ୟା–ଯାହାର ନାମ ବ୍ୟାଙ୍କ ବାଲାନ୍‌ସ–ଟାଉଟର୍ କଳା ବ୍ୟବସାୟୀଙ୍କ ଗହଣରେ ଦିନ ପରେ ଦିନ ଅପବ୍ୟୟ–ଏ ସବୁରୁ ସେ ପାଇଛନ୍ତି କ’ଣ ? କାଞ୍ଚନ ଦେବୀ ହୁଏତ ସ୍ୱାମୀଙ୍କ ବିଜୟ ମନାସି ଶ୍ୟାମାକାଳୀଙ୍କ ଏରୁଣ୍ଡିରେ ମଥା କୋଡ଼ି ଚାଲିଥିବେ । ପୃଥୁଳ ଶରୀର ନିଃସନ୍ତାନା କାଞ୍ଚନ ଦେବୀ । ସ୍ୱାମୀଙ୍କ ବିଜୟରୁ ସେ କ’ଣ ପାଇବେ ହୁଏତ ଜାଣନ୍ତି ନାହିଁ । ରାଜନୀତିଜ୍ଞ ସ୍ୱାମୀ ଦିନରାତି ଅର୍ଥହୀନ–ଜଞ୍ଜାଳ ଭିତରେ ବୁଡ଼ି ରହିଥିଲାବେଳେ ଲୋଭ ଓ କାରୁଣ୍ୟର ପ୍ରତୀକ ଏଇ ନାରୀ, ପ୍ରକାଣ୍ଡ କୋଠାଘର ଓ କେତୋଟି ଷ୍ଟିଲ୍ ଆଲମିରାକୁ ଜଗି ରହିଥିବେ ଓ ଅପେକ୍ଷା କରିଥିବେ, କେବେ ସ୍ୱାମୀ ରାଜନୀତିକ କାର୍ଯ୍ୟବ୍ୟସ୍ତତାରୁ ମୁକ୍ତ ହେବେ !

ବାପାଙ୍କ ଛବି ଭାଗୀରଥଙ୍କ ଆଖିସାମ୍ନାରେ ଉଇଁ ଉଠିଲା । ତମ୍ୱା ରଙ୍ଗର ଚେହେରା, ଚନ୍ଦା ମୁଣ୍ଡ, ଉଜ୍ଜ୍ୱଳ ଚକ୍ଷୁ । ନଅର ଗଳିର ଦରିଦ୍ର ମୋହରିର ଚକ୍ରପାଣି ମହାପାତ୍ର । ନଅର ଗଳିରୁ କଚେରୀ, କଚେରୀରୁ ନଅର ଗଳି, ଘରୁ ଜଗନ୍ନାଥ ମନ୍ଦିର, ଜଗନ୍ନାଥ ମନ୍ଦିରରୁ ଘର । ଜୀବନର ଲକ୍ଷ୍ୟ କେଡ଼େ ସରଳ ହୋଇପାରେ ! ଆଜି ସେ ବଞ୍ଚିଗଲେ ପୁଅର କାର୍ଯ୍ୟକଳାପରେ ଅଣନିଃଶ୍ୱାସୀ ହୋଇ ପଡ଼ିଥାନ୍ତେ ।

ନୂତନ ମିଷ୍ଟାନ୍ନ ଭଣ୍ଡାରରେ ଦଳେ ଲୋକ ସବୁଦିନ ପରି ବସି ଚା’ ପାନ ଓ ଆଲୋଚନାରେ ବ୍ୟସ୍ତ ଥିଲେ । ଗିରିଧାରୀ, ଜୟ ହନୁମାନ ଓ ମାଧବ ସେ ବାଟେ ଯିବାର ଦେଖି ହୋଟେଲ ଭିତରୁ ବିଶୁନି ପଶୁପାଳକ ପାଟି କରି ଉଠିଲେ–‘ଆରେ, କିଳାପୋତା ଟଙ୍କାରେ ତିଆରି କୋଠା ଭୁଷୁଡ଼ି ପଡ଼ିବ ମ !’

ମାଧବ ଏଥିରେ ଉତ୍‍କ୍ଷୀପ୍ତ ହୋଇ ପାଗଳ ପରି ଡାହାଣ ହାତ ଉପରକୁ ଛାଟି ଚିତ୍କାର କଲା–‘ଭାଗୀରଥବାବୁଙ୍କ କୋଠା କାହାର ? ପୂର୍ବରୁ ପ୍ରସ୍ତୁତ ଥିଲା ଭଳି ରାବଣା ଓ ଘନ ନାୟକ ତତ୍‌କ୍ଷାଣାତ୍ ମିଳିତ ସ୍ୱରରେ ଗର୍ଜନ କରି ଉଠିଲେ–‘ଚାଷୀ ମୂଲିଆର–ଆମ ସମସ୍ତଙ୍କର ।’

ଭାଗୀରଥ ନିକଟତମ ପୁଲିଂ ବୁଥ୍ ଆଡ଼େ ଆଗେଇ ଯାଉଥିବାବେଳେ ତାଙ୍କ କର୍ମୀମାନଙ୍କ ବୁଦ୍ଧିକୁ ମନେ ମନେ ପ୍ରଶଂସା କରୁଥିଲେ ।

ରଚନାକାଳ : ୧୯୭୩-୭୪

Image